ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୪୧୫ ହେଲାଣି, ସର୍ବାଗ୍ରେ ରହିଛି ମହାରାଷ୍ଟ୍ର


ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୨୫
କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ପୂର୍ବ ପ୍ରଜାତିଙ୍କ ତୁଳନାରେ ବହୁଗୁଣ ଅଧିକ ବେଗରେ ବ୍ୟାପୁଥିଲେ ମଧ୍ୟ ‘ଡ଼େଲଟା’ ପ୍ରଜାତି ଭଳି ମାରାତ୍ମକ ନୁହେଁ ବୋଲି ସରକାରୀ ପ୍ରଚାର ଲୋକଙ୍କୁ ଅଧିକ ବେପରୁଆ କରିଦେଇଛି । ଦେଶରେ କୋଭିଡ଼ର ତୃତୀୟ ଲହର ଆସନ୍ତା ଫେବୃୟାରୀ ମଧ୍ୟ ଭାଗରେ ଶୀଖରରେ ପହଂଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିବା ସତ୍ତ୍ୱେ କୋଭିଡ଼ ମାର୍ଗଦର୍ଶିକାକୁ ଅଧିକାଂଶ ମାନୁ ନଥିବା ଏବଂ ମୁହଁକୁ ମାସ୍କରେ ଆବୃତ୍ତ ନକରି ବେଧଡକ ରାସ୍ତାଘାଟ ଓ ବଜାରରେ ବୁଲୁଥିବା ଦୃଶ୍ୟ ଚିନ୍ତାର କାରଣ ହୋଇଛି । ଆଜି ସକାଳ ସୁଦ୍ଧା ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ସଂଖ୍ୟାରେ ମହାରାଷ୍ଟ୍ର ସର୍ବାଗ୍ରେ ଥିବା ସମୟରେ ଦିଲ୍ଲୀ ଦ୍ୱତୀୟ ସ୍ଥାନରେ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଆଜି ସକାଳ ସୁଦ୍ଧା ମହାରାଷ୍ଟ୍ରରେ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବା ବେଳେ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୭୯, ଗୁଜରାଟରେ ୪୩, ତେଲେଂଗାନାରେ ୩୮ ଓ କେରଳରେ ୩୭ ରହିଛି । ତାମିଲନାଡ଼ୁ କେରଳ ପଛକୁ ରହିଛି । ରାଜ୍ୟରୁ ୩୪ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି । ଶୁକ୍ରବାର ସୁଦ୍ଧା ଦେଶର ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୩୫୮ ଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଥିଲା । ୧୮୩ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ କେସ୍ ସମୀକ୍ଷା କରାଯିବାରୁ ସେଥିରୁ ୯୧ ଜଣ ସଂପୂର୍ଣ୍ଣ ଟିକାକୃତ ହୋଇଥିବା, ୩ ଜଣ ବୁଷ୍ଟର ଡୋଜ୍ ମଧ୍ୟ ନେଇଥିବା ଜଣାପଡିଛି । ୭୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବାରୁ ଦେଶରେ କୋଭିଡ଼ କଟକଣା ଫେରିଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଭୋଭିଡ଼ କଟକଣାକୁ ପୁଣି ଥରେ କଡ଼ାକଡି କରିଛନ୍ତି । ଓଡ଼ିଶାରେ ରାତ୍ର ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଜାରି ଥିବା ବେଳେ ମହାରାଷ୍ଟ୍ରରେ ରାତି ୯ରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇ ପାଂଚ ଜଣରୁ ଅଧିକ ଗୋଟିଏ ସ୍ଥାନରେ ଏକାଠି ନ ହେବାକୁ କୁହାଯାଇଛି । ମଧ୍ୟ ପ୍ରଦେଶରେ ରାତି ୧୧ରୁ ସକାଳ ୫ଟା ଯାଏଁ ରାତ୍ରୀ କର୍ଫ୍ୟୁ ଜାରି ହୋଇଛି । ଆଜି ଖ୍ରୀଷ୍ଟମାସ୍ ଅବସରରେ ବିଭିନ୍ନ ରାଜ୍ୟ ଉତ୍ସବ ପାଳନ ଉପରେ କଟକଣା ଜାରି କରିଥିବାରୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବଡ଼ଦିନ ଉତ୍ସବ ପାଣିଚିଆ ହୋଇଯାଇଛି । ହରିୟାନା ଓ ଦିଲ୍ଲୀରେ ମଧ୍ୟ କଟକଣା ମଧ୍ୟରେ ଖ୍ରୀଷ୍ଟମାସ୍ ପାଳନ ହେଉଛି । ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭,୧୮୯ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଏଯାବତ୍ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୭ ଲକ୍ଷ ୭୯ ହଜାର ୮୧୫କୁ ବୃଦ୍ଧି ପାଇଛି । ତେବେ, ସକ୍ରିୟ ରୋଗୀ ସଂଖ୍ୟା ୭୭ ହଜାର ୦୩୨କୁ କମିଛି । ଗତ ୨୪ ଘଂଟାରେ ୩୮୭ ଜଣଙ୍କ କୋଭିଡ଼ରେ ମୃତ୍ୟୁ ଘଟି ଥିବାରୁ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୯ ହଜାର ୫୨୦କୁ ବୃଦ୍ଧି ପାଇଛି । ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉ ଥିବାରୁ ଏବଂ ଫେବୃୟାରୀ ମଧ୍ୟଭାଗ ସୁଦ୍ଧା ‘ଓମିକ୍ରନ୍’ ସଂକ୍ରମଣ ଶୀର୍ଷରେ ପହଂଚିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ଦୁଇ ଡୋଜ୍ ଟିକା ନେଇଥିବା ସଂବେଦନଶୀଳ ବର୍ଗଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଏବଂ ୧୮ ବର୍ଷରୁ କମ୍ ବୟସ ବର୍ଗଙ୍କୁ ଟିକାକରଣ କାର୍ଯ୍ୟ ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି । ଆଇଏମଏ (ଇଂଡ଼ିଆନ ମେଡ଼ିକାଲ ଆସୋସିଏସନ୍) ମଧ୍ୟ ଡ଼ାକ୍ତର ଓ ଆଗ ଧାଡିର ସ୍ୱାସ୍ଥ୍ୟ କର୍ମୀ ଏବଂ ଏକାଧୀକ ରୋଗରେ ଆକ୍ରାନ୍ତ ବୟସ୍କ ବର୍ଗଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବା ସପକ୍ଷରେ ମତ ଦେଇଛି । ତେବେ, ବୁଷ୍ଟର ଡ଼ୋଜ୍ ନେଇ କେନ୍ଦ୍ର ସରକାରଙ୍କ ଆଡୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନଥିବାରୁ ଅଚାନକ ରୋଗୀ ସଂଖ୍ୟା ବଢି କୋଭିଡ଼ର ଦ୍ୱିତୀୟ ଲହର ଭଳି ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଆଶଙ୍କା ପ୍ରକାଶ ପାଉଛି । ‘ଓମିକ୍ରନ୍’ କୋଭିଡ଼ର ‘ଡ଼େଲଟା’ ପ୍ରଜାତି ଭଳି ସାଘାତିକ ପରିସ୍ଥିତି ସୃଷ୍ଟି କରିବ ନାହିଁ, ସଂକ୍ରମଣ ବହୁ ଗୁଣ ଅଧିକ ରହିଲେ ମଧ୍ୟ ଡ଼ାକ୍ତରଖାନାରେ ହାଉଜାଉ ପରିସ୍ଥିତି ଦେଖିବାକୁ ମିଳିବ ନାହିଁ ବୋଲି ସରକାର କହୁଥିଲେ ମଧ୍ୟ ଏହି ପ୍ରଜାତି ସାଂଘାତିକ ପରିସ୍ଥିତି ସଅଷ୍ଟି କରିବ ନାହିଁ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରାମାଣିକ ତଥ୍ୟ ମିଳି ନାହିଁ ବୋଲି ବିଦେଶୀ ଗବେଷକମାନେ କହିଲେଣି । ତେଣୁ, ସରକାର ଏବେଠାରୁ ଚେତିବା ଆବଶ୍ୟକ । ନହେଲେ, କୌଣସି ରାତ୍ରୀ କର୍ଫ୍ୟୁ ବା କଟକଣା ‘ଓମିକ୍ରନ୍’କୁ ରୋକି ପାରିବ ନାହିଁ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS