ଜିଏସଟି ଚଢାଉକୁ ନେଇ ୟୁପି ରାଜନୀତି ସରଗରମ


ଡ଼ିସେମ୍ବର ୨୯
ଦୁହେଁ ହେଉଛନ୍ତି ଅତର ବ୍ୟବସାୟୀ । ଦୁହିଁଙ୍କ ନାମର ପ୍ରଥମ ଅକ୍ଷର ‘ପି’ରୁ ଆରମ୍ଭ ଏବଂ ସାଂଗିଆ ରହିଛି ‘ଜୈନ’ । ଜଣେ ହେଉଛନ୍ତି, ପିୟୁଷ ଜୈନ ଓ ଅନ୍ୟ ଜଣକ ପୁଷ୍ପରାଜ ‘ପଂପି’ ଜୈନ । ଦୁହେଁ ୟୁପି କନୌଜର ଜୈନ ଷ୍ଟ୍ରିଟ୍ ବାସିନ୍ଦା । ପଂପି ଜୈନ ସମାଜବାଦୀ ପାର୍ଟି ସହ ସଂପୃକ୍ତ । ତେବେ, ପିୟୁଷ ଜୈନଙ୍କ ରାଜନୈତିକ ସଂପର୍କ ଅସ୍ପଷ୍ଟ । ବିପୁଳ ପରିମାଣର ଜିଏସଟି ଫାଙ୍କି ଅଭିଯୋଗରେ ରବିବାର ଦିନ ପିୟୁଷ ଜୈନଙ୍କ କାନପୁର ଓ କନୌଜରେ ଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ ହୋଇଥିଲା । ଚଢାଉ ବେଳେ ଆଖି ଖୋସି ହୋଇଯିବା ଭଳି ନଗଦ ୧୯୪ କୋଟି ଟଙ୍କା ଓ ୨୩ କେଜି ସୁନା ଇଟା ଜବତ ହୋଇଛି । ଜିଏସଟି ଫାଙ୍କି ଅଭିଯୋଗରେ ସୋମବାର ଦିନ କନୌଜର ଏକ ଅଦାଲତ ୫୦ ବର୍ଷ ବୟସ୍କ ପିୟୁଷ ଜୈନଙ୍କ ୧୪ ଦିନ ପାଇଁ ଜେଲ୍ ହାଜକୁ ପଠାଇ ଦେଇଛନ୍ତି । ତେବେ, ଏଇଠି ତାହାର ପରିସମାପ୍ତି ଘଟି ନାହିଁ । ଏହି ଚଢାଉକୁ ନେଇ ମଂଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନପୁର ମେଟ୍ରୋ ରେଲ୍ ପ୍ରୋଜେକ୍ଟ ଉଦ୍ଘାଟନ ସମୟରେ ଦେଇଥିବା ରାଜନୈତିକ ମନ୍ତବ୍ୟ ୟୁପି ରାଜନୀତିକୁ ସରଗରମ କରିଛି ।
୨୦୧୭ ପୂର୍ବରୁ ୟୁପିରେ ଅଖିଳେଶ ଯାଦବଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ସମାଜବାଦୀ ପାର୍ଟି ସରକାର ଥିଲା । ସେହି ସମୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ଗନ୍ଧ ଅତର ଭିତରୁ ବାରି ହେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଂଗଳବାର ଜନସଭାରେ ମନ୍ତବ୍ୟ ଦେବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାହାର କଡା ଜବାବ ରଖିଛନ୍ତି । ବାସ୍ତବରେ ଯାହା ଘରେ (ପିୟୁଷ ଯାଦବ) ଜିଏସଟି ଚଢାଉ ହୋଇ ବିପୁଳ ପରିମାଣର ନଗଦ ଟଙ୍କା ଓ ୨୩ କିଲୋ ସୁନା ଇଟା ଜବତ ହୋଇଛି ସେ କେବେ ମଧ୍ୟ ସମାଜବାଦୀ ପାର୍ଟି ସହ ନଥିଲେ, ଜିଏସଟି ଅଧିକାରୀମାନେ ବୋଧହୁଏ ଭୁଲ ଟାର୍ଗେଟରେ ଚଢାଉ କରିଛନ୍ତି, ଯାହାକି ‘ଡ଼ିଜିଟାଲ ଇଣ୍ଡିଆ’ର ଏକ ମସ୍ତବଡ଼ ଭୁଲ ବୋଲି ଅଖିଳେଶ କହିଛନ୍ତି ।
ପିୟୁଷ ଜୈନ (୫୦)ଙ୍କ ଉପରେ ରବିବାର ହୋଇଥିବା ଜିଏସଟି ଚଢାଉ ଓ ଏତେ ପରିମାଣର ନଗଦ ଟଙ୍କା ଓ ସୁନା ଇଟା ଜବତ ହେବା ଦେଶର ସବୁଠାରୁ ବଡ଼ ଟିକସ ଧରପଗଡ଼ ବୋଲି କେନ୍ଦ୍ର ସରକାରଙ୍କ ଆଡୁ ଦାବି ହୋଇଛି । ପିୟୁଷ ଅତ୍ୟନ୍ତ ନିରାଡମ୍ବର ଜୀବନ ବିତାଉ ଥିଲେ । ପୁରୁଣା ସ୍କୁଟରରେ ବାହାରେ ବୁଲୁ ଥିଲେ । ତାଙ୍କ ନିକଟରୁ ଏତେ ପରିମାଣର ନଗଦ ଓ ସୁନା ଜବତ ହୋଇଥିବା ପଡୋଶୀ ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି । ଅପରପକ୍ଷରେ, କନୌଜର ଅନ୍ୟତମ ଅତର ବ୍ୟବସାୟୀ ପୁଷ୍ପରାଜ ‘ପଂପି’ ଜୈନଙ୍କୁ ଟାର୍ଗେଟ କରିବାକୁ ଯାଇ ଜିଏସଟି ଅଧିକାରୀମାନେ ଭୁଲ ବଶତଃ ପିୟୁଷଙ୍କୁ ଟାର୍ଗେଟ୍ କରିଦେଲେ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଆଶଙ୍କା ବ୍ୟକ୍ତ କରିଛନ୍ତି । ପୁଷ୍ପରାଜ ସମାଜବାଦୀ ପାର୍ଟି ଏମଏଲସି (ବିଧାନ ପରିଷଦ ସଦସ୍ୟ) ଅଛନ୍ତି । ଗତମାସରେ ସେ ଏକ ନୂଆ ପରଫ୍ୟୁମ୍ ବା ଅତର ପ୍ରସ୍ତୁତ କରି ବଜାରକୁ ଛାଡି ଥିଲେ, ଯାହାର ନାମକରଣ କରିଥିଲେ ‘ସମାଜବାଦୀ ଇତ୍ର’ । ତେଣୁ, ବିଜେପି ପୁଷ୍ପରାଜଙ୍କୁ ଟାର୍ଗେଟ୍ କରିଥିବା ବେଳେ ଜିଏସଟି ଅଧିକାରୀମାନେ ପୁଷ୍ପରାଜ ଓ ପିୟୁଷଙ୍କ ନାମର ପ୍ରଥମ ଅକ୍ଷର ଓ ସାଂଗିଆରେ ଥିବା ସାମଂଜସ୍ୟକୁ ଠଉରାଇ ନପାରି ଭୁଲରେ ପିୟୁଷଙ୍କ ଉପରେ ଚଢାଉ କରିଦେଲେ ବୋଲି ସମାଜବାଦୀ ପାର୍ଟି କହିଛି ।
୬୦ ବର୍ଷ ବୟସ୍କ ପୁଷ୍ପରାଜ ରାଜନୀତି ଓ ସମାଜସେବା ସହ ଅତର ବ୍ୟବସାୟରେ ଅଛନ୍ତି । କୃଷି ବ୍ୟବସାୟ ସହ ଗୋଟିଏ ପେଟ୍ରୋଲ ପଂପ୍, ଶୀତଳ ଭଂଡାର ମଧ୍ୟ ରହିଛି । ମୁମ୍ବାଇରେ ଥିବା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ସେ ୧୨ଟି ଦେଶ, ମୁଖ୍ୟତଃ ମଧ୍ୟପ୍ରାଚ୍ୟକୁ ଅତର ରପ୍ତାନୀ କରିଥା’ନ୍ତି ବୋଲି ଜଣାପଡିଛି । ୨୦୦୦ ମସିହାରେ ଅଖିଳେଶ ସାଂସଦ ହେବା ପରେ ପୁଷ୍ପରାଜ ରାଜନୀତିରେ ଯୋଗ ଦେଇଥିଲେ ଏବଂ ପରେ ସମାଜବାଦୀ ପାର୍ଟିର ଏମଏଲସି ହୋଇଥିଲେ । ପିୟୁଷଙ୍କ ସହ ତାଙ୍କର କୌଣସି ବ୍ୟବସାୟିକ ସଂପର୍କ ନାହିଁ । କେବଳ ଦୁହିଁଙ୍କ ନାମର ପ୍ରଥମ ଅକ୍ଷର ‘ପି’ ଓ ସାଂଗିଆ ‘ଜୈନ’ ରହିଛି । ଦୁହେଁ ଜୈନ ସଂପ୍ରଦାୟର । ପିୟୁଷଙ୍କ ଉପରେ ଜିଏସଟି ଚଢାଉ ସହ ନେଇ ତାଙ୍କର କିଛି କହିବାର ନାହିଁ ବୋଲି ପୁଷ୍ପରାଜ କହିଥିବା ବେଳେ ବିଜେପି ପ୍ରୟୋଜିତ ଏହି ଜିଏସଟି ଚଢାଉ ବୋଧହୁଏ ଭୁଲ ଟାର୍ଗେଟ୍ ରେ ଲାଗି ଗଲା ବୋଲି ମୋଦୀ-ଅଖିଳେଶ ବିବାଦ ପରେ ୟୁପିରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS