ମୁସଲିମ୍ ମହିଳାଙ୍କୁ ଟାର୍ଗେଟ୍: ବେଂଗାଲୁରୁ ଇଂଜିନିୟରିଂ ଛାତ୍ର ଗିରଫ


ପ୍ରସାଦ ରାଓ
ଜାନୁୟାରୀ ୦୪
ଅତ୍ୟନ୍ତ ନିମ୍ନରୁଚିର ଆପ୍ ‘ବୁଲ୍ଲିବାଇ’ ମାଧ୍ୟମରେ ବିଭିନ୍ନ ବୟସ ବର୍ଗର ମୁସଲିମ୍ ମହିଳାଙ୍କୁ ଟାର୍ଗେଟ୍ କରିଥିବା ବେଂଗାଲୁରୁର ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି । ବିଶାଳ ଝା ନାମକ ସଂପୃକ୍ତ ଛାତ୍ରଙ୍କୁ ଗତକାଲି ପ୍ରଥମେ ବେଂଗାଲୁରରେ ଅଟକ ରଖାଯିବା ପରେ ମୁମ୍ବାଇ ଅଣାଯାଇ ଜେରା କରାଯାଉଛି । ଏହି କୁତ୍ସିତ କାର୍ଯ୍ୟରେ ସଂପୃକ୍ତ ଥିବା ଆଉ ଜଣକୁ ମଧ୍ୟ ମୁମ୍ବାଇ ପୁଲିସ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି । ଯେଉଁ ମୁସଲିମ୍ ଯୁବତୀ ଓ ମହିଳାମାନେ ବିଭିନ୍ନ ଚର୍ଚ୍ଚିତ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଖୋଲାଖୋଲି ସ୍ୱମତ ରଖି ଆସୁଥିଲେ ସେମାନଙ୍କୁ ଏହି ‘ଆପ୍’ ମାଧ୍ୟମରେ ଟାର୍ଗେଟ୍ କରାଯାଇଛି । ‘ଗିଟହବ୍’ ନାମକ ପ୍ଲାଟଫର୍ମ ମାଧମରେ ପ୍ରସାରିତ କୁତ୍ସିତ ବୁଲିବାଇ ‘ଆପ୍’ରେ ସଂପୃକ୍ତ ମୁସଲିମ୍ ଯୁବତୀ ଓ ମହିଳାଙ୍କ ଫଟୋ ଅପ୍ଲୋଡ୍ କରାଯାଇ ସେମାନଙ୍କ ‘ଅନଲାଇନ୍’ ଅକ୍ସନ୍ ହେବା ଦର୍ଶାଯିବା ସହ ସେମାନଙ୍କ ସଂପର୍କରେ ଅଶ୍ଲୀଳ ଟିପ୍ପଣୀମାନେ ଦିଆଯାଇଛି । ‘ବୁଲ୍ଲିବାଇ’ ଆପ୍ ରେ ଅନଲାଇନ୍ ଅକ୍ସନ୍ ତାଲିକାରେ ସେମାନଙ୍କ ଫର୍ଜି ଫଟୋ ଥିବା ଦେଖି କିଛି ମୁସଲିମ୍ ମହିଳା ଜାନୁୟାରୀ ୧ ତାରିଖ ଦିନ ଅଭିଯୋଗ କରିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ମୁମ୍ବାଇ ପୁଲିସରେ ଏତଲା ହେବା ପରେ ପୁଲିସ ଏହାର ତଦନ୍ତ କରି ବିଶାଳ ଝା ନିକଟରେ ପହଂଚିଛନ୍ତି । ଗିରଫ ବିଶାଳ ଝା ଅଶ୍ଲୀଳ ଓ ଘୃଣ୍ୟ କାର୍ଯ୍ୟରେ ସହ-ଅଭିଯୁକ୍ତ ରହିଛି । ସେ ମୁଖ୍ୟ ଅଭିଯୁକ୍ତ ସହ ଲଗାତର ସଂପର୍କରେ ଥିଲା ବୋଲି ମୁମ୍ବାଇ ପୁଲିସ କହିଛନ୍ତି । ‘ବୁଲ୍ଲିବାଇ ଆପ୍’ରେ ଅନ୍ ଲାଇନ୍ ‘ଅକ୍ସନ୍’ ପାଇଁ ଅପଲୋଡ୍ ହୋଇଥିବା ଫଟୋ ଓ ଅନଲାଇନ୍ ଅକ୍ସନ୍ ତାଲିକାରେ ଥିବା ମୁସଲିମ୍ ମହିଳାଙ୍କ ମଧ୍ୟରେ କିଛି ପୁରୁଖା ସାମ୍ବାଦିକା, ସାମାଜିକ କାର୍ଯ୍ୟକର୍ତ୍ତା ଓ ଆଇନଜୀବୀଙ୍କ ନାମ ରହିଥିବା ଜଣାପଡିଛି । ଗତ ବର୍ଷ ‘ସୁଲ୍ଲି ଡ଼ିଲ୍ସ୍’ ନାମକ ଏଭଳି ଏକ ୁତ୍ସିତ ‘ଆପ୍’ ‘ଗିଟହବ୍’ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରିତ ହୋଇ ଦେଶରେ ଚହଳ ପକାଇ ଥିଲା । ଦକ୍ଷିଣପନ୍ଥୀମାନେ ମୁସଲିମ ମହିଳାଙ୍କ ପ୍ରତି ଅପମାନସୂଚକ ‘ସୁଲ୍ଲି’ ଟିପ୍ପଣୀ ବ୍ୟବହାର କରିଥା’ନ୍ତି । ‘ବୁଲ୍ଲିବାଇ’ ହେଉଛି ‘ସୁଲ୍ଲି ଡ଼ିଲ୍ସ’ର ଏକ ନକଲ ବୋଲି କୁହାଯାଉଛି । ଶିଖ୍ ସଂପ୍ରଦାୟ ସହ ଏହି ଆପ୍ ର କୌଣସି ସଂପର୍କ ନାହିଁ । ଅଭିଯୁକ୍ତ ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବା ସକାଶେ ଖାଲିସ୍ତାନୀ ଗୋଷ୍ଠୀଙ୍କ ଆଡକୁ ନଜର ହଟାଇବା ପାଇଁ ‘ଆପ୍’କୁ ଡ଼ିଜାଇନ୍ କରିଥିବା ମୁମ୍ବାଇ ପୁଲିସ କହିଛନ୍ତି । ‘ବୁଲ୍ଲିବାଇ ଆପ୍’ରେ ମୁସଲିମ୍ ମହିଳା ଓ ଯୁବତୀଙ୍କ ଫଟୋ ଅପଲୋଡ୍ କରାଯାଇ ଅଶ୍ଲୀଳ ମନ୍ତବ୍ୟ ଦିଆଯିବା ସହ ‘ଅକ୍ସନ୍’ ପାଇଁ ଥିବା ଦର୍ଶାଯିବା ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶିବସେନା ଏମପି ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ଦେଶର ବିଭିନ୍ନ ବିରୋଧୀ ଦଳର ନେତା ସାପସନ୍ଦ କରିବାରୁ ଏବଂ ଏଭଳି କୁତ୍ସିତ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଭଳି କୁତ୍ସିତ କାର୍ଯ୍ୟରେ ଲିପ୍ତ ଲୋକଙ୍କ ବିରୋଧରେ ତଦନ୍ତ କରାଯାଇ ତୁରନ୍ତ ଗିରଫ କରାଯିବାକୁ ଓ ପୀଡ଼ିତ ମୁସଲିମ ମହିଳାଙ୍କୁ ନ୍ୟାୟ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହେବା ପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ବିବୃତି ରଖି ସଂପୃକ୍ତ ଆପ୍ ପ୍ରସାରିତ ହେଉଥିବା ‘ଗିଟହବ୍’ ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଥିବା ସୂଚନା ଦେଇଥିଲେ । ପରବର୍ତ୍ତୀ ତଦନ୍ତ କାର୍ଯ୍ୟକୁ ମଧ୍ୟ ସଂଯୋଜନା କରାଯାଉଛି ବୋଲି ମନ୍ତ୍ରୀ ବୈଷ୍ଣବ କହିଥିଲେ । ମୁମ୍ବାଇ ଓ ଦିଲ୍ଲୀ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଏହାର ତଦନ୍ତ କରାଯାୁଥିବା ବେଳେ ଦିଲ୍ଲୀ ମହିଳା କମିସନ ପକ୍ଷରୁ ପୁଲସ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି । ଗତବର୍ଷ ‘ସୁଲ୍ଲି ଡ଼ିଲ୍ସ’ ଆପ୍ ମାଧ୍ୟମରେ ଏଭଳି କୁତ୍ସିତ ମାନସିକତାର ପ୍ରସାରଣ ହୋଇଥିବା ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଂଚି ନପାରି ନିରବ ରହିଥିଲେ । ତେଣୁ, ଅପରାଧୀଙ୍କ ଦମ୍ଭ ବଢିଲା ଏବଂ ଆଉ ଏକ ନକଲି ଆପ୍ ‘ବୁଲ୍ଲିବାଇ’ ମାଧ୍ୟମରେ ମୁସଲିମ୍ ମହିଳାଙ୍କୁ ସମାନ ଭାବେ ଟାର୍ଗେଟ୍ କଲେ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି । ଉତ୍ତରାଖଣ୍ଡରେ ଗୋଟିଏ ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଘୃଣାଭାବ ପ୍ରସାରିତ କରିବା ଅଭିଯୋଗରେ ସେଠାକାର ପୁଲିସ କିଛି ହିନ୍ଦୁତ୍ୱବାଦୀଙ୍କୁ ଗିରଫ କରିଥିବା ବେଳେ ମୁମ୍ବାଇ ପୁଲିସ ‘ବୁଲ୍ଲିବାଇ’ ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କୁ ଟାର୍ଗେଟ୍ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସଂଖ୍ୟାଲଘୁ ସଂପ୍ରଦାୟର ମନୋବଳ ବଢାଇବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS