ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ, ବିଜେପି ଚେତିଲେ !
ପ୍ରସାଦ ରାଓ
ଜାନୁୟାରୀ ୦୫
ଫେବୃୟାରୀ ଶେଷ ଆଡକୁ ୟୁପି ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାସକ ବିଜେପି ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ସଂପୃକ୍ତ ରାଜ୍ୟଗୁଡିକରେ ମାସେରୁ ଅଧିକ ସମୟ ହେଲା ବଡ଼ ଧରଣର ରାଜନୈତିକ ସଭା-ସମିତି, ସମାବେଶମାନ ଚାଲିଛି । ଶାସକ ଦଳ ପକ୍ଷରୁ ବିଭିନ୍ନ ମନ୍ଦିର ଓ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ମଧ୍ୟ ଚାଲିଛି । ଉଭୟ ଶାସକ ଓ ବିରୋଧୀ ନିର୍ବାଚନ ମଇଦାନରେ ନିଜ ନିଜ ଶକ୍ତି ପ୍ରଦର୍ଶନର ସୁଯୋଗ ହାତଛଡା କରିବାକୁ ପ୍ରସ୍ତୁତ ନୁହନ୍ତି । କୋଭିଡ଼ ପରିସ୍ଥିତି ସେମାନଙ୍କୁ ଆତଙ୍କିତ କରୁନି । ଚିନ୍ତାଶୂନ୍ୟ ରାଜନେତା ଲକ୍ଷ ଲକ୍ଷ ସମର୍ଥକଙ୍କୁ ନେଇ ସମାବେଶ ସବୁ ଆୟୋଜନ କରୁଥିବା ମହାମାରୀର ବଳ ବଢାଉଛି । ଗଣମାଧ୍ୟମରେ ଏହାର କଟୁ ସମାଲୋଚନା ହେବା ସତ୍ତ୍ୱେ ଶାସକ ବା ବିରୋଧୀ ଚେତି ନାହାନ୍ତି । ତେବେ, ଆଜି ହଠାତ୍ ସେଥିରେ ‘ଟ୍ୱିଷ୍ଟ୍’ ଆସିଛି ।
ଦେଶରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ କଂଗ୍ରେସ ଦଳ ତାହାର ରାଜନୈତିକ ସମାବେଶ ସବୁ ସ୍ଥଗିତ ରଖିବାକୁ ଆଜି ଘୋଷଣା କରିଥିବା ବେଳେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର କାଲି ହେବାକୁ ଥିବା ଏକ ସରକାରୀ ଉତ୍ସବକୁ ବାତିଲ କରି ଦେଶବାସୀଙ୍କୁ ଚକିତ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦଳର ଜାତୀୟ ସାଧାରଣ ସଂପାଦକ କେ.ସି.ବେଣୁଗୋପାଳ ୟୁପି ସମେତ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ଦଳର ରାଜନୈତିକ ସମାବେଶ ସବୁ ସାମୟିକ ସ୍ଥଗିତ ରହିଲା ବୋଲି ଆଜି ଘୋଷଣା କରିବା ସହ ରାଜ୍ୟର ବାସ୍ତବ କୋଭିଡ଼ ସ୍ଥିତି ଅନୁଧ୍ୟାନ କରି ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ରାଜନୈତିକ କାର୍ଯ୍ୟକ୍ରମ ସବୁ ଆଗକୁ ନିଆଯିବ କି ସ୍ଥଗିତ ରହିବ ତାହାର ନିଷ୍ପତ୍ତି ନେବାକୁ ଦଳର ରାଜ୍ୟ ଶାଖାଗୁଡିକୁ ନିର୍ଦେଶ ଦେଇଛନ୍ତି । ଅପରପକ୍ଷରେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ଼ ସଂକ୍ରମଣ ବୃଦ୍ଧି ଯୋଗୁଁ ଗୁରୁବାର ଦିନ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ହେବାକୁ ଥିବା ଏକ ସରକାରୀ ଉତ୍ସବକୁ ବାତିଲ କରାଗଲା ବୋଲି ସୂଚନା ଦେଇଛନ୍ତି । ୟୁପିର ବରେଲି ଜିଲ୍ଲାରେ ମଂଗଳବାର କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ମହିଳା ମାରାଥନ୍ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ କିଛି ମହିଳା ଓ ବାଳିକା ଆହତ ହେବା ପରେ କଂଗ୍ରେସ ସମାବେଶ ଆୟୋଜନରେ ଏହି ‘ଟ୍ୱିଷ୍ଟ୍’ ଆସି ଥିବା ଅନୁମାନ କରାଯାଉଛି ।
ଦେଶରେ ‘ଓମିକ୍ରନ୍’ ସଂକ୍ରମଣ ଦୃତ ଗତିରେ ବଢିବା ସହ ଫେବୃୟାରୀ ମଧ୍ୟଭାଗରେ ଏହା ଶୀର୍ଷ ଛୁଇଁବା ନେଇ ଆକଳନ କରାଯାଉଥିବା ବେଳେ ଫେବୃୟାରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ସମାବେଶମାନ ଆୟୋଜନ କରାଯାଇ ଲକ୍ଷାଧିକ ଜନସମାଗମ କରାଯିବା ଚିନ୍ତାର ବିଷୟ ରହିଛି । ୟୁପିରେ ଶାସକ ଦଳ ପକ୍ଷରୁ ମାରାଥନ୍ ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚାଲିଛି । ବିରୋଧୀ ଦଳ ମଧ୍ୟ ବୃହତ ରାଜନୈତିକ ସମାବେଶମାନ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବା ମାଧ୍ୟମରେ କୋଭିଡ଼ର ତୃତୀୟ ଲହରକୁ ଆମନ୍ତ୍ରଣ କରୁଥିବା ସମାଲୋଚନା ହେଉଛି । ଯେଉଁ ନେତାମାନେ ଟିଭି ପରଦାରେ ଦେଶରେ ‘ଓମିକ୍ରନ୍’ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଚିନ୍ତା ପ୍ରକଟ କରିବା ସହ ଜନସାଧାରଣଙ୍କୁ ‘ମାସ୍କ୍’ରେ ମୁହଁ ଢାଂକିବାକୁ ଓ ପରସ୍ପରଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଉଛନ୍ତି ସେହିମାନେ ୟୁପି, ପଂଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ନିର୍ବାଚନ ମଇଦାନରେ ‘କୋଭିଡ଼ ପ୍ରେଟୋକଲ୍’କୁ ‘ଫୁ’ କରି ଲକ୍ଷାଧିକ ଜନସମାଗମ କରୁଥିବା, ‘ମାସ୍କ୍’ ପିନ୍ଧୁ ନଥିବା ଏବଂ ସାମଜିକ ଦୂରତା ରକ୍ଷା ହେଉନଥିବା ଦୃଶ୍ୟ ନେତାଙ୍କ ଦୋମୁହାଁ ନୀତିର ପରିଚୟ ଦେଉଛି । କୋଭିଡ଼ ପ୍ରୋଟୋକଲ୍ ଏପ୍ରକାର ଉଲଂଘନ ଆଗାମୀ ଦିନରେ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।
ନେତାମାନେ ନିଜ ରାଜନୈତିକ ଫାଇଦା ପାଇଁ ଜନତାଙ୍କ ଜୀବନକୁ ଦୁଃସ୍ଥିତି ଭିତରକୁ ଠେଳି ଦେଉଥିବା ନେଇ ଗଣମାଧ୍ୟମରେ ସମାଲୋଚନା ସତ୍ତ୍ୱେ ତାହାର ପ୍ରଭାବ ନେତାଙ୍କ ଉପରେ ଦେଖିବାକୁ ମିଳି ନାହିଁ । ସମାଲୋଚନାରୁ ବର୍ତ୍ତିବା ପାଇଁ ସେମାନେ ଭାରତୀୟ ନିର୍ବାଚନ କମିସନ୍ ଙ୍କୁ ଦାୟି କରୁଥିବା ବେଳେ ନିର୍ବାଚନ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ରାଜନୈତିକ ସମାବେଶ ଉପରେ ଅଂକୁଶ ଲଗାଇବା କ୍ଷମତା ‘ଆମର ନାହିଁ’ ବୋଲି ନିର୍ବାଚନ କମିସନ୍ ସ୍ପଷ୍ଟ କରିଛନ୍ତି । ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ହେଉଛି କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ- ସରକାରଙ୍କର । ନିର୍ବାଚନ ତାରିଖ ଘୋଷଣା ପରେ ହିଁ କମିସନ୍ ଆଦର୍ଶ ଅଚରଣ ବିଧି ଲାଗୁ କରିବା ସହ କୋଭିଡ଼ ପୋ୍ରଟୋକଲ୍ ଅନୁସାରେ ଏସଓପି ଜାରି କରିପାରିବେ । ଏଭଳି ସ୍ଥିତିରେ ରାଜନୈତିକ ଦଳଙ୍କ ସମାବେଶଗୁଡିକ ଉପରେ କେମିତି ରୋକ୍ ଲଗିବ, ତାହା ବଡ଼ ପ୍ରଶ୍ନ ହୋଇଛି । କଂଗ୍ରେସ ଆଜି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ରାଜନୈତିକ ସମାବେଶ ସ୍ଥଗିତ ରଖିବାକୁ ଘୋଷଣା କରିଥିବା ବେଳେ ୟୁପି ସରକାର ଗୁରୁବାର ହେବାକୁ ଥିବା ସରକାରୀ ଉତ୍ସବକୁ ବାତିଲ କରି ବିଳମ୍ବରେ ହେଲେ ଚେତିଥିବା ସଂକେତ ଦେଇଛନ୍ତି ।
ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ଦଳର ସମାବେଶ ସ୍ଥଗିତ ରହିଲା ବୋଲି କଂଗ୍ରେସ ସାଧାରଣ ସଂପାଦକ ବେଣୁଗୋପାଳ ଆଜି ସୂଚନା ଦେବା ସହ କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ବଡ଼ ବଡ଼ ରାଜନୈତିକ ସମାବେଶ ଉପରେ ନିର୍ବାଚନ କମିସନ୍ ରୋକ୍ ଲଗାଇବାକୁ କଂଗ୍ରେସର ରାଜ୍ୟ ନିର୍ବାଚନ କମିଟି ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରାଙ୍କୁ ଚିଠି ଲେଖି କହିଛନ୍ତି । ଅପରପକ୍ଷରେ, ଦେଶରେ କୋଭିଡ଼ ସଂକ୍ରମଣ ଚିନ୍ତାଜନକ ଭାବେ ବଢୁ ଥିବାରୁ ଏବଂ ଫେବୃୟାରୀ ମଧ୍ୟଭାଗରେ ତାହା ଶୀର୍ଷ ଛୁଇଁବା ନେଇ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ଫେବୃୟାରୀ ଆଡକୁ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ଅନ୍ତତଃ ଦୁଇ ତିନି ମାସ ଘୁଂଚାଇ ଦିଆଯାଉ କିମ୍ବା ରାଜନୈତିକ ସମାବେଶଗୁଡିକ ଉପରେ ଅଂକୁଶ ଲଗାଯାଉ ବୋଲି ଆଲହାବାଦ୍ ହାଇକୋର୍ଟର ଜଣେ ବିଚାରପତି ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ଅନୁରୋଧ କରିଥିଲେ ।
କେନ୍ଦ୍ର ସରକାର ଆଜି ସୁଦ୍ଧା ଏହାର ଉତ୍ତର ରଖି ନାହାନ୍ତି । ଅପରପକ୍ଷରେ, ଦେଶର ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା ଓ ତାଙ୍କ ସହଯୋଗୀ ଅଧିକାରୀମାନେ ସାଂପ୍ରତିକ କୋଭିଡ଼ ପରିସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା କରବା ସହ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକୁ ଗସ୍ତ କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିର୍ଦ୍ଧାରିତ ସମୟରେ ହିଁ ନିର୍ବାଚନ ହେବ ବୋଲି ଘୋଷଣା କରି ନିଜର ମତ ସ୍ପଷ୍ଟ କରିଛନ୍ତି । ଏଭଳି ସ୍ଥିତିରେ ରାଜନୈତିକ ଦଳଙ୍କ ଦାୟିତ୍ୱ ବଢିଛି । କଂଗ୍ରେସ ଓ ବିଜେପି ଆଜିର ଘୋଷଣା ମାଧ୍ୟମରେ ରାଜନୈତିକ ପରିପକ୍ୱତା ଦେଖାଇ ଥିବା ବେଳେ ଅନ୍ୟ ରାଜନୈତିକ ଦଳଙ୍କ ପ୍ରତିକ୍ରିୟା କିଭଳି ରହିବ ତାହା ଆଗାମୀ ଦିନରେ ହିଁ ଜଣାପଡିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS