ପ୍ରଧାନମନ୍ତ୍ରୀ ସୁରକ୍ଷା ମାମଲା, ସୋମବାର ଯାଏଁ ତଦନ୍ତ ସ୍ଥଗିତ ରଖିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୦୭
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ପଂଜାବ ଗସ୍ତ ସମୟରେ ସୁରକ୍ଷା ତୃଟିକୁ ନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ପଂଜାବ ସରକାରଙ୍କ ଆଡୁ ଅଲଗା ଅଲଗା ତଦନ୍ତ ଆରମ୍ଭ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଉଭୟ ପକ୍ଷ ସେମାନଙ୍କ ତଦନ୍ତକୁ ସ୍ଥଗିତ ରଖିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ପଂଜାବ ଓ ହରିୟାଣା ହାଇକୋର୍ଟ ପ୍ରଧାନମନ୍ତ୍ରୀଙ୍କ ବୁଧବାରର ଟାଭେଲ୍ ରେକର୍ଡ଼ ତୁରନ୍ତ ନିଜ ହେପାଜତକୁ ନେବାକୁ ସୁପ୍ରିମ କୋର୍ଟ ପଂଜାବ-ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେବା ସହ ପଂଜାବ ପୁଲିସ, ଏସପିଜି ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ସୁପ୍ରିମ କୋର୍ଟରେ ହାଜିର ହୋଇ ବୁଧବାର ପଂଜାବରେ ଘଟିଥିବା ଘଟଣା ଅତ୍ୟନ୍ତ ଗୁରୁତର ଓ ଏହା ପଛରେ ସୀମାପାର୍ ଆତଙ୍କବାଦ ଥିବା ଆଶଙ୍କା କରାଯାଉଛି ବୋଲି ମତ ରଖିବା ସହ ଘଟଣାର ଏନଆଇଏ ତଦନ୍ତ ନିର୍ଦେଶ ଦିଆଯିବାକୁ ଆବେଦନ କରିଥିଲେ । ଅପରପକ୍ଷରେ, ‘ପ୍ରଧାନମନ୍ତ୍ରୀ ମୋଦୀ ଆମର ମଧ୍ୟ ପ୍ରଧାନମନ୍ତ୍ରୀ’ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି କହି ସାରିଥିବା ଏବଂ ବୁଧବାର ଘଟିଥିବା ଘଟଣାର ପାଇଁ ରାଜ୍ୟ ସରକାର ଦୁଇ ଜଣିଆ କମିଟି ଗଠନ କରି ତଦନ୍ତ ଆରମ୍ଭ କରିସାରିଥିବା ପଂଜାବ ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରିଇବା ପରେ ସୁପ୍ରିମ କୋର୍ଟ ଉଭୟ ପକ୍ଷ ତଦନ୍ତକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦେଶ ଦେବା ସହ ପ୍ରଧାନମନ୍ତ୍ରୀଙ୍କ ବୁଧବାର ପଂଜାବ ଗସ୍ତର ସମସ୍ତ ରେକର୍ଡ଼ ତୁରନ୍ତ ନିଜ ହେପାଜତକୁ ନେଇ ସୁରକ୍ଷିତ ଭାବେ ରଖିବାକୁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ପଂଜାବ-ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଛନ୍ତି ।
ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଂଜାବ ଗସ୍ତରେ ଯାଇଥିବା ସମୟରେ ଭଟିଣ୍ଡା-ଫିରୋଜପୁର ରାସ୍ତାରେ ଆନ୍ଦୋଳନକାରୀ ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁଁ ତାଙ୍କ କାରକେଡ୍ ଭଟିଣ୍ଡା ନିକଟରେ ଏକ ଫ୍ଲାଏଓଭର୍ ଉପରେ ୨୦ ମିନିଟ ଅଟକି ରହି ଥିଲା । ପ୍ରଧାନମନ୍ତ୍ରୀଙ୍କ ଆଗକୁ ନଯାଇ କିଛି ସମୟ ସେଠାରେ ଅପେକ୍ଷା କରିବା ପରେ ପଛକୁ ଫେରି ଭଟିଣ୍ଡା ବିମାନ ବନ୍ଦରକୁ ଚାଲି ଆସିଥିଲେ । ଏହି ଘଟଣାକୁ ନେଇ ‘ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା’ ପ୍ରସଙ୍ଗରେ ବିଜେପି-କଂଗ୍ରେସ ବିବାଦ ସାଂଘାତିକ ମୋଡରେ ପହଂଚିଛି । ପଂଜାବ ସରକାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ଅଭିଯୋଗର ତଦନ୍ତ ପାଇଁ ନିଜ ପକ୍ଷରୁ ଦୁଇ ଜଣିଆ କମିଟି ଗଠନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ ସ୍ୱତନ୍ତ୍ର ତଦନ୍ତ ବ୍ୟବସ୍ଥା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ତିନି ଜଣିଆ ତଦନ୍ତକାରୀ ଦଳ ଆଜି ଭଟିଣ୍ଡାରେ ପହଂଚି ପ୍ରଧାନମନ୍ତ୍ରୀଙ୍କ ଗାଡି ଫସି ଥିବା ଫ୍ଲାଏଓଭର୍ ବୁଲି ଦେଖି ଥିଲେ ଏବଂ ସୁରକ୍ଷା ତୃଟିର ଯାଂଚ କରିଥିଲେ । ଏହି ତିନି ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଦଳରେ କେନ୍ଦ୍ରୀୟ ସୁରକ୍ଷା ସଚିବ ସୁଧୀର କୁମାର ସାକ୍ସେନା, ଆଇବିର ଯୁଗ୍ମ ନିର୍ଦେଶକ ବଲବୀର ସିଂହ ଓ ଏସପିଜିର ଆଇଜି ଏସ.ସୁରେଶ ରହିଛନ୍ତି । ଏହି ଟିମ୍ ଭଟିଣ୍ଡାର ପ୍ୟାରାୟନା ଫ୍ଲାଏଓଭର ଉପରେ ୪୫ ମିନିଟ କାଳ ତଦନ୍ତ କରିବା ପରେ ସେଠାରୁ ବିଏସଏଫ ସେକ୍ଟର ମୁଖ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ସମୟରେ ଯେଉଁ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ସେମାନଙ୍କୁ ଡକାଇ ପଚରାଉଚୁରା କରିଥିବା ଜଣାପଡିଛି । ଅପରପକ୍ଷରେ, ଆଜି ପଂଜାବ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲାଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଘଟଣାକୁ ନେଇ ଏକ ପୁଲିସ ଏତଲା ହୋଇଛି ଏବଂ ଅବସରପ୍ରାପ୍ତ ବିଚାରପତି ମେହତାବ ଗିଲ୍ ଓ ପଂଜାବ ରାଜ୍ୟ ଗୃହ ବ୍ୟାପାର ମନ୍ତ୍ରଣାଳୟ ପ୍ରିନ୍ସିପାଲ୍ ସେକ୍ରେଟାରୀ ଅନୁରାଗ ବର୍ମାଙ୍କୁ ନେଇ ଗଠିତ ଏକ ଦୁଇ ଜଣିଆ କମିଟି ଘଟଣାର ତଦନ୍ତ କରୁଛନ୍ତି । ତିନି ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ବୋଲି ସେ କେନ୍ଦ୍ର ଗୃହ ସଚିବ ଭାଲ୍ଲାଙ୍କୁ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ସମୟରେ ସୁରକ୍ଷା ତୃଟିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମାନ୍ତରାଳ ଭାବେ ତଦନ୍ତ ଚାଲି ଥିବା ବେଳେ ‘ଲୟର୍ସ ଭଏସ୍’ ନାମକ ଏକ ଏନଜିଓ ପକ୍ଷରୁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟିକୁ ନେଇ ସୁପ୍ରିମ କୋର୍ଟରେ ଆବେଦନ କରାଯିବା ସହ ଏହି ଘଟଣା ପାଇଁ ପଂଜାବର ମୁଖ୍ୟ ଶାସନ ସଚିବ ତିୱାରୀ ଓ ପୁଲିସ ଡ଼ିଜି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଦାୟି କରାଯିବା ସହ ସେମାନଙ୍କ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦହିଁଙ୍କୁ ପ୍ରଥମେ ଚାକିରୀରୁ ନିଲମ୍ବିତ କରାଯିବାକୁ ଅନୁରୋଧ କରାଯାଇଛି । ସୁପ୍ରିମ କୋର୍ଟ ଏହି ଆବେଦନ ଉପରେ ଆଜି ଶୁଣାଣୀ କରିଛନ୍ତି ।
ଇତିମଧ୍ୟରେ, ବୁଧବାର ଘଟଣାକୁ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା କହିଛିି, ପ୍ରଧାନମନ୍ତ୍ରୀ ସେହି ରାସ୍ତା ଦେଇ ଫିରୋଜପୁର ଯିବେ ବୋଲି ଆନ୍ଦୋଳନ କରୁଥିବା ଚାଷୀଙ୍କ ସାମାନ୍ୟତମ ଧାରଣା ନଥିଲା । ପ୍ରଧାନମନ୍ତ୍ରୀ ସଡ଼କ ପଥରେ ସେହି ରାସ୍ତା ଦେଇ ଫିରୋଜପୁର ଯିବାକୁ ଥିବା ପୁଲିସ ଅଧିକାରୀମାନେ ସେମାନଙ୍କୁ ଜଣାଇ ଥିଲେ ସୁଦ୍ଧା ସେମାନେ ତାହା ବିଶ୍ୱାସକୁ ନେଇ ନଥିଲେ । ରାସ୍ତା ଅବରୋଧରୁ ସେମାନଙ୍କୁ ହଟାଇବା ପାଇଁ ପଂଜାବ ପୁଲିସର ଏହା ଏକ ଚାଲ୍ ବୋଲି ସେମାନେ ଧରି ନେଇ ଥିଲେ । ପ୍ରଧାନମନ୍ତ୍ରୀ ଭଟିଣ୍ଡା ଫେରିବା ପରେ ‘କୌଣସି ମତେ ବଂଚିଗଲି’ ବୋଲି ଦେଇଥିବା ମନ୍ତବ୍ୟ ସଂଯୁକ୍ତ କିଶାନ ମୋର୍ଚ୍ଚା ନେତାଙ୍କୁ କ୍ଷୁବ୍ଧ କରିଛି । ନିଜ ବିଫଳତାକୁ ଘୋଡାଇବା ପାଇଁ ପ୍ରଧାନମନ୍ତ୍ରୀ କୃଷି ଆଇନ ବିରୋଧରେ ଆନେ୍ଦାଳନର ନେତୃତ୍ୱ ନେଇ ଥିବା କରିଥିବା ଚାଷୀଙ୍କୁ ବଦନାମ କରିବାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଏସକେଏମ ଅଭିଯୋଗ କରିଛି ।
ଏସକେଏମ ନେତା ତଥା ବିକେୟୁ (ଭାରତୀୟ କିଶାନ ୟୁନିୟନ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟିକୁ ପ୍ରସଙ୍ଗ କରି କେନ୍ଦ୍ର ସରକାର ସହାନୁଭୂତି ଗୋଟାଇବାକୁ ଶସ୍ତା ରାଜନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀ ପଂଜାବ ଯିବା ସମୟରେ ନିଜ ସୁରକ୍ଷା ପାଇଁ କି ବ୍ୟବସ୍ଥା କରିଥିଲେ ବୋଲି ଟିକାୟତ ପାଲଟା ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ସୁରକ୍ଷା ତୃଟି କଥା କହୁଥିବା ବେଳେ ଫିରୋଜପୁର ଜନସଭାରେ ଲୋକ ନଥିବା ଖବର ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ତୃଟି ଆଳରେ ଫେରିଗଲେ ବୋଲି ପଂଜାବ ସରକାର କହୁଛନ୍ତି । ଉଭୟ ପକ୍ଷ ନିଜ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ତୃଟି ଯୋଗୁଁ ନା’ ଚାଷୀଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଫରୋଜପୁର ନଯାଇ ଫେରି ଗଲେ (?) ବୋଲି ଟିକାୟତ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ପଂଜାବ ଯିବା ଉଚିତ ନଥିଲା ବୋଲି ଟିକାୟତ କହିଥିବା ବେଳେ ସୁରକ୍ଷା ତୃଟି ନାମରେ ପ୍ରଧାନମନ୍ତ୍ରୀ କେବଳ ନାଟକବାଜୀ କରୁଛନ୍ତି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି ଗତକାଲି ହୋସିଆରପୁରର ତାଣ୍ଡାଠାରେ ମନ୍ତବ୍ୟ ଦେଇଛନ୍ତି । ପଂଜାବ ପ୍ରଦେଶ କଂଗ୍ରେସ ସଭାପତି ନଭଜୋତ୍ ସିଂହ ସିଦ୍ଧୁ ମଧ୍ୟ ନୂଆଦିଲ୍ଲୀରେ କହିଛନ୍ତି, ତିନି ନୂଆ କୃଷି ଆଇନ ରଦ୍ଦ ହେବାକୁ ବର୍ଷାଧିକ ସମୟ ଲାଗିଲା । ଚାଷୀ ଆଇନକୁ ରଦ୍ଦ କରାଇବାକୁ ବର୍ଷେରୁ ଅଧିକ ସମୟ ଅପେକ୍ଷା କଲେ । ପ୍ରଧାନମନ୍ତ୍ରୀ ମାତ୍ର ୧୫ ମିନିଟ ଫ୍ଲାଏଓଭର ଉପରେ ଅଟକି ରହିବାରୁ ତାଙ୍କ ସୁରକ୍ଷାରେ ଅବହେଳା ହୋଇଥିବା କହୁଛନ୍ତି । ଚାଷୀ ଦେଢ ବର୍ଷ କାଳ ଦିଲ୍ଲୀ ସୀମାନ୍ତରେ ପଡି ରହିଥିବା ସରକାର ସମର୍ଥିତ ମିଡ଼ିଆକୁ ତାହା ଦିଶୁ ନଥିଲା କି (?) ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି ।
ଇତିମଧ୍ୟରେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟିର ଏନଆଇଏ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟରେ ଶୁଣାଣୀ ଆରମ୍ଭ ହୋଇଥିବାରୁ ଓ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପଂଜାବ ଓ ହରିୟାନା ହାଇକୋର୍ଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ବୁଧବାର ପଂଜାବ ଗସ୍ତର ସମସ୍ତ ରେକର୍ଡ ନିଜ ହେପାଜତକୁ ନେବାକୁ ନିର୍ଦେଶ ଦେଇ କେନ୍ଦ୍ର ଓ ପଂଜାବ ସରକାରଙ୍କ ତଦନ୍ତ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖି ଥିବାରୁ ସୋମବାର ଖଣ୍ଡପୀଠଙ୍କ ପରବର୍ତ୍ତୀ ନିର୍ଦେଶ କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS