‘ତେନି’ ପ୍ରସଙ୍ଗ ୟୁପି ନିର୍ବାଚନକୁ ପ୍ରଭାବିତ କରିବ ନାହିଁ !
ପ୍ରସାଦ ରାଓ
ଡ଼ିସେମ୍ବର ୨୧
୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ନ ହେଉଣୁ ୨୦୨୨ ମହାସମର ଆରମ୍ଭ ହୋଇଯାଇଛି । ୨୦୧୭ରୁ ରାଜ୍ୟରେ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ପ୍ରତିଷ୍ଠା କରିବାକୁ ମହାସମରର ମୁଖ୍ୟ ନାୟକ ସାଜି ଥିବା ବେଳେ ଦଳର ମୁଣ୍ଡିଆଳ ନେତାମାନେ ଏହାର ପରିଚାଳନା କରୁଛନ୍ତି । ମହାସମରରେ ବିଜେପି ପାଖାପାଖି ରହିଛି ସମାଜବାଦୀ ପାର୍ଟି । ଦଳର ମୁଖିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ରାଜ୍ୟର ଛୋଟ, ବଡ଼ ଦଳଙ୍କ ସହ ମେଂଟ କରୁଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଂକା ଗାନ୍ଧୀ ଭଦ୍ରାଙ୍କୁ ଅଗ୍ରଭାଗରେ ରଖି ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରି ସାରିଛି । ପ୍ରିୟଙ୍କା ଦଳର ମଂଗୁଆଳ ସାଜି ମଇଦାନ ସମ୍ଭାଳୁଛନ୍ତି । ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ନାରୀ ଶକ୍ତିକୁ ଜାଗରିତ କରି ଶାସକ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ (ବିଏସପି) ମଧ୍ୟ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରି ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଟକ୍କର ଦେବାକୁ ଅଂଟା ଭିଡି ଥିବା ବେଳେ ଅସାଉଦ୍ଦିନ ଓୱେସୀଙ୍କ ଭଳି ସଂଖ୍ୟାଲଘୁ ସଂପ୍ରଦାୟ ନେତାମାନେ ମଧ୍ୟ ରାଜ୍ୟରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ନିର୍ବାଚନ ମଇଦାନରେ ଉତୁରି ଥିବାରୁ ୟୁପି ବିଧାନସଭା ନିର୍ବାଚନ ଧୀରେ ଧୀରେ ରୋଚକ ହେବାରେ ଲାଗିଛି ।
ୟୁପିରେ ଯୋଗୀ ସରକାରଙ୍କ କାର୍ଯ୍ୟକାଳ ୨୦୨୨ ମେ’ରେ ସରିବାକୁ ଥିଲେ ମଧ୍ୟ ପଂଜାବ, ଗୋଆ, ମଣିପୁର ଓ ଛତିଶଗଡ଼ ବିଧାନସଭା କାର୍ଯ୍ୟକାଳ ମାର୍ଚ୍ଚରେ ସରୁଥିବାରୁ ଭାରତୀୟ ନିର୍ବାଚନ ଆୟୁକ୍ତ ଏକା ସମୟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ତାରିଖ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି । ସେହି ଅନୁସାରେ ରାଜ୍ୟର ରାଜନୈତିକ ଦଳମାନେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କଲେଣି । ଭାରତୀୟ ନିର୍ବାଚନ ଆୟୋଗର ଅଧିକାରୀମାନେ ଇତିମଧ୍ୟରେ ନିର୍ବାଚନ ହେବାକୁ ଥିବା ପାଂଚଟି ରାଜ୍ୟ ଗସ୍ତ କରି ନିର୍ବାଚନ ପାଇଁ ହୋଇଥିବା ପ୍ରସ୍ତୁତିକୁ ଅନୁଧ୍ୟାନ କରିଛନ୍ତି । କେବଳ ତାରିଖ ଘୋଷଣା ବାକି ଥିବାରୁ ରାଜନୈତିକ ଦଳମାନେ ନିର୍ବାଚନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଲେଣି । ଶାସକ ବିଜେପି ଗତ ପାଂଚ ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ବିକାଶ ସହ ହିନ୍ଦୁତ୍ୱକୁ ଆୟୂଧ କରି ପ୍ରଚାର ଅଭିଯାନକୁ ଜୋରଦାର କରିଛି । ରାଜ୍ୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏହାଛଡା, ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଓ ନବକଳେବର ହୋଇଥିବା କାଶୀ ବିଶ୍ୱନାଥ ମନ୍ଦିର ଭଳି ବିଭିନ୍ନ ଧର୍ମାନୁଷ୍ଠାନର ଲୋକାର୍ପଣକୁ ଟ୍ରଂପ୍ କାର୍ଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ରାଜନୈତିକ ସହଯୋଗୀମାନେ ୟୁପିରେ ଗଡ଼ ଜିଣିବା ଅଭିଯାନ ଚଳାଇ ଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସରକାରଙ୍କ ହିନ୍ଦୁତ୍ୱବାଦୀ ଚରିତ୍ରକୁ ପଦାରେ ପକାଇ ପ୍ରଚାର ଅଭିଯାନକୁ ଶାଣିତ କରିଛନ୍ତି ।
ଆସନ୍ତା ନିର୍ବାଚନରେ କଂଗ୍ରେସ ନୁହେଁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟିର୍ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯାଉଥିବା ବିଭିନ୍ନ ନିର୍ବାଚନ-ପୂର୍ବ ଆକଳନରୁ ସ୍ପଷ୍ଟ ହେଉଛି । ତେଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ବିଭିନ୍ନ ସରାକରୀ ଓ ଧାର୍ମିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅଖିଳେଶଙ୍କୁ ହିଁ ଟାର୍ଗେଟ୍ କରୁଛନ୍ତି । ଉଭୟଙ୍କ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଏପରି ଏକ ସ୍ତରରେ ପହଂଚି ଗଲାଣି ଯେ ୟୁପିର ସାଂପ୍ରତିକ ରାଜନୈତିକ ବାତାବରଣକୁ ଦେଖିଲେ ୨୦୨୧ ମାର୍ଚ୍ଚ-ଏପ୍ରିଲରେ ହୋଇଥିବା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ଆଖି ସାମ୍ନାକୁ ଚାଲି ଆସୁଛି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ଏକା ଭଳି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହୋଇଥିଲେ । ମମତାଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଯେଉଁ ଭୟ ସୃଷ୍ଟିକାରୀ ରଣନୀତି ଆପଣାଇ ଥିଲା ତାହାର ପୁନରାବୃତ୍ତି ଦେଖିବାକୁ ମିଳୁଛି ୟୁପିରେ । ୟୁପି ପାଇଁ ଯୋଗୀ (ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ) ହିଁ ‘ଉପଯୋଗୀ’ କହି ଡ଼ବଲ ଇଂଜିନ ସରକାର ସକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟିମ୍ ପ୍ରଚାର ଅଭିଯାନକୁ ଶାଣିତ କରିଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଯୋଗୀ ୟୁପି ପାଇଁ ‘ଅନୁପଯୋଗୀ’ ଦର୍ଶାଇ ଡ଼ବଲ ଇଂଜିନ ସରକାର ଥିବା ଅନ୍ୟ ବିଜେପି ଶାସିତ ରାଜ୍ୟର ଉଦାହରଣ ଦେଉଛନ୍ତି । ଇତିମଧ୍ୟରେ, ଅଖିଳେଶଙ୍କ ଅଂତରଂଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଓ ଆୟକର ବିଭାଗର ଚଢାଉ ଆଗାମୀ ୟୁପିର ବିଧାନସଭା ନିର୍ବାଚନକୁ ଏକ ‘ହାଇଭୋଲଟେଜ୍’ ନାଟକରେ ରୂପାନ୍ତରିତ କରିଛି ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟର ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ସରକାରଙ୍କୁ ଭୟଭିତ କରବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ଘନିଷ୍ଟ ସହଯୋଗୀଙ୍କ ଘରେ ଇଡ଼ି ଓ ଆୟକର ବିଭାଗର ରେଡ୍ କରାଇ ଥିଲେ । ସିବିଆଇକୁ ମଧ୍ୟ ବ୍ୟବହାର କରାଯାଇଥିଲା । ତେବେ, ମମତା ଭୟଭିତ ନହୋଇ ମୋଦୀ-ଟିମ୍ ର କଡ଼ା ମୁକାବିଲା କରିଥିଲେ । ନିର୍ବାଚନରେ ଟିଏମସିର ଆଶାତୀତ ବିଜୟ ଓ ମମତା ଲଗାତର ତୃତୀୟ ଥର ପାଇଁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ହେବା ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି । ତେବେ, ଉତ୍ତର ପ୍ରଦେଶ କଥା ଭିନ୍ନ । ରାଜ୍ୟରେ ବିଜେପି ସରକାର ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ଜଣେ କଟ୍ଟରପନ୍ଥୀ ନେତା । ୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାର ତୃତୀୟ ଥର ପାଇଁ କ୍ଷମତାସୀନ ହେବା ଉତ୍ତର ପ୍ରଦେଶ ନିର୍ବାଚନରେ ସଫଳତା ଉପରେ ନିର୍ଭର କରୁଛି । ତେଣୁ, ମୋଦୀ ଓ ତାଙ୍କ ଟିମ୍ ଅଖିଳେଶଙ୍କ ହାତରେ କ୍ଷମତା ଟେକି ଦେବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ, ଅଖିଳେଶ ଯାଦବ ଓ ସମାଜବାଦୀ ପାର୍ଟିକୁ ଯଥାସମ୍ଭବ କ୍ଷମତାରୁ ଦୂରେଇ ରଖିବାକୁ ବିଜେପିର ତୁଙ୍ଗ ନେତୃବର୍ଗ ୟୁପିରେ ଡ଼େରା ପକାଇ ରହିଥିବା ଦେଖିବାକୁ ମିଳୁଛି ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିକୁ ସଫଳତା ପୂର୍ବକ ମାତ୍ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଅଖିଳେଶ ଯାଦବଙ୍କ ମାଧ୍ୟମରେ ୟୁପିରେ ପାଦ ଥାପି ୨୦୨୪ ସାଧାରଣ ନିର୍ବାଚନ ଆଗରୁ ଏକ ବିରୋଧୀ ବିକଳ୍ପ ଗଠନ ଯୋଜନାରେ ଥିବାରୁ ୟୁପି ନିର୍ବାଚନରେ ଅଖିଳେଶଙ୍କୁ ସହାୟତା ଓ ସମର୍ଥନ ଦେବାକୁ ଆଗେଇ ଆସି ଥିବା ୟୁପି ନିର୍ବାଚନକୁ ଆଉ ଏକ ରୋଚକ ମୋଡ ଦେଇଛି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ମମତାଙ୍କ ‘ଖେଲା ହବେ’ ଟିପ୍ପଣୀ ବିଜେପିର ହୃତକଂପ ସୃଷ୍ଟି କରିଥିଲା । ଏବେ, ସେହି ସ୍ଲୋଗାନ ୟୁପି, ଗୋଆରେ ଶୁଣିବାକୁ ମିଳୁଛି । ଟିଏମସି ୟୁପିରେ ନହେଲେ ମଧ୍ୟ ଗୋଆ ବିଧାନସଭା ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଭାଗ ନେବାକୁ ଥିବାରୁ ଗୋଆରେ ‘ଖେଲା ହବେ’ ସ୍ଳୋଗାନ ରାଜନୈତିକ ବାତାବରଣକୁ ରୋମାଂଚକର କରିଛି । ତେବେ, ଟିଏମସି ଆସାମ ଓ ଗୋଆରେ କଂଗ୍ରେସ ଦଳରେ ଛିଦ୍ର କରି ନିଜର ଶକ୍ତିବୃଦ୍ଧି କରୁଥିବା ଦୃଷ୍ଟିରୁ କଂଗ୍ରେସ କ୍ଷୁବ୍ଧ । ବିଜେପି ବିରୋଧରେ ଏକ ବିକଳ୍ପ ମେଂଟ ଗଠନ ପ୍ରକ୍ରିୟା ଏହି କାରଣରୁ ଅଧାପନ୍ତୁରିଆ ହୋଇ ରହିଛି ।
ପଂଜାବ ଓ ୟୁପି ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ଏକ ପ୍ରମୁଖ ଅସ୍ତ୍ର ହେବାକୁ ଥିଲା ତିନି କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ । ମୋଦୀ ସରକାର ବିଳମ୍ବରେ ହେଲେ ମଧ୍ୟ ତାହା ଉପଲବ୍ଧୀ କରି ଗଲା ନଭେମ୍ବର ୩୦ତାରିଖ ଦିନ ତିନି କୃଷି ଆଇନ ପ୍ରତ୍ୟାହର କରି ନେଲେ । ଚାଷୀ ସଂଗଠନଙ୍କ ଅନ୍ୟତମ ପ୍ରମୁଖ ଦାବି ଥିଲା ଏମଏସପି (କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ)କୁ ଆଇନଗତ ମାନ୍ୟତା ଦିଆଯିବା ଏବଂ ଆନ୍ଦୋଳନ ସମୟରେ ସେମାନଙ୍କ ବିରୋଧରେ ହୋଇଥିବା ସବୁ ମାମଲା ପ୍ରତ୍ୟାହାର ହେବା । ସରକାର ଏମଏସପି ଦାବି ଉପରେ ବିଚାର କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ସବୁ ପ୍ରତ୍ୟାହାର କରାଯିବ ବୋଲି ମଧ୍ୟ ସରକାରଙ୍କ ଆଡୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି । ଚାଷୀ ସେଥିରେ ସନ୍ତୁଷ୍ଟ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ସରକାର ନିଶ୍ଚିନ୍ତ । ଚାଷୀଙ୍କ ଭୋଟ ସରକାରଙ୍କୁ ମିଳିବ କି ନାହିଁ ଭିନ୍ନ କଥା । କିନ୍ତୁ, ଚାଷୀ ତ ବିରୋଧୀ ଦଳଙ୍କ ପାଇଁ କ୍ୟାଂପେନ୍ କରିବେ ନାହିଁ..ଏହା ହେଉଛି, ସରକାରଙ୍କ ପାଇଁ ବଡ଼ ଆଶ୍ୱାସନା ।
ତେବେ, ଗଲା ଅକ୍ଟୋବର ୩ ତାରିଖ ୟୁପିର ଲକ୍ଷ୍ମୀପୁର ଖେରିରେ ଘଟି ଥିବା ଚାଷୀ ସଂହାର ଘଟଣା ଏବେ ସୁଦ୍ଧା ସରକାରଙ୍କ ମୁଣ୍ଡରେ ଖଣ୍ଡା ହୋଇ ଝୁଲୁଛି । ଏହି ଚାଷୀ ହତ୍ୟା ଘଟଣା ସହ କେନ୍ଦ୍ର ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନି ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଅଭିଯୋଗ କରି ଚାଷୀ ସଂଗଠନ ଏବଂ ବିରୋଧୀ ଦଳମାନେ ତେନିଙ୍କୁ ବରଖାସ୍ତ କରାଯିବାକୁ ଦାବି କରିଆସୁଛନ୍ତି । ସେମାନେ ସରକାରଙ୍କୁ ଘେରିବା ଅବ୍ୟାହତ ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ଆଳ ଦେଖାଇ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ୟୁପି ନିର୍ବାଚନରେ ଅନ୍ୟତମ ବଡ଼ ପ୍ରସଙ୍ଗ ହୋଇ ରହିଛି । ଇତିମଧ୍ୟରେ, ଲକ୍ଷ୍ମୀପୁର ଖେରି ଘଟଣାର ତଦନ୍ତ କରୁଥିବା ୟୁପି ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଘଟଣାଟି ‘ଆକସ୍ମିକ ଦୁର୍ଘଟଣା’ ନଥିଲା, ଏକ ‘ସୁଚିନ୍ତିତ ହତ୍ୟା ଷଡଯନ୍ତ୍ର’ ଥିଲା ବୋଲି ଆଦାଲତଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ସିଜେଏମ୍ ଙ୍କ କୋର୍ଟରେ ଦାଖଲ ଚାର୍ଜସିଟରେ ସମସ୍ତ ଅଭିଯୁକ୍ତଙ୍କ (କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ) ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ଆଇନରେ ମାମଲାରେ ପରିଚାଳନା କରାଯିବାକୁ ସୁପାରିଶ କରାଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି)ର ସୁପାରିଶ ତେନିଙ୍କ ବିରୋଧରେ ଯାଉଥିଲେ ମଧ୍ୟ ତାଙ୍କୁ ସୁରକ୍ଷିତ ରଖାଯିବା ସରକାରଙ୍କ ଅସହାୟତା ବୋଲି ଆଲୋଚନା ହେଉଛି । ରାଜନୈତିକ ବିଶ୍ଲେଷକମାନେ କହିବା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ତେନି ୟୁପିର ସଂଖ୍ୟାଗରିଷ୍ଠ ବ୍ରାହ୍ମଣ ସମାଜର ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କୁ ସରକାରରୁ ହଟାଇବାକୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି ।
ଇତିମଧ୍ୟରେ, ତେନି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା (ଡ଼ିସେମ୍ବର ୧୫ ତାରିଖ) ବେଳେ ଏକ ସରକାରୀ କାର୍ଯ୍ୟକ୍ରମରେ ଏସଆଇଟି ଚାର୍ଜସିଟକୁ ନେଇ ପ୍ରଶ୍ନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରି ଥିବା ଘଟଣା ଗଣମାଧ୍ୟମ ଜଗତରେ ଆଲୋଡନ ସୃଷ୍ଟି କରିଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ତେନି ଧକ୍କା ମାରିବା ସହ ଧମକ ଦେଇଥିଲେ । ସେମାନଙ୍କ ମୋବାଇଲ୍ ମଧ୍ୟ ଛଡାଇ ନେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଭିଡ଼ିଓ ପ୍ରସାରିତ ହେବା ପରେ ମଧ୍ୟ ମୋଦୀ ସରକାର ତେନିଙ୍କୁ ଘୋଡାଇ ରଖିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ତେନି ଅଧିକ ବଳ ପାଇ ସରକାର ତାଙ୍କୁ ସ୍ୱାଭାବିକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେଉଥିବା ଜଣାଇବା ସକାଶେ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ତାଙ୍କ ବୈଠକର ଫଟୋ ‘ଫେସ୍ ବୁକ୍’ରେ ପୋଷ୍ଟ୍ କରିଛନ୍ତି । ତେନି ସେମିତି ଜଣେ ଦକ୍ଷ ମନ୍ତ୍ରୀ ନୁହନ୍ତି । ତାଙ୍କ ଅପରାଧ ଭିତ୍ତିଭୂମି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି । ତେବେ, ୨୦୨୨ ୟୁପି ବିଧାନସଭା ନିର୍ବାଚନ ଦୃଷ୍ଟିରୁ ତେନିଙ୍କୁ ମନ୍ତ୍ରୀ ପରିଷଦରୁ ହଟାଇ ସରକାର ଉଚ୍ଚ ଜାତିର ଭୋଟରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି ବୋଲି ବିରୋଧୀ କହୁଛନ୍ତି ।
ତେନିଙ୍କୁ ସରକାରରୁ ହଟାଯିବା ଦାବି ଉପରେ ମୋଦୀ ସରକାର ପ୍ରଥମେ ପ୍ରଥମେ କହୁଥିଲେ – ତଦନ୍ତ ସରିବା ପରେ ଯିଏ ଅପରାଧୀ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏବେ କହୁଛନ୍ତି – ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି । ତେଣୁ, ଏହା ଉପରେ ସଂସଦରେ ଚର୍ଚ୍ଚା ବା କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ । ପୁଅ ଅଭିଯୁକ୍ତ ଥିଲେ ବାପାଙ୍କୁ ଦଣ୍ଡିତ କରାଯିବ କି (?) ବୋଲି ମଧ୍ୟ କିଛି କିଛି ବିଜେପି ନେତା ପ୍ରଶ୍ନ କରୁଛନ୍ତି । ଏସବୁ ମୁହଁ ଫୁଟାଣି ସତ୍ତ୍ୱେ ବିଜେପି ନେତୃତ୍ୱ ଗତ ୧୫ ତାରିଖ ଘଟଣା ପରେ କେନ୍ଦ୍ର ମନ୍ତ୍ରୀ ତେନିଙ୍କୁ ୟୁପି ନ ଯିବାକୁ ତାଗିଦ କରିଥିବା ଓ ୟୁପି ନିର୍ବାଚନ ମହାସମରରୁ ଦୂରେଇ ରଖି ଥିବା ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି । ଲକ୍ଷ୍ମୀପୁର ଖେରି ଘଟଣାରେ ମନ୍ତ୍ରୀ ତେନିଙ୍କ ଏସୟୁଭି ଗାଡି ବ୍ୟବହାର କରାଯାଇଥିଲା । ତାଙ୍କ ପୁଅ ଆଶିଷ ମିଶ୍ରା ଚାଷୀଙ୍କ ଉପରେ ଗାଡ଼ି ଚଢାଇ ଥିଲେ ଏବଂ ଗାଡ଼ି ଚକା ତଳେ ୪ ଚାଷୀ ଓ ଜଣେ ଟିିଭି ସାମ୍ବାଦିକଙ୍କ ମୃତ୍ୟୁ ଘଟି ଥିଲା । ଘଟଣା ପରେ ତ୍ୱରିତ ହିଂସାରେ ଦୁଇ ଜଣ ବିଜେପି କର୍ମୀ ଓ ଜଣେ ଗାଡି ଚାଳକ ମୃତ୍ୟୁବରଣ କରିଥିଲେ । ଅଭିଯୁକ୍ତ ପୁଅ ଗିରଫ ହୋଇ ଜେଲରେ ଥିବା ବେଳେ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ବାପା କେନ୍ଦ୍ର ସରକାରଙ୍କ ସୁରକ୍ଷା ବଳୟରେ ରହିବା ଘଟଣା ୟୁପି ଭୋଟକୁ କିଛିମାତ୍ରାରେ ପ୍ରଭାବିତ କରିବା ଆଶଙ୍କା ରହିଛି ।
ତେବେ, ବିଜେପି ସମର୍ଥିତ ମିଡ଼ିଆର ଯୁକ୍ତି ହେଉଛି, ଚାଷୀ ଆନ୍ଦୋଳନ ଓ ଲକ୍ଷ୍ମୀପୁର ଖେରି ଘଟଣା କେବଳ ଟେଲିଭିଜନ ଚ୍ୟାନେଲ୍ ବିତର୍କରେ ସୀମିତ ଥିଲା ଏବଂ ରହିଛି । ୟୁପି ଭୋଟର ମହଲରେ ଏହାକୁ ନେଇ ସେଭଳି କିଛି ଚର୍ଚ୍ଚା ହେଉନି ବା ପ୍ରତିକ୍ରିୟା ଦେଖିବାକୁ ମିଳୁନି । ବିକାଶ ଓ ହିନ୍ଦୁତ୍ୱ ଆଧାରରେ ନିର୍ବାଚନ ଲଢୁଥିବା ବିଜେପି ପାଇଁ ଉପରୋକ୍ତ ଦୁଇ ପ୍ରସଙ୍ଗ ପ୍ରଭାବଶୂନ୍ୟ ରହିବ । ଗୋଦୀ ମିଡ଼ିଆର ନ୍ୟାରେଟିଭ୍ କେତେଦୂର ବିଶ୍ୱାସଯାଗ୍ୟ ତାହା ଭୋଟ ପରେ ହିଁ ଜଣାପଡିବ । ତେବେ, ବର୍ତ୍ତମାନ ପାଇଁ ଅନ୍ତତଃ ବିଜେପି ନେତୃବର୍ଗଙ୍କୁ ଆଶ୍ୱସ୍ତ କରିବାକୁ ଏହି ନ୍ୟାରେଟିଭ୍ ଯଥେଷ୍ଟ, ତାହା କହିବା ଭୁଲ ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS