ବାୟୁସେନା ଗୃପ୍ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ
ବେଂଗାଲୁରୁ
ଡ଼ିସେମ୍ବର ୧୫
ଗତ ୮ତାରିଖ ମଧ୍ୟାହ୍ନରେ ତାମିଲନାଡୁର କୁନ୍ନୁର ନିକଟରେ ବାୟୁସେନାର ଅତ୍ୟନ୍ତ ସୁରକ୍ଷିତ ଓ ଭରସାଯୋଗ୍ୟ ଏମଆଇ-ଭି୫ ହେଲିକପଟର୍ ଦୁର୍ଘଟଣାରେ ଦେଶର ପ୍ରଥମ ତିନି ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବାୟୁସେନା ଗୃପ୍ କ୍ୟାପଟେନ ବରୁଣ ସିଂହଙ୍କ ଆଜି ବେଂଗାଲୁର ଆଇଏଏଫ୍ କମାଣ୍ଡ ହସପିଟାଲରେ ମୃତ୍ୟୁ ଘଟିଛି । ଡ଼ିସେମ୍ବର ୯ ତାରିଖରୁ ସିଂହ ଏହି ହସପିଟାଲରେ ଚିକିତ୍ସାଧୀନ ଥିଲେ । ମଂଗଳବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିଲେ ମଧ୍ୟ ସ୍ଥିର ରହି ଥିବା ଡ଼ାକ୍ତରମାନେ କହୁଥିଲେ । ତେବେ, ଆଜି ସକାଳେ ତାଙ୍କ ମୃତ୍ୟୁ ଘଟି ଥିବା ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଗୃପ୍ କ୍ୟାପଟେନ ସିଂହ ତିନି ବାହିନୀ ମୁଖ୍ୟ ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ (ସିଡ଼ିଏସ୍) ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କ ଏହି ଦୁଇ ଇଂଜିନ ବିଶିଷ୍ଟ ଏମଆଇ-ଭି୫ ଭିଭିଆଇପି ବାୟୁସେନା ହେଲିକପଟରରେ ସୁଲୁର ଏୟାରବେସ୍ ରୁ କୁନ୍ନୁର ନିକଟସ୍ଥ ୱେଲିଂଟନରେ ଥିବା ଡ଼ିଫେନ୍ସ ସର୍ଭିର୍ସେସ୍ ଷ୍ଟାଫ୍ କଲେଜ ଅଭିମୁଖେ ଯାତ୍ରା କରିବା ସମୟରେ ନୀଳଗିରି ପାର୍ବତ୍ୟାଂଚଳରେ ହେଲିକପଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସିଡ଼ିଏସ୍ ଜେନେରାଲ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୃପ୍ କ୍ୟାପଟେନ ସିଂହ ହିଁ ଏକମାତ୍ର ଅଧିକାରୀ ଯିଏକି ଗୁରୁତର ଭାବେ ଜଳି ଯାଇଥିବା ଅବସ୍ଥାରେ ହସପିଟାଲରେ ଭତ୍ତି ହୋଇଥିଲେ । ତାଙ୍କ ଦେହର ୯୦ ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଥିଲା । ଉଦ୍ଧାରକାରୀ ଦଳ ଗୃପ୍ କ୍ୟାପଟେନ ସିଂହଙ୍କୁ ଦୁର୍ଘଟଣା ସ୍ଥଳରୁ ଜୀବୀତ ଅବସ୍ଥାରେ ଉଦ୍ଧାର କରି ୱେଲିଂଟନସ୍ଥିତ ସାମରିକ ହସପିଟାଲକୁ ସ୍ଥାନାନ୍ତର କରି ଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୯ ତାରିଖ ଦିନ ତାଙ୍କୁ ବେଂଗାଲୁରୁରେ ଥିବା କମାଣ୍ଡ ହସପିଟାଲକୁ ଅଣା ଯାଇଥିଲା । ଆଜି ସକାଳେ ସିଂହଙ୍କ ମୃତ୍ୟୁ ଘଟିଛି । ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃପ୍ କ୍ୟାପଟେନ ସିଂହଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗୃପ୍ କ୍ୟାପଟେନ ସିଂହ ଗତ ବର୍ଷ ବିମାନ ବାହିନୀର ଏକ ତେଜସ୍ ଲାଇଟ୍ କଂବାଟ୍ ଏୟାରକ୍ରାଫ୍ଟ୍ ଉଡାଉ ଥିବା ସମୟରେ ମଝି ଆକାଶରେ ବିମାନରେ ବୈଷୟିକ ତୃଟି ଦେଖା ଦେଇ ଦୁର୍ଘଟଣା ଘଟିବା ସମ୍ଭାବନା ଦେଖା ଦେଇଥିଲା । ତେବେ, ସେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ତେଜସ୍ ଯୁଦ୍ଧ ବିମାନକୁ ସମ୍ଭାବ୍ୟ ଦୁର୍ଘଟଣା ମୁହଁରୁ ରକ୍ଷା କରିଥିଲେ । ଏଥିସକାଶେ ଗତ ଅଗଷ୍ଟ ମାସରେ ତାଙ୍କୁ ସମ୍ମାନଜନକ ସୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ସିଏସଡ଼ି ଜେନେରାଲ ରାୱତ ୮ ତାରିଖ ଦିନ ୱେଲିଂଟନ ସ୍ଥିତ ଡ଼ିଫେନ୍ସ ସର୍ଭିର୍ସେସ୍ ଷ୍ଟାଫ୍ କଲେଜକୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିବା ସମୟରେ ଏହି ହେଲକପଟର୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ଚାଲିଛି । ତିନି ବାହିନୀ ପକ୍ଷରୁ ଚାଲିଥିବା ଏହି ତଦନ୍ତର ନେତୃତ୍ୱ ନେଉଛନ୍ତି ଏୟାର ମାର୍ଶାଲ ମାନବେନ୍ଦ୍ର ସିଂହ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS