ଲୁଧିଆନା କୋର୍ଟ କଂପ୍ଲେକ୍ସରେ ବିସ୍ଫୋରଣ, ଜଣେ ମୃତ


ପ୍ରସାଦ ରାଓ
ଡ଼ିସେମ୍ବର ୨୩
ଆଜି ଅପରାହ୍ନରେ ପଂଜାବର ଲୁଧିଆନା ଜିଲ୍ଳା କୋର୍ଟ କଂପ୍ଲେକ୍ସରେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । କୋର୍ଟର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଦିନ ୧୨ଟା ୨୨ ମିନିଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ସ୍ଥଳରୁ ଗୋଟିଏ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତ ଜଣକ ନିଜେ ବସ୍ଫୋରକ ବାହକ ଥିଲେ କିମ୍ବା ବିସ୍ଫୋରଣ ସ୍ଥଳର ଅତି ନିକଟରେ ଥିଲେ ବୋଲି ଲୁଧିଆନା ପୁଲିସ ମୁଖ୍ୟ ଗୁରୁପ୍ରିତ ସିଂହ ଭୁଲର କହିଛନ୍ତି । ଏହି ବିସ୍ଫାରଣ ଘଟଣା ଅଦାଲତ ପରିସରଗୁଡିକ କେତେ ଅସୁରକ୍ଷିତ ରହିଛି ତାହା ପ୍ରତିପାଦିତ କରୁଛି । କୋର୍ଟ ପରିସର ଲୁଧିଆନାର କେନ୍ଦ୍ର ସ୍ଥଳରେ ପୁଲିସ ଡ଼ିସିପିଙ୍କ କାର୍ଯ୍ୟାଳୟ ନିକଟରେ ରହିଛି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ କୋର୍ଟ କୋଠାର ଦ୍ୱିତୀୟ ମହଲାରେ ବିସ୍ଫୋରକ କେମିତି ପହଂଚିଲା ତାହା ଉପରେ ତଦନ୍ତ ଚାଲିଥିବା ଜଣାପଡିଛି । ଆହତ ୪ ଜଣ ସଂକଟମୁକ୍ତ ଥିବା ପୁଲିସ କହିଛନ୍ତି । ଦିଲ୍ଲୀରୁ ଏନଏସଜି ଓ ଏନଆଇଏ ଟିମ୍ ପହଂଚିବା ପରେ ତଦନ୍ତ ଅଧିକ ବ୍ୟାପକ ହେବ ବୋଲି କୁହାଯାଇଛି । ୨୦୨୨ ପ୍ରାରମ୍ଭରେ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ସକାଶେ ଏହି ବିସ୍ଫାରଣ ହୋଇଥିବା ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଅଭିଯୋଗ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟାହତ କରିବା ପାଇଁ ଯେ କେହି ଉଦ୍ୟମ କରୁ ଥାଆନ୍ତୁ ନା କାହିଁକି କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ପଂଜାବରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରି ଥିବା ବେଳେ ଏଭଳି ବିସ୍ଫୋରଣ ହେବା ନିନ୍ଦନୀୟ ବୋଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ପଂଜାବ ପୁଲିସ ଘଟଣାର ସୁକ୍ଷ୍ମାତିସୁକ୍ଷ୍ମ ତଦନ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଜିଲ୍ଲା କୋର୍ଟ କଂପ୍ଲେକ୍ସରେ ଆଜି ଅପରାହ୍ନରେ ଘଟି ଥିବା ବିସ୍ଫୋରଣରେ କୋର୍ଟ କୋଠା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୨୦୧୭ ବିଧାନସଭା ନିର୍ବାଚନ ବେଳେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ପ୍ରଚାର ସ୍ଥଳ ନିକଟରେ ଏଭଳି ବିସ୍ଫାରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ପଂଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଓ ଅସାମାଜିକ ତତ୍ତ୍ୱଙ୍କ ଆଡୁ ସର୍ବଦା ବିପଦ ରହିଛି । ତେଣୁ, ରାଜ୍ୟରେ ୨୫ କଂପାନୀ ସିଏଏସଏଫ (କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ) ମୁତୟନ କରାଯିବାକୁ ଏବଂ ସୀମା ସୁରକ୍ଷା ବାହିନୀ (ବିଏସଏଫ)କୁ ନିଜର ପ୍ରତିରକ୍ଷା ପାଇଁ ଆଂଟି ଡ୍ରୋନ୍ ଗେଜେଟ୍ ଯୋଗାଇ ଦିଆଯିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଂହ କ୍ଷମତାରୁ ଯିବା ପୂର୍ବରୁ କେନ୍ଦ୍ର ସରକାରକୁ ଅନୁରୋଧ କରିଥିଲେ । ଆଜର ବିସ୍ଫୋରଣ ପଛରେ କେଉଁମାନଙ୍କ ହାତ ରହିଛି ତାହା ଏନଆଇଏ ତଦନ୍ତରୁ ସ୍ପଷ୍ଟ ହେବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS