‘ଓମିକ୍ରନ୍’ର ଲମ୍ବା ଡ଼ିଆଁ, ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ


ନୂଆଦିଲ୍ଲୀ
ଡ଼ିସେମ୍ବର ୨୭
ଦେଶରେ ‘ଓମିକ୍ରନ୍’ କେସ୍ ସଂଖ୍ୟା ରବିବାର ଦିନ ଥିଲା ୪୨୨ । ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ୩୭ ପ୍ରତିଶତ ବୃଦ୍ଧି ପାଇ କେସ୍ ସଂଖ୍ୟା ୫୭୮ରେ ପହଂଚିଛି । ଗତକାଲି ଯାଏଁ ମହାରାଷ୍ଟ୍ର ଆକ୍ରାନ୍ତ ସଂଖ୍ୟାରେ ଆଗୁଆ ଥିଲା । ଆଜି ଦିଲ୍ଳୀ ମହାରାଷ୍ଟ୍ରକୁ ଟପି ଏକ ନମ୍ବରରେ ପହଂଚିଛି । ଦିଲ୍ଲୀରୁ ମୋଟ ୧୪୨ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଏହି ସଂଖ୍ୟା ରହିଛି ୧୪୧ । ପଛକୁ ରହିଛନ୍ତି କେରଳ (୫୭), ଗୁଜରାଟ (୪୯) ଓ ରାଜସ୍ଥାନ (୪୩) । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବୁଲେଟିନରୁ ଏହି ସୂଚନା ମିଳିଛି । ଦିଲ୍ଲୀରେ ‘ଓମିକ୍ରନ୍’ କେସ୍ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଆଜି ରାତି ୧୧ଟାରୁ ରାଜ୍ୟରେ ‘ରାତ୍ରୀ କର୍ଫ୍ୟୁ’ ଲାଗୁ ହୋଇଛି ।
ଦେଶରେ ‘ଓମିକ୍ରନ୍’ କେସ୍ ବଢୁଥିବା ବେଳେ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ ହେବା ସଂଖ୍ୟା କମିଛି । ଗଲା ୨୪ ଘଂଟା ମଧ୍ୟରେ ଦେଶରୁ ୬,୫୩୧ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ପୂର୍ବ ୨୪ ଘଂଟା ତୁଳନାରେ ୬.୫ ପ୍ରତିଶତ କମ୍ । ଫଳରେ, ଦେଶର କୋଭିଡ଼ କେସ୍ ଲୋଡ୍ ୭୫,୮୪୧ ହୋଇଛି । କୋଭିଡ଼ ପରିସ୍ଥିତିରେ ସୁଧାର ଆସିବା ପରେ ବିଭିନ୍ନ ରାଜ୍ୟରେ କଟକଣା କୋହଳ ହୋଇଥିଲା । କିନ୍ତୁ, ନୂଆ ପ୍ରଜାତି ‘ଓମିକ୍ରନ୍’ ତାହାର କାୟା ବିସ୍ତର କରୁଥିବା ଦେଖି ରାଜ୍ୟମାନେ ଚିନ୍ତାରେ । ପୁଣି ଥରେ କୋଭିଡ଼ କଟକଣା ଫେରିଛି ।
ବିବାହ ଉତ୍ସବ, ପର୍ବପର୍ବାଣୀ ଯୋଗୁଁ ହେଉଥିବା ଭିଡ଼ ‘ଓମିକ୍ରନ୍’କୁ ହାୱା ଦେଉଛି । ଦିନକୁ ଦିନ ଆକ୍ରାନ୍ତ ଚିହ୍ନଟ ହେଉଥିବା ରାଜ୍ୟ ଓ ଅକ୍ରାନ୍ତ ସଂଖ୍ୟା ବଢୁଛି । ଛୋଟ ସହର କଥା ଦୂରେ ଥାଉ; ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସହରରେ ଲୋକମାନେ ବେପରୁଆ ଭାବେ ବଜାର ଘାଟରେ ବୁଲୁ ଥିବାରୁ ଓ ମାସ୍କ୍ ପରିଧାନକୁ ଗୁରୁତ୍ୱ ଦେଉ ନଥିବା ‘ଓମିକ୍ରନ୍’ ବଢୁ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଚିନ୍ତା ବଢାଇଛି । ଦିଲ୍ଲୀରୁ ଗତକାଲି ୨୯୦ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଆଜିଠାରୁ ରାତ୍ରୀ କର୍ଫ୍ୟୁ ଲାଗୁ କରୁବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ, ବିଭିନ୍ନ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ତେବେ, ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇଲେ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯିବ ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରେତାଙ୍କ ଉପରେ କଟକଣା ଅଧିକ କଡାକଡି ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି ।
ଇତିମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଓ ସରକାରୀ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ଆସନ୍ତା ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କ କିଶୋର, କିଶୋରୀଙ୍କୁ କୋଭିଡ଼ ଟିକାଦାନ ହେବ ବୋଲି ସୂଚନା ଦେଇଛନ୍ତି । ଜାନୁୟାରୀ ୧୦ ତାରିଖରୁ ଦେଶରେ ଏକାଧିକ ଗୁରୁତର ରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ପୁରି ଥିଲେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶରେ ‘ଓମିକ୍ରନ୍’ କେସ୍ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ୨୦୨୨ ପ୍ରାରମ୍ଭରେ ହେବାକୁ ଥିବା ପଂଜାବ, ୟୁପି ରାଜ୍ୟ ବିଧାନସଭା ନିର୍ବାଚନ ଫେବୃୟାରୀରେ ନ କରି ମାସେ, ଦୁଇ ମାସ ଘୁଂଚାଇ ଦେବାକୁ ଆଲହାବାଦ ହାଇକୋର୍ଟ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ନିକଟରେ ପ୍ରସ୍ତାବ ଦେଇଥିଲେ । ଆଜି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିର୍ବାଚନ ଆୟୂକ୍ତଙ୍କ କାର୍ଯ୍ୟାଳୟକୁ ଯାଇ ସଂପୃକ୍ତ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି । ତେବେ, ଆଲୋଚନାର ନିଷ୍କର୍ଷ କଣ ହେଲା, ତାହା ସନ୍ଧ୍ୟା ସୁଦ୍ଧା ଜଣା ପଡିନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS