ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ପ୍ରସଙ୍ଗ – ମୋଦୀ ବନାମ ବିରୋଧୀ… !
ପ୍ରସାଦ ରାଓ
ଜାନୁୟାରୀ ୦୯
ବୁଧବାର (୫ତାରିଖ) ପଂଜାବର ଭାଟିଣ୍ଡା ନିକଟରେ ଯାହା ଘଟି ଗଲା ତାହା ଦେଶରେ ଚାଲି ଥିବା ‘ଘୃଣା ରାଜନୀତି’କୁ ଅଧିକ ଉଜାଗର କରିଛି । ଘଟଣା ଘଟିବା ପୂର୍ବରୁ ଉତ୍ତର ପ୍ରଦେଶ, ପଂଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା ପୂର୍ବରୁ ପ୍ରଚାର ଜୋରଦାର ଚାଲି ଥିଲା । ଫେବୃୟାରୀରେ ନିର୍ବାଚନ ହେବା ନିଶ୍ଚିତ ଜାଣି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରଚାରକୁ ଜୋରଦାର କରି ଥିଲେ । ଶାସକ ବିଜେପି ସମେତ ଦେଶର ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରଚାର ଦେଶ ସାମ୍ନା କରୁଥିବା ସମସ୍ୟା ସବୁକୁ ଆଡେଇ ଦେଇ ଧର୍ମ ଓ ବ୍ୟକ୍ତିଗତ ଆକ୍ଷେପ, ପ୍ରତ୍ୟାକ୍ଷେପରେ ସୀମିତ ଥିଲା । ମୋଟାମୋଟି ନିର୍ବାଚନ ପ୍ରଚାର ମୋଦୀ ବନାମ ବିରୋଧୀ ରହି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରଚାରର ମଂଗ ଧରିବା ସହ ଗଲା ମାସକରୁ ଅଧିକ ସମୟ ହେଲା ୟୁପିରେ ଦଳର ପ୍ରଚାର ଅଭିଯାନ ଚଳାଇ ଥିଲେ । ଧର୍ମ ଓ ଅନ୍ୟ ଅଧାରରେ ଦଳ ବିରୋଧୀଙ୍କୁ ଧରାଶାୟୀ କରିବାକୁ ଉଦ୍ୟମ କରୁଥିବା ବେଳେ ବିରୋଧୀ ମଧ୍ୟ ସମାନ ଭାବେ ତାହାର ପ୍ରତ୍ୟୁତ୍ତର ରଖୁ ଥିବାରୁ ଫେବୃୟାରୀ-ମାର୍ଚ୍ଚ ନିର୍ବାଚନ ଏକପ୍ରକାର ମୋଦୀ ବନାମ ବିରୋଧୀ ହୋଇଛି ।
ଜାତୀୟ ରାଜନୀତିରେ ଉତ୍ତର ପ୍ରଦେଶର ଗୁରୁତ୍ୱ ଅଧିକ । କାରଣ, ରାଜ୍ୟର ୪୦୩ ଆସନ ବିଶିଷ୍ଟ ବିଧାନସଭାରେ ସଂପ୍ରତି ବିଜେପି ବିଧାୟକ ସଂଖ୍ୟା ୩୦୦ରୁ ଅଧିକ ରହିଛି । ୨୦୧୭ରୁ ୟୁପିରେ ବିଜେପି ଶାସନ ଚାଲିଛି । ଲୋକସଭା ଆସନ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ୟୁପି କେନ୍ଦ୍ରୀୟ ରାଜନୀତିରେ ବେଶ୍ ଗୁରୁତ୍ୱ ରଖୁଛି । ୨୦୧୪ରୁ କେନ୍ଦ୍ରରେ ଶାସନରେ ଥିବା ବିଜେପି ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ୟୁପି ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଉଛି । ରାଜ୍ୟରେ ବିଜୟ ଧାରା ଦୋହରାଇବା ସହ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିବା ନିମନ୍ତେ ବିଜେପି ସମସ୍ତ ଶକ୍ତି ଖଟାଉଛି । ପ୍ରଧାନମନ୍ତ୍ରୀ ୟୁପିକୁ ଗୁରୁତ୍ୱ ଦେଇ ତାଙ୍କ ପ୍ରଚାର ଅଭିଯାନକୁ ଶାଣିତ କରିଥିବା ବେଳେ ୧୧୭ ବିଧାନସଭା ଆସନ ଥିବା ପଂଜାବ ମଧ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ରହିଛି । ରାଜ୍ୟରେ କଂଗ୍ରେସର ଶାସନ ରହିଛି । ତେବେ, ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ କଂଗ୍ରେସ ଦୁର୍ବଳ ସ୍ଥିତିରେ ଥିବାରୁ ବିଜେପି ଏହାର ସୁଯୋଗ ନେବାକୁ ଚାହୁଁଛି ।
ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଦଳର ଆଭ୍ୟନ୍ତରୀଣ କନ୍ଦଳରେ ଛନ୍ଦି ହୋଇ କଂଗ୍ରେସ ହାଇକମାଣ୍ଡଙ୍କ ସୁରକ୍ଷା ପାଇବା ବଦଳରେ ମୁଖ୍ୟମନ୍ତ୍ରୀ ପଦରୁ ତଡା ଖାଇଛନ୍ତି । ତେଣୁ, ସେ ‘ଘାଇଲା ବାଘ’ ଭଳି ରାଜ୍ୟରେ କଂଗ୍ରେସର ପତନ ଚାହୁଁଛନ୍ତି । ଅମରିନ୍ଦର କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ରାଜନୈତିକ ଦଳ ଗଠନ କରି ବିଜେପି ସହ ବୁଝାମଣାରେ ୨୦୨୨ ଫେବୃୟାରୀ ନିର୍ବାଚନରେ ଶକ୍ତି ପ୍ରଦର୍ଶନ କରିବାକୁ ବ୍ୟଗ୍ର । ବିଜେପି ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହୋଇଛି । କ୍ୟାପଟେନ୍ ସିଂହଙ୍କ ବାଦା ପରେ ପଂଜାବର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ୍ ସିଂହ ଚନ୍ନି ଜଣେ ଦଳିତ ନେତା ହୋଇ ଥିବାରୁ କଂଗ୍ରେସ ଫାଇଦାରେ ରହିବ ବୋଲି ଆଶା କରୁଥିବା ବେଳେ ସେ ମଧ୍ୟ ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ପେସୀ ହୋଇ ସାଲିସ୍ ରାଜନୀତିକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ, ତାଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ପାଇଁ ମୋଦୀ-ଅମରିନ୍ଦର ମିଳିତ ଅଭିଯାନ ଚଳାଇଛନ୍ତି ।
ତେବେ, ପଶ୍ଚିମ ୟୁପି ଭଳି ପଂଜାବରେ ବିଜେପି-ବିରୋଧୀ ଚାଷୀ ଅସନ୍ତୋଷ ବିଜେପି ଓ କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ସମସ୍ୟା ରହିଛି । ୨୦୨୦ କୋଭିଡ଼ ପରିସ୍ଥିତିରେ କେନ୍ଦ୍ର ସରକାର ସଂପୃକ୍ତ ପକ୍ଷଙ୍କୁ ଆଲୋଚନା ବା ବିତର୍କ ପାଇଁ ସୁଯୋଗ ନଦେଇ ତିନି ନୂଆ କୃଷି ବିଲ୍ ସଂସଦରେ ପାରିତ କରାଇ ନେଇଥିଲେ । ବିଲ୍ ଆଇନରେ ପରିଣତ ହେବା ପରଠାରୁ କେନ୍ଦ୍ର ସରକାର ବଡ଼ ଚାଷୀ ଆନ୍ଦୋଳନର ସାମ୍ନା କରିଛନ୍ତି । ମୁଖ୍ୟତଃ, ପଂଜାବର ଶିଖ୍ ସଂପ୍ରଦାୟ ଚାଷୀ ନେତା ଓ ସଂଗଠନମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଚାଷୀ ଆନ୍ଦୋଳନକୁ ହେୟଜ୍ଞାନ କରି ସରକାର ଆନ୍ଦୋଳନକାରୀଙ୍କୁ ବିଚ୍ଛିନ୍ନତାବାଦୀ, ଦଲାଲ, ଦେଶ ବିରୋଧୀ ପ୍ରଭୃତି କହି କଟାକ୍ଷ କରୁଥିଲେ । ତେବେ, ବର୍ଷେ ପରେ ଚାଷୀ ଆନ୍ଦୋଳନ ବିଜେପି ପାଇ ବଡ଼ ମୁଣ୍ଡବ୍ୟଥା ହୋଇଥିବା ଓ ରାଜନୀତିକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା ଅନୁଭବ କରିବା ପରେ ୨୦୨୧ ନଭେମ୍ବରରେ ପ୍ରଧାନମନ୍ତ୍ରୀ ତିନି କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ଘୋଷଣା କରିବା ସହ ସେହି ମାସ ୩୦ ତାରିଖରେ ସଂସଦରେ ବିଲ୍ ପାରିତ ମାଧ୍ୟମରେ ତିନି ଆଇନ ପ୍ରତ୍ୟାହାର କରି ନେଇ ଥିଲେ । ପରେ, ଚାଷୀ ମଧ୍ୟ ଦିଲ୍ଲୀ ସୀମାନ୍ତରୁ ସେମାନଙ୍କ ଅବରୋଧ ହଟାଇ ନେଇଛନ୍ତି ।
ତେବେ, କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଅନ୍ୟାନ୍ୟ ଦାବିକୁ ନେଇ ଚାଷୀଙ୍କ ଅସନ୍ତୋଷ ଓ ପ୍ରତିବାଦ ଜାରି ରହିଛି । ବିଶେଷକରି, ବିଧାନସଭା ନିର୍ବାଚନ ହେବାକୁ ଥିବା ପଂଜାବ ଓ ପଶ୍ଚିମ ୟୁପିରେ ଏହାର ଅଧିକ ପ୍ରଭାବ ରହିଛି । ଦିଲ୍ଲୀ ସୀମାନ୍ତରେ ବର୍ଷାଧିକ ସମୟ ଆନ୍ଦୋଳନରେ ବସି କେନ୍ଦ୍ର ସରକାରଙ୍କ ଦ୍ୱାରା ଉପେକ୍ଷିତ ହୋଇଥିବା ଚାଷୀ ସଂଗଠନଙ୍କ ମଧ୍ୟରୁ ୨୨ଟି ସଂଗଠନ ପଂଜାବରେ ନୂଆ ରାଜନୈତିକ ଦଳ ଗଠନ କରି ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି । ଦଳର ପଂଜୀକରଣ ପାଇଁ ସେମାନେ ନିର୍ବାଚନ କମିସନଙ୍କ ନିକଟରେ ଆବେଦନ କରିଥିବା ବେଳେ ରାଜ୍ୟର ସମସ୍ତ ୧୧୭ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଫଳରେ, ବିଜେପି ପଂଜାବରେ କେବଳ ଶାସକ କଂଗ୍ରେସକୁ ନୁହେଁ, ବର୍ଷାଧିକ କାଳ କେନ୍ଦ୍ର ସରକାରଙ୍କୁ ନାକେଦମ୍ କରି ବିଜୟ ହାସଲ କରିଥିବା ଚାଷୀ ସଂଗଠନଙ୍କୁ ମଧ୍ୟ ସାମ୍ନା କରିବାକୁ ଯାଉଛି ।
ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଜାନୁୟାର ୫ ତାରିଖ ଦିନ ପଂଜାବ ଯାଇ ଚାଷୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ପାକ୍ ସୀମାନ୍ତବର୍ତ୍ତୀ ପଂଜାବର ଫିରୋଜପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଫରୋଜପୁରରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ଥିଲା । ପ୍ରଧାନମନ୍ତ୍ରୀ ପଂଜାବର ଭଟିଣ୍ଡାରେ ପହଂଚି ସେଠାରୁ ହେଲିକପ୍ଟରରେ ଫିରୋଜପୁର ଯିବା କାର୍ଯ୍ୟକ୍ରମ ପୂର୍ବରୁ ନିଧାର୍ଯ୍ୟ ଥିଲା । ତେବେ, ପାଗ ଖରାପ ରହିବାରୁ ଅଚାନକ କାର୍ଯ୍ୟକ୍ରମ ବଦଳିଲା । ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭଟିଣ୍ଡାରୁ ଫିରୋଜପୁର ଯିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି କର୍ତ୍ତୃପକ୍ଷ ପଂଜାବ ପୁଲିସ ଓ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଭଟିଣ୍ଡା-ଫିରୋଜପୁର ରାସ୍ତାକୁ ଚାଷୀଙ୍କ ଅବରୋଧ କରିବାରୁ ଏକ ଫ୍ଲାଏଓଭର୍ ଉପରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳବଳ ୨୦ ମିନିଟ ଫସି ରହି ଥିଲେ । ପ୍ରଧାନମନ୍ତ୍ରୀ ଆଗକୁ ନ ଯାଇ ପଛକୁ ଫେରିବା ଓ ଭଟିଣ୍ଡା ବିମାନ ବନ୍ଦରକୁ ଫେରି ‘ଜୀବନ ବଂଚାଇ ଫେରିଲି’ ବୋଲି ମନ୍ତବ୍ୟ ଦେବା ରାଜନୀତିକୁ ଅଧିକ ଗରମ କରିଛି ।
କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟିକୁ ପ୍ରସଙ୍ଗ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଂଜାବ ସରକାରଙ୍କୁ ଘେରିବା, ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ପଂଜାବରେ ତାଙ୍କ ଜୀବନ କିଭଳି ବିପନ୍ନ ଥିଲା- ସେ ନେଇ ଫେରାଦ ହେବା, ମୁଖ୍ୟମନ୍ତ୍ରୀ ଚାଣଜିତ୍ ସିଂହ ଚନ୍ନି ଏବଂ କଂଗ୍ରେସର ଅନ୍ୟ ନେତାମାନେ ଫିରୋଜପୁର ସଭାରେ ଲୋକ ନଥିବା ଜାଣି ପ୍ରଧାନମନ୍ତ୍ରୀ ଫେରି ଥିବା ଏବଂ ତାହାକୁ ଘୋଡାଇବା ପାଇଁ ‘ସୁରକ୍ଷା ତୃଟି’କୁ ପ୍ରସଙ୍ଗ କରିଥିବା ଅଭିଯୋଗ କରିବା, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପଂଜାବ ସରକାରଙ୍କୁ କୈଫିୟତ ମାଗିବା ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟିର ତଦନ୍ତ ପାଇଁ ଏକ ତିନି ଜଣିଆ ତଦନ୍ତକାରୀ ଦଳ ଗଠନ କରିବା, ପଂଜାବ ସରକାର ମଧ୍ୟ ଘଟଣାର ୧୮ ଘଂଟା ପରେ ଦୁଇ ଜଣିଆ ତଦନ୍ତ କମିଟ ଗଠନ କରିି ତଦନ୍ତ ଆରମ୍ଭ କରାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ପଛରେ ବାହ୍ୟଶକ୍ତିଙ୍କ ହାତ ଥିବା ସନ୍ଦେହ ଦର୍ଶାଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡ଼ିଜିଙ୍କୁ ତୁରନ୍ତ ନିଲମ୍ବନ କରାଯିବାକୁ ଗୋଟିଏ ଏନଜିଓ ଓ କେନ୍ଦ୍ର ସରକାରଙ୍କ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବା ଏବଂ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଶୁକ୍ରବାର ଦିନ ଆବେଦନର ଶୁଣାଣୀ କରି ପ୍ରଧାନମନ୍ତ୍ରୀଙ୍କ ବୁଧବାର ପଂଜାବ ଗସ୍ତ ସଂପର୍କିତ ସମସ୍ତ ସୁରକ୍ଷା ଦସ୍ତାବିଜ ତୁରନ୍ତ ନିଜ ହେପାଜତକୁ ନେବାକୁ ପଂଜାବ, ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦେଶ ଦେବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ତଦନ୍ତକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦେଶ ଦେବା ସଂପୂର୍ଣ୍ଣ ଘଟଣାକୁ ଅଧିକ ଗମ୍ଭୀର କରିଛି । ସୋମବାର ସୁପ୍ରିମ କୋର୍ଟରେ ପରବର୍ତ୍ତୀ ଶୁଣାଣୀ ଧାର୍ଯ୍ୟ ହୋଇଛି ।
ଏଭଳି ସ୍ଥିତିରେ, ପଂଜାବ ବିଧାନସଭା ପାଇଁ ଫେବୃୟାରୀ ୨୪ରେ ନିର୍ବାଚନ ହେବାକୁ ଯାଉଛି । ଭାରତୀୟ ନିର୍ବାଚନ ଆୟୁକ୍ତ ଶନିବାର ଦିନ ନିର୍ବାଚନ ତାରିଖ ଘୋଷଣା କରିବା ସଂଗେ ସଂଗେ ସଂପୃକ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଅଚରଣ ବିଧି ଲାଗୁ ହେବାର ଠିକ୍ ପୂର୍ବରୁ ପଂଜାବ ପୁଲିସ ମହାନିର୍ଦେଶକ ବଦଳିଛନ୍ତି । କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ପ୍ରସଙ୍ଗକୁ ନେଇ ସୋମବାର ସୁପ୍ରିମ କୋର୍ଟ ଖଣ୍ଡପୀଠରେ ଶୁଣାଣୀ ରହିଛି । ଅଦାଲତଙ୍କ ନିର୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି । ପଂଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟିକୁ ପ୍ରସଙ୍ଗ କରି ବିଜେପି ଏହା ଏକ ‘ହତ୍ୟା ଷଡଯନ୍ତ୍ର’ ବୋଲି କହୁଥିବା ବେଳେ ପଂଜାବ ସରକାର ଓ ପଂଜାବୀ ଅସ୍ମିତାକୁ ଅପମାନିତ କରିବା ବିଜେପିର ଉଦ୍ଦେଶ୍ୟ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନି ପାଲଟା ଅଭିଯୋଗ କରିଛନ୍ତି । ନିର୍ବାଚନରେ ପଂଜାବ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ଚନ୍ନି କହିଛନ୍ତି । ପଂଜାବରେ ୨୪ ତାରିଖ ହେବାକୁ ଥିବା ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ହେବା ସ୍ପଷ୍ଟ ହେଉଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାସ୍ତା ଅବରୋଧ କରିଥିବା ଚାଷୀ ସଂଗଠନର ନେତାମାନେ ମଧ୍ୟ ସୁରକ୍ଷା ତୃଟି ପ୍ରସଙ୍ଗକୁ ନେଇ ଚାଲି ଥିବା ରାଜନୀତିକୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ସେହି ରାସ୍ତା ଦେଇ ଫିରୋଜପୁର ଯିବେ ବୋଲି ପୁଲିସ ସେମାନଙ୍କୁ ଖବର ଦେଇଥିଲେ ମଧ୍ୟ ପ୍ରତିବାଦ ସ୍ଥଳରୁ ସେମାନଙ୍କୁ ହଟାଇବା ପାଇଁ ଏହା ଏକ ଚାଲ୍ ବୋଲି ଭାବି ସେମାନେ ହଟି ନଥିଲେ । ଯଦି ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ୨୦ ମିନିଟ ଫ୍ଲାଏଓଭର ଉପରେ ଅଟକି ରହି କେମିତି ସୁରକ୍ଷିତ ଭାବେ ଫେରି ଗଲେ (?) ବୋଲି ଚାଷୀ ନେତା ପ୍ରଶ୍ନ କରିଛନ୍ତି । ଫିରୋଜପୁର ଜନସଭାରେ ଲୋକ ନ ହେବା କାରଣରୁ ପ୍ରଧାନମନ୍ତ୍ରୀ ଫେରିଲେ । ତାହା ଘୋଡାଇବା ପାଇଁ ଚାଷୀଙ୍କ ରାସ୍ତା ଅବରୋଧକୁ ପ୍ରସଙ୍ଗ କରାଯାଉଛି ଏବଂ ସୁରକ୍ଷାରେ ତୃଟି କଥା ଉଠିଛି ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ପାଲଟା ଅଭିଯୋଗ କରିଛି । ବୁଧବାର ଘଟଣା ପୁଣି ଥରେ କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ଓ ତାହାର ନେତାଙ୍କୁ ସାମ୍ନାକୁ ଆଣିଛି ।
ତେବେ, ସଚେତନ ନାଗରିକ ବୁଧବାର ଘଟଣାକୁ ନେଇ ଭିନ୍ନ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ପଦରେ ଯେକେହି ଥାଆନ୍ତୁ ନା କାହିଁକି ତାହା ଏକ ସାମ୍ବିଧାନିକ ଏକ ଅନୁ୍ଷ୍ଠାନ । ଭାରତୀୟ ଗଣତନ୍ତ୍ରରେ ଏହି ପଦବୀର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଅତୀତରେ ସୁରକ୍ଷା ତୃଟି ପାଇଁ ଦେଶ ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀ (ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ)ଙ୍କୁ ହରାଇଛି । ତେଣୁ, ଦେଶ ଆଉ ଜଣେ ପ୍ରଧାନମନ୍ତ୍ରୀଙ୍କ ଜୀବନ ବିପନ୍ନ ହେବା ଚାହୁଁ ନାହିଁ । ବୁଧବାର ଘଟଣାର ନିରପେକ୍ଷ ତଦନ୍ତ ହେଉ ଓ ବାସ୍ତବିକତା କଣ ତାହା ଲୋକଲୋଚନକୁ ଆସୁ । ସବୁ ରାଜନୈତିକ ଦଳ ରାଜନୈତିକ ସ୍ୱାର୍ଥରୁ ଉର୍ଦ୍ଧରେ ରହି ବୁଧବାର ଘଟଣାର ନିରପେକ୍ଷ ତଦନ୍ତରେ ସହାୟକ ହୁଅନ୍ତୁ ବୋଲି ସେମାନଙ୍କ ମତ । ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ୟୁପି, ପଂଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ସାତଟି ପର୍ଯ୍ୟାୟରେ ବିଧାନସଭା ଭୋଟ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ଓ ଚୂଡାନ୍ତ ଫଳାଫଳ ଘୋଷଣା ରହିଛି । ଏହି ରାଜନୈତିକ ମହାସମର ଭିତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ପ୍ରସଙ୍ଗ କେଉଁ ଦଳକୁ କେତେ ଫାଇଦା ଦେଉଛି, ତାହା ଆଗାମୀ ସମୟ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS