ସରକାର ପ୍ରତ୍ୟାହାର କଲେ ଆସନ ସଂରକ୍ଷଣ ବିଜ୍ଞପ୍ତି, ୨୭ରେ ଜାରି ହେବ ସାନି ବିଜ୍ଞପ୍ତି

ପ୍ରସାଦ ରାଓ
ଡ଼ିସେମ୍ବର ୨୨
ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଗତ ଅକ୍ଟୋବର ୧ତାରିଖ ଦିନ ଯେଉଁ ଆସନ ସଂରକ୍ଷଣ ବିଜ୍ଞପ୍ତି ଜାରି କରିଥିଲେ ତାହା ପ୍ରତ୍ୟାହାର କରି ନେଇ ୨୭ ତାରିଖ ଦିନ ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଆଜି ଓଡ଼ିଶା ହାଇକୋର୍ଟଙ୍କୁ ସୂଚିତ କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି ଆସନ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ବିରୋଧୀ ଓ ଶାସକ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅକ୍ଟୋବର ୧ ତାରିଖ ବିଜ୍ଞପ୍ତିରେ ଯେଭଳି ଭାବେ ଆସନ ସଂରକ୍ଷଣ ବ୍ୟବସ୍ଥା ହୋଇଛି ତାହା ଅସାମ୍ବିଧାନିକ ଏବଂ ଆସନ ସଂରକ୍ଷଣରେ ରୋଟେସନ୍ ପ୍ରସଙ୍ଗରେ ଭାରତୀୟ ସମ୍ବିଧାନ, ଓଡ଼ିଶା ଗ୍ରାମ ପଂଚାୟତ ଆଇନ, ଓଡ଼ିଶା ଜିଲ୍ଲା ପରିଷଦ ଆଇନ, ଓଡ଼ିଶା ପଂଚାୟତ ସମିତି ଆଇନର ଉଲଂଘନ କରୁଛି ବୋଲି ଓଡ଼ିଶା ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲା । ହାଇକୋର୍ଟ ଏସବୁ ଅଭିଯୋଗର ଶୁଣାଣୀ କରି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ସ୍ପଷ୍ଟୀକରଣ ମାଗି ଥିଲେ । ବୁଧବାର ଦିନ ପ୍ରତିପକ୍ଷ ନିଜ ପକ୍ଷ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ରାଜ୍ୟ ସରକାର ହାଇକୋର୍ଟରେ ନିଜ ପକ୍ଷ ରଖି ଅକ୍ଟୋବର ୧ ତାରିଖ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେବା ସହ ଡ଼ିସମ୍ବେର ୨୭ରେ ସାନି ଆସନ ସଂରକ୍ଷଣ ବିଜ୍ଞପ୍ତି ଜାରି କରିବେ ବୋଲି ଜଣାଇଛନ୍ତି । ସାନି ବିଜ୍ଞପ୍ତିରେ ଥିବା ଆସନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କାହାରି କିଛି ଆପତ୍ତି ଥିଲେ ଜାନୁୟାରୀ ୩ ତାରିଖ ସୁଦ୍ଧା ସରକାରଙ୍କୁ ଜଣାଇବେ । ୫ ତାରିଖ ସୁଦ୍ଧା ସରକାର ସେସବୁର ସମାଧାନ କରି ଜାନୁୟାରୀ ୭ ତାରିଖ ଦିନ ଚୂଡାନ୍ତ ଆସନ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ଦେବେ ବୋଲି ଆଜି ହାଇକୋର୍ଟଙ୍କୁ ଜଣାଇଛନ୍ତି । ଜାନୁୟାରୀ ୮ ତାରିଖ ରାଜ୍ୟ ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ଆଦେଶ ଦେଇଥିବା ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ଅକ୍ଟୋବର ୧ ତାରିଖ ଦିନ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ସରପଂଚଙ୍କ ପାଇଁ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିକୁ ନେଇ ବିରୋଧୀ କେବଳ ନୁହନ୍ତି, ଶାସକ ଦଳରେ ଗ୍ରାମାଂଚଳ ନେତାମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ତାହା ବିରୋଧରେ ଓଡ଼ିଶା ହାଇକୋର୍ଟରେ ମାମଲା କରିଥିଲେ । ଓଡ଼ିଶା ହାଇକୋର୍ଟ ସେସବୁ ମାମଲାର ଶୁଣାଣୀ କରି ନଭେମ୍ବର ୨୨ରେ ରାଜ୍ୟ ନିର୍ବାଚନ କମିସନଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡି ଥିଲେ । ସରକାର ଅକ୍ଟୋବର ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ଜଣାଇବା ପରେ ଆସନ ସଂରକ୍ଷଣକୁ ନେଇ ବିବାଦର ଅବସାନ ଘଟିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS