ଦେଶର ଛଅ ହଜାର ଏନଜିଓଙ୍କ ଏଫସିଆରଏ ଲାଇସେନ୍ସ ରଦ୍ଦ !


ପ୍ରସାଦ ରାଓ
ଜାନୁୟାରୀ ୦୧
ନୂତନ ବର୍ଷର ପ୍ରାରମ୍ଭ ଦିବସରେ ଆଜି ଦେଶର ପାଖାପାଖି ଛଅ ହଜାର ଏନଜିଓଙ୍କ ଏଫସିଆରଏ ଲାଇସେନ୍ସ ବାତିଲ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ଲାଇସେନ୍ସର ନବୀକରଣ କରିଥାଏ । କୋଲକାତା ଭିତ୍ତିକ ମଦର ଟେରେସାଙ୍କ ଚ୍ୟାରିଟେବୁଲ୍ ଟ୍ରଷ୍ଟ୍ ‘ମିସନାରୀସ୍ ଅଫ୍ ଚ୍ୟାରିଟି’ର ଏଫସିଆରଏ ଲାଇସେନ୍ସ ନବୀକରଣ କରିବାକୁ ଗୃହ ମନ୍ତ୍ରଣାଳୟ ଡ଼ିସେମ୍ବର ୨୫ ତାରିଖ ଦିନ ମନା କରି ଦେବା ପରେ ଶନିବାର ଛଅ ହଜାର ଏନଜିଓଙ୍କ ଏଫସିଆରଏ ଲାଇସେନ ବାତିଲ ହୋଇଥିବା ସୂଚନା ମିଳିଛି । ଏଫସିଆରଏ ଲାଇସେନ୍ସ ବାତିଲ ହୋଇଥିବା ସଂସ୍ଥାଙ୍କ ମଧ୍ୟରେ ରହିଛି – ଆଇଆଇଟି- ଦିଲ୍ଲୀ, ଜାମିଆ ମିଲିଆ ଇସଲାମିଆ, ଇଂଡ଼ିଆନ ମେଡ଼ିକାଲ ଆସୋସିଏସନ୍, ନେହେରୁ ମେମୋରିଆଲ୍ ମ୍ୟୁଜିୟମ ଓ ଲାଇବ୍ରେରୀ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଆଡ଼ମିନିଷ୍ଟ୍ରେସନ୍, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଂଟର ଫର୍ ଆର୍ଟସ୍, ଲାଲବାହାଦୂର ଶାସ୍ତ୍ରୀ ମେମୋରିଆଲ ଫାଉଣ୍ଡେସନ, ଲେଡି ଶ୍ରୀରାମ କଲେଜ ଫର୍ ଓମେନ୍, ଦିଲ୍ଲୀ କଲେଜ ଅଫ୍ ଇଂଜିନିୟରିଂ, ଅକ୍ସଫାମ୍ ଇଂଡ଼ିଆ ଟ୍ରଷ୍ଟ୍ ପ୍ରଭୃତି । ଏହି ସବୁ ସଂସ୍ଥା ବିଦେଶୀ ଅନୁଦାନ ଗ୍ରହଣ କରିବା ସକାଶେ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ ବା ଏଫସିଆରଏ ଦ୍ୱାରା ପଂଜୀକୃତ ଥିବା ଆବଶ୍ୟକ । ଲାଇସେନ୍ସ ବାତିଲ ହୋଇଥିବା ଏନଜିଓ ଓ ଅନୁଷ୍ଠାନଗୁଡିକର ଲାଇସେନ୍ସ ଅବଧି ସାରି ଯାଇଛି କିମ୍ବା ଲାଇସେନ୍ସ ନବୀକରଣ ଦରଖାସ୍ତକୁ ଗୃହ ମନ୍ତ୍ରଣାଳୟ ଖାରଜ କରି ଦେଇଛି । ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂସ୍ଥା (ଏନଜିଓ) ବିଦେଶୀ ଅନୁଦାନ ଗ୍ରହଣ ପାଇଁ ଏଫସିଆରଏ ଦ୍ୱାରା ପଂଜୀକୃତ ରହିବା ବାଧ୍ୟତାମୂଳକ ଏବଂ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ପଂଜୀକରଣକୁ ନିୟନ୍ତ୍ରଣ କରନ୍ତି । ଶୁକ୍ରବାର (ଡ଼ିସେମ୍ବର ୩୧) ସୁଦ୍ଧା ଦେଶର ୨୨,୭୬୨ ଏନଜିଓ (ବେସରକାରୀ ସ୍ୱେଚ୍ଛାସେବୀ ସଂସ୍ଥା) ଏଫସିଆରଏ ଆଇନରେ ପଂଜୀକୃତ ଥିଲେ । ଆଜି ଅର୍ଥତ ୨୦୨୨ ଜାନୁୟାରୀ ୧ ତାରିଖରେ ଏହି ସଂଖ୍ୟା ୧୬, ୮୨୯କୁ ଖସିଛି । କାରଣ, ଆଜି ୫,୯୩୩ ଏନଜିଓଙ୍କ ପଂଜୀକରଣ ବାତିଲ ହୋଇଛି । ଏଫସିଆରଏ ପଂଜୀକରଣ ବାତିଲ ହୋଇଥିବା ଅନ୍ୟ ସଂସ୍ଥା ଓ ସଂଗଠନଙ୍କ ମଧ୍ୟର ଦେଶରେ ବହୁ ସଂଖ୍ୟାରେ ହସ୍ପିଟାଲ ଚଳାଉ ଥିବା ଇମାନୁଏଲ ହସ୍ପିଟାଲ୍ସ ଆସୋସିଏସନ, ମେଡ଼ିକାଲ କାଉନସିଲ ଅଫ୍ ଇଂଡ଼ିଆ, ଟୁବରକୋଲୋସିସ୍ ଆସୋସିଏସନ ଅଫ୍ ଇଂଡ଼ିଆ, ବିଶ୍ୱ ଧର୍ମାୟତନ, ମହର୍ଷି ଆୟୁର୍ବେଦ ପ୍ରତିଷ୍ଠାନ, ନ୍ୟାସନାଲ ଫେଡେରେସନ ଅଫ୍ ଫିସରମ୍ୟାନ୍ସ କୋଅପରେଟିଭସ୍ ଲିମିଟେଡ଼, ଭାରତୀୟ ସଂସ୍କୃତି ପରିଷଦ, ଦିଲ୍ଲୀ ସ୍କୁଲ ଅଫ୍ ସୋସିଆଲ୍ ୱାର୍କ ସୋସାଇଟି, ଇଂଡ଼ିଆ ଇସଲାମିକ କଲଚରରାଲ୍ ସେଂଟର, ଦିଲ୍ଲୀ ପବ୍ଲିକ ସ୍କୁଲ ସୋସାଇଟି, ଜେଏନୟୁର ନ୍ୟୁକ୍ଲିଅର ସାଇନ୍ସ ସେଂଟର, ଅଲ୍ ଇଂଡ଼ିଆ ମାରୱାଡି ଯୁବ ମଂଚ ପ୍ରଭୃତି ଆନ୍ତର୍ଭୁକ୍ତ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ୬୦୦୦ରୁ ଅଧିକ ସଂସ୍ଥା ବା ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ)ଙ୍କ ଏଫସିଆରଏ ଲାଇସେନ୍ସର ସମୟ ଅବଧି ଶୁକ୍ରବାର ସରୁଥିବା ବେଳେ ଲାଇସେନ୍ସ ନବୀକରଣ ପାଇଁ ସେମାନେ ପୂର୍ବରୁ ଆବେଦନ କରି ନାହାନ୍ତି । ତେଣୁ, ସେମାନଙ୍କ ପଂଜୀକରଣ ରଦ୍ଦ ହୋଇଛି । ଅକ୍ସଫାମ୍ ଇଂଡ଼ିଆ ଟ୍ରଷ୍ଟ୍, ଜାମିଆ ମିଲିଆ ଇସଲାମିଆ, ଆଇଏମଏ (ଇଂଡ଼ିଆନ ମେଡ଼ିକାଲ ଆସେସେିଏସନ) ଓ ଇଂଡ଼ିଆ ଲେପ୍ରୋସି ମିସନ୍ ର ଏଫସିଆରଏ ଲାଇସେନ୍ସ ଗତ କିଛି ମାସ ତଳୁ ଅଚଳ ହୋଇ ସାରିଛି । ଏଭଳି ୧୨ ହଜାରରୁ ଅଧିକ ଏନଜିଓଙ୍କ ବିଦେଶୀ ଅନୁଦାନ ଗ୍ରହଣ ପଂଜୀକରଣ ଆଜି ରଦ୍ଦ ହୋଇଛି । ଯେଉଁ ଏନଜିଓଙ୍କ ଏଫସିଆରଏ ସାର୍ଟିଫିକେଟ୍ ସମୟ ଅବଧି ସରିଛି ସେଥିରେ ଅକ୍ସଫାମ୍ ଇଂଡ଼ିଆ ଟ୍ରଷ୍ଟ୍ ରହିଛି । ସରକାର ସେମାନଙ୍କ ପଂଜୀକରଣ ରଦ୍ଦ କରି ନାହାନ୍ତି ବୋଲି ଗୃହ ମନ୍ତ୍ରଣାଳୟ ସଫେଇ ଦେଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬, ୮୨୯ ଏନଜିଓଙ୍କ ଏଫସିଆରଏ ଲାଇସେନ୍ସ କାଏମ୍ ଥିବା ଏବଂ ଗତକାଲି ସେମାନଙ୍କ ଏଫସିଆରଏ ଲାଇସେନ୍ସ ୨୦୨୨ ମାର୍ଚ୍ଚ ୩୧ କିମ୍ବା ସେମାନଙ୍କ ଲାଇସେନ୍ସ ନବୀକରଣ ଆବେଦନର ବିଚାର ହେବା ପର୍ଯ୍ୟନ୍ତ ଲାଇସେନ୍ସକୁ କାଏମ୍ ରଖି ଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗତ ଡ଼ିସେମ୍ବର ୨୫ ତାରିଖ ଦିନ ମଦର ଟେରେସାଙ୍କ ‘ମିସନାରୀସ୍ ଅଫ୍ ଚ୍ୟାରିଟି’ର ଏଫସିଆରଏ ଲାଇସେନ୍ସ ନବୀକରଣ ପାଇଁ ମନା କରି ଦେବାରୁ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସଂସ୍ଥା ଦ୍ୱାରା ପରିଚାଳିତ ଗୁଜରାଟର ଏକ ଚିଲଡ୍ରେନ୍ସ ହୋମ୍ ନିର୍ଦେଶକ ସେଠାରେ ଅବସ୍ଥାନ କରୁଥିବା ବାଳିକାଙ୍କୁ ଧର୍ମାନ୍ତରୀକରଣ ଉଦ୍ୟମ କରି ଥିବା ନେଇ ଗତ ସପ୍ତାହରେ ପୁଲିସରେ ଅଭିଯୋଗ ହେବା ପରେ ଗୃହ ମନ୍ତ୍ରଣାଳୟ ‘ମିସନାରୀସ୍ ଅଫ୍ ଚ୍ୟାରିଟି’ର ଅନ୍ୟୁନ ୨୫୦ଟି ବ୍ୟାଙ୍କ ଆକାଉଂଟକୁ ଅଚଳ କରିଥିବା ଜଣାପଡିଛି । ଫଳରେ, ସଂସ୍ଥା ପକ୍ଷରୁ ଚାଲିଥିବା ବିଭିନ୍ନ ସେମାମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ନିଷ୍ପତ୍ତିର ପୁନର୍ବିଚାର ପାଇଁ ‘ମିସନାରୀସ୍ ଅଫ୍ ଚ୍ୟାରିଟି’ କୌଣସି ଅନୁରୋଧ ଆସିନି ବୋଲି ଗୃହ ମନ୍ତ୍ରଣାଳୟ କହିଛି । ଡ଼ିସେମ୍ବର ୨୫ ତାରିଖ ବଡ଼ ଦିନ ଅବସରରେ ‘ମିସନାରୀସ୍ ଅଫ୍ ଚ୍ୟାରିଟି’ର ଏଫସିଆରଏ ଲାଇସେନ୍ସକୁ ‘ଫ୍ରିଜ୍’ କରାଯିବା ଘଟଣାରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଥିବା ବେଳେ ଖ୍ରୀଷ୍ଟ ସଂପ୍ରଦାୟ ପ୍ରତି ସରକାରଙ୍କ ଏହା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଖ୍ରୀଷ୍ଟିଆନ୍ ମିସନାରୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କୁ ସୁହାଉ ନଥିବା ସଂସ୍ଥାଙ୍କୁ ଦମନ କରିବା ସକାଶେ କେନ୍ଦ୍ର ସରକାର ଏଫସିଆରଏ ଲାଇସେନ୍ସ ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନ କରୁଛନ୍ତି ବୋଲି ସେମାନେ କହିଛନ୍ତି । ‘ମିସନାରୀସ୍ ଅଫ୍ ଚ୍ୟାରିଟି’ ଗରିବ, ନିରାଶ୍ରୟ ଓ ସ୍ୱାମୀ ପରିତ୍ୟକ୍ତାଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କ ସେବା କରି ଆସୁଥିବା ଜଣାଶୁଣା କଥା । କେନ୍ଦ୍ର ସରକାର ‘ମିସନାରୀସ୍ ଅଫ୍ ଚ୍ୟାରିଟି’ର ଏଫସିଆରଏ ଲାଇସେନ୍ସ ନବୀକରଣ ନ କରିବାରୁ ଚ୍ୟାରିଟିର ବିଭିନ୍ନ ସେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେବେ, ଓଡ଼ିଶାରେ ସଂସ୍ଥାର ସେବାମୂଳକ କାର୍ଯ୍ୟ ଯେମିତି ବ୍ୟାହତ ନହେବ ତାହା ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିସନାରୀସ୍ ଅଫ୍ ଚ୍ୟାରିଟି’କୁ ତାଙ୍କ ରିଲିଫ୍ ପାଂଠିରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇ ମାନବସେବା ପ୍ରତି ତାଙ୍କ ଅଙ୍ଗୀକାରବଦ୍ଧତାର ପରିଚୟ ଦେଇଛନ୍ତି । ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଏହା ଉଦାହରଣ ହେବାକୁ ଯାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS