ଲକ୍ଷ୍ମୀପୁର ଖେରି ଚାଷୀ ମୃତ୍ୟୁ ‘ଆକସ୍ମିକ’ ନଥିଲା, ଥିଲା ଏକ ‘ସୁଚିନ୍ତିତ’ ହତ୍ୟା ଷଡଯନ୍ତ୍ର !
ଲକ୍ଷ୍ନୌ
ଡ଼ିସେମ୍ବର ୧୪
ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଅକ୍ଟୋବର ୩ ତାରିଖ ଦିନ ଘଟିଥିବା ଚାଷୀ ହତ୍ୟା ଘଟଣା ‘ବେପରୁଆ ଗାଡ଼ି ଚାଳନା’ ଜନିତ ନଥିଲା, ଏହା ଥିଲା ଏକ ‘ସୁଚିନ୍ତିତ ଷଡଯନ୍ତ୍ର’ ବୋଲି ଏହି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଜଣେ ବିଚାରପତିଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ୟୁପି ସରକାରଙ୍କ ଅଡୁଆ ବଢିଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଆଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରା ଚାଷୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ଅଶିଷ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଯେଉଁ ବେପରୁଆ ଗାଡ଼ି ଚାଳନା ଅଭିଯୋଗ ଲଗାଇଛି ତାହାକୁ ହତ୍ୟା ଉଦ୍ୟମ ଓ ଜାଣିଶୁଣି ଅନ୍ୟକୁ ଆଘାତ ଦେଇଥିବା ଅଭିଯୋଗରେ ପରିବର୍ତ୍ତନ କରାଯିବା ଆବଶ୍ୟକ ବୋଲି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଆଶିଷ ମିଶ୍ରା ଓ ଅନ୍ୟମାନେ ଏବେ ହତ୍ୟା ଓ ଷଡଯନ୍ତ୍ର ଅଭିଯୋଗରେ ଅଭିଯୁକ୍ତ ଅଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚରେ ୟୁପି ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉ ଥିବାରୁ ମାର୍ଚ୍ଚ ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ନିଶ୍ଚିତ । ନିର୍ବାଚନକୁ ଆଖିରେ ରଖି ଶାସକ ବିଜେପି ଜୋରଦାର ପ୍ରଚାର ଅଭିଯାନ ଚଳାଇ ଥିବା ବେଳେ ଲକ୍ଷ୍ମୀପୁର ଖେରି ଘଟଣାରେ ଏସଆଇଟି ଦାଖଲ କରିଥିବା ରିପୋର୍ଟ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତେନି ଓ ବିଜେପି ସରକାରଙ୍କ ଅଡୁଆ ବଢାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଅକ୍ଟୋବର ୩ ତାରିଖ ଚାଷୀ ହତ୍ୟା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୁଲିସର ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରାଙ୍କୁ ମନ୍ତ୍ରୀ ପରିଷଦରୁ ହଟା ଯିବାକୁ ବିରୋଧୀ ଦଳଙ୍କ ଆଡୁ ପ୍ରବଳ ଚାପ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ମିଶ୍ରା ଆଜି ଜେଲକୁ ଯାଇ ପୁଅ ଆଶିଷ ମିଶ୍ରାଙ୍କୁ ଭେଟି ଥିବା ସୂଚନା ମିଳିଛି । ଅକ୍ଟୋବର ୩ ତାରିଖ ଦିନ ଲକ୍ଷ୍ମୀପୁର ଖେରିରେ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଦୃତ ଗତିରେ ଥିବା ଏସୟୁଭି ଗାଡି ପଛ ଆଡୁ ଚଢାଇ ଦିଆଯାଇଥିଲା ଫଳରେ, ଘଟଣା ସ୍ଥଳରେ ୪ ଜଣ ଚାଷୀ ଓ ଜଣେ ଟିଭି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲା । ପ୍ରତିକ୍ରିୟା ସ୍ୱରୂପ ତୁରନ୍ତ ହୋଇଥିବା ହିଂସାରେ ଦୁଇ ଜଣ ବିଜେପି ସମର୍ଥକ ଓ ଜଣେ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି । ଯେଉଁ ଏସୟୁଭି ଗାଡ଼ି ଚାଷୀଙ୍କ ଉପରେ ଚଢାଇ ଦିଆଯାଇଥିଲା ତାହାର ମାଲିକ ନିଜେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନି ଥିବା ବେଳେ ପୁଅ ଆଶିଷ ମିଶ୍ରା ଘଟଣା ସମୟରେ ଗାଡ଼ି ଚଳାଉ ଥିଲେ ବୋଲି ଭିଡ଼ିଓ ଫୁଟେଜରୁ ଜଣାପଡିଛି । ଏସୟୁଭି ଗାଡିଟି କିଭଳି ଦୃତ ବେଗରେ ଆସି ଚାଷୀଙ୍କ ପଛ ଅଡୁ ମାଡି ଯାଇଥିଲା ତାହାର ଦୃଶ୍ୟ ଭିଡ଼ିଓ ଫୁଟେଜରେ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ଭୟାନକ ଓ କ୍ରୋଧ ସୃଷ୍ଟି କଲା ଭଳି ଥିଲା । ପୁଲିସରେ ଏହି ଘଟଣାକୁ ନେଇ ଦୁଇଟି ମମଲା ରୁଜୁ ହୋଇଛି । ମୃତ ଚାଷୀଙ୍କ ପରିବାର ପକ୍ଷରୁ ଗୋଟିଏ ମାମଲା ହୋଇଛି, ଯେଉଁଥିରେ କି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ସୁମିତ ଜୟସ୍ୱାଲ ନାମକ ଲକ୍ଷ୍ମୀପୁରର ଜଣେ ବିଜେପି କର୍ମୀ ଦ୍ୱତୀୟ ଦ୍ୱିତୀୟ ଏତଲା ଦେଇଥିଲେ । ଚାଷୀ ହତ୍ୟା ପରବର୍ତ୍ତୀ ହିଂସାରେ ତିନି ଜଣଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ଏତଲା ହୋଇଥିଲେ ମଧ୍ୟ ସେଥିରେ ନିର୍ଦ୍ଧିଷ୍ଟ ଭାବେ କାହାରି ନାମ ଦର୍ଶାଯାଇ ନଥବାରୁ ପୁଲିସ କିଛି ଅଜ୍ଞାତ ଚାଷୀ ହିଂସା ଭିଆଇ ଥିବା ନେଇ ମାମଲା କରିଛନ୍ତି । ପରବର୍ତ୍ତୀ ସମୟରେ, ଚାଷୀଙ୍କ ଉପରେ ମଡାଇ ଦିଆଯାଇଥିବା ଏସୟୁଭିରେ ଜୟସ୍ୱାଲ ଥିଲେ ଏବଂ ଘଟଣା ପରେ ସେ ଏସୟୁଭିରୁ ବାହାରି ଦୌଡି ପଳାଉ ଥବା ଭିଡ଼ିଓ ଫୁଟେଜରୁ ଦେଖିବାକୁ ମିଳିଛି । ପୁଲିସ ଭିଡ଼ିଓ ଫୁଟେଜ୍ ଦେଖି ସୁମିତ ଜୟସ୍ୱାଲଙ୍କୁ ଗିରଫ କରିବା ସହ ଆଶିଷଙ୍କ ସହ ଅଭିଯୁକ୍ତ ଦର୍ଶାଇ ମାମଲା କରିଛନ୍ତି । ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବାରୁ ୟୁପି ପୁଲିସ ତଦନ୍ତରେ ଅବହେଳା କରୁଥିବା ଓ ତଦନ୍ତ ବାଟବଣା ହେଉଥିବା ସୁପ୍ରିମ କୋର୍ଟରେ ପିଟିସନ୍ ଦାଏର ମାଧ୍ୟମରେ ଅଭିଯୋଗ ହେବା ପରେ ସୁପ୍ରିମ କୋର୍ଟ ସରକାରଙ୍କୁ ତଦନ୍ତର ଅଗ୍ରଗତି ସଂପର୍କୀତ ରିପୋର୍ଟ ମାଗି ଥିଲେ । ରାଜ୍ୟ ସରକାର ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟ ଦେଖିବା ପରେ ୟୁପି ପୁଲିସର ତଦନ୍ତ ଠିକ୍ ବାଟରେ ଚାଲି ନଥିବା ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କରିବା ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ମାମଲାର ଏସଆଇଟି ତଦନ୍ତ କରାଉଛନ୍ତି । ରାଜ୍ୟ ସରକାର ଯେଉଁ ଏସଆଇଟି ଗଠନ କରିଥିଲେ ସେଥିରେ ସ୍ଥାନୀୟ ପୁଲିସ ଅଧିକାରୀମାନେ ହିଁ ଥିବାରୁ ତଦନ୍ତ ନିରପେକ୍ଷ ହେବା ସମ୍ଭାବନା କ୍ଷୀଣ ଜାଣିବା ପରେ ସୁପ୍ରିମ କୋର୍ଟ ରାଜ୍ୟ କ୍ୟାଡରରେ ହୋଇଥିଲେ ମଧ୍ୟ ରାଜ୍ୟ ବାହାରର ତିନି ଜଣ ଆଇପିଏସ ଅଧିକାରୀଙ୍କୁ ଏସଆଇଟିରେ ଅନ୍ତର୍ଭୁକ୍ତ କରି ତଦନ୍ତ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ କଠୋର ଆଭିମୁଖ୍ୟ ହିଁ ୟୁପି ସରକାରଙ୍କ ଚିନ୍ତା ବଢାଇଛି । ଇତିମଧ୍ୟରେ, କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରି ନେଇଛନ୍ତି । ଆନ୍ଦୋଳନକାରୀ ଚାଷୀମାନେ ମଧ୍ୟ ନିଜ ନିଜ ଘରକୁ ଫେରିଲେଣି । ତେବେ, କେନ୍ଦ୍ର ସରକାର ଯେଉଁ ବିଷ ମଂଜି ବୁଣି ଥିଲେ ତାହା ଉଭୟ କେନ୍ଦ୍ର ଓ ୟୁପି ସରକାରଙ୍କ ପିଛା ଛାଡିବାକୁ ପ୍ରସ୍ତୁତ ନଥିବା ଲକ୍ଷ୍ମୀପୁର ଖେରି ଘଟଣାରେ ଦାଖଲ ସଦ୍ୟ ଏସଆଇଟି ରିପୋର୍ଟରୁ ୍ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS