୨୩ ରାଜ୍ୟକୁ ବ୍ୟାପିଲା ‘ଓମିକ୍ରନ୍’, ୧୨୭୦ ଆକ୍ରାନ୍ତ ଚିହ୍ନଟ ହେଲେଣି


ପ୍ରସାଦ ରାଓ
ଡ଼ିସେମ୍ବର ୩୧
କୋଭିଡ଼-୧୯ର ନୂଆ ପ୍ରଜାତି ‘ଓମିକ୍ରନ୍’ ଦେଶର ଦୃତ ଗତିରେ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଆଜି ସୁଦ୍ଧା ୨୩ଟି ରାଜ୍ୟରେ ‘ଓମିକ୍ରନ୍’ ତାହାର ଉପସ୍ଥିତି ଜାହିର କରିଛି । ଅପରାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ସଂଖ୍ୟକ (୪୫୦) ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ପଛକୁ ରହିଛି ଦିଲ୍ଲୀ । ଦିଲ୍ଲୀରୁ ୩୨୦ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିରୁ ୫୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି । ଗୁଜରାଟରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରାଜସ୍ଥାନରେ ଚିହ୍ନଟ ୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ ସୁସ୍ଥ ହୋଇଥିବା ବେଳେ କେରଳରୁ ଚିହ୍ନଟ ୧୦୯ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ସେହିଭଳି, ତେଲେଙ୍ଗାନାରୁ ୬୨ (୧୮ ଜଣ ସୁସ୍ଥ ହେଲେଣି), ଆନ୍ଧ୍ର ପ୍ରଦେଶରୁ ୧୬, ଓଡ଼ିଶାରୁ ୧୪, ତାମିଲନାଡ଼ୁରୁ ୪୬ (୨୯ ଜଣ ସୁସ୍ଥ ହେଲେଣି), କର୍ଣ୍ଣାଟକରୁ ୩୪ ଜଣ (୧୮ ଜଣ ସୁସ୍ଥ ହେଲେଣି) ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ନଭେମ୍ବର ମାସରେ ଦେଶରେ ‘ଓମିକ୍ରନ୍’ର ଉପସ୍ଥିତି ଜଣାପଡିଥିଲା । ଇତିମଧ୍ୟରେ, ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତଙ୍କ ମଧ୍ୟରୁ ୩୭୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇସାରିଛନ୍ତି । ‘ଓମିକ୍ରନ୍’ ବ୍ୟତୀତ ଦେଶରେ କୋଭିଡ଼-୧୯ (ଡେଲଟା ପ୍ରଜାତି) ସଂକ୍ରମଣ ମଧ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡିଛି । ଆଜି ସକାଳ ସୁଦ୍ଧା ଗଲା ୨୪ ଘଂଟା ମଧ୍ୟରେ ୧୬ ହଜାର ୭୬୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ଦ୍ୱାରା ଦେଶରେ ମୋଟ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୮ ଲକ୍ଷ ୩୮ ହଜାର ୮୦୪କୁ ବୃଦ୍ଧି ପାଇଛି । ତେବେ, ଆକ୍ରିଭ୍ କେସ୍ ସଂଖ୍ୟା ମାତ୍ର ୦.୨୬ ପ୍ରତିଶତ ଥିବା ଜଣାପଡିଛି । ଆଜି ମହାରାଷ୍ଟ୍ରରୁ ସର୍ବାଧିକ ୫, ୩୬୮ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ପୂର୍ବ ଦିନର କେସ୍ ସଂଖ୍ୟା ତୁଳନାରେ ୩୭ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ ନୂଆ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ସପ୍ତାହ ତୁଳନାରେ ୫ ଗୁଣା ବୃଦ୍ଧି ପାଇଛି । ଦିଲ୍ଲୀ, ଗୁରଗାଁଓ, କୋଲକାତା ଓ ବେଂଗାଲୁରୁ ଭଳି ବଡ଼ ସହରରେ ମଧ୍ୟ କୋଭିଡ଼ ସଂକ୍ରମଣ ଏକାଭଳି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଦିଲ୍ଲୀରେ କୋଭିଡ଼ କେସ୍ ସଂଖ୍ୟା ୭ ମାସ ପରେ ୧୦୦୦ ଉପରକୁ ଉଠି ୧୩୧୩ରେ ପହଂଚିଛି, ଯାହାକି ପୂର୍ବ ଦିନର ସଂଖ୍ୟା ତୁଳନାରେ ୪୨ ପ୍ରତିଶତ ଅଧିକ । ପଜେଟିଭିଟି ହାର ୧.୭୩ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି ।
ଦେଶରେ ଦୈନିକ କୋଭିଡ଼ ଆକ୍ରାନ୍ତ ହାର ୨୦୨୧ ମାର୍ଚ୍ଚ-ଏପ୍ରିଲ (ଦ୍ୱିତୀୟ ଲହର) ତୁଳନାରେ ହାରାହାରି ୨୧ ପ୍ରତିଶତ ଅଧିକ ବେଗରେ ବଢୁଥିବା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସରକାର କୋଭିଡ଼ ହାର ବୃଦ୍ଧି ପାଉଥିବା ରାଜ୍ୟମାନଙ୍କୁ ଟେଷ୍ଟିଂ, କଂଟାକ୍ଟ ଟ୍ରେସିଂ, ପଜେଟିଭ୍ ରୋଗୀଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ପାଇଁ ସଠିକ ସଂଗରୋଧ ବା କ୍ୱାରେଂଟାଇନ୍ ବ୍ୟବସ୍ଥା କରାଯିବା ଏବଂ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ମୁମ୍ବାଇରେ ଗତ ଡ଼ିସେମ୍ବର ୨୧ ଓ ୨୨ରେ ହୋଇଥିବା ସ୍ୱାବ୍ ନମୂନା ପରୀକ୍ଷଣ ସମୟରେ ଏକ ତୃତୀୟାଂଶ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ୍ ହଷ୍ଟ୍ରି ନଥିବା ଓ ସେମାନେ ‘ଓମିକ୍ରନ୍’ ଆକ୍ରାନ୍ତ ଥିବା ଜଣାପଡିଛି । ବ୍ରିହନମୁମ୍ବାଇ ମୁନସିପାଲ କର୍ପୋରେସନ୍ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଡ଼ିସେମ୍ବର ୨୧ ଓ ୨୨ ତାରିଖରେ ୩୭୫ ମୁମ୍ବାଇ ବାସିନ୍ଦାଙ୍କ ସ୍ୱାବ୍ ନମୂନା ପରୀକ୍ଷା ହୋଇଥିଲା । ସେଥିରୁ ୩୭ ପ୍ରତିଶତ ଅର୍ଥାତ ୧୪୧ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି କହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS