ସିଡ଼ିଏସ ଜେନେରାଲ ରାୱତ ଓ ପତ୍ନୀଙ୍କ ଶେଷକୃତ୍ୟ ସଂପନ୍ନ

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୧୦
ବୁଧବାର ମଧ୍ୟାହ୍ନରେ ତାମିଲନାଡୁରୁ କୁନ୍ନୁର ନିକଟ ନୀଳଗିରି ପାର୍ବତ୍ୟମାଳାରେ ବାୟୁସେନାର ଏକ ଭିଭିଆଇପି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇ ଥିବା ଦେଶର ପ୍ରଥମ ସିଡ଼ିଏସ୍ ବା ଚିଫ୍ ଅଫି ଡ଼ିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଶେଷକୃତ୍ୟ ଆଜି ଦିଲ୍ଲୀର ବ୍ରାର୍ ସ୍କୋୟାର କ୍ରିମେଟୋରିୟମରେ ସଂପନ୍ନ ହୋଇଛି । ଅପରାହ୍ନରେ ଏକ ଗନ୍ କ୍ୟାରେଜରେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମୃତଦେହ ଦିଲ୍ଲୀ ବାସଭବନରୁ ବାହାରି ବ୍ରାର୍ ସ୍କୋୟାର କ୍ରିମେଟୋରିୟମରେ ପହଂଚି ଥିଲା । ତିନି ବାହିନୀ (ଆର୍ମି, ନେଭି ଓ ଏୟାର ଫୋର୍ସ) ମୁଖ୍ୟ ଓ ବହୁ ସଂଖ୍ୟାରେ ତିନି ବାହିନୀର ଅଧିକାରୀ ଶବାଧାର ସହ କ୍ରିମେଟୋରିୟମ୍ ଯାଇ ଶେଷକୃତ୍ୟ ସଂପନ୍ନ କରିଥିଲେ । ଜେନେରାଲଙ୍କୁ ବୀର ବାଦ୍ୟ ଓ ସଂପୂର୍ଣ୍ଣ ସାମରିକ ସମ୍ମାନ ସହକାରେ କ୍ରିମେଟୋରିୟମକୁ ନିଆଯାଇଥିଲା । ରାୱତ ଓ ତାଙ୍କ ପତ୍ନୀଙ୍କୁ ବ୍ରାର୍ ସ୍କୋୟାର କ୍ରିମେଟୋରିୟମକୁ ନିଆଯିବା ସମୟରେ ଅଗଣିତ ଜନତା ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସିଡ଼ିଏସ ରାୱତଙ୍କ ଶେଷକୃତ୍ୟରେ ୮୦୦ ସେନା ଅଧିକାରୀ ସାମିଲ ଥିଲେ । ପ୍ରେଟୋକଲ୍ ମୁତାବକ ତାଙ୍କୁ ୧୭ଟି ତୋପ ସଲାମୀ ଦିଆଯାଇଛି । ପୂର୍ବାହ୍ନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡ଼ୋଭାଲ, କଂଗ୍ରେସ ସାଂସଦ ରହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପି.ଏସ.ଧାମୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତୃବର୍ଗ ଜେନେରାଲ ରାୱତଙ୍କ ଜେନେରାଲ ରାୱତଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ପତି, ପତ୍ନୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀଲଙ୍କା, ନେପାଳ, ଭୁଟ୍ଟାନ ଓ ବାଂଲାଦେଶର ବରିଷ୍ଠ ସେନା କମାଣ୍ଡରମାନେ ଜେନେରାଲ ରାୱତଙ୍କ ଶେଷକୃତ୍ୟରେ ଭାଗ ନେଇଥିବା ବେଳେ ଆମେରିକା, ବ୍ରିଟେନ, ଚୀନ, ଫ୍ରାନ୍ସ, ଜାପାନ ଓ ଇସ୍ରାଏଲ ସମେତ ବହୁ ରାଷ୍ଟ୍ରରୁ ତାଙ୍କ ନିଧନରେ ଶୋକବାର୍ତ୍ତାମାନେ ଆସିଛି । ଗୁରୁବାର ରାତିରେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ମୃତଦେହ ତାମିଲନାଡୁରୁ ଆସି ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ରାୱତ ଦଂପତ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବୁଧବାର ସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ପ୍ରାଣହାନୀ ଘଟି ଥିବା ବେଳେ ୪ ଜଣ – ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା, ବ୍ରିଗେଡ଼ିଅର ଏଲ.ଏସ.ଲିଡେର ଓ ଲାନ୍ସ ନାୟକ ବିବେକ କୁମାରଙ୍କ ମୃତଦେହ ଚିହ୍ନଟ ହୋଇପାରିଛି । ଅନ୍ୟମାନଙ୍କ ଶବ ଚିହ୍ନଟ ପାଇଁ ଆର୍ମି ବେସ୍ ହସ୍ପିଟାଲରେ ରଖାଯାଇଥିବା ଅପରାହ୍ନରେ ସୂଚନା ମିଳିଛି । ଦୁର୍ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇ ସଂକଟାପନ୍ନ ଅବସ୍ଥାରେ ଥିବା ଅନ୍ୟତମ ସେନା ଅଧିକାରୀ ଭାରତୀୟ ବାୟୁସେନାର ଗୃପ୍ କ୍ୟାପଟେନ ବରୁଣ ସିଂହଙ୍କୁ ୱେଲିଂଟନରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ବାୟୁସେନା ବିମାନରେ ବେଂଗାଲୁରୁର ଏୟାର ଫୋର୍ସ କମାଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି । ସିଡ଼ିଏସ୍ ଜେନେରାଲ ରାୱତ ପତ୍ନୀ ମଧୁଲିକା ରାୱତ ବୁଧବାର ସକାଳେ ଦିଲ୍ଲୀରୁ ବାହାରି ତାମିଲନାଡୁର ସୁଲୁର ଏୟାର ବେସ୍ ରେ ଅବତରଣ କରିବା ପରେ ସେଠାରୁ ଅନ୍ୟ ୧୨ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କ ସହ ପୂର୍ବାହ୍ନରେ କୁନ୍ନୁର ନିକଟସ୍ଥ ୱେଲିଂଟନରେ ଥିବା ଡ଼ିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଅଭିମୁଖେ ଯାତ୍ରା କରିବା ସମୟରେ ପହଂଚିବାର ଅଳ୍ପ କିଛି ସମୟ ପୂର୍ବରୁ ହେଲିକପ୍ଟରଟି ନୀଳଗିରି ପାର୍ବତ୍ୟମାଳାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅତ୍ୟନ୍ତ ସୁରକ୍ଷିତ ଓ ଶକ୍ତଶାଳୀ କୁହାଯାଉଥିବା ରୁଷ ନିର୍ମିତ ଏହି ଦୁଇ ଇଂଜିନ ବିଶିଷ୍ଟ ଏମଆଇ-୧୭ ଭି୫ ହେଲକପ୍ଟର କିଭଳି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦୁର୍ଘଟଣାରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ଘଟି ଥିବା ବେଳେ ବାୟୁସେନାର ଜଣେ ଗୃପ୍ କ୍ୟାପଟେନ୍ ବର୍ତ୍ତି ଯାଇଛନ୍ତି । ସିଡ଼ିଏସ୍ ରାୱତ ଫାକୁଲିଟି ଓ ଶିକ୍ଷାନବିଶଙ୍କୁ ସମ୍ବୋଧିତ କରିବା ପାଇଁ ୱେଲିଂଟନସ୍ଥିତ ଡ଼ିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜକୁ ଯାଉଥିଲେ । ଯିବା ବାଟରେ ମଧ୍ୟାହ୍ନ ୧୨ଟା ୨୨ ମିନିଟରେ ହେଲିକପ୍ଟରଟି ଏଟିଏସ୍ ସହ ଯୋଗଯୋଗ ହେରାଇ ଥିଲା । କଟ୍ଟାରୀ ନିକଟ ନୀଳଗିରି ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଖସି ପଡିବା ପରେ ଘଂଚ ଜଂଗଲ ଜଳୁ ଥିବା ଦେଖି ସେଠାକାର ଗ୍ରାମବାସୀ ପ୍ରଶାସନକୁ ସୂଚନା ଦେଇଥିଲେ । ପରେ ବାୟୁସେନା ନିକଟରେ ସୂଚନା ପହଂଚି ଥିଲା । ଗ୍ରାମବାସୀ, ପୁଲିସ, ଅଗ୍ନିଶମ ସେବା ସଂସ୍ଥା ଓ ବାୟୁସେନାର ଉଦ୍ଧାରକାରୀ ଦଳ ତୀକ୍ଷ୍ଣ ପାର୍ବତ୍ୟାଂଚଳକୁ ତନ୍ନ ତନ୍ନ କରି ଯାଂଚ କରି ବହୁ କଷ୍ଟରେ ଜେନେରାଲ ରାୱତ ଓ ଅନ୍ୟମାନଙ୍କ ଶବ ଉଦ୍ଧାର କରିଛନ୍ତି । ଜେନେରାଲ ରାୱତଙ୍କ ମୃତ୍ୟୁ ସମଗ୍ର ଦେଶକୁ ଏକପ୍ରକାର ସ୍ତବ୍ଧ କରି ଦେଇଛି । ଦୁର୍ଘଟଣାର କାରଣ ଖରାପ ପାଗ ନା ହେଲିକପ୍ଟରରେ କୌଣସି ଯାଂତ୍ରିକ ତୃଟି ଯୋଗୁଁ କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି – ତାହା ସେନାର ତିନି ବାହିନୀ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଉଛି । ବାୟୁସେନାର ଏୟାର ମାର୍ଶାଲ ମାନବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଚାଲି ଥିବା ତଦନ୍ତ ଯଥାଶୀଘ୍ର ସରିବ ବୋଲି ଆଜି ବାୟୁସେନା ପକ୍ଷରୁ କୁହାଯାଇଛି । ଗୁରୁବାର ଦିନ ସଂପୃକ୍ତ ହେଲିକପ୍ଟରର ପ୍ଲାଇଟ୍ ଡ଼ାଟା ରେକର୍ଡ଼ର ବା ବ୍ଲାକ୍ ବକ୍ସ ଉଦ୍ଧାର ହୋଇଥିବା ଦୃଷ୍ଟିରୁ ଦୁର୍ଘଟଣା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେଥିରୁ ମିଳିବା ଆଶା କରାଯାଉଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS