‘ଆମାଜନ ପ୍ରାଇମ୍’ ମୂଲ୍ୟ ବଢାଇଛି, ‘ନେଟଫ୍ଲିକ୍ସ’ କମାଇଲା
ନୂଆଦିଲ୍ଲୀ
ଡ଼ିସେମ୍ବର ୧୪
‘ଆମାଜନ୍ ପ୍ରାଇମ୍’ ଭାରତ ପାଇଁ ତାହାର ସବସ୍କ୍ରିପସନ୍ ମୂଲ୍ୟ ବଢାଇ ଥିବା ବେଳେ ଆମେରିକୀୟ ଭିଡ଼ିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ‘ନେଟଫ୍ଲିକ୍ସ’ ସବସ୍କ୍ରିପସନ୍ ମୂଲ୍ୟରେ ହ୍ରାସ ଘଟାଇଛି । ଅଧିକରୁ ଅଧିକ ସଂଖ୍ୟାରେ ଗ୍ରାହକ ସୃଷ୍ଟି କରିବା ଉଦେ୍ଦଶ୍ୟରେ ‘ନେଟଫ୍ଲିକ୍ସ’ ଏହି କୌଶଳ ଆପଣାଇ ଥିବା (ସବସ୍କ୍ରିପସନ୍ ମୂଲ୍ୟ କମାଇ ଥିବା) ଅନୁମାନ କରାଯାଉଛି । ‘ଆମାଜନ୍ ପ୍ରାଇମ୍’ ଭାରତରେ ତାହାର ବାର୍ଷିକ ସବସ୍କ୍ରିପସନ୍ ମୂଲ୍ୟ ୫୦୦ ଟଙ୍କା ବଢାଇ ୧,୪୯୯ ଟଙ୍କା କରିଥିବା ବେଳେ ମାସିକିଆ ପ୍ୟାକେଜ୍ ମୂଲ୍ୟ ୧୨୯ ଟଙ୍କାରୁ ୧୭୯ ଟଙ୍କାକୁ ବୃଦ୍ଧି କରିଛି । ସଂସ୍ଥା ତ୍ରୈମାସିକ ପ୍ୟାକେଜ୍ ମୂଲ୍ୟ ୩୨୯ ଟଙ୍କାରୁ ୪୫୯ ଟଙ୍କାକୁ ବୃଦ୍ଧି ବଢାଇଛି । ତେବେ, ‘ଆମାଜନ୍ ପ୍ରାଇମ୍’ ସବସ୍କ୍ରିପସନରେ ଗ୍ରାହକ ସପିଂ ସୁବିଧା ସମେତ ମ୍ୟୁଜିକ୍ ଷ୍ଟ୍ରିମିଂ ଓ ଭିଡ଼ିଓ ଷ୍ଟ୍ରିମିଂ ଭଳି ଅତିରିକ୍ତ ସେବା ପାଉଥିବା ଜଣାପଡିଛି । ଅନ୍ୟପକ୍ଷରେ, ଆମେରିକୀୟ ସଂସ୍ଥା ‘ନେଟଫ୍ଲିକ୍ସ’ ଭାରତ ପାଇଁ ତାହାର ସର୍ବନିମ୍ନ ସବସ୍କ୍ରିପସନ୍ ମୂଲ୍ୟ ୧୯୯ ଟଙ୍କାରୁ ୧୪୯ ଟଙ୍କାକୁ ହ୍ରାସ କରିଛି । ଏହି ମାସିକ ସବସ୍କ୍ରିପସନ୍ ପ୍ଲାନ୍ କେବଳ ମୋବାଇଲ୍ ଓ ଟାବଲେଟ୍ ପାଇଁ ଉଦ୍ଦିଷ୍ଟ । ଗ୍ରାହକମାନେ ୪୮୦ ପିକ୍ଚର ରିଜଲ୍ୟୁସନରେ ସେମାନଙ୍କ ମୋବାଇଲ୍ ଓ ଟାବଲେଟ୍ ରେ ‘ନେଟଫ୍ଲିକ୍ସ’ ଭିଡ଼ିଓ ଦେଖିବା ସୁଯୋଗ ପାଇବେ । ବେସିକ୍ ପ୍ଲାନ୍ ମୂଲ୍ୟ ମଧ୍ୟ ୪୯୯ ଟଙ୍କାରୁ ୧୯୯ ଟଙ୍କାକୁ ହ୍ରାସ ହୋଇଛି । ଏହି ପ୍ଲାନରେ ଗ୍ରାହକ ମୋବାଇଲ୍, ଟାବଲେଟ୍, କଂପ୍ୟୁଟର ଓ ଟିଭିରେ ୪୮୦ ପିକ୍ଚର ରିଜୋଲ୍ୟୁସନରେ ‘ନେଟଫ୍ଲିକ୍ସ’ ଭିଡ଼ିଓ ଦେଖି ପାରିବେ । ‘ନେଟଫ୍ଲିକ୍ସ’ ତାହାର ଷ୍ଟାଣ୍ଡାର୍ଡ ପ୍ଲାନ୍ ୬୪୯ ଟଙ୍କାରୁ ୪୯୯ ଟଙ୍କାକୁ ଓ ପ୍ରିମିୟମ୍ ପ୍ଲାନ୍ ୭୯୯ରୁ ୬୪୯ ଟଙ୍କାକୁ ହ୍ରାସ କରିଛି । ଷ୍ଟାଣ୍ଡାର୍ଡ ପ୍ଲାନରେ ମୋବାଇଲ, ଟାବଲେଟ୍, ଟିଭି ଓ କଂପ୍ୟୁଟରରେ ୧୦୮୦ ପିକ୍ଚର ରିଜୋଲ୍ୟୁସନରେ ଭିଡ଼ିଓ ଦେଖି ହେବ । ସେହିପରି, ପ୍ରମିୟମ୍ ପ୍ଲାନରେ ୪କେ+ଏଚଡ଼ିଆର ଷ୍ଟ୍ରିମିଂ ବ୍ୟବସ୍ଥା ରହୁଛି । ମୋବାଇଲ୍ ଓ ବେସିକ୍ ପ୍ଲାନରେ ଗ୍ରାହକ ଏକା ସମୟରେ ଗୋଟିଏ ଡ଼ିଭାଇସରେ ହିଁ ‘ନେଟଫ୍ଲିକ୍ସ’ ଭିଡ଼ିଓ ଦେଖିବା ସୁଯୋଗ ଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନରେ ଗ୍ରାହକ ଏକା ସମୟରେ ଦୁଇଟି ଡ଼ିଭାଇସରେ ‘ନେଟଫ୍ଲିକ୍ସ’ ଭିଡ଼ିଓ ଦେଖି ପାରବେ । ପ୍ରିମୟମ୍ ପ୍ଲାନ ନେଉଥିବା ଗ୍ରାହକ ସେମାନଙ୍କ ମୋବାଇଲ୍, ଟାବଲେଟ୍, କଂପ୍ୟୁଟର ଓ ଟଭିରେ ୪କେ+ଏଚଡ଼ିଆର ରିଜୋଲ୍ୟୁସନରେ ଏକା ସମୟରେ ‘ନେଟପ୍ଲିକ୍ସ’ ଭିଡ଼ିଓ ଦେଖି ପାରିବେ ବୋଲି ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS