ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ !

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୭
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୯ ତାରିଖ ଘୋଷଣା ଅନୁଯାୟୀ କେନ୍ଦ୍ର ସରକାର ନଭେମ୍ବର ୩୦ ତାରିଖ ଦିନ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି । କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନଗତ ମାନ୍ୟତା ଦିଆଯିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ଅନ୍ୟତମ ପ୍ରମୁଖ ଦାବି ଥିଲା । ଏହି ଦାବି ସମେତ ସମେତ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର କମିଟି ଗଠନ ପ୍ରସ୍ତାବ ଦେଇଥିଲେ । ତେବେ, ଆନ୍ଦୋଳନକାରୀ ଚାଷୀମାନେ ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଚାହୁଁ ଥିଲେ । ଆଜି ଅପରାହ୍ନରେ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି । ସଂଯୁକ୍ତ କିଶାନ ମୋର୍ଚ୍ଚାର ଗତ ୪ ତାରିଖ ବୈଠକର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଧାର୍ଯ୍ୟ କରିବାକୁ ଆଜି ବୈଠକ ଚାଲିଛି । ଦାବିଗୁଡିକ ଉପରେ ବିଚାର କରାଯିବ ବୋଲି ସରକାର ଆଜି ଲିଖିତ ପ୍ରତିଶ୍ରୁତି ଦେଇ ଥିବାରୁ ଦିଲ୍ଲୀ ସୀମାନ୍ତରେ ବର୍ଷାଧିକ ସମୟ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବା ସମ୍ଭାବନା ସୃଷ୍ଟି ହୋଇଛି । ଆଜି ଏନେଇ ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚାର ବୈଠକ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ, ସରକାର ଏମଏସପି ଉପରେ ବିଚାର ପାଇଁ ଏକ କମିଟି ଗଠନ କରିବାକୁ ଏବଂ ଆନ୍ଦୋଳନ ଓ ନଡ଼ା ପୋଡିକୁ ନେଇ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ସବୁ ପ୍ରତ୍ୟାହାର କରିବାକୁ ଆଜି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକାଂଶ ଚାଷୀ ସରକାରଙ୍କ ପ୍ରସ୍ତାବକୁ ମାନି ନେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ପୂର୍ବରୁ ଆନ୍ଦୋଳନର ପରିସମାପ୍ତି ଘଟାଇବାକୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ଉପରେ ଅଧିକ ଆଲୋଚନା କରୁଛନ୍ତି । ସଂଯୁକ୍ତ କିଶାନ ମୋର୍ଚ୍ଚାର ଆଉ ଏକ ପ୍ରମୁଖ ଦାବି ଥିଲା, ଗତ ଅକ୍ଟୋବର ୩ ତାରିଖ ୟୁପିର ଲକ୍ଷ୍ମୀପୁର ଖେରିରେ ଘଟି ଥିବା ଚାଷୀ ହତ୍ୟା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ଥିବାରୁ ଗିରଫ ହୋଇଥିବା ବେଳେ ଏହି ଷଡଯନ୍ତ୍ରରେ ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ସାମିଲ ଥିବାରୁ ତାଙ୍କୁ ବରଖାସ୍ତ କରାଯାଉ । କେନ୍ଦ୍ର ସରକାର ଏହା ଉପରେ ଆଲୋଚନା ପାଇଁ ପୂର୍ବରୁ ମଧ୍ୟ ରାଜି ନଥିଲେ । ଆଜି ଚାଷୀ ସଂଗଠନଙ୍କୁ ଯେଉଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି ସେଥିରେ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିକୁ ଉପରେ କିଛି ଉଲ୍ଲେଖ ନାହିଁ । ଚାଷୀଙ୍କ ଦାବି ପୂରଣ ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦେବାର ଆଜି ‘ଡେଡ୍ ଲାଇନ୍’ ଥିଲା । ସରକାର ତାହା ପୂରଣ କରିଛନ୍ତି । ତେଣୁ, ଯଦି କିଛି ବୁଝାମଣା ହୋଇଯିବ ଚାଷୀ ଦିଲ୍ଲୀ ସୀମାନ୍ତରୁ ହଟି ଯିବେ ବୋଲି ଚାଷୀ ସଂଗଠନର ଅନ୍ୟତମ ନେତା ଯୁଦ୍ଧବୀର ସିଂହ ଆଜି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଆଡୁ ତିନି ନୂଆ କୃଷି ଆଇନ ପ୍ରଣୟନ ହେବା ପରେ ତାହା ବିରୋଧରେ ୪୦ଟି ଚାଷୀ ସଂଗଠନ ପକ୍ଷରୁ ୨୦୨୦ ସେପ୍ଟେମ୍ବରରୁ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଜାରି ରହିଛି । ୨୦୨୧ ନଭେମ୍ବର ୩୦ ତାରିଖ ଦିନ ସରକାର ତିନି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି । ତେବେ, ଏମଏସପି ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଚାଷୀ ଆନ୍ଦୋଳନ ଚାଲୁ ରହିଛି । ଏହି ଏକ ବର୍ଷ ବ୍ୟାପୀ ଚାଷୀ ଆନ୍ଦୋଳନ ସମୟରେ ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ର୍ୟାଲି କରିବା, ଆନ୍ଦୋଳନର ଆଡୁଆଳରେ କିଛି ଲୋକ ଲାଲକିଲ୍ଲା ଭିତରେ ପଶି ନିଜର ପତାକା ଉଡାଇବା, ଚାଷୀଙ୍କୁ ଦମନ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆନ୍ଦୋଳନ କାଳରେ ୭୦ରୁ ଅଧିକ ଚାଷୀଙ୍କ ମୃତୁ୍ୟ ଘଟିବା ଭଳି ବହୁ ଘଟଣା ଘଟିଛି । ଶେଷରେ, କେନ୍ଦ୍ର ସରକାର ଚାଷୀଙ୍କ ଆନ୍ଦୋଳନ ନିକଟରେ ମଥାନତ କରି ତିନି କୃଷି ଆଇନ ପ୍ରତ୍ୟାହର କରିନେବା ସହ ଅନ୍ୟାନ୍ୟ ଦାବି ସବୁ ଗ୍ରହଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଚାଷୀଙ୍କ ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ବୋଲି ଚାଷୀ ସଂଗଠନମାନେ ଦାବି କରିଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS