ପ୍ରଧାନମନ୍ତ୍ରୀଙ୍କୁ ଆଇଆଇଏମ୍ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ନିବେଦନ – ଘୃଣା ବେପାରୀଙ୍କ ବିରୋଧରେ ମୁହଁ ଖୋଲନ୍ତୁ…
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୦୮
କିଛି ହିନ୍ଦୁତ୍ୱବାଦୀ ନେତାଙ୍କ ଉତ୍ତେଜକ ଭାଷଣ ଓ ଜାତିଆଣ ହିଂସା ସୃଷ୍ଟି ଉଦ୍ୟମ ଦେଶର ଏକତା ଓ ଅଖଣ୍ଡତା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବ ନ ରହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଆଇଏମ୍ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟ) ଅହମ୍ମଦାବାଦ ଓ ବେଂଗାଲୁରୁର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନିବେଦନ କରିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଏଭଳି ଅନୁରୋଧ କରିଥିବା ଜଣାପଡିଛି । ୧୩ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୧୮୩ ଜଣ ଏହି ଚିଠିରେ ଦସ୍ତଖତ କରିଛନ୍ତି । ନିକଟରେ, ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦର ଏକ ସଭାରେ କିଛି ହିନ୍ଦୁତ୍ୱବାଦୀ ନେତା ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ବିରୋଧରେ ଅସ୍ତ୍ର ଉଠାଇବାକୁ ଏବଂ ଗଣହତ୍ୟା କରିବାକୁ ଆହ୍ୱାନ ଦେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲେ । ସେମାନେ ଗଣହତ୍ୟା ପାଇଁ ମଧ୍ୟ ଉସୁକାଉଥିବା ଭିଡ଼ିଓ କ୍ଲିପ୍ ବହୁଳ ଭାବେ ପ୍ରସାରିତ ହୋଇଥିଲା । ଏଭଳି ଶକ୍ତି ଧର୍ମ ଓ ଜାତି ଭିତ୍ତିରେ ଦେଶକୁ ବାଂଟିବାକୁ ଚାହୁଁଥିବା ଗ୍ରହଣୀୟ ନୁହେଁ । ପ୍ରଧାନମନ୍ତ୍ରୀ ନୀରବ ରହିବା ଦ୍ୱାରା ସେମାନଙ୍କ ମନୋବଳ ବଢୁଛି ବୋଲି ଦର୍ଶାଇ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ମୁହଁ ଖୋଲିବାକୁ ଅନୁରୋଧ କରାଯିବା ସହ ଏଭଳି ଶକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
ଚିଠିରେ କୁହାଯାଇଛି, ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ଧର୍ମାବଲଂମ୍ବୀଙ୍କୁ ନିର୍ଭୟରେ ନିଜ ନିଜ ଧର୍ମର ଉପାସନା କରିବାର ଅଧିକାର ଦିଆଯାଇଥିବା ସତ୍ତ୍ୱେ କିଛି ଲୋକଙ୍କ ଘୃଣାବ୍ୟଂଜକ ଭାଷଣ ଭୟର ବାତାବରଣ ସଅଷ୍ଟି କରୁଛି । କିଛି ଦିନ ହେଲା ଲଗାତର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ ଚାଲିଛି । ନିକଟରେ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଉପାସନା ସ୍ଥଳ ଚର୍ଚ୍ଚରେ ଭଂଗାରୁଜା ହୋଇଥିବା ଏବଂ ମୁସଲମାନ ଭାଇ ଭଉଣୀଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ହିନ୍ଦୁତ୍ୱବାଦୀଙ୍କୁ ଆହ୍ୱାନ ଦିଆଯିବା ଘଟଣା ନିବିରୋଧରେ ଚାଲି ଥିବାରୁ ସଂଖ୍ୟାଲଘୁ ସଂପ୍ରଦାୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ‘ଆପଣଙ୍କ ନୀରବତା ଉତ୍ତେଜକ ଭାଷଣ ଦେଇ ଦେଶରେ ଘୃଣାର ପ୍ରସାର କରୁଥିବା ଲୋକଙ୍କ ମନୋବଳ ବଢାଉ ଥିବାରୁ ଏବଂ ଦେଶର ଏକତା ଓ ସଂହତି ନଷ୍ଟ ହେଉଥିବାରୁ ଏଭଳି ଶକ୍ତିଙ୍କ ବିରୋଧରେ ଆପଣ ନୀରବ ନରହି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଆମେ ଅନୁରୋଧ କରୁଛୁ’ ବୋଲି ଆଇଆଇଏମ୍ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ନିକଟରେ ହରିଦ୍ୱାର ଅନୁଷ୍ଠିତରେ ଧର୍ମ ସଂସଦ ସଭାରେ କଠୋରପନ୍ଥୀ ହିନ୍ଦୁତ୍ୱବାଦୀ ନେତା ସନ୍ଥ କାଳୀଚରଣ ମହାରାଜ ଇସଲାମ ଧର୍ମାବଲମ୍ବୀ ରାଜନୀତି ମାଧ୍ୟମରେ ଦେଶକୁ କବଳିତ କରିବାକୁ ଚାହୁଁ ଥିବାରୁ ହିନ୍ଦୁତ୍ୱର ସୁରକ୍ଷା ପାଇଁ ଜଣେ କଠୋରପନ୍ଥୀ ହିନ୍ଦୁ ନେତାଙ୍କୁ ଜନସାଧାରଣ ନିର୍ବାଚିତ କରିବା ଆବଶ୍ୟକ ବୋଲି ମତ ରଖିଥିଲେ । ସନ୍ଥ କାଳୀଚରଣଙ୍କ ଭାଷଣର କ୍ଲିପ୍ ବହୁଳ ଭାବେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ, ଦେଶବ୍ୟାପୀ ପ୍ରତିକ୍ରିୟାକୁ ଦେଖି ହରିଦ୍ୱାର ପୁଲିସ ସାଧୁ କାଳୀଚରଣଙ୍କ ସମେତ କିଛି ହିନ୍ଦୁତ୍ୱବାଦୀ ନେତାଙ୍କୁ ଗିରଫ କରିଛନ୍ତି ସିନା ଦେଶରେ ଏଭଳି ଉତ୍ତେଜକ ଭାଷଣ ଓ ଘୃଣାର ପ୍ରସାର ନିର୍ବିରୋଧରେ ଚାଲି ଥିବାରୁ ଉତ୍ତେଜକ ଭାଷଣ ଦେଇ ଘୃଣାର ପ୍ରସାର କରୁଥିବା ଲୋକଙ୍କ ସଂପର୍କରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିବାକୁ ଓ କଠୋର ପଦକ୍ଷେପ ନେବାକୁ ପୂର୍ବରୁ ମଧ୍ୟ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS