ସୁରକ୍ଷା ତୃଟି ନା ଆଉ କିଛି ?
ପ୍ରସାଦ ରାଓ
ଜାନୁୟାରୀ ୦୬
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାରର (୫ ତାରିଖ) ପଂଜାବ ଗସ୍ତ ସମୟରେ ଭଟିଣ୍ଡା-ଫିରୋଜପୁର ରାସ୍ତାରେ ଘଟି ଥିବା ଅଭବନୀୟ ଘଟଣା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ରାସ୍ତାରେ ଯିବା ସମୟରେ ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ଫ୍ଲାଏଓଭର୍ ଉପରେ ୧୫ରୁ ୨୦ ମିନିଟ ଅଟକି ରହି ଥିଲା । ପ୍ରଧାନମନ୍ତ୍ରୀ କିଛି ସମୟ ସେଠାରେ ଅଟକି ରହିବା ପରେ ଫିରୋଜପୁର କାର୍ଯ୍ୟକ୍ରମ ଓ ଜନସଭାକୁ ବାତିଲ କରି ଭଟିଣ୍ଡା ବିମାନ ବନ୍ଦରକୁ ଫେରିବା ସହ ସେଠାରୁ ଦିଲ୍ଲୀ ଫେରି ଥିଲେ । ପଂଜାବ ସରକାର ଜାଣିଶୁଣି ଚାଷୀଙ୍କୁ ରାସ୍ତା ଅବରୋଧ ସୁଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ଅସୁରକ୍ଷା ମଧ୍ୟକୁ ଠେଲି ଦେଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଛି । ଗୃହ ମନ୍ତ୍ରୀ ଅମିତ ଶାହା ଏହାକୁ ବଡ଼ ଧରଣର ସୁରକ୍ଷା ତୃଟି ଦର୍ଶାଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ।
କାଲିର ଘଟଣା ପାଇଁ କଂଗ୍ରେସ ଦଳ ଓ ପଂଜାବ ସରକାର ଦେଶବାସୀଙ୍କ ନିକଟରେ କ୍ଷମାଭିକ୍ଷା କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ବିଜେପି ମନ୍ତ୍ରୀ ଓ ବରିଷ୍ଠ ନେତା ଦାବି କରିଥିବା ବେଳେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ପ୍ରକାର ତୃଟି ହୋଇନଥିବା ଦର୍ଶାଇ ଫିରୋଜପୁର ଜନସଭାରେ ଲୋକ ନ ହେବାରୁ ପ୍ରଧାନମନ୍ତ୍ରୀ ରାସ୍ତା ଅବରୋଧ ବାହାନାରେ ଜନସଭା ବାତିଲ କରି ଦିଲ୍ଲୀ ଫେରିଗଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ।
ଫେବୃୟାରୀ ମାସରେ ପଂଜାବ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଗତକାଲି ଉପୁଜି ଥିବା ଅସ୍ୱାଭାବିକ ପରିସ୍ଥିତି କେନ୍ଦ୍ର (ବିଜେପି) ଓ ପଂଜାବର କଂଗ୍ରେସ ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଛି । ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପ୍ରତିକ୍ରିୟା ଥିଲା, ଫିରୋଜପୁର ଜନସଭାକୁ ସଂବୋଧିତ କରିବା ସକାଶେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ଯିବାର ଥିଲା । ପାଗ ଖରାପ ଯୋଗୁଁ ସେଥିରେ ଅଚାନକ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ଭଟିଣ୍ଡାରୁ ଫିରୋଜପୁର ସଡ଼କ ପଥରେ ଯିବା ଧାର୍ଯ୍ୟ ହେଲା । ରାଜ୍ୟ ସରକାର ସୂଚନା ପାଇବା ପରେ ୧୧୧ କିମି ସଡ଼କ ପଥରେ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିଥିଲେ । ତେବେ, ରାଜ୍ୟ ପୁଲିସର ଭୂମିକା ସୀମିତ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଏସପିଜି ନିୟନ୍ତ୍ରଣରେ ଥିବାରୁ ବୁଧବାର ଘଟଣା ପାଇଁ ରାଜ୍ୟ ପୁଲିସକୁ ଦାୟି କରାଯିବା ଠିକ୍ ନୁହେଁ । ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁଁ କାର୍କେଡ଼ ଏକ ଫ୍ଲାଏଓଭର ଉପରେ ୧୫ରୁ୨୦ ମିନିଟ ଫସି ରହିଲା ସିନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ପ୍ରକାର ଆଂଚ ଆସିନି ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତି ବାଢିଛନ୍ତି ।
‘ସେ ହେଉଛନ୍ତି ଆମର ପ୍ରଧାନମନ୍ତ୍ରୀ । ଜଣେ ପଂଜାବୀ ହିସାବରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ରଖିବା ସକାଶେ ଆମେ ଜୀବନ ଦେବାକୁ ପ୍ରସ୍ତୁତ । ତେବେ, କାଲି ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି କୌଣସି ବିପଦ ନଥିଲା’ ବୋଲି ଚନ୍ନି ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ଅନେକଙ୍କୁ ବିସ୍ମିତ କରିଛି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସେ ନିଜେ ଭଟିଣ୍ଡା ଯିବା କଥା । କିନ୍ତୁ, ତାଙ୍କ ପରିବାର ଲୋକ ଓ ସମର୍ଥକ କୋଭିଡ଼ ଆକ୍ରାନ୍ତ ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ପଠାଇ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତକାଲିର ଘଟଣାକୁ ନେଇ କେନ୍ଦ୍ର ସରକାର ଓ ପଂଜାବ ସରକାରଙ୍କ ମଧ୍ୟରେ ପରିସ୍ପର ପ୍ରତି ଦୋଷାରୋପ ଚାଲି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ୍ ଗୃପ୍) ରାଜନୀତି ଭିତରକୁ ଟାଣି ହୋଇଛି ।
ଜଣେ ରାଷ୍ଟ୍ରୀୟ ନେତାଙ୍କ ସୁରକ୍ଷା ଏସପିଜିର ‘ବ୍ଲୁ ବୁକ୍’ ମାନୁଆଲ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଯେଉଁ ତୃଟି ବିଚ୍ୟୁତି ଘଟିଲା ସେଥିପାଇଁ ଏସପିଜି ଦାୟି ବୋଲି ପଂଜାବ ସରକାର କହୁଛନ୍ତି । ଭିଭିଆଇପି ସୁରକ୍ଷା ପାଇଁ ଅନୁସରଣ ହେଉଥିବା ଏସପିଜିର ‘ବ୍ଲୁ ବୁକ୍’ ମାନୁଆଲ୍ କୁ ଗତକାଲି ଅଣଦେଖା କରାଯାଇଥିବା ଚର୍ଚ୍ଚା ହେଉଛି । ‘ବ୍ଲୁ ବୁକ୍’ ମାନୁଆଲ୍ ଅନୁଯାୟୀ ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟ ଗସ୍ତରେ ଯିବା ସମୟରେ ତାଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ପୁଲିସ ମହାନିର୍ଦେଶକଙ୍କୁ ଗସ୍ତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଆଗୁଆ ସୂଚିତ କରିଥାଏ । ଆଡ଼ଭାନ୍ସ ଲିଆସନ୍ ଟିମ୍ ମାସକ ପୂର୍ବରୁ ମିଳିତ ବୈଠକ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଥା’ନ୍ତି ।
ଗସ୍ତର ଆନ୍ତତଃ ୪୮ ଘଂଟା ପୂର୍ବରୁ ସଂପୃକ୍ତ ରାଜ୍ୟରେ ଏସପିଜି ନେତୃତ୍ୱରେ ସିକ୍ୟୁରିଟି ଡ୍ରିଲ୍ ହୋଇଥାଏ । ରାଜ୍ୟ ପୁଲିସ ଓ ଅନ୍ୟ ଅଧିକାରୀଏଥିରେ ସାମିଲ ଥାଆନ୍ତି । ରାଜ୍ୟ ପୁଲିସର ସହଯୋଗରେ ଏସପିଜି ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ । ଭିଭିଆଇପି ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯବା ସହ ଭିଭିଆଇପି ଯିବାକୁ ଥିବା ରାସ୍ତାକୁ ସେନ୍ସିଟାଇଜ୍ କରାଯାଏ । ଏହା ଏସପିଜିର ଦାୟିତ୍ୱ ଥିବା ବେଳେ ଗତକାଲି କେଉଁ କାରଣରୁ ସେଥିରେ ବ୍ୟତିକ୍ରମ ଘଟିଲା, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ରାଜ୍ୟ ପୁଲିସ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ଭଟିଣ୍ଡାରୁ ଫିରୋଜପୁର ହେଲକପ୍ଟରରେ ଯିବାର ଥିଲା । ପାଗ ମେଘୁଆ ଥିବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ହେଲକପ୍ଟରରେ ନଯାଇ ସଡ଼କ ପଥରେ ଫିରୋଜପୁର (୧୧୧ କିମି) ଯିବାକୁ ନିର୍ଣ୍ଣୟ ନେଲେ । ଏକ କଳା ଟୟୋଟା ଗାଡ଼ିରେ ପ୍ରଧାନମନ୍ତ୍ରୀଙ୍କୁ ଫିରୋଜପୁର ନିଆଯାଉଥିବା ବେଳେ ବାଟରେ ଚାଷୀଙ୍କ ଫ୍ଲାଏଓଭର୍ ଅବରୋଧ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ସେଠାରେ ପ୍ରାୟ ୨୦ମିନିଟ ଫସି ରହିଥିଲା । ପରେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ଗାଡ଼ି ପଛକୁ ଫେର ସିଧା ଭଟିଣ୍ଡା ବିମାନ ବନ୍ଦର ଅଭିମୁଖେ ବାହାରି ଯାଇଥିଲା ।
ଫ୍ଲାଏଓଭରରେ ଚାଷୀଙ୍କ ଅବରୋଧ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ବାତିଲ ହେବା ଏବଂ ସେ ଦିଲ୍ଲୀ ଫେରିଯିବା ଘଟଣା ପଂଜାବର କଂଗ୍ରେସ ସରକାରକୁ ସମାଲୋଚନା କରିବା ସକାଶେ ବିଜେପିକୁ ସୁଯୋଗ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତା ତୃଟିକୁ ବଡ଼ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପଂଜାବର ଚନ୍ନି ସରକାର ଓ କଂଗ୍ରେସ ଦଳକୁ ଟାର୍ଗେଟ୍ କରିଛନ୍ତି ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନର୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ‘ବ୍ଲୁ ବୁକ୍’ ମାନୁଆଲ୍ ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ କରି ତଥ୍ୟାଭିଜ୍ଞ ମହଲ ପ୍ରଶ୍ନର ପାହାଡ ଠିଆ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପଂଜାବର ପାଣିପାଗକୁ ନେଇ ଏସପିଜି ନିକଟରେ ବସ୍ତୃତ ତଥ୍ୟ ଥିଲା କି (?), ପ୍ରଧାମନ୍ତ୍ରୀ ସଡ଼କ ପଥରେ ଫିରୋଜପୁର ଯିବାକୁ ଚାହିଁବାରୁ ଏସପିଜି ଚାପରେ ହେଉ ବା ଅନ୍ୟ କୌଣସି କାରଣରୁ ଯେଉଁ ବୁଲେଟ-ପ୍ରୁଫ୍ ଟୟୋଟା ଗାଡ଼ି ବ୍ୟବସ୍ଥା କରିଥିଲା ତାହା ଆଇଇଡ଼ି ବା ଅନ୍ୟ କୌଣସି ଶକ୍ତିଶାଳୀ ବିସ୍ଫୋରକକୁ ସାମ୍ମା କରିବା କ୍ଷମତା ରଖି ଥିଲା କି (?), ପ୍ରଧାନମନ୍ତ୍ରୀଙ୍କ ସଡ଼କ ପଥରେ ଗସ୍ତ ନିମନ୍ତେ ଅତ୍ୟନ୍ତ ସୁରକ୍ଷିତ ନୂଆ ‘ମେବାଚ୍’, ‘ରେଂଜ ରୋଭର୍’ ବା ‘ଲେଣ୍ଡ୍ କ୍ରୁଇଜର୍’ ବ୍ୟବହାର କରା ନଯାଇ ଅସୁରକ୍ଷିତ ଟୟୋଟାକୁ ବ୍ୟବହାର କରାଗଲା କାହିଁକି (?), ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭଟିଣ୍ଡାରୁ ଫିରୋଜପୁର ଯାଉଥିବା ଜାଣିବା ପରେ ପଂଜାବ ପୁଲିସ ସେହି ରାସ୍ତାକୁ ସେନସିଟାଇଜ୍ କରି ନଥିଲେ କି (?), ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଯିବା ରାସ୍ତାକୁ କେମିତି ସାଧାରଣ ଜନତା ଅବରୋଧ କରି ରଖିଲେ (?), ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ତୁରନ୍ତ ସେଠାରୁ ପ୍ରତ୍ୟାବର୍ତ୍ତନ ନକରି ୧୫ରୁ ୨୦ ମିନିଟ ଠିଆ ରହିବା କାରଣ କଣ (?), ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଟୟୋଟା ସଂପୂର୍ଣ୍ଣ ଦୃଶ୍ୟମାନ ହେଉଥିବା ବେଳେ ଏସପିଜିର ସୁରକ୍ଷା ବଳୟ କେଉଁଠି ଥିଲା (?) ଏବଂ ଚାଷୀଙ୍କ ରାସ୍ତା ଅବରୋଧ ସଂପର୍କରେ ଏସପିଜି ନିକଟରେ ଆଗୁଆ ଗୁଇନ୍ଦା ଖବର ନଥିଲା କି (?)- ଭଳି ପ୍ରଶ୍ନ ବୁଧବାର ଘଟଣାକୁ ଅଧିକ ଗୋଳମାଳିଆ କରିଛି ।
ବୁଧବାର ଘଟଣା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସିଧିସଳଖ ପଂଜାବ ସରକାର ଓ ପୁଲିସକୁ ଦାୟି କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କୁ ତୁରନ୍ତ ନିଲମ୍ବିତ କରାଯିବାକୁ ଦାବି କରିଛନ୍ତି । ଅପରପକ୍ଷରେ, ପଂଜାବ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷାରେ ତୃଟି ପାଇଁ ଏସପିଜିକୁ ଦାୟି କରିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଭିଯୋଗ ହେଉଛି, ବୁଧବାର ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଯିବା ବାଟରେ ଯେଭଳି ସୁରକ୍ଷା ଅବ୍ୟବସ୍ଥା ଦେଖା ଦେଲା ତାହା ହେବା କଥା ନଥିଲା । ପ୍ରତିକୂଳ ପରିସ୍ଥିତିରେ ଭିଭିଆଇପିଙ୍କ ସୁରକ୍ଷା ପାଇଁ କଂଟିଜେନ୍ସି ରୁଟ୍ ପ୍ରସ୍ତୁତ କରିବା ଦାୟିତ୍ୱ ‘ବ୍ଲୁ ବୁକ୍’ ଅନୁସାରେ ରାଜ୍ୟ ପୁଲିସ ଉପରେ ନ୍ୟସ୍ତ । ପଂଜାବ ସରକାର ଓ ପୁଲିସ ତାହାକୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଇଥିଲେ । ବାରମ୍ବାର ନିର୍ବାଚନ ପରାଜୟର ସାମ୍ନା କରୁଥିବା କଂଗ୍ରେସର ଏହା ଏକ ହୀନମନ୍ୟ ଚକ୍ରାନ୍ତ ।
ଅପରପକ୍ଷରେ, ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ସଡ଼କ ପଥରେ ଫିରୋଜପୁର ଯିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମିଳିତ ନିଷ୍ପତ୍ତି ଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଏସପିଜି ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସୀର ହୋଇଥିବାରୁ ସେମାନେ ସିଧାସଳଖ ତାହାର ନିୟନ୍ତ୍ରଣ କରୁଥିଲେ । ଏଥିରେ ପଂଜାବ ପୁଲିସର ଭୂମିକା ନଗଣ୍ୟ ଥିଲା । କଂଗ୍ରେସ ଦଳ ଓ ପଂଜାବ ସରକାରଙ୍କ ଉପରେ ବିଜେପିର ପ୍ରହାରକୁ ସାମ୍ନା କରିବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ ଆଗକୁ ଆସି ମନ୍ତବ୍ୟ ରଖିଛନ୍ତି – ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ଗସ୍ତ କରିବା ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଏସପିଜି ଓ ଆଇବି ସିଧାସଳଖ ନିୟନ୍ତ୍ରଣ କରିଥା’ନ୍ତି । ରାଜ୍ୟ ପୁଲିସ କେନ୍ଦ୍ରୀୟ ଏଜେନ୍ସୀଙ୍କ ନିର୍ଦେଶକୁ କେବଳ କାର୍ଯ୍ୟକାରୀ କରିଥାଏ । ଏସପିଜି ଭଟିଣ୍ଡାରୁ ଫିରୋଜପୁର ଯିବା ରାସ୍ତାକୁ ଚାଷୀ ଅବରୋଧ କରିଥିବା କେମିତି ଜାଣି ପାରିଲେ ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ସେହି ରାସ୍ତାରେ ଯିବାକୁ କ୍ଲିୟରାନ୍ସ ଦେଲେ (?) ବୋଲି ସେ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ଓ ବିଜେପି ମଧ୍ୟରେ ଏଭଳି କାଦୁଅ ଫିଙ୍ଗା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଭେଟି ଗତକାଲି ପଂଜାବରେ ଚନ୍ନି ସରକାର ଓ ରାଜ୍ୟ ପୁଲିସ କିଭଳି ଭାବେ ତାଙ୍କ ସୁରକ୍ଷା ପ୍ରସଙ୍ଗକୁ ଅଣଦେଖା କରି ତାଙ୍କୁ ବିପଦ ମୁହଁକୁ ଠେଲି ଦେଲେ ତାହାର ବିସ୍ତୃତ ବିବରଣୀ ରଖିଛନ୍ତି । ରାଷ୍ଟ୍ରପତି କୋଭିନ୍ଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବା ପରେ ଗଭୀର ଚିନ୍ତା ପ୍ରକଟ କରିଥିବା ଜଣାପଡିଛି । କଥା ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ପହଂଚାଇବା ପଛରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରଙ୍କ କି ଉଦେ୍ଦଶ୍ୟ ରହିଛି, ତାହା ତୁରନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ, ଆସନ୍ତା ବିଧାନସଭା ନିର୍ବାଚନ ସହ ଏହାର ନିବିଡ଼ ସଂପର୍କ ଥିବା ତଥ୍ୟାଭିଜ୍ଞ ମହଲ ଅନୁମାନ କରୁଛନ୍ତି ।
ଗତକାଲିର ଘଟଣାକୁ ନେଇ ପଂଜାବ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେବା ସହ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଡୁ ମଧ୍ୟ ଭିନ୍ନ ଭାବେ ତଦନ୍ତ ଆଦେଶ ଦିଆଯାଇଛି । ଘଟଣାକୁ ନେଇ ଦୁଇଟି ଭିନ୍ନ ଭିନ୍ନ ତଦନ୍ତ ହେଉଥିବା ବେଳେ ମାମଲା ସୁପ୍ରିମ କୋର୍ଟରେ ପହଂଚିଛି । ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନଃରାବୃତ୍ତି ନହେବ ତାହା ଦୃଷ୍ଟିରେ ରଖି ବୁଧବାର ଘଟଣା ପାଇଁ ପଂଜାବ ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ପୁଲିସ ଡ଼ିଜିଙ୍କୁ ଦାୟି କରାଯାଇ ତୁରନ୍ତ ନିଲମ୍ବିତ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ଶୁକ୍ରବାର ତାହାର ଶୁଣାଣୀ ହେବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ବୁଧବାର ଯେଉଁ ବିବାଦର ସୂତ୍ରପାତ ହୋଇଛି ସେଥିରେ ବିଜେପି ନିଜକୁ ପୀଡ଼ିତ ଦର୍ଶାଇ କଂଗ୍ରେସକୁ ଖଳ ନାୟକ ସଜାଇଛି । ଫେବୃୟାରୀରେ ରାଜ୍ୟରେ ବିଧାନସଭା ଭୋଟ ହେବାକୁ ଥିବାରୁ ବିଜେପି ଏଥରୁ କେତେ ଫାଇଦା ପାଇବ, ତାହା ସମୟ କହିବ । ତେବେ, ସାମୟିକ ଭାବେ ବିଜେପିର ଏହି ଚକ୍ରବ୍ୟୁହରେ କଂଗ୍ରେସ ଫସି ଯାଇଛି ଓ ରକ୍ଷାତ୍ମକ ସ୍ଥିତିରେ ରହିଛି, କହିବା ଭୁଲ ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS