ବ୍ଲାକ ବକ୍ସ ମିଳିଲା, ତିନି ସେନା ଏକାଠି ହେଲିକପଟର୍ ଦୁର୍ଘଟଣାର ତଦନ୍ତ କରିବେ

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୯
ବୁଧବାର ମଧ୍ୟାହ୍ନରେ ତାମିଲନାଡୁର କୁନ୍ନୁର ନିକଟରେ ବାୟୁସେନାର ଅତ୍ୟନ୍ତ ସୁରକ୍ଷିତ ଓ ଶକ୍ତିଶାଳୀ କୁହାଯାଉଥିବା ହେଲିକପଟର୍ କେଉଁ ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ତଦନ୍ତ ତିନି ବାହିନୀ ମିଳିତ ଭାବେ କରିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି । ଏୟାର ମାର୍ଶାଲ ମାନବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଦୁର୍ଘଟଣାର ତଦନ୍ତ ହେବ । ଦେଶର ପ୍ରଥମ ତିନି ବାହିନୀ ମୁଖ୍ୟ ‘ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍’ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ ଜଣ ଏହି ହେଲିକପଟର୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବେଳେ କେବଳ ଗୃପ୍ କ୍ୟାପଟେନ୍ ବରୁଣ ସିଂହ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଛି । ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ୱେଲିଂଗଟନ୍ ସେନା ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ବାୟୁସେନା ବିମାନରେ ବେଂଗାଲୁରୁସ୍ଥିତ ବାୟୁସେନା କମାଂଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସିଡ଼ିଏସ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୧ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ବାୟୁସେନାର ସି-୧୩୦ଜେ ହରକୁଲେସ ଟ୍ରାନ୍ସପୋର୍ଟ ବିମାନରେ ଦିଲ୍ଲୀ ଅଣା ଯାଉଛି । ଶୁକ୍ରବାର ସଂପୂର୍ଣ୍ଣ ସାମରିକ ସମ୍ମାନ ସହକାରେ ସିଡ଼ିଏସ ଜେନେରାଲ ରାୱତଙ୍କ ଶେଷକୃତ୍ୟ ସଂପନ୍ନ ହେବ । ଇତିମଧ୍ୟରେ, ଦୁର୍ଘଟଣା ସ୍ଥଳ ତାମିଲନାଡ଼ୁର ନୀଳଗିରି ପାର୍ବତ୍ୟାଂଚଳରୁ ଦୁର୍ଘଟଣାଗ୍ରସ୍ତ ହେଲିକପଟରର ପ୍ଲାଇଟ୍ ଡ଼ାଟା ରେକର୍ଡ଼ର ବା ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି । ଦୁର୍ଘଟଣା ସଂପର୍କରେ ବ୍ଲାକ୍ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି । ସିଡ଼ିଏସ ଜେନେରାଲ ରାୱତ ଓ ତାଙ୍କ ପତ୍ନୀ ବୁଧବାର ସକାଳ ୮ଟା ୪୭ ମିନିଟରେ ଦିଲ୍ଲୀର ପାଲାମ ବିମାନ ବନ୍ଦରରୁ ଏକ ବାୟୁସେନା ଜେଟ୍ ବିମାନରେ ତାମିଲନାଡ଼ୁର ସୁଲୁର ଏୟାର ବେସ୍ ଅଭିମୁଖେ ଯାତ୍ରା କରିଥିଲେ । ୧୧ଟା ୩୪ ମିନିଟରେ ସେମାନଙ୍କ ବିମାନ କେଏମ୍ବାଟୁର ନିକଟସ୍ଥ ସୁଲୁର ବାୟୁସେନା ଷ୍ଟେସନରେ ଅବତରଣ କରିଥିଲା । ୧୧ଟା ୪୭ ମିନିଟରେ ଜେନେରାଲ ରାୱତ ପତ୍ନୀ ଏବଂ ଅନ୍ୟ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କ ସହ ଅତ୍ୟନ୍ତ ସୁରକ୍ଷିତ ଓ ଶକ୍ତଶାଳୀ ଦୁଇ ଇଂଜିନ ବିଶିଷ୍ଟ ଏମଆଇ-୧୭ ଭି୫ ହେଲକପଟରରେ କୁନ୍ନୁର ନିକଟରେ ଥିବା ୱେଲିଂଟନର ଡ଼ିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଅଭିମୁଖେ ଯାତ୍ରା କରିଥିଲେ । ଏହି କଲେଜରେ ସିଡ଼ିଏସ୍ ରାୱତ ଫାକୁଲିଟି ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ଥିଲା । ମଧ୍ୟାହ୍ନ ୧୨ଟା ୨୨ ମିନିଟରେ ହଠାତ୍ ଏଟିଏସ୍ ସହ ହେଲିକପଟରର ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । କଟ୍ଟେରୀ ନିକଟ ନୀଳଗିରି ପାବ୍ୟତ୍ୟାଂଚଳରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇ ଘଂଚ ଜଂଗଲରେ ଖସି ପଡିଥିଲା । ଗଛପତ୍ର ଜଳୁ ଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଖବର ଦେବା ପରେ ବାୟୁସେନା ନିକଟରେ ଖବର ପହଂଚି ଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଅଧିବାସୀ ଓ ପୁଲିସ ସହାୟତାରେ ଖୋଜାଖୋଜି କରିବା ପରେ ମୃତ ଦେହ ସବୁ ଉଦ୍ଧାର କରିଥିଲେ । ଜେନେରାଲ ରାୱତ, ତାଙ୍କ ପତ୍ନୀ, ଅନ୍ୟ ୧୧ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବୁଧବାର ସନ୍ଧ୍ୟାରେ ବାୟୁସେନା ସୂଚନା ଦେଇଥିଲେ । ଜେନେରାଲ ରାୱତଙ୍କ ଶବ ଆଜି ଦିଲ୍ଲୀର ପାଲାମ ଏୟାର ବେସ୍ ରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲ ପ୍ରମୁଖ ଶେଷ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ, ସଂସଦରେ ଆଜି ଉଭୟ ଶାସକ ଓ ବିରୋଧୀ ସାଂସଦମାନେ ଦେଶର ପ୍ରଥମ ସିଡ଼ିଏସ ଜେନେରାଲ ରାୱତ ଓ ହେଲିକପଟର୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ରାୱତଙ୍କ ପତ୍ନୀ ଏବଂ ଅନ୍ୟ ବାୟୁସେନା ଅଧିକାରୀ, କର୍ମଚାରୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS