ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ତଦନ୍ତ ସରିଲାଣି, ଅତିଶୀଘ୍ର ରିପୋର୍ଟ ଆସିବା ସମ୍ଭାବନା
ପ୍ରସାଦ ରାଓ
ଜାନୁୟାରୀ ୦୨
୨୦୨୧ ଡ଼ିସେମ୍ବର ୮ ତାରିଖ ଦିନ ତାମିଲନାଡୁର ନଳଗିରି ପର୍ବତାଂଚଳରେ ଘଟି ଥିବା ବାୟୁସେନା ହେଲକପ୍ଟର ଦୁର୍ଘଟଣାର ତଦନ୍ତ ପ୍ରାୟତଃ ସରି ଆସି ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ (ସିଡ଼ିଏସ୍) ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୨ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବାୟୁସେନାର ଭିଭିଆଇପି ସେବାରେ ନିୟୋଜିତ ହେଉଥିବା ଅତ୍ୟନ୍ତ ଶକ୍ତିଶାଳୀ ଓ ସୁରକ୍ଷିତ ରୁଷ୍ ନିର୍ମିତ ଦୁଇ ଇଂଜିନ ବିଶିଷ୍ଟ ଏମଆଇ-୧୭ ଭି୫ ହେଲିକପ୍ଟର ଡ଼ିସେମ୍ବର ୮ ତାରିଖ ମଧ୍ୟାହ୍ନରେ ସିଡ଼ିଏସ୍ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ବାୟୁସେନା ଅଧିକାରୀଙ୍କୁ ଧରି ସୁଲୁର ତାମିଲନାଡୁର ବାୟୁସେନା ଘାଟିରୁ କୁନ୍ନୁର ନିକଟସ୍ଥ ୱେଲିଂଟନ ଡ଼ିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଅଭିମୁଖେ ଯାତ୍ରା କରୁଥିବା ବେଳେ ନୀଳଗିରି ପାର୍ବାତ୍ୟାଂଚଳ ରେଂଜରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ, ସିଡ଼ିଏସ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୧ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାୟୁସେନା ଗୃପ୍ କ୍ୟାପଟେନ୍ ବରୁଣ ସିଂହ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପରେ, ବେଂଗାଲୁରୁ ସ୍ଥିତ ବାୟୁସେନାର କମାଂଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଜେନେରାଲ ରାୱତ ୱେଲିଂଟନ ସ୍ଥିତ ଡ଼ିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ହେଲକପ୍ଟର ସେଠାରେ ଅବତରଣ କରିବାର ମାତ୍ର ୭ମିନିଟ ପୂର୍ବରୁ ଏହି ଦୁଃଖଦ ଘଟଣା ଘଟି ଥିଲା । ନୀଳଗିରି ପାର୍ବତ୍ୟାଂଚଳରେ ଘନ କୁହୁଡ଼ି ଓ ଅତ୍ୟନ୍ତ ଖରାପ ପାଗ ଯୋଗୁଁ ହେଲକପ୍ଟରଟି ନିୟନ୍ତ୍ରଣହୀନ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲେ ମଧ୍ୟ ଦୁର୍ଘଟଣା ପଛରେ ଅନ୍ୟ ମାନବିକ କାରଣ ମଧ୍ୟ ଥାଇ ପାରେ ବୋଲି ସନ୍ଦେହ ପ୍ରକାଶ ପାଇବାରୁ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବାୟୁସେନା କର୍ତ୍ତୃପକ୍ଷ ଏହାର ‘କୋର୍ଟ ଅଫ୍ ଇନକ୍ୱାରୀ’ ଆଦେଶ ଦେଇଥିଲେ । ବାୟୁସେନାର ଦକ୍ଷ ପାଇଲଟ୍ ଏୟାର ମାର୍ଶାଲ ମାନବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ତିନି ବାହିନୀ ପକ୍ଷରୁ ମିଳିତ ତଦନ୍ତ ଚାଲି ଥିଲା । ତଦନ୍ତ ପ୍ରାୟତଃ ସରି ଆସିଥିବା ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ବା ବିମାନ ବାହିନୀ ପକ୍ଷରୁ ଏସଂପର୍କରେ ଅଧିକୃତ ଭାବେ ଏଯାବତ୍ କୌଣସି ବିବୃତି ଆସି ନଥିଲେ ମଧ୍ୟ ତଦନ୍ତ ପ୍ରାୟ ସରି ଥିବା ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । ଏହି ସୂତ୍ରକୁ ଆଧାର କରି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲକପ୍ଟରରେ କୌଣସି ଟେକ୍ନିକାଲ ବା ମେକାନିକାଲ ତୃଟି ଥିବା ସମ୍ଭାବନାକୁ ତଦନ୍ତକାରୀ ଅଧିକାରୀମାନେ ଅଗ୍ରାହ୍ୟ କରିଥିବା ବେଳେ ମାତ୍ରାଧିକ କୁହୁଡି ଓ ଖରାପ ପାଗ ଯୋଗୁଁ ଭିଜିବୁଲିଟି କମି ଯାଇ ଦୁର୍ଗମ ପାର୍ବତ୍ୟାଂଚଳରେ ହେଲିକପ୍ଟରଟି ବାଟବଣା ହେବା ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସମ୍ଭାବନାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ତଦନ୍ତ ରିପୋର୍ଟକୁ ଚୂଡାନ୍ତ କରି ଦାଖଲ କରିବାକୁ ବାୟୁସେନାର କାନୁନ୍ ବିଭାଗ ତଦନ୍ତକାରୀ ଦଳକନ୍ନିକଟରେ ପରାମର୍ଶ ଦେଇଥିବାରୁ ୫ ଦିନ ମଧ୍ୟରେ ଏହି ରିପୋର୍ଟ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର.ଚୌଧୁରୀଙ୍କ ନିକଟରେ ଦାଖଲ ହେବା ଆଶା କରାଯାଉଛି । ଏହି ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା, ବ୍ରିଗେଡ଼ିର ଏଲ.ଏସ.ଲିଡ଼େରଙ୍କ ସମେତ ମୋଟ ୧୪ ଜଣ ପ୍ରାଣ ହରାଇଛନ୍ତି । ସଂପୂର୍ଣ୍ଣ ସାମରିକ ସମ୍ମାନ ସହ ସମସ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS