ଗୋଟିଏ ପଟେ ଶୀତ ଲହରୀ, ଅନ୍ୟ ପଟେ ‘ଓମିକ୍ରନ୍’ ଚିନ୍ତା !

ପ୍ରସାଦ ରାଓ
ଡ଼ିସେମ୍ବର ୨୨
ଓଡ଼ିଶାରେ ଏବେ ପ୍ରବଳ ଶୀତ ସହ ‘ଓମିକ୍ରନ୍’ ଚିନ୍ତା ବଢିଛି । ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅଧିକାଂଶ ଅଂଚଳରେ ପାରଦ ନିମ୍ନମୁଖୀ ହୋଇ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟବାସୀ ଶୀତରେ ଥରୁ ଥିବା ବେଳେ ଦୁଇ ଜଣ ବିଦେଶ ଫେରନ୍ତା ‘ଓମିକ୍ରନ’ରେ ଆକ୍ରାନ୍ତ ଥିବା ବୁଧବାର ଦିନ ଜଣାପଡିବା ପରେ ରାଜ୍ୟରେ ଏହି ପ୍ରଜାତୀ କୋଭିଡ଼ ଭୂତାଣୁ ବ୍ୟାପିବା ଆଶଙ୍କା ବଢିଛି । ରାଜ୍ୟରେ ପାଗ ଦିନ ବେଳେ ଖରାଟିଆ ରହୁଥିଲେ ମଧ୍ୟ ଅପରାହ୍ନରୁ ପାରଦ ନିମ୍ନମୁଖୀ ହୋଇ ଶୀତ ବଢୁଛି । ରାତିରେ ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ଖସି ଯାଇ ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି । ଆଇଏମଡ଼ିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୧୭ଟି ସ୍ଥାନରେ ପାରଦ ୧୦ଡ଼ିଗ୍ରୀ ସେଲ୍ସିଅସ୍ ପର୍ଯ୍ୟନ୍ତ ଖସିଛି । କନ୍ଧମାଳ ଜିଲ୍ଲାରେ ସର୍ବାଧିକ ଶୀତ ପ୍ରକୋପ ଅନୁଭୂତ ହେଉଛି । ଜିଲ୍ଳାର ଫୁଲବାଣୀ ସହରରେ ପାରଦ ୩.୬ ଡ଼ିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ଖସି ଯାଉଥିବାରୁ ସହରଟି ରାଜ୍ୟର ସର୍ବାଧିକ କୋହଲା ସହରରେ ପରିଣତ ହୋଇଛି । ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଂବାଡି ସହରରେ ତାପମାତ୍ରା ସର୍ବନିମ୍ନ ୪.୫ ଡ଼ିଗ୍ରୀ ସେଲସିଅସ୍ ରହୁଥିବା ବେଳେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୬ ଡ଼ିଗ୍ରୀ, କେନ୍ଦୁଝର ଓ ସୋନପୁର ଜିଲ୍ଲାରେ ୬.୪ ଡ଼ିଗ୍ରୀ, ଟିଟିଲାଗଡ଼ରେ ୬.୫, ଭବାନୀପାଟଣାରେ ୬.୮ ଓ କୋରାପୁଟରେ ୭ ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିକି ରହୁଛି । ସେହିଭଳି, ବୌଦ୍ଧ ଓ ଅନୁଗୁଳରେ ୮ ଡ଼ିଗ୍ରୀ, ହିରାକୁଦରେ ୮.୪, ବଲାଂଗୀରରେ ୮.୫, ସମ୍ବଲପୁରରେ ୮.୬, ନୟାଗଡ଼ ଓ ତାଳଚେରରେ ୯ ଏବଂ ଚାନ୍ଦବାଲିରେ ୯.୭ ଡ଼ିଗ୍ରୀ ରହୁଥିବା ଜଣାପଡିଛି । ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୦.୧ ଓ ୧୦.୬ ଡ଼ିଗ୍ରୀ ସେଲସିଅସ୍ ରହୁଥିବା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୪ରୁ ୫ ଡିଗ୍ରୀ କମ୍ ରହିବ ବୋଲି ଆଇଏମଡ଼ି ଆକଳନ କରାଯାଇଛି । ରାଜ୍ୟର ସାତଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଂଜ, କଳାହାଣ୍ଡି ବଲାଂଗୀର, ସୋନପୁର ଓ ବୌଦ୍ଧରେ ଶୀତ ଲହରୀ ପ୍ରବାହ ହେବା ନେଇ ଆଇଏମଡ଼ି ପକ୍ଷରୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ପାରଦ ଖସି ଶୀତ ପ୍ରକୋପ ବଢୁଥିବା ବେଳେ କୋଭିଡ଼-୧୯ର ନୂଆ ପ୍ରଜାତି ‘ଓମିକ୍ରନ୍’ ଅନ୍ୟତମ ଚିନ୍ତାର କାରଣ ହୋଇଛି । ଗତ ୨୧ ତାରିଖ ଦିନ ରାଜ୍ୟରୁ ୨ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ଦେଶର ୧୩ ତମ ‘ଓମିକ୍ରନ୍’ ସଂକ୍ରମିତ ରାଜ୍ୟ ହୋଇଛି । ଚିହ୍ନଟ ହୋଇଥିବା ୨ ଜଣ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣକ କ୍ୱାତାରରୁ ଫେରିଛନ୍ତି । ବିଶେଷକରି, ବିଦେଶ ଫେରନ୍ତା ‘ଓମିକ୍ରନ୍’ ବାହକ ହୋଇଥିବାରୁ ରାଜ୍ୟ ସରକାର ବିଦେଶରୁ ଫେରୁଥବା ଯାତ୍ରୀଙ୍କ ପ୍ରତି କଡ଼ା ନଜର ରଖିଛନ୍ତି । ‘ଆଟ୍ ରିସ୍କ୍’ ଚିହ୍ନଟ ବିଦେଶୀ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କୁ ଯାଂଚ ବ୍ୟବସ୍ଥା କଡାକଡି କରଯାଇଛି । ଗତକାଲି ସୁଦ୍ଧା ଏସବୁ ଦେଶରୁ ଅନ୍ୟୁନ ୧୬୦୦ ଜଣ ଓଡ଼ିଶା ଫେରି ଥିବା ରାଜ୍ୟ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ୨ ‘ଓମିକ୍ରନ୍’ ଏହି ବିଦେଶ ଫେରନ୍ତାଙ୍କ ମଧ୍ୟରେ ଅଛନ୍ତି । ଏହାଛଡା, ରାଜ୍ୟରେ କୋଭିଡ଼-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଚିନ୍ତାର କାରଣ ହୋଇଛି । ଇତିମଧ୍ୟରେ କେନ୍ଦ୍ର ସରକାର କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଣି ଥରେ କଟକଣା କଡାକଡି ଲାଗୁ କରିବାକୁ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି । ମଂଗଳବାର ସୁଦ୍ଧା ମହାରାଷ୍ଟ୍ରରୁ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୫୪ ଜଣ, ତେଲେଂଗାନାରୁ ୨୦ ଜଣ, କର୍ଣ୍ଣାଟକରୁ ୧୯ ଜଣ, ରାଜସ୍ଥାନରୁ ୧୮ ଜଣ, କେରଳରୁ ୧୫ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS