କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଚାଷୀ ଆନ୍ଦୋଳନ ସ୍ଥଗିତ

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୯
କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ୧୪ ମାସ ହେଲା ଦିଲ୍ଲୀର ସିଂଘୁ, ଟିକିରି ଓ ଅନ୍ୟାନ୍ୟ ସୀମାନ୍ତରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଗିତ ଘୋଷଣା ହୋଇଛି । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଚାଷୀଙ୍କ ଏମଏସପି ଦାବି ସମେତ ଅନ୍ୟାନ୍ୟ ଦାବିକୁ ସରକାର ଗ୍ରହଣ କରିଥିବା ଆଜି ଲିଖିତ ଭାବେ ଜଣାଇବା ପରେ ଚାଷୀ ସଂଗଠନମାନେ ଆନ୍ଦୋଳନ ସ୍ଥଗିତ ରଖିବା ଘୋଷଣା କରିଛନ୍ତି । ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବିକୁ ଅନୁଧ୍ୟାନ କରିବା ସକାଶେ ସରକାର ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀ ଆନ୍ଦୋଳନ ଓ ନଡ଼ା ପୋଡିକୁ ନେଇ ଚାଷୀଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ କେନ୍ଦ୍ର ସରକାର ରାଜି ଥିବା ଲିଖିତ ଭାବେ ଜଣାଇଛନ୍ତି । କେନ୍ଦ୍ର ସରକାର ୨୦୨୦ରେ କୃଷକଙ୍କ ହୀତରେ କହି ତିନି ନୂଆ କୃଷି ଆଇନ ପ୍ରଣୟନ କରିବା ପରେ ୨୦୨୦ ସେପ୍ଟେମ୍ବରରୁ ଚାଷୀ ଆନ୍ଦୋଳନ ଚାଲିଥିଲା । ବିଭିନ୍ନ ଚାଷୀ ସଂଗଠନ ଏକତ୍ରିତ ହୋଇ ଦିଲ୍ଲୀର ସିଂଘୁ ସମେତ ବିଭିନ୍ନ ସୀମାନ୍ତକୁ ଅବରୋଧ କରି ଆନ୍ଦୋଳନ ଜାରି ରଖି ଥିଲେ । ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଚାଷୀ ସଂଗଠନମାନେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଆଜି ଘୋଷଣା କରିଥିଲେ ମଧ୍ୟ ୧୧ ତାରିଖ ସେମାନେ ଦିଲ୍ଲୀ ସୀମାନ୍ତ ଛାଡିବେ ବୋଲି କହିଛନ୍ତି । ୧୫ ତାରିଖ ଦିନ ସଂଯୁକ୍ତ କିଶାନ ମୋର୍ଚ୍ଚାର ବୈଠକ ହେବ । ସରକାରୀ ପ୍ରତିଶ୍ରୁତି ପାଳନରେ କେତେଦୂର ଅଗ୍ରଗତି ଘଟିଛି ସେଦିନ ତାହାର ସମୀକ୍ଷା କରାଯିବ । ସରକାର ପ୍ରତିଶ୍ରୁତି ରକ୍ଷା କରୁନଥିବା ଅନୁଭବ କରାଗଲେ ପୁନର୍ବାର ଆନ୍ଦୋଳନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଚାଷୀ ନେତା ଗୁରୁନାମ ସିଂହ ଚାରୁନି ଓ ଦର୍ଶନ ପାଲ ସିଂହ ସୂଚନା ଦେଇଛନ୍ତି । ଆନ୍ଦୋଳନ ସ୍ଥଗିତ ରଖିବାକୁ ଆଜି ଆଜି ନିଷ୍ପତ୍ତି ନିଆଯିବା ପରେ ଦିଲ୍ଲୀ ସୀମାନ୍ତରେ ଲାଗି ଥିବା ଟେଂଟ୍ ସବୁ ଖୋଲିବା ଆରମ୍ଭ ହୋଇଛି । ‘ଆମେ ନିଜ ନିଜ ଘରକୁ ଫେରିବାକୁ ପ୍ରସ୍ତୁତ । ତେବେ, ସଂଯୁକ୍ତ କିଶାନ ମୋର୍ଚ୍ଚା ଏହାର ଚୂଡାନ୍ତ ନିଷ୍ପତ୍ତି ନେବ’ ବୋଲି ଚାଷୀମାନେ କହିଛନ୍ତି । ୧୧ ତାରିଖ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା କରାଯିବାକୁ ଥିବା ଜଣାପଡିଛି । ଆଜି କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚାଷୀ ସଂଗଠନଙ୍କୁ ସରକାର ସମସ୍ତ ଦାବି ମାନି ନେଇ ଥିବାର ଚିଠି ଦିଆଯାଇଛି । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଶାସନ ସଚିବଙ୍କ ଦସ୍ତଖତରେ ଏହି ଚିଠି ଦିଆଯାଇଛି । ଚାଷୀ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ୟୁପି ଓ ହରିୟାଣା ସରକାର ସହମତି ପ୍ରଦାନ କରିଛନ୍ତି ବୋଲି ଚିଠିରେ ଜଣାଇ ଦିଆଯାଇଛି । ସରକାର ୨୦୨୦ରେ ଦେଶରେ ତିନି ନୂଆ କୃଷି ଆଇନ କାର୍ଯ୍ୟକାରୀ କରିବା ପରେ ଏହା ‘ଚାଷୀ ବିରୋଧୀ’ ଓ ‘କଳା ଆଇନ’ ବୋଲି ଦର୍ଶାଇ ୨୦୨୦ ସେପ୍ଟେମ୍ବରରୁ ପଂଜାବ, ହରିୟାଣା, ୟୁପି, ରାଜସ୍ଥାନ ସମେତ ବିଭିନ୍ନ ପ୍ରଦେଶର ଚାଷୀମାନେ ସିଂଘୁ, ଟିକିରି ସମେତ ଦିଲ୍ଲୀର ବିଭିନ୍ନ ସୀମାନ୍ତକୁ ଅବରୋଧ କରି ଆନ୍ଦୋଳନ ଚଳାଇ ଥିଲେ । ତିନି କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ୪୦ଟି ଚାଷୀ ସଂଗଠନ ମିଳିତ ଭାବେ ଘୋଷଣା କରିଥିଲେ । ଆନ୍ଦୋଳନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲେ ମଧ୍ୟ ସାମୟିକ ହିଂସା ଦେଖିବାକୁ ମିଳି ଥିଲା । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ସକାଶେ ସରକାରଙ୍କ ପକ୍ଷରୁ ସବୁ ପ୍ରକାର କୌଶଳ ପ୍ରୟୋଗ କରାଯାଇଥିଲା । ୨୦୨୧ ଫେବୃୟାରୀରୁ ସରକାର ଚାଷୀ ସଂଗଠନଙ୍କ ସହ ଆଲୋଚନା ବନ୍ଦ ରଖି ଥିଲେ । ଚାଷୀଙ୍କ ପ୍ରତି ସରକାରଙ୍କ ଆକ୍ଷେପ ଓ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଆନ୍ଦୋଳନକୁ ଅଧିକ ଜୋରଦାର କରିଥିଲା । ଚାଷୀ ଅସନ୍ତୋଷ ଶାସକ ବିଜେପିର ନିର୍ବାଚନ ରାଜନୀତିକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା କେନ୍ଦ୍ର ସରକାର ଅନୁଭବ କରିବା ପରେ ଗତ ନଭେମ୍ବର ୧୯ ତାରିଖ ଦିନ ଗୁରୁ ନାନକ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର କରି ନିଆଯିବ ବୋଲି ଘୋଷଣା କରିଥିଲେ । ଚଳିତ ଶୀତକାଳୀନ ଅଧିବେଶନର ପ୍ରାରମ୍ଭ ଦିବସରେ (ନଭେମ୍ବର ୨୯ ତାରିଖ) ସରକାରଙ୍କ ପକ୍ଷରୁ ସଂସଦରେ ତିନି କୃଷି ଆଇନ ପ୍ରତ୍ୟାହାର ବିଲ୍ ଆଗତ କରାଯାଇ ମୌଖିକ ଭୋଟରେ ତାହା ଗୃହୀତ କରାଗଲା । ୩୦ ତାରିଖ ଦିନ ତାହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଆଇନ ଅକାମୀ ହୋଇଛି । ତେବେ, କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ଆଇନଗତ ମାନ୍ୟତା, ଚାଷୀଙ୍କ ବିରୋଧରେ ହୋଇଥିବା ସବୁ ମାମଲାର ତୁରନ୍ତ ପ୍ରତ୍ୟାହାର, ଆନ୍ଦୋଳନରେ ଭାଗ ନେଇ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ପରିବାରରୁ ଜଣକୁ ସରକାରୀ ନିଯୁକ୍ତି ପ୍ରଭୃତି ଦାବିକୁ ନେଇ ଆନ୍ଦୋଳନ ଜାରି ରହିବା ଦେଖି ସରକାର ସେସବୁ ଦାବି ପୂରଣ ପାଇଁ ଆଜି ଲିଖିତ ପ୍ରତିଶ୍ରୁତି ଦେବାକୁ ବାଧ୍ୟ ହୋଇଛନ୍ତି । ଚାଷୀ ଆନ୍ଦୋଳନ ସ୍ଥଗିତ ହେବା ଦ୍ୱାରା ୨୦୨୨ ପ୍ରାରମ୍ଭରେ ପଂଜାବ, ୟୁପି ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଫାଇଦାରେ ରହିବ ବୋଲି ଦଳ ଆଶା କରୁଛି । ବିଶେଷକରି, ୟୁପି ବିଧାନସଭା ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିବା ବେଳେ ଚାଷୀ ଆନ୍ଦୋଳନ ସ୍ଥଗିତ ରହିବା ସରକାରଙ୍କୁ ଆଶ୍ୱସ୍ତ କରିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS