ୟୁପି ବିଧାନସଭା ନିର୍ବାଚନ ଘୁଂଚିବନି !


ପ୍ରସାଦ ରାଓ
ଡ଼ିସେମ୍ବର ୩୦
କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ ଦେଶରେ ଦୃତ ଗତିରେ ବ୍ୟାପୁଛି । ୨୦୨୨ ଫେବୃୟାରୀ ମଧ୍ୟଭାଗ ସୁଦ୍ଧା ଏହା ଶୀର୍ଷ ଛୁଇଁବ ବୋଲି ସ୍ୱସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏଭଳି ସ୍ଥିତିରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ୟୁପିରେ ବିଧାନସଭା ନିର୍ବାଚନ କରାଯିବା କେତେଦୂର ସମ୍ଭବ ବୋଲି ଚର୍ଚ୍ଚା ଚାଲିଛି । ୫ଟି ରାଜ୍ୟରେ ଏକାସମୟରେ ନିର୍ବାଚନ ହେବାକୁ ଥିବା ବେଳେ ଅନ୍ତତଃ ୟୁପି ବିଧାନସଭା ନିର୍ବାଚନ ମାସେ, ଦୁଇ ମାସ ଘୁଂଚାଇ ଦେବାକୁ କିମ୍ବା ନିର୍ବାଚନକୁ ନେଇ ହେଉଥିବା ଜନସମାବେଶଗୁଡିକୁ ନିଷିଦ୍ଧ କରାଯାଇ କଡ଼ା କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା କରାଯିବାକୁ ଆଲ୍ହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ପରାମର୍ଶ ଦେଇଥିଲେ । ଡ଼ିସମ୍ବେର ୨୩ ତାରିଖ ଦିନ ବିଚାରପତି ଜଷ୍ଟିସ ଯାଦବ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ ସମୟରେ ନିର୍ବାଚନ ଘୁଂଚାଇବାକୁ ପ୍ରସ୍ତାବ ରଖିବା ସହ ‘ଜାନ୍ ହେ ତୋ ଜାହାନ ହେ’ ବୋଲି ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ହାଇକୋର୍ଟ ବିଚାରପତିଙ୍କ ପରାମର୍ଶ ପରେ ୟୁପି ବିଧାନସଭା ନିର୍ବାଚନ ଠିକ୍ ସମୟରେ ହେବ କି ଘୁଂଚିବ (?)- ସେ ନେଇ ଯେଉଁ କଳାନାଜଳ୍ପନା ଚାଲି ଥିଲା ତାହାର ଅବସାନ ଘଟାଇଛନ୍ତି ଭାରତୀୟ ନିର୍ବାଚନ ଆୟୁକ୍ତର ମୁଖ୍ୟ (ସିଇସି) ସୁଶିଲ ଚନ୍ଦ୍ରା । ୟୁପି ବିଧାନସଭା ନିର୍ବାଚନ ଠିକ୍ ସମୟରେ ହିଁ ହେବ ବୋଲି ସେ ଗଣମାଧ୍ୟମକୁ ଦେଇଥିବା ବୟାନରୁ ସ୍ପଷ୍ଟ ହୋଇଛି ।
ଆଜି ସିଇସି ସୁଶିଲ ଚନ୍ଦ୍ରା ଗଣମାଧ୍ୟମକୁ କହିଛନ୍ତି, କୋଭିଡ଼ ପ୍ରୋଟୋକଲର କଡ଼ାକଡ଼ି ପାଳନ ମଧ୍ୟରେ ୟୁପିରେ ଠିକ୍ ସମୟରେ ବିଧାନସଭା ନିର୍ବାଚନ ହେବା ରାଜ୍ୟର ସବୁ ରାଜନୈତିକ ଦଳ ଚାହୁଁଛନ୍ତି । ନିର୍ବାଚନ ତାରିଖ ଘୋଷଣା ଯାଏଁ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ରାଜନୈତିକ ସମାବେଶରେ ହେଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ । ନିର୍ବାଚନ ତାରିଖ ଘୋଷଣା ପରେ ହିଁ ନିର୍ବାଚନ କମିସନ୍ ଆଦର୍ଶ ଆଚରଣବିଧି ଘୋଷଣା କରିବା ମାଧ୍ୟମରେ ଏହି ଦାୟିତ୍ୱ ବହନ କରିବେ । ନିର୍ବାଚନ ସମାବେଶଗୁଡିକୁ ନିୟନ୍ତ୍ରଣ ପାଇଁ ନିର୍ଦେଶାବଳୀ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଦାୟିତ୍ୱ ରହିବ ନିର୍ବାଚନ କମିସନଙ୍କ ଉପରେ । ସେଯାଏଁ ରାଜ୍ୟ ସରକାର ବପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦେଶାବଳୀ ଅନୁସାରେ ରାଜନୈତିକ ଜନସମାବେଶରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବାକୁ ପଡିବ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ନିର୍ବାଚନ କମିସନ ଅଧିକାରୀମାନେ ଗତ ସେମାବାର ଦିନ ଆଲୋଚନା କରିଛନ୍ତି । ସାଂପ୍ରତିକ କୋଭିଡ଼ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଥରେ ନିର୍ବାଚନ ତାରିଖ ଘୋଷଣା ହେଲେ ନିର୍ବାଚନ କମିସନ ବିସ୍ତୃତ ନିୟମାବଳୀ ଜାରି କରିବେ ଏବଂ ତାହା କାର୍ଯ୍ୟକାରୀ ହେବା ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
ସିଇସି କହିଛନ୍ତି, କୋଭିଡ଼ କଟକଣାର ଉଲଂଘନ ହୋଇ ରାଜ୍ୟରେ ରାଜନୈତିକ ସଭା, ସମିତି ଓ ସମାବେଶମାନ ଚାଲି ଥିବା ସମସ୍ତ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି । କୋଭିଡ଼ କଟକଣା କଡାକଡି ଭାବେ ଲାଗୁ ହେବା ସେମାନେ ଚାହୁଁଛନ୍ତି । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ତାହାର ପରିପାଳନ ଦାୟିତ୍ୱ ନିର୍ବାଚନ କମିସନଙ୍କ । ଭୋଟ ସରିବା ପରେ ରାଜ୍ୟରେ କୋଭିଡ଼ ସଂକ୍ରମଣ ବୃଦ୍ଧି ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଛି ସେସଂପର୍କରେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସିଇସି ସୁଶିଲ ଚନ୍ଦ୍ର କହିଛନ୍ତି, କୋଭିଡ଼ ପରିସ୍ଥତିକୁ ଆଖିରେ ରଖି ନିର୍ବାଚନ କମିସନ୍ ଭୋଟ ଦାନ ସମୟ ଘଂଟାଏ ବୃଦ୍ଧି କରିବେ । ଭୋଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସକାଶେ ଅଧିକ ୧୧,୦୦୦ ଭୋଟଗ୍ରହଣ କେନ୍ଦ୍ର ଖୋଲିବ । ନିର୍ବାଚନ ତାରିଖ ଘୋଷଣା ପରେ ଅତିଶୀଘ୍ର ଏସଂପର୍କିତ ବିସ୍ତୃତ ନିର୍ଦେଶାବଳୀ ପ୍ରକାଶ ପାଇବ ।
ଭୋଟ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ଭୋଟ ଦେବାକୁ ଥିବା ସମସ୍ତ ମତଦାତା ଅନ୍ତତଃ ଗୋଟିଏ ଡୋଜ୍ ଟିକା ନେଇଥିବା ଆବଶ୍ୟକ ବୋଲି ସୁଶିଲ ଚନ୍ଦ୍ରା କହିବାରୁ ଯେଉଁମାନେ ମୋଟେ କୋଭିଡ଼ ଟିକା ନେଇ ନାହାନ୍ତି ସେମାନେ ଭୋଟ ଦେବାରୁ ବଂଚିତ ହେବେ କି (?) ବୋଲି ପ୍ରଶ୍ନ ହୋଇଥିଲା । ସିଇସି ଏହାର ସ୍ପଷ୍ଟୀକରଣ ଦେଇ କହିଛନ୍ତି, କାହାରିକୁ ମତଦାନରୁ ବଂଚିତ କରାଯିବ ନାହିଁ । ରାଜ୍ୟର ୫୦ ପ୍ରତିଶତ ଜନସାଧାରଣଙ୍କ ଟିକାକରଣ ସରିଥିବା ରାଜ୍ୟ ସରକାର କହିଛନ୍ତି । ୟୁପିରୁ ଆଜି ସୁଦ୍ଧା ମାତ୍ର ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୟୁପି ସରକାର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶିଲ ଚନ୍ଦ୍ରାଙ୍କୁ ଜଣାଇ ଥିବା ବେଳେ ବୁଧବାର ଦିନ ରାଜ୍ୟରୁ ୧୧୮ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ଆକ୍ଟିଭ୍ କେସ୍ ସଂଖ୍ୟା ୪୭୩ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
୨୦୨୨ ଫେବୃୟାରୀ, ମାର୍ଚ୍ଚରେ କେବଳ ୟୁପି ନୁହେଁ, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ, ୟୁପି ହେଉଛି ଦେଶର ସର୍ବାଧିକ ଜନବହୁଳ ରାଜ୍ୟ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ରାଜ୍ୟରେ ଶାସକ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି ଓ ଅନ୍ୟ ରାଜନୈତିକ ଦଳଙ୍କ ପକ୍ଷରୁ ନିର୍ବାଚନୀ ସମାବେଶ, ସଭା ସମିତି, ଉଦ୍ଘାଟନ ଓ ଶୀଳାନ୍ୟାସ ଉତ୍ସବମାନ ଚାଲିଛି । ଏସବୁ ସମାବେଶ ଓ କାର୍ଯ୍ୟକ୍ରମରେ ଲକ୍ଷାଧିକ ଜନସମାଗମ ହେଉଥିବା ଦେଖି କୋଭିଡ଼ ସଂକ୍ରମଣ ବଢିବା ଆଶଙ୍କା ସୃଷ୍ଟି ହୋଇଛି । ପରିସ୍ଥିତିକୁ ହୃଦୟଙ୍ଗମ କରି ଆଲ୍ହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯାଦବ ଡ଼ିସେମ୍ବର ୨୩ ତାରିଖ ଦିନ ନିର୍ବାଚନ ଘୁଂଚାଇବାକୁ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କୁ ପରାମର୍ଶ ଦେଇଥିଲେ । ଜଷ୍ଟିସ ଯାଦବଙ୍କ ପରାମର୍ଶକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ସାଂପ୍ରତିକ କୋଭିଡ଼ ପରିସ୍ଥିତିକୁ ନେଇ ଆଲୋଚନା କରିବା ପରେ ୟୁପି ଗସ୍ତରେ ଯାଇ ବିଭିନ୍ନ ରାଜନୈତିକ ଦଳ ଓ ସରକାରୀ ଅଧିକାରୀଙ୍କ ସହ ପରାମର୍ଶ କରିଛନ୍ତି ।ସବୁ ରାଜନୈତିକ ଦଳ ଧାର୍ଯ୍ୟ ସମୟରେ ୟୁପି ନିର୍ବାଚନ ହେବା ଚାହୁଁ ଥିବାରୁ ନିର୍ବାଚନ କମିସନ୍ ଫେବୃୟାରୀ-ମାର୍ଚ୍ଚରେ ହିଁ ନିର୍ବାଚନ କରାଇବେ ବୋଲି ଆଜି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶିଲ ଚନ୍ଦ୍ରାଙ୍କ ବୟାନରୁ ସ୍ପଷ୍ଟ ହେବା ପରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS