ୟୁପି ନିର୍ବାଚନକୁ ନେଇ ନିଷ୍ପତ୍ତି ଡ଼ିସେମ୍ବର ୩୦ ପରେ !

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୨୫
୨୦୨୨ ଫେବୃୟାରୀ-ମାର୍ଚ୍ଚରେ ୟୁପି ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ ଆୟୁକ୍ତ ଡିÿସେମ୍ବର ୩୦ ପରେ ଯାହା କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଜି ସୂଚନା ମିଳିଛି । ଦେଶରେ କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ୨୦୨୨ ଫେବୃୟାରୀ ମଧ୍ୟଭାଗରେ କୋଭିଡ଼ର ତୃତୀୟ ଲହର ଶୀର୍ଷ ଛୁଇଁ ପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କଲେଣି । ଇତିମଧ୍ୟରେ, ଆଲହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଗୁରୁବାର ଦିନ ଏକ ଜାମିନ ଆବେଦନର ଶୁଣାଣୀ ସମୟରେ ଦେଶରେ ‘ଓମିକ୍ରନ୍’ର ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦ୍ବେଗ ପ୍ରକାଶ କରିବା ସହ ୟୁପି ନିର୍ବାଚନ ଘୁଂଚାଇବାକୁ ଭାରତୀୟ ନିର୍ବାଚନ ଆୟୁକ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି । ‘ଜାନ ହେ ତୋ ଜାହାନ ହେ’ ବୋଲି ଜଷ୍ଟିସ ଯାଦବଙ୍କ ମନ୍ତବ୍ୟ ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ସତର୍କ କରାଇ ଦେଲା ଭଳି ହୋଇଛି । ଏଭଳି ପରିସ୍ଥିତିରେ ୟୁପି ସମେତ ୫ଟି ରାଜ୍ୟରେ ଫେବୃୟାରୀ-ମାର୍ଚ୍ଚରେ ନିର୍ବାଚନ ହେଲେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରି ଜଷ୍ଟିସ ଯାଦବଙ୍କ ମନ୍ତବ୍ୟ ବିଧାନସଭା ନିର୍ବାଚନ ଘୁଂଚିବାର ସମ୍ଭାବନା ବଢାଇ ଦେଇଛି । ଜଷ୍ଟିସ ଯାଦବଙ୍କ ଟିପ୍ପଣୀ ପରେ ସଜାଗ ହୋଇଥିବା ଭାରତୀୟ ନିର୍ବାଚନ ଆୟୁକ୍ତର କାର୍ଯ୍ୟକର୍ତ୍ତାମାନେ ସୋମବର ଦିନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ରାଜେଶ ଭୂଷଣଙ୍କୁ ଭେଟି ସାଂପ୍ରତିକ କୋଭିଡ଼ ପରିସ୍ଥିତି, ବିଶେଷକରି ‘ଓମିକ୍ରନ୍’କୁ ନେଇ ଉପୁଜି ଥିବା ପରିସ୍ଥିତି ଏବଂ ୟୁପି ସମେତ ପାଂଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ତାହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଅୟୁକ୍ତ ୟୁପି ଗସ୍ତରେ ଯିବେ । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ସୁଶିଲ ଚନ୍ଦ୍ରା ନିଜେ ଆସନ୍ତା ସପ୍ତାହରେ ୟୁପି ଯାଉଥିବା ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସିଇସି ୟୁପି ପରିସ୍ଥିତି ସମୀକ୍ଷା କରି ଫେରିବା ପରେ ହିଁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଯାହା କିଛି ନିଷ୍ପତ୍ତି ହେବା ନିଶ୍ଚିତ । ୨୦୨୧ ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମ ବଂଗ, ଆସାମ, ତାମିଲନାଡ଼ୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ କୋଭିଡ଼ର ଦ୍ୱିତୀୟ ଲହର ଯୋଗୁଁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜନୈତିକ ଦଳମାନେ ଲଗାମହୀନ ଭାବେ ରାଲି ଓ ସାଧାରଣ ସଭାମାନେ ଆୟୋଜନ କରି କୋଭିଡ଼-୧୯ ପରିସ୍ଥିତିକୁ ହାୱା ଦେଇଥିଲେ । ନିର୍ବାଚନ କମିସନ୍ ଅଦାଲତଙ୍କ ରୋଷର ଶିକାର ହେବା ପରେ ଶେଷ ପର୍ଯ୍ୟାୟ ନିର୍ବାଚନ ବେଳକୁ ରାଲି ଓ ସାଧାରଣ ସଭା ଉପରେ କଟକଣା ଲଗାଇ ଥିଲେ । ୨୦୨୨ରେ ହେବାକୁ ଥିବା ୟୁପି ସମେତ ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ‘ଓମିକ୍ରନ୍’କୁ ନେଇ ଏକାଭଳି ଆଶଙ୍କା ଥିବାରୁ ନିର୍ବାଚନ ଆୟୁକ୍ତ ୟୁପି ନିର୍ବାଚନ ମାସେ, ଦୁଇ ମାସ ଘୁଂଚାଇବା ସମ୍ଭାବନା ଅଧିକ ବୋଲି ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS