ମମିତା ମେହେର ହତ୍ୟାକାଣ୍ଡ: କଂଗ୍ରେସ ଭବନରେ ପଶି ପୁଲିସର ମାଡ଼କୁ ନିନ୍ଦା, ୧୪ରେ ସବୁ ଜିଲ୍ଲାରେ ଏସପି ଅଫିସ ଘେରାଉ କରିବ କଂଗ୍ରେସ


ପ୍ରସାଦ ରାଓ
ଭୁବନେଶ୍ୱର
ଡ଼ିସେମ୍ବର ୧୧
କଳାହାଣ୍ଡି ଜିଲ୍ଲା ମହାଲିଂଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ସରକାରଙ୍କ ଅଡୁଆ ତୁଟିବା ନାଁ ଧରୁନି । ଏହି ଘଟଣା ସହ ସଂପୃକ୍ତ ଥିବା ଅଭିଯୋଗରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରାଯାଇ ଗିରଫ କରାଯିବା ଏବଂ ଜଣେ ହାଇକୋର୍ଟ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମମିତା ମେହେର ହତ୍ୟାକାଣ୍ଡର ଏସଆଇଟି ତଦନ୍ତ କରାଯିବା ଦାବିରେ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିଥିବା ବେଳେ ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନ ଜାରି ରଖିଛି । କଂଗ୍ରେସ ଓ ବିଜେପି ବିଧାୟକମାନେ ଡ଼ିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଘଂଟ ପିଟି, ବିଧାନସଭା ଗୃହକୁ ଗଂଗା ପାଣିରେ ଧୋଇ ଅଧିବେଶନ ଚଳାଇ ନ ଦେବାରୁ ନବମ ଦିନରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ଅଧିବେଶନକୁ ସ୍ଥଗିତ ଘୋଷଣା କରିଥିବା ବେଳେ ସରକାର ମନମୁଖୀ ଭାବେ ବିଧାନସଭା ଅଧିବେଶନ ବନ୍ଦ କଲେ କହି ବିଜେପି ବିଧାୟକମାନେ ଆଜି ଶ୍ରୀଜଗନ୍ନାଥ ସରକାରଙ୍କ ସଦବୁଦ୍ଧି ଦିଅନ୍ତୁ କହି ପୁରୀରେ ଶ୍ରୀମନ୍ଦିର ସାମ୍ନାରେ ଅଧିଆ ପଡିଛନ୍ତି ।
ମମିତା ମେହେରଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରି ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ହୋଇଥିଲା । ବିକ୍ଷୋଭକାରୀମାନେ ପୁଲିସ ବ୍ୟାରିକେଡ ଭାଂଗି ବିଧାନସଭା ଆଡକୁ ଧଶେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଘଉଡାଇବା ପାଇଁ ଲାଠି ମାଡ଼ କରିଥିଲେ । ଏପରିକି, କିଛି କଂଗ୍ରେସ କର୍ମୀ ପ୍ରାଣ ବିକଳରେ ମାଷ୍ଟର କାଂଟିନ ଛକରେ ଥିବା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ‘କଂଗ୍ରେସ ଭବନ’ରେ ପଶି ଯିବାରୁ ପୁଲିସ କଂଗ୍ରେସ ଭବନ ଭିତରେ ପ୍ରବେଶ କରି ସେମାନଙ୍କୁ ଗୋଡାଇ ଗୋଡାଇ ପିଟି ଥିଲେ । ଏହି ଘଟଣାକୁ ରାଜ୍ୟ କଂଗ୍ରେସ ନେତୃବର୍ଗ ଦୃଢ ନିନ୍ଦା କରିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଜି ପୁଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିବା ସହ ପୁଲିସ ପୁଲିସର ଏହି ବର୍ବରତାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।
ପଟ୍ଟନାୟକ ଓ ମିଶ୍ର ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ବର୍ବରତାର ନିନ୍ଦା କରିବା ସହ ପୁଲିସ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣି ଆଇପିସିର ୩୦୭ ଦଫାରେ ମାମଲା ରୁଜୁ ଓ ତଦନ୍ତ ଦାବି କରିଛନ୍ତି । ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ ଗୋଡାଇ ଗୋଡାଇ ମାଡ଼ ମାରିବା ଓ ଅନଧିକୃତ ଭାବେ କଂଗ୍ରେସ ଭବନରେ ପଶି କର୍ମୀଙ୍କୁ ପିଟିବା ଘଟଣାରେ କଂଗ୍ରେସ ୧୪ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ସଂଗଠନ ଜରିଆରେ ପୁଲିସ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବ ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ପିସିସି ସଭାପତି ପଟ୍ଟନାୟକ ଓ ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ମିଶ୍ର ଘୋଷଣା କରିଛନ୍ତି ।ସେମାନେ କହିଛନ୍ତି, ପୁଲିସ ବର୍ବରତାକୁ ବରଦାସ୍ତ କରାଯିବ ନାହିଁ ବା ଦଳ ପୁଲିସ ମାଡ଼ରେ ଭୟଭିତ ହେବ ନାହିଁ । ଆଗକୁ ଆନ୍ଦୋଳନ ଅଧିକ ଜୋରଦାର ହେବ ।
ମମିତାଙ୍କୁ ନ୍ୟାୟ ଦାବି କରି ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଗତକାଲି ଅପରାହ୍ନରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୁଲିସ ବ୍ୟାରିକେଡ ଭାଂଗି ଧଶେଇ ପଶିବା ଉଦ୍ୟମ ହେବାରୁ ପୁଲିସ ସହ ସେମାନଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ନିକଟରେ ଥିବା ଏକ ପୁଲିସ ଭ୍ୟାନର ଚକାରେ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ । ତେଣୁ, ପୁଲିସ ସେମାନଙ୍କୁ ଘଉଡାଇବାକୁ ଲଠିଚାର୍ଜ କରିଥିଲା ବୋଲି କୁହାଯାଉଛି । ପୁଲିସ ମାଡ଼ରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଛି । ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁ ଆୟତ୍ତ ହୋଇଥିଲା ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି । ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଯୋଗୁଁ ପ୍ରାୟ ଘଂଟାଏ କାଳ ଲୋୟର ପିଏମଜି ଛକ ରଣକ୍ଷେତ୍ର ପାଲଟି ଥିଲା ।
ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଡ଼ାକରା ଯୋଗୁଁ ଅପରାହ୍ନରେ ଶତାଧିକ ସଂଖ୍ୟାରେ ଛାତ୍ର କଂଗ୍ରେସ କର୍ମୀ ଲୋୟର ପିଏମଜି ଛକରେ ଏକାତ୍ରୀତ ହୋଇ ସଭା କରିଥିଲେ । ପରେ, ସେମାନେ ବିଧାନସଭା ଘେରିବା ଉଦ୍ୟମ କରି ପୁଲିସର ବ୍ୟାରିକେଡ୍ ଡ଼େଇବାରୁ ପୁଲିସ ବାଧା ଦେଇଥିଲେ । ଛାତ୍ର କଂଗ୍ରେସ କର୍ମୀମାନେ ସେଠାରେ ପୁଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିବା ସହ ପୁଲିସ ଭ୍ୟ୍ୟାନ୍ ଚକାରେ ନିଆଁ ଲଗାଇ ଦେବାରୁ ପୁଲିସର ଲାଠି ମାଡ଼ ହୋଇଥିଲା । କିଛି କର୍ମୀ ଜୀବନ ବିକଳରେ ମାଷ୍ଟର କ୍ୟାଂଟିନ ଛକରେ ଥିବା କଂଗ୍ରେସ ଭବନରେ ପଶି ଯିବାରୁ ପୁଲିସ ସେଠାରେ ପଶି ଆଖିବୁଜା ମାଡ଼ ମାରିଥିଲେ । କଂଗ୍ରେସ ଭବନରେ ପୁଲିସର ଅନଧିକାର ପ୍ରବେଶ ଓ କର୍ମୀଙ୍କୁ ଗୋରୁଗାଈ ଭଳି ମାଡ଼ ମାରିବା ଘଟଣାରେ କଂଗ୍ରେସ ନେତୃବର୍ଗ କ୍ଷୋଭ ପ୍ରକାଶ କରିବା ସହ ଏଥିସକାଶେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ତେବେ, ପୁଲିସ ଛାତ୍ର କଂଗ୍ରେସ ବିରୋଧରେ ପାଲଟା ଅଭିଯୋଗ କରି ହିଂସାକୁ ରୋକିବା ସକାଶେ ଲାଠିମାଡ଼ କରିଥିବା କହିଛନ୍ତି ।
୯ ତାରିଖ ଦିନ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଯାଇ ତାଙ୍କୁ ବରଖାସ୍ତ କରାଯିବା ଓ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବା ଦାବିରେ ବିଧାନସଭା ଘେରାଉ ଉଦ୍ୟମ ହୋଇଥିଲା । ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଲାଠି ମାଡ଼ କରିଥିଲେ । ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର କିଛି ସଦସ୍ୟ, ପୁଲସ ଓ ସାମ୍ବାଦିକ ଆହତ ହୋଇଛନ୍ତି । ଶାସକ ବିଜେଡ଼ି ବିଜେପି ଓ କଂଗ୍ରେସର ଏଭଳି ହିଂସାତ୍ମକ କାର୍ଯ୍ୟକୁ ନିନ୍ଦା କରିଛି । ହିଂସା ଘଟାଇବାରେ ଦୁଇ ଦଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ଦଳର ମୁଖପାତ୍ର କହିଛନ୍ତି । ମମିତା ମେହେରଙ୍କୁ ନ୍ୟାୟ ଦେବା ନାଁରେ ଚାଲି ଥିବା ହିଂସା ନିନ୍ଦନୀୟ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ଗତ ଅକ୍ଟୋବର ୮ ତାରିଖ ଦିନ କଳାହାଣ୍ଡିର ସ୍କୁଲ ଶିକ୍ଷୟତ୍ରୀ ମିମତା ମେହେରଙ୍କୁ ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ନିର୍ମମ ଭାବେ ହତ୍ୟା କରିବା ପରେ ସେଥିରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କ ସଂପୃକ୍ତି ଥିବା ଦର୍ଶାଇ ତାଙ୍କ ବରଖାସ୍ତ ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ପାଳନ, ବିକ୍ଷୋଭ, ଆନ୍ଦୋଳନ, କୁଶ ପୁତ୍ ତଳିକା ଦାହ ଭଳି କାର୍ଯ୍ୟକ୍ରମ ଚାଲିଛି । ଦୀର୍ଘ ଦୁଇ ମାସ ହେଲା ଏହି ଆନ୍ଦୋଳନ ଚାଲିଥିବା ବେଳେ ବିଧାନସଭା ଅଧିବେଶନ ମଧ୍ୟ ସେଥିରୁ ବାଦ୍ ପଡି ନାହିଁ । ବିରୋଧୀ କଂଗ୍ରେସ ଓ ବିଜେପି ମମିତା ମେହେରଙ୍କୁ ନ୍ୟାୟ ଦିଆଯିବା ଦାବିରେ ବିଧାନସଭା ଅଧିବେଶନକୁ ଅଚଳ କରିଥିବା ବେଳେ ଶାସକ ବିଜେଡ଼ି ମଧ୍ୟ ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା ଓ ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରି ବିଧାନସଭା ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ କରିଥିବା ଦୃଷ୍ଟିରୁ ଶୀତ ଅଧିବେଶନ ଚାଲୁ ରଖିବା ମୁସ୍କିଲ ଜାଣି ବାଚସ୍ପତି ମାତ୍ର ନଅ ଦିନ ଚାଲି ଥିବା ବିଧାନସଭାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି । ବାଚସ୍ପତି ଏକାଧିକ ଥର ସର୍ବଦଳୀୟ ବୈଠକ ଡ଼ାକି ଉଭୟ ଶାସକ ଓ ବିରୋଧୀ ଦଳଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ପ୍ରବର୍ତ୍ତାଇବାରେ ଅସଫଳ ହେବାରୁ ଆଗୁଆ ଅଧିବଶେନ ବନ୍ଦ ଘୋଷରା କରିବାକୁ ବାଧ୍ୟ ହୋଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS