ଚାଷୀ ଆନ୍ଦୋଳନର ପରିସମାପ୍ତି ଘଟାଇବାକୁ ସରକାର ବ୍ୟଗ୍ର

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୮
ଦିଲ୍ଲୀର ସିଂଘୁ ସୀମାନ୍ତରେ ବର୍ଷେରୁ ଅଧିକ ସମୟ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନର ତୁରନ୍ତ ପରିସମାପ୍ତି ଘଟାଇବାକୁ କେନ୍ଦ୍ର ସରକାର ବ୍ୟଗ୍ର ଥିବା ଦେଖିବାକୁ ମିଳୁଛି । ଆଜି ଚାଷୀଙ୍କୁ ସରକାର ନୂଆ ପ୍ରସ୍ତାବ ପଠାଇ ଚାଷୀ ଆନ୍ଦୋଳନ ସମୟରେ ଓ ଜଡ଼ା ପୋଡିକୁ ନେଇ ଚାଷୀଙ୍କ ବିରୋଧରେ ଯେତେସବୁ ମାମଲା ହୋଇଛି ତୁରନ୍ତ ସ୍ଥଗିତ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ସରକାର କହିଥିଲେ, ଆନ୍ଦୋଳନ ପ୍ରତ୍ୟାହାର ପରେ ହିଁ ଚାଷୀଙ୍କ ବିରୋଧରେ ଥିବା ମାମଲା ସବୁ ପ୍ରତ୍ୟାହାର ହେବ । ତେବେ, ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉ ଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା ସରକାରଙ୍କ ଏହି ପ୍ରସ୍ତାବକୁ ବିଶ୍ୱାସକୁ ନେଉ ନଥିବା ଜଣାଇବା ପରେ ଆଜି ସରକାର ନୂଆ ପ୍ରସ୍ତାବ ପଠାଇ ମାମଲା ସବୁ ତୁରନ୍ତ ସ୍ଥଗିତ ରଖାଯିବ ବୋଲି କହିଛନ୍ତି । ସରକାରଙ୍କ ସଂଶୋଧିତ ପ୍ରସ୍ତାବ ଉପରେ ଚାଷୀ ସଂଗଠନ ଦ୍ୱାରା ଗଠିତ ୫ ଜଣିଆ କମିଟି ବିଚାର କରୁଛନ୍ତି । ଏମଏସପିକୁ ନେଇ ଚାଷୀଙ୍କ ଦାବି ଉପରେ ଅନୁଧ୍ୟାନ ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ମଂଗଳବାର ଦେଇଥିବା ପ୍ରସ୍ତାବରେ ସ୍ପଷ୍ଟ କରିଥିଲେ । ତେବେ, ଆନ୍ଦୋଳନରେ ସାମିଲ ଥିବା ଚାଷୀ ସଂଗଠନ ବା ସଂଯୁକ୍ତ କିଶାନ ମୋର୍ଚ୍ଚାର ନେତାଙ୍କୁ ହିଁ ବିଶେଷଜ୍ଞ କମିଟିରେ ରଖା ଯିବାକୁ ମୋର୍ଚ୍ଚା ଦାବି କରିଛି । ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଶାନ ମୋର୍ଚ୍ଚା ଗଠନ କରିଥିବା ୫ ଜଣିଆ ନେତୃତ୍ୱମଂଡଳୀ ଆଜି ଦିଲ୍ଲୀରେ ବସି ସରକାରଙ୍କ ନୂତନ ପ୍ରସ୍ତାବ ଉପରେ ଚର୍ଚ୍ଚା କରିଛନ୍ତି । ଏମଏସପିକୁ ନେଇ ସରକାର ଗଠନ କରିବାକୁ ଥିବା ବିଶେଷଜ୍ଞ କମିଟିରେ ତିନି କୃଷି ଆଇନକୁ ସମର୍ଥନ ଦେଇ ଆସିଥିବା ଚାଷୀ ସଂଗଠନଙ୍କୁ ପ୍ରତିନିଧିତ୍ୱ ଦିଆନଯିବାକୁ ସଂଯୁକ୍ତ କିଶାନ ମୋର୍ଚ୍ଚାର ଦାବି ଉପରେ ସରକାର କି ନିର୍ଣ୍ଣୟ ନେବେ ତାହା ତୁରନ୍ତ ଖୁଲାସା ହୋଇ ନାହିଁ । ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ସମସ୍ତ ଚାଷୀଙ୍କ ପରିବାରକୁ ପଂଜାବ ସରକାରଙ୍କ ଢାଂଚାରେ (ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏବଂ ପରିବାରରୁ ଜଣକୁ ସରକାରୀ ନିଯୁକ୍ତି) କେନ୍ଦ୍ର ସରକାର କ୍ଷତିପୂରଣ ଦେବାକୁ ସଂଯୁକ୍ତ କିଶାନ ମୋର୍ଚ୍ଚାର ଅନ୍ୟତମ ଦାବି ରହିଛି । ଚାଷୀ ସଂଗଠନଙ୍କ ୫ ଜଣିଆ ନେତୃମଂଡଳୀ ଦିଲ୍ଲୀରେ ବସି ଆଲୋଚନା କରିବା ପରେ ସିଂଘୁ ସୀମାନ୍ତରେ ଅପେକ୍ଷାରତ ହଜାର ହଜାର ସଂଖ୍ୟାରେ ଚାଷୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଆନ୍ଦୋଳନ ଆଗକୁ ଯିବ କି ଏଇଠି ପରିସମାପ୍ତି ଘଟିବ, ତାହା ଉପରେ ସିଂଘୁ ସୀମାନ୍ତରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ଏହି ପାଂଚ ଜଣିଆ ନେତୃମଂଡ଼ଳୀ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ସହ ଫୋନ୍ ମାଧ୍ୟରେ ଯୋଗଯୋଗରେ ଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS