ପଂଚାୟତ ଆଇନରେ ସଂଶୋଧନ, ମିଥ୍ୟା ତଥ୍ୟ ଦେଲେ ଛଅ ମାସ ପର୍ଯ୍ୟନ୍ତ ଜେଲ୍


ଭୁବନେଶ୍ୱର
ଡ଼ିସେମ୍ବର ୨୫
ରାଜ୍ୟରେ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ଗ୍ରାମ ପଂଚାୟତ ଆଇନରେ ସଂଶୋଧନ କରାଯାଇ ଅଧ୍ୟାଦେଶ ଜାରି ହୋଇଛି । ଶୁକ୍ରବାର ଦିନ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ତାହା ପ୍ରକାଶ ପାଇଛି । ରାଜ୍ୟ ସରକାର ଓଡ଼ିଶା ଗ୍ରାମ ପଂଚାୟତ ଆଇନ, ୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ, ୧୯୫୯ ଓ ଓଡ଼ିଶା ଜିଲ୍ଳା ପରିଷଦ ଆଇନ, ୧୯୯୧ରେ ସଂଶୋଧନ କରି ‘ଓଡ଼ିଶା ପଂଚାୟତ ଆଇନ (ସଂଶୋଧନ) ଅଧ୍ୟାଦେଶ, ୨୦୨୧’ ଅଧ୍ୟାଦେଶ ଜାରି କରିଛନ୍ତି । ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଜାରି ହୋଇଥିବା ଗେଜେଟ ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ପଂଚାୟତ ନିର୍ବାଚନରୁ ଏହି ସଂଶୋଧିତ ଆଇନ ଲାଗୁ ହେବ । ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ଏକ ଆଫିଡେଭିଟ୍ ମାଧ୍ୟମରେ ସେମାନଙ୍କ ବିରୋଧରେ କୌଣସି ଆପରାଧୀକ ମାମଲା ରହିଛି କି ନାହିଁ, ସଂପତ୍ତି ତାଲିକା ଏବଂ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ବିବରଣୀ ବିସ୍ତୃତ ଭାବେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରାର୍ଥୀ ନିଜେ ବା ତାଙ୍କ ପ୍ରସ୍ତାବକଙ୍କ ଜରିଆରେ ଦାଖଲ କରିଥିବା ଆଫିଡେଭିଟରେ କୌଣସି ତଥ୍ୟ ଲୁଚା ଯାଇଛି ବା ମିଥ୍ୟା ତଥ୍ୟ ଦିଆଯାଇଛି ବୋଲି ପରବର୍ତ୍ତୀ ସମୟରେ ଜଣାପଡିଲେ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା କରାଯିବ । ସଂଶୋଧିତ ଆଇନରେ ଏହି ଅପରାଧ ପାଇଁ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ବା ଜରିମାନା କିମ୍ବା ଉଭୟ ଜେଲ ଓ ଜରିମାନା ଦଣ୍ଡର ପ୍ରାବଧାନ ରହିଛି । ଅପରପକ୍ଷରେ, ସଂଶୋଧିତ ଓଡ଼ିଶା ଗ୍ରାମ ପଂଚାୟତ ଆଇନ, ୨୦୨୧ରେ ପଂଚାୟତ ପ୍ରତିନିଧିଙ୍କ ଦାୟିତ୍ୱ ଓ କ୍ଷମତା ବୃଦ୍ଧି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମୟରେ ସେମାନଙ୍କୁ ରିଲିଫ, ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସଂଶୋଧିତ ଆଇନରେ ବ୍ୟବସ୍ଥା ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS