‘ଗଂଜାମ ବାଘ’ ଆଉ ନାହାନ୍ତି


ପ୍ରସାଦ ରାଓ
ଡ଼ିସେମ୍ବର ୨୪
ଏକଦା ଓଡ଼ିଶା ରାଜନୀତିରେ ‘ଗଂଜାମ ଟାଇଗର୍’ ବା ‘ଗଂଜାମ ବାଘ’ ଭାବେ ପରିଚିତି ଲାଭ କରିଥିବା ଗଂଜାମ ଜିଲ୍ଲାର ବରିଷ୍ଠ ରାଜନେତା ରାମକୃଷ୍ଟ ପଟ୍ଟନାୟକ ଆଉ ନାହାନ୍ତି । ଆଜି ସକାଳେ ୮୧ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗଂଜାମ ଜିଲ୍ଲାର କୋଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ଛଅ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଉଭୟ ବିଜୁ ପଟ୍ଟାନୟକ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥ, ଗ୍ରାମ୍ୟ ଉନ୍ନୟନ ଓ କୃଷି ମନ୍ତ୍ରଣାଳୟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ସଂପାଦନ କରିଥିଲେ । ୨୦୦୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟରୁ ହଟାଇ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ଦେବା ପରେ ପଟ୍ଟନାୟକ ଏହାକୁ ପଦ ଅବନତି ବୋଲି ବିଚାର କରି ବିଦ୍ରୋହ ଘୋଷଣା କରିବା ସହ ଦଳତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିଲେ । ପରେ, ୨୦୧୪ ମାର୍ଚ୍ଚରେ ପଟ୍ଟନାୟକ,ତ୍ତପତ୍ନୀ ପୂର୍ବତନ ଆସିକା ସାଂସଦ କୁମୁଦିନୀ ପଟ୍ଟନାୟକ ଓ ଝିଅ ଅନିତାଙ୍କ ସହ ବିଜେପିରେ ଯୋଗ ଦେଇ ଧୀରେ ଧୀରେ ଗୁରୁତ୍ୱହୀନ ହୋଇପଡିବା ପରେ ରାଜନୈତିକ ସନ୍ୟାସ ନେଇଥିଲେ । ରାମକୃଷ୍ଟ ପଟ୍ଟନାୟକ ଗଂଜାମ ଜିଲ୍ଲାର ଏକମାତ୍ର ନେତା ଥିଲେ ଯାହା ନାମ ଶୁଣିଲେ ଓଡ଼ିଶା ରାଜନୀତିରେ ହୃତକଂପ ସୃଷ୍ଟି ହେଉଥିଲା । ଅଶି ଦଶକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ରାମକୃଷ୍ଣଙ୍କ ପାରିବାରିକ ସଂପର୍କ ଥିଲେ ମଧ୍ୟ ଜାନକୀ ବାବୁଙ୍କ ଗଂଜାମ ଜିଲ୍ଲା ଗସ୍ତ ସମୟରେ ମୁଣ୍ଡରେ ଠେକା ବାନ୍ଧି କାନ୍ଧ ଉଚ୍ଚର ଲାଠିଟିଏ ଧରି ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଅବିସ୍ମରଣୀୟ । ବିରୋଧୀ ରାଜନୀତିରେ ଥିଲେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ପାଇଁ ସେ ଜାନକୀ ବାବୁ ଓ ତତ୍କାଳୀନ କଂଗ୍ରେସ ସରକାର ସହ ବେଶ୍ ନିବିଡ଼ ସଂପର୍କରେ ଥିଲେ ଏବଂ ଯେତେବେଳେ ଯେଉଁ କାମ ଆବଶ୍ୟକ କରାଇ ନେଉ ଥିଲେ । ଗଂଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାମକୃଷ୍ଣଙ୍କ ବେଶ୍ ରାଜନୈତିକ ପତିଆରା ଥିଲା । ୧୯୯୮ ଫେବୃୟାରୀ ୨୨ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ରହି ଥିଲେ । ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଜନତା ଦଳ ସରକାର ପ୍ରତିଷ୍ଠା ହେବା ପରେ ରାମକୃଷ୍ଣ ପଟ୍ଟନାୟକ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟର ଅର୍ଥ ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଆସିକା ସାଂସଦ ଥିବା ଅବସ୍ଥାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଘଟିବାରୁ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ସେହି ସ୍ଥାନ ପୂରଣ କରିବା ପାଇଁ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ଓ ଆସିକା ଲୋକସଭା ଆସନରୁ ଉପ ନିର୍ବାଚନ ଲଢି ଥିଲେ । ସେହି ସମୟରେ ‘ଗଂଜାମ ଟାଇଗର’ ରାମକୃଷ୍ଣ ପଟ୍ଟନାୟକ ନବୀନ ବାବୁଙ୍କ ରାଜନୈତିକ ମାର୍ଗଦର୍ଶକ ହୋଇ ନିର୍ବାଚନ ଜିତିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ନବୀନଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡ଼ି) ଗଠନରେ ମଧ୍ୟ ରାମକୃଷ୍ଣ ବାବୁଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏକଦା ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଟ ଭାବେ ପରିଚିତ ବିରିଷ୍ଠ ନେତା ଅଶୋକ ଦାଶଙ୍କ ସମତେ ଅନ୍ୟ କିଛି ନେତା ବିଜେଡ଼ି ଗଠନକୁ ବିରୋଧ କରିଥିଲେ ମଧ୍ୟ ରାମକୃଷ୍ଣ ବାବୁ ନବୀନଙ୍କ ସହ ରହି କାମ କରିଥିଲେ । ୨୦୦୦ମସିହାରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡ଼ି ସରକାର ପ୍ରତିଷ୍ଠା ହେବା ପରେ ରାମକୃଷ୍ଣ ବାବୁ ଅର୍ଥ, କୃଷି ଏବଂ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ତାଙ୍କ ପତ୍ନୀ କୁମୁଦିନୀ ପଟ୍ଟନାୟକଙ୍କୁ ନବୀନ ଆସିକାରୁ ସାଂସଦ କରିଥିଲେ । ତେବେ, ନବୀନ ବାବୁ ରାମକୃଷ୍ଣଙ୍କୁ ଅର୍ଥ ମନ୍ତ୍ରଣାଳୟରୁ ହଟାଇ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ଦେବା ପରେ ନବୀନଙ୍କ ସହ ତାଙ୍କ ସଂପର୍କ ତୀକ୍ତ ହୋଇଥିଲା । ଏହା ପଛରେ ତାଙ୍କ ରାଜନୈତିକ ବିରୋଧୀଙ୍କ ଚାଲ୍ ଥିବା ଅନୁମାନ କରି ସେ ନବୀନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ସହ ୨୦୦୨ରେ ଦଳ ତ୍ୟାଗ କରି ପ୍ରଥମେ କଂଗ୍ରେସ ଓ ପରେ ବିଜେପିରେ ସାମିଲ ହୋଇଥିଲେ । ୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟ ମନ୍ତ୍ରୀ ପରିଷଦରେ ମୁଖ୍ୟମନ୍ତ୍ରୀଙ୍କ ପରେ ଦ୍ୱତୀୟ ସ୍ଥାନରେ ରହିବା ପାଇଁ ରାମକୃଷ୍ଣ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ମଧ୍ୟ ସର୍ବଦା ଛାୟାଯୁଦ୍ଧ ଦେଖିବାକୁ ମିଳିଥିଲା । ସେହିପରି, ଗଂଜାମ ରାଜନୀତିରେ ରାମକୃଷ୍ଣଙ୍କ ସର୍ବଦା ପ୍ରାଧାନ୍ୟ ଥିଲେ ମଧ୍ୟ ଜିଲ୍ଲାର ଅନ୍ୟ ଦୁଇ ବରିଷ୍ଠ ନେତା ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ଓ ବ୍ରହ୍ମପୁର ଭିତ୍ତିକ ନେତା ସୂର୍ଯ୍ୟ ନାରାୟଣ ପାତ୍ର (ବର୍ତ୍ତମାନର ରାଜ୍ୟ ବିଧାନସଭା ବାଚସ୍ପତି)ଙ୍କ ସହ ତାଙ୍କର ରାଜନୈତିକ ଦ୍ୱନ୍ଦ୍ୱ ରହି ଆସି ଥିଲା । ତେବେ, ରାମକୃଷ୍ଣ ନିର୍ଭୟରେ ଉଭୟ ଜିଲ୍ଲା ଓ ରାଜ୍ୟ ରାଜନୀତିରେ ନିଜର ପ୍ରାଧାନ୍ୟ ବଜାୟ ରଖି ‘ଗଂଜାମ ବାଘ’ର ଉପନାମ ପାଇଥିଲେ । ଆଜି ରାମକୃଷ୍ଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାମକୃଷ୍ଣ ବାବୁ ଗଲା କିଛି ବର୍ଷ ହେଲା ରାଜନୀତିରେ ଥାଇ ମଧ୍ୟ ନିଷ୍କ୍ରିୟ ଥିଲେ । ତେଣୁ, ତାଙ୍କ ବିୟୋଗରେ ଗଂଜାମ ରାଜନୀତି ବିଶେଷ ପ୍ରଭାବିତ ହେବାର ନାହିଁ । କିନ୍ତୁ, ରାମକୃଷ୍ଣଙ୍କ ବିୟୋଗରେ ଜିଲ୍ଲାବାସୀ ଜଣେ ନିର୍ଭୀକ ଓ ଦମଦାର୍ ନେତାଙ୍କୁ ହରାଇଲେ, ଏହା କହିବା ଅତ୍ୟୁକ୍ତି ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS