ଚଣ୍ଡିଗଡ଼ ପୌର ପରିଷଦ ଦଖଲ କଲା ‘ଆମ୍ ଆଦମୀ ପାର୍ଟି’


ଚଣ୍ଡିଗଡ଼
ଡ଼ିସେମ୍ବର ୨୭
୨୦୨୨ ପ୍ରାରମ୍ଭରେ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତାହା ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ପଂଜାବ, ହରିୟାନା ରାଜଧାନୀ ଚଣ୍ଡିଗଡ଼ର ପୌର ନିର୍ବାଚନରେ ‘ଆମ୍ ଆଦମୀ ପାର୍ଟି’ (ଆପ୍)ର ବିଜୟ ଦଳ ପାଇଁ ଉତ୍ସାହପ୍ରଦ ହୋଇଛି । ଚଣ୍ଡିଗଡ଼ ସହରାଂଚଳ ନିର୍ବାଚନରେ ‘ଆପ୍’ ପୌରପାଳିକାର ୩୫ରୁ ୧୪ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ତାହା ପଛକୁ ରହିଛି । ପୌରପାଳିକା ନିର୍ବାଚନରେ ବିଜେପିକୁ ୧୨ଟି, କଂଗ୍ରେସକୁ ୮ଟି ଏବଂ ଅକାଳୀ ଦଳକୁ ଗୋଟିଏ ମାତ୍ର ଆସନ ମିଳିଛି । ପୌର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି । ଚଣ୍ଡିଗଡ଼ ପୌର ନିର୍ବାଚନ ଫଳାଫଳ ପଂଜାବବାସୀଙ୍କ ‘ମୁଡ୍’ କୁ ପ୍ରତିଫଳିତ କରୁଥିବାରୁ ‘ଆପ୍’ର ବିଜୟ ମାତ୍ର ଏକ ଝଲକ ମାତ୍ର, ସଂପୂର୍ଣ୍ଣ ସିନେମା ପଂଜାବ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ‘ଆପ୍’ ନେତୃତ୍ୱ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଦଳର ଜାତୀୟ ମୁଖପାତ୍ର ରାଘବ ଚଢ୍ଢା କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ନେତୃତ୍ୱ ଉପରେ ପଂଜାବବାସୀ ଆସ୍ଥା ପ୍ରକଟ କରିଥିବା ଚଣ୍ଡିଗଡ଼ ପୌର ନିର୍ବାଚନ ଫଳାଫଳରୁ ସୂଚିତ ହେଉଛି । ‘ଆମ୍ ଆଦମୀ ପାର୍ଟି’ ଚଣ୍ଡିଗଡ଼ ପୌର ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ଥିବାର କାରଣ ହେଉଛି, ଏହି ନିର୍ବାଚନରେ ବିଜେପିର ମେୟର ରବି କାନ୍ତ ଶର୍ମା ଓ ପୂର୍ବତନ ମେୟର ଦବେଶ ମୁଦଗିଲଙ୍କୁ ‘ଆପ୍’ ପ୍ରାର୍ଥୀ ପରାଜିତ କରିଛନ୍ତି । ବିଜେପିକୁ ଏହା ଏକ ବଡ଼ ଝଟକା ଭାବେ ବିଚାର କରାଯାଉଛି । ତେବେ, ପୌର ନିର୍ବାଚନରେ ‘ଆପ୍’ର ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ଚନ୍ଦେର ମୁଖୀ ଶର୍ମା ମଧ୍ୟ ପରାଜିତ ହୋଇଥିବା ଜଣାପଡିଛି । ବିଜେପି ସମର୍ଥକମାନେ କେବେହେଲେ ସେମାନଙ୍କ ଅନୁଗତ୍ୟ ବଦଳାଇ ନଥା’ନ୍ତି । ତେଣୁ, ଚୂଡାନ୍ତ ଫଳାଫଳ ଆସିଲେ କେଉଁ ଦଳର ଭୋଟ ‘ଆପ୍’କୁ ସ୍ଥନାନ୍ତରିତ ହୋଇଛି ଜଣାପଡିବ ବୋଲି ବିଜେପିର ଚଣ୍ଡିଗଡ଼ ମୁଖପାତ୍ର ନରେଶ ଆରୋରା କହିଛନ୍ତି । ବିଗତ ପୌର ନିର୍ବାଚନରେ ବିଜେପିକୁ ୨୦ ଆସନ ଓ ତାହାର ସହଯୋଗୀ ଅକାଳୀ ଦଳକୁ ଗୋଟିଏ ଆସନ ମିଳିଥିଲା । ଏହି ମେଂଟର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲା କଂଗ୍ରେସ । ଆଇଏନସିକୁ ମାତ୍ର ୪ଟି ଆସନ ମିଳି ଥିଲା । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନଙ୍କ ସମର୍ଥନରେ ଅକାଳୀ ଦଳ ଚଳିତ ବର୍ଷ ପ୍ରାରମ୍ଭରେ ବିଜେପିର ହାତ ଛାଡିଥିଲା । ପାଂଚ ବର୍ଷରେ ଥରେ ହେଉଥିବା ଚଣ୍ଡିଗଡ଼ ପୌର ନିର୍ବାଚନରେ ବିଜେପି ଓ କଂଗ୍ରେସ ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ ରହୁ ଥିଲେ । ତେବେ, ଡ଼ିସେମ୍ବର ଗତ ୨୪ ତାରିଖ (ଶୁକ୍ରବାର) ଅନୁଷ୍ଠିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଚତୁର୍ମୁଖୀ ଥିଲା । କଂଗ୍ରେସ, ବିଜେପି, ଅକାଳୀ ଦଳ-ବିଏସପି ମେଂଟ ଏବଂ ‘ଆପ୍’ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଚଣ୍ଡିଗଡ଼ ପୌର ପରିଷଦ ନିର୍ବାଚନ ଫଳାଫଳ ୨୦୨୨ ପଂଜାବ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ବୋଲି ‘ଆମ୍ ଆଦମୀ ପାର୍ଟି’ (ଆପ୍) ଆଶାବାଦୀ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS