ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ବଢୁଛି, ସୋମବାର ସୁଦ୍ଧା ୧୭୧
ପ୍ରସାଦ ରାଓ
ଡ଼ିସେମ୍ବର ୨୦
ଦେଶରେ କୋଭିଡ଼-୧୯ର ନୂଆ ପ୍ରଜାତି ‘ଓମିକ୍ରନ୍’ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦିନ କେରଳରୁ ୪ ଜଣ ଓ ଦିଲ୍ଲୀରୁ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୧ରେ ପହଂଚିଛି । ଅପରାହ୍ନ ସୁଦ୍ଧା କେରଳରେ ମୋଟ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୧୫ ଓ ଦିଲ୍ଲୀରେ ୨୮ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ମିଳି ଥିବା ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜରାଟ, କେରଳ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମ ବଂଗରୁ ଏଯାବତ୍ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି । ମହାରାଷ୍ଟ୍ରରୁ ସର୍ବାଧିକ ୫୪ ଜଣ, ଦିଲ୍ଲୀରୁ ୨୮ ଜଣ, ତେଲେଙ୍ଗାନାରୁ ୨୦ ଜଣ, କର୍ଣ୍ଣାଟକରୁ ୧୯ ଜଣ, ରାଜସ୍ଥାନରୁ ୧୭ ଜଣ, କେରଳରୁ ୧୫ ଜଣ, ଗୁଜରାଟର ୧୧ ଜଣ, ପଶ୍ଚିମ ବଂଗରୁ ୪ ଜଣ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ଚଣ୍ଡିଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ କୋଭିଡ଼-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପଜେଟିଭ୍ ବାହାରି ଥିବା ସବୁ ନମୂନା ଜେନମ୍ ସିକ୍ୱେନ୍ସିଂ ଟେଷ୍ଟ୍ ପାଇଁ ପଠାଯାଇ ସେଥିରେ ‘ଓମିକ୍ରନ୍’ ଭୂତାଣୁର ଉପସ୍ଥିତି ଅଛି କି ନାହିଁ ଯାଂଚ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆଜି କହିଛନ୍ତି । ପୂର୍ବରୁ କେବଳ ଦିଲ୍ଲୀ ବିମାନ ବନ୍ଦରରୁ ସଂଗ୍ରହ କରାଯାଉଥିବା ନମୂନା ଜେନମ୍ ସିକ୍ୱେନ୍ସିଂ ପାଇଁ ପଠା ଯାଉଥିଲା । ‘ଓମିକ୍ରନ୍’ର ବସ୍ତାରକୁ ରୋକିବା ପାଇଁ ଦୁଇ ଡୋଜ୍ ଟିକା ନେଇ ସାରିଥିବା ବ୍ୟକ୍ତିବିଶେଷଙ୍କୁ ବୁଷ୍ଟୋର ଡୋଜ୍ ଦେବା ସକାଶେ କେନ୍ଦ୍ର ସରକାର ଅନୁମତି ଦେବାକୁ ସେ ନିବେଦନ କରିଛନ୍ତି । ଇତିମଧ୍ୟରେ, ୟୁକେରେ ହୋଇଥିବା ଏକ ଅନୁଧ୍ୟାନରୁ ସୂଚନା ମିଳିଛି, କୋଭିଡ଼-୧୯ର ନୂଆ ପ୍ରଜାତି ‘ଓମିକ୍ରନ୍’ ପୂର୍ବରୁ କୋଭିଡ଼ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଓ ଦୁଇ ଡୋଜ୍ ଟିକା ନେଇ ସାରିଥିବା ବ୍ୟକ୍ତିବିଶେଷଙ୍କ ଇମ୍ୟୁନିଟିକୁ ମଧ୍ୟ ଚକ୍ମା ଦେଇ ବ୍ୟାପିବାକୁ ସକ୍ଷମ । ଏହି ପ୍ରଜାତି କୋଭିଡ଼-୧୯ର ‘ଡ଼େଲଟା’ ପ୍ରଜାତି ଅପେକ୍ଷା କମ୍ ଘାତକ ବୋଲି ଯାହା କୁହାଯାଉଛି ତାହା ସପକ୍ଷରେ କୌଣସି ପ୍ରମାଣ ମିଳି ନାହିଁ ବୋଲି ଏହି ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ । କୋଭିଡ଼ର ଘାତକ ‘ଡ଼େଲଟା’ ପ୍ରଜାତିର ସଂକ୍ରମଣ ହାରଠାରୁ ୫.୪ଗୁଣ ଅଧିକ ବେଗରେ ‘ଓମିକ୍ରନ୍’ ପ୍ରଜାତିର ପୁନଃସଂକ୍ରମଣ ଆଶଙ୍କା ରହିଛି ବୋଲି ୟୁକେ ଇଂପେରିଆଲ କଲେଜ ଅଫ୍ ଲଂଡ଼ନର ଗବେଷକମାନଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡିଛି । ତେବେ, ‘ଓମିକ୍ରନ୍’ରେ ଆକ୍ରାନ୍ତ ଲୋକ ହସ୍ପିଟାଲରେ ଭତ୍ତି ହେବା ସଂଖ୍ୟା ଏପର୍ଯ୍ୟନ୍ତ କମ୍ ରହିଛି ବୋଲି ଏଥିରେ କୁହାଯାଇଛି । ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬,୫୬୩ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି । ୮,୦୭୭ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରୀୟ କୋଭିଡ଼ ରୋଗୀ ସଂଖ୍ୟା ୮୨,୨୬୭ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ସୂଚନା ମିଳିଛି ।
ଆରଟି-ପିସିଆର୍ ଟେଷ୍ଟ୍ ପାଇଁ ପ୍ରି-ବୁକିଂ ବାଧ୍ୟତାମୂଳକ
କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ର ସଂକ୍ରମଣ ବ୍ୟାପୁଥିବା ଦୃଷ୍ଟିରୁ ‘ଆଟ୍ ରିସ୍କ୍’ ଦେଶରୁ ଆସୁଥିବା ବା ଗତ ୧୪ ଦିନ ମଧ୍ୟରେ ସେସବୁ ରାଷ୍ଟ୍ର ଗସ୍ତ କରିଥିବା ବିମାନ ଯାତ୍ରୀଙ୍କ ପାଇଁ ଦେଶର ଛଅଟି ପ୍ରମୁଖ ବିମାନ ବନ୍ଦରରେ ଟେଷ୍ଟିଂ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜିଠାରୁ ତାହା ଲାଗୁ ହୋଇଛି । ଏଥିସକାଶେ କେନ୍ଦ୍ର ସରକାର ‘ଏୟାର ସୁଭଦ୍ରା’ ଆପ୍ ରେ ଆବଶ୍ୟକ ସଂଶୋଧନ କରିବା ସହ ସଂପୃକ୍ତ ବିମାନ ବନ୍ଦରରେ ପହଂଚୁ ଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ୍ ପ୍ରି-ବୁକିଂ ବାଧ୍ୟତାମୂଳକ କରିଛନ୍ତି । କଟକଣା କଡାକଡି ହୋଇଥିବା ଛଅଟି ପ୍ରମୁଖ ବିମାନ ବନ୍ଦର ହେଉଛି – ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଂଗାଲୁରୁ ଓ ହାଇଦ୍ରାବାଦ । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗତ ସପ୍ତାହରେ ଏଥିନେଇ ନିର୍ଦେଶନାମା ଜାରି କରିଥିଲେ । ଆଜିଠାରୁ ତାହା କାର୍ଯ୍ୟକାରୀ ହୋଇଛି । ‘ଆଟ୍ ରିସ୍କ୍’ ଦେଶରୁ ଆସୁଥିବା ବା ବିଗତ ୧୪ ଦିନ ମଧ୍ୟରେ ସେସବୁ ଦେଶ ଭ୍ରମଣ କରିଥିବା ବିମାନ ଯାତ୍ରୀଙ୍କ ପାଇଁ ଛଅଟି ପ୍ରମୁଖ ବିମାନ ବନ୍ଦରରେ ଆରଟି-ପିସିଆର ଟେଷ୍ଟ୍ ପ୍ରି-ବୁକିଂ ବ୍ୟବସ୍ଥା ଲାଗୁ କରିବାକୁ ଯେଉଁ ନିଷ୍ପତ୍ତି ହୋଇଛି ତାହା ପ୍ରାଥମିକ ସ୍ତରରେ ରହିଛି । ବ୍ୟବସ୍ଥାରେ ସ୍ଥିରତା ଆସି ଗଲେ ବିମାନ ଯାତ୍ରୀଙ୍କ କିଛି ଅସୁବିଧା ରହିବ ନାହିଁ । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ବିମାନ ବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS