ଓଡ଼ିଶାରୁ ଆଉ ଦୁଇ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଚାରିକୁ ବୃଦ୍ଧି


ପ୍ରସାଦ ରାଓ
ଡ଼ିସେମ୍ବର ୨୩
ଗୁରୁବାର ଦିନ ଓଡ଼ିଶାରୁ ଆଉ ଦୁଇ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ତିନି ଦିନ ବ୍ୟବଧାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଦୁଇ ଜଣ ବିଦେଶ ଫେରନ୍ତା କୋଭିଡ଼ ପଜେଟିଭ ଥିଲେ । ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସେସ (ଆଇଏଲଏସ୍)ରେ ସେମାନଙ୍କ ନମୂନାର ଜେନମ୍ ସିକ୍ୱେନ୍ସିଂ କରାଯିବା ପରେ ସେମାନେ କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ରେ ଆକ୍ରାନ୍ତ ଥିବା ଜଣାପଡିଛି । ଗୁରୁବାର ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଅପ୍ରାପ୍ତ ବୟସ୍କ । ଜଣକର ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୧୫ ବର୍ଷ । ଦୁହେଁ ମା’ଙ୍କ ସହ ନାଇଜେରିଆରୁ ଖୋର୍ଦ୍ଧା ଫେରି ଥିଲେ । ବିଦେଶରୁ ଫେରିବା ପରେ ରିଜୋନାଲ ମେଡ଼ିକାଲ ରିସର୍ଚ୍ଚ ସେଂଟର (ଆରଏମଆରସି)ରେ ସେମାନଙ୍କ ସ୍ୱାବ୍ ଟେଷ୍ଟ୍ ଆରଟି ପିସିଆର୍ ମାଧ୍ୟମରେ ହୋଇଥିଲା । ଅପ୍ରାପ୍ତ ବୟସ୍କ ଦ୍ୱୟ କୋଭିଡ଼ ପଜେଟିଭ ବାହାରି ଥିବା ବେଳେ ମା’ଙ୍କ ନମୂନା ନେଗେଟିଭ ଥିଲା । ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବା ଦୁଇ ଅପ୍ରାପ୍ତ ବୟସ୍କଙ୍କୁ ସମ୍ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ବୁଧବାର ଦିନ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସେସ (ଆଇଏଲଏସ୍)ରେ ୯ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଦୁଇଟି ‘ଓମିକ୍ରନ୍’ ପଜେଟିଭ ବାହାରିଛି । ଏପର୍ଯ୍ୟନ୍ତ ଆଇଏଲଏସ୍ ରେ ୧୬ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪ଟି ପଜେଟିଭ୍ ରହିଛି । ତେବେ, ଦୁଇ ଜଣ ଅପ୍ରାପ୍ତ ବୟସ୍କ ‘ଓମିକ୍ରନ୍’ରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ହୋଇଛି ବୋଲି ଆଇଏଲଏସ୍ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ, ରାଜ୍ୟ ସରକାର ଜିଲ୍ଲାସ୍ତରରେ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେବା ସହ ଜିଲ୍ଲାସ୍ତରରେ ଦୈନିକ ଅନ୍ୟୁନ ୭୦ ହଜାର ନମୂନା ପରୀକ୍ଷଣ ପାଇଁ ଟାର୍ଗେଟ୍ ଦେଇଥିବା ଜଣାପଡିଛି । ସେଥିରୁ ୪୦ ପ୍ରତିଶତ ନମୂନା ଆରଟି ପିସିଆର ମାଧ୍ୟମରେ ହେବ । ଆଜି ସୁଦ୍ଧା ଓଡ଼ିଶା ସମେତ ୧୬ଟି ରାଜ୍ୟରୁ ୨୩୮ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି । ମହାରାଷ୍ଟ୍ରରୁ ସର୍ବାଧିକ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାର ୧୭ଟି ଜିଲ୍ଲାରୁ ମୋଟ ୧୫୫ ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ରାଜ୍ୟରେ ମୋଟ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୫୦୩ ଓ କୋଭିଡ଼ ମୃତ୍ୟୁ ସଂଖ୍ୟା ୮୪୪୮ରେ ପହଂଚିଛି । ଚିହ୍ନଟ ହୋଇଥିବା ନୂଆ କେସ୍ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ଟି ଚିହ୍ନଟ ହୋଇଥିବା ଜଣାପଡିଛି । ସମ୍ବଲପୁର ଜିଲ୍ଲାରୁ ୧୦ ଜଣ ଓ କଟକ ଜିଲ୍ଲାରୁ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରୀୟ କୋଭିଡ଼ କେସ୍ ସଂଖ୍ୟା ୧୭୮୪ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS