ୟୁପି ବିଧାନସଭା ନିର୍ବାଚନ ଘୁଂଚିବ ?


ପ୍ରସାଦ ରାଓ
ଡ଼ିସେମ୍ବର ୨୪
ଦେଶରେ ପୁଣି ଥରେ କୋଭିଡ଼ -୧୯ ସଂକ୍ରମଣ, ବିଶେଷକରି କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ର ସଂକ୍ରମଣ ଦୃତ ଗତିରେ ବଢୁଥିବାରୁ ୨୦୨୨ ଫେବୃୟାରୀ ଆଡକୁ ହେବାକୁ ଥିବା ୟୁପି ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ସଂଶୟ ପ୍ରକାଶ ପାଇଲାଣି । ନିର୍ବାଚନ କମିସନ୍ ଆଜି ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି । ତଥାପି, ୟୁପି, ପଂଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ରାଜେନ÷ତିକ ବାତାବରଣ ସରଗରମ ରହିଛି । ବର୍ତ୍ତମାନ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଓ ଜନସମାବେଶ ଯେଭଳି ଭାବେ ଆୟୋଜନ ହେଉଛି ତାହାକୁ ଅଦାଲତଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଆଲହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଗତକାଲି ଏକ ଜାମିନ ଆବେଦନର ଶୁଣାଣୀ ସମୟରେ ସାଂପ୍ରତିକ କୋଭିଡ଼ ପରିସ୍ଥିତିକୁ ନେଇ ‘ଜାନ ହେ ତୋ ଜାହାନ ହେ’ ବୋଲି ମନ୍ତବ୍ୟ ରଖିବା ସହ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତତଃ ୟୁପି ନିର୍ବାଚନ ମାସେ, ଦୁଇ ମାସ ଘୁଂଚାଇବାକୁ ଅନୁରୋଧ କରିଥିବା ଜଣାପଡିଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କୋଭିଡ଼ ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଏବଂ ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆଲହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯାଦବଙ୍କ ଗତକାଲିର ମନ୍ତବ୍ୟ ଥିଲା, ଯଦି ଜୀବନ ରହିବ ନିର୍ବାଚନ ସଭା ଓ ସମାବେଶ ପରେ ମଧ୍ୟ ହୋଇ ପାରିବ । ତେଣୁ, ନିର୍ବାଚନ କମିସନ୍ ଓ ପ୍ରଧାନମନ୍ତ୍ରୀ ଅନ୍ତତଃ ୟୁପି ବିଧାନସଭା ନିର୍ବାଚନକୁ ମାସେ, ଦୁଇ ମାସ ଘୁଂଚାଇବାକୁ ବିଚାର କରିବା ଆବଶ୍ୟକ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡୁ କୌଣସି ପ୍ରତିକ୍ରିୟା ଆସି ନଥିଲେ ମଧ୍ୟ ଦେଶର ମୁଖ୍ୟ ନିର୍ବାଚନ କମିସନର ସୁଶିଲ ଚନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିଛି । ଆସନ୍ତା ସପ୍ତାହରେ ନିର୍ବାଚନ କମିସନ (ଇସି) ଅଧିକାରୀମାନେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କୁ ଗସ୍ତ କରି ସେଠାକର ପରିସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ରିପୋର୍ଟ ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସିଇସି କହିଛନ୍ତି । ଆଲହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯାଦବ ଭାରତୀୟ ନିର୍ବାଚନ ଆୟୋଗ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ବାଚନ ହେବାକୁ ଥିବା ରାଜ୍ୟ, ବିଶେଷକରି ୟୁପିରେ ଚାଲି ଥିବା ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ରାଲି ଓ ସାଧାରଣ ସଭା ଉପରେ ତୁରନ୍ତ ନିଷିଦ୍ଧ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ରାଜନୈତିକ ସଭା, ସମାବେଶ ତୁରନ୍ତ ବନ୍ଦ ନହେଲେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହାର ପରିଣତି କୋଭିଡ଼ର ଦ୍ୱିତୀୟ ଦଫାଠାରୁ ଅଧିକ ଖରାପ ହେବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି । ଇତିମଧ୍ୟରେ ଦେଶରେ କୋଭିଡ଼ର ନଆ ପ୍ରଜାତି ‘ଓମିକ୍ରନ୍’ ଦ୍ୱାରା ଆକ୍ରାନ୍ତ ସଂଖ୍ୟା ୩୦୦ରୁ ଅଧିକ ରହିଛି । କୋଭିଡ଼ର ‘ଡ଼େଲଟା’ ପ୍ରଜାତି ଠାରୁ ତିନି ଗୁଣ ଅଧିକ ବେଗରେ ନୂଆ ପ୍ରଜାତି ‘ଓମିକ୍ରନ୍’ ବ୍ୟାପୁଛି । ତେଣୁ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏଥିପ୍ରତି ସତର୍କ ରହିବାକୁ ଓ କୋଭିଡ଼-୧୯ ନିର୍ଦେଶାବଳୀ କଡାକଡି ଭାବରେ ପାଳନ ହେବା ଦିଗରେ ଧ୍ୟାନ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଂଗଳବାର ଦିନ ଚେତାବନୀ ଦେଇଛନ୍ତି । ଏହାସତ୍ତ୍ୱେ, ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ୟୁପିରେ ଆସନ୍ତା ଫେବୃୟାରୀ ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଶାସକ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳର ଜନସମାବେଶ ଓ ସାଧାରଣ ସଭା ଲଗାତର ଭାବେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀରେ ଗୁରୁବାର ଦିନ ୨,୦୯୫ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ବିରାଟ ଜନସଭାରେ ଭାଷଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ୟୁପିରେ ଶାସକ ବିଜେପିର ମଂଗ ଧରି ଥିବା ବେଳେ କଂଗ୍ରେସର ସର୍ବ ଭାରତୀୟ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଜବାଦୀ ପାର୍ଟିର, ସୁଶ୍ରୀ ମାୟାବତୀ ବିଏସପିର ମଂଗ ଧରିଛନ୍ତି । ଏହାଛଡା, ଅନ୍ୟ ଆଂଚଳିକ ଦଳ ଓ ଜାତୀୟ ଦଳ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ପାଦ ଥାପିବା ପାଇଁ ଜୋରଦାର ପ୍ରଚାର ଅଭିଯାନରେ ମାତିଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ତାଙ୍କ ପତ୍ନୀ କୋଭିଡ଼ ଆକ୍ରାନ୍ତ ଥିବା ଜାଣିବା ପରେ ଗତକାଲିଠାରୁ ତିନି ଦିନ ପାଇଁ ନିଜକୁ ସଂଗରୋଧରେ ରଖିବା ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିଜ ଦଳର ନେତା, କର୍ମୀ ଓ ଜନସାଧାରଣଙ୍କ ସହ ସଂପର୍କ ରଖିଥିବା ସୂଚନା ମିଳିଛି । କୋଭିଡ଼ ଏବେ ରାଜନେତାଙ୍କୁ ଶିକାର କରିବା ଆରମ୍ଭ କରିଥିବା ବେଳେ ଆଲହାବାଦ ହାଇକାର୍ଟ ବିଚାରପତି ଜଷ୍ଟିସ ଯାଦବଙ୍କ ଆହ୍ୱାନ ବେଶ୍ ଗୁରୁତ୍ୱ ରଖୁଛି । ତେବେ, ନିର୍ବାଚନରେ ଲଗାତର ଦ୍ୱିତୀୟ ବିଜୟ ପାଇଁ ସମସ୍ତ ଶକ୍ତି ଖଟାଇ ଥିବା ଶାସକ ବିଜେପି ଏହି ଆହ୍ୱାନକୁ କେତେଦୂର ଗ୍ରହଣ କରୁଛି ତାହା ଦେଖିବା ସମୟ ଆସିଛି । ଯଦି ନିର୍ବାଚନ ଘୁଂଚୁନି ରାଜନୈତିକ ଦଳମାନେ ଭର୍ଚୁଆଲ ମାଧ୍ୟମରେ ସଭା, ସମାବେଶ କରିବାକୁ ଏବଂ ଛାପା, ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନମାନ ଦେଇ ପ୍ରଚାର ଅଭିଯାନ ଜାରି ରଖିବାକୁ ରାଜନୈତିକ ଦଳଙ୍କୁ ଅଦାଲତ ବିକଳ୍ପ ଦେଇଛନ୍ତି । ତେବେ, ସବୁ କିଛି ନିର୍ଭର କରୁଛି ଭାରତୀୟ ନିର୍ବାଚନ କମିସନ୍ ଉପରେ । କମିସନ୍ ନାର୍ବାଚନକୁ ଘୁଂଚାଇବେ ନା ଦ୍ୱତୀୟ ବିକଳ୍ପକୁ ଗ୍ରହଣ କରି ନେବାକୁ ରାଜନୈତିକ ଦଳଙ୍କୁ ବାଧ୍ୟ କରିବେ (?), ତାହା ଚଳିତ ମାସ ଶେଷ ଆଡକୁ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS