ରାଜ୍ୟରେ ଫେବୃୟାରୀ ୧୬ରୁ ୨୪ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ
ଭୁବନେଶ୍ୱର
ଜାନୁୟାରୀ ୧୧
ଓଡ଼ିଶାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଫେବୃୟାରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ପାଂଚ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ନିର୍ବାଚନ କମିସନ୍ (ଏସଇସି) ଆଜି ଘୋଷଣା କରିଛନ୍ତି । ମତଦାତା ଫେବୃୟାରୀ ୧୬, ୧୮,୨୦, ୨୨ ଓ ୨୪ ତାରିଖ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସେମାନଙ୍କ ମତଦାନ କରି ପାରିବେ । ବ୍ଲକ ଓ ସଦର ମହକୁମା ସ୍ତରରେ ୨୬,୨୭ ଓ ୨୮ ତାରିଖ ଭୋଟ ଗଣତି ହେବ । ଏସଇସି ଆଦିତ୍ୟ ପ୍ରସାଦ ପାଢୀ ଆଜି ଏହି ସୂଚନା ଦେବା ସହ ପଂଚାୟତ ନିର୍ବାଚନ ପାଇଁ ଜାନୁୟାରୀ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି । ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ, ନାମାଂକନପତ୍ର ଦାଖଲ, ଯାଂଚ ଓ ପ୍ରତ୍ୟାହାର ସରିବା ପରେ ଜାନୁୟାରୀ ୨୫ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପ୍ରାର୍ଥମାନେ ଯେଉଁ ନାମାଂକନପତ୍ର ଦାଖଲ କରିବେ ସେଥିରେ କୌଣସି ମିଥ୍ୟା ତଥ୍ୟ ନ ଦେବାକୁ ପରାମର୍ଶ ଦେବା ସହ ଯଦି କିଛି ମିଥ୍ୟା ତଥ୍ୟ ଥିବା ପରବର୍ତ୍ତୀ ସମୟରେ ଜଣାପଡିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।
ରାଜ୍ୟରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଗାମୀ ପଂଚାୟତ ନିର୍ବାଚନରେ ଶୋଭାଯାତ୍ରା, ସାଧାରଣ ସଭାକୁ ନିଷିଦ୍ଧ କରାଯାଇଛି । ପ୍ରାର୍ଥୀମାନେ କେବଳ ଡ଼ିଜିଟାଲ୍ ଓ ଭର୍ଚ୍ଚୁଆଲ୍ ମାଧ୍ୟମରେ ନିର୍ବାଚନ ପ୍ରଚାର କରି ପାରିବେ । ପ୍ରାର୍ଥୀମାନେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରି ପାରିବେ । ତେବେ, ପ୍ରାର୍ଥୀଙ୍କ ସମେତ ମାତ୍ର ୫ ଜଣଙ୍କୁ ଅନୁମତି ରହିଛି । ସେହିଭଳି, ବିଜୟ ଶୋଭାଯାତ୍ରା ନିଷିଦ୍ଧ କରାଯାଇଛି । କେବଳ ଦୁଇ ଡୋଜ୍ ଟିକା ନେଇଥିବା ଏବଂ କୋଭିଡ଼ ନେଗେଟିଭ୍ ଥିବା ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ବୋଲି ରାଜ୍ୟ ନିର୍ବାଚନ କମିସନ୍ କହିଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନାଏବ ସରପଂଚ ନିର୍ବାଚନ ମାର୍ଚ୍ଚ ୧୧ରେ, ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୧୨ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୧୩ରେ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ୧୦ ତାରିଖ ସର୍ବଦଳୀୟ ବୈଠକ କରି ପଂଚାୟତ ନିର୍ବାଚନ ସଂପର୍କରେ ଆଲୋଚନା କରିବା ପରେ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।
ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି, ଯାହାକି ନିର୍ବାଚନ ସରିବା ପର୍ଯ୍ୟନ୍ତ ଲାଗୁ ରହିବ । ରାଜ୍ୟର ୩୦ ଜିଲ୍ଲାରୁ ୨୯ ଜିଲ୍ଲାର ୬,୭୯୪ ଗ୍ରାମ ପଂଚାୟତ ଅନ୍ତର୍ଗତ ୯୧,୯୧୩ଟି ୱାର୍ଡରେ ପଂଚାୟତ ଭୋଟ ହେବ । ୨୦୧୭ରେ ୬,୮୦୧ ଜିପିରେ ପଂଚାୟତ ନିର୍ବାଚନ ହୋଇଥିଲା । ଇତିମଧ୍ୟରେ ସାତଟି ଗ୍ରାମ ପଂଚାୟତ ଏନଏସିରେ ସାମିଲ ହୋଇ ଥିବାରୁ ସେସବୁ ଜିପି ପଂଚାୟତ ନିର୍ବାଚନରୁ ବାଦ୍ ପଡିଛନ୍ତି । ବାଦ୍ ପଡିଥିବା ସାତଟି ଜିପି ମଧ୍ୟରେ ବାଲେଶ୍ୱର ଜିଲ୍ଲା ରେମୁଣାର ୪ଟି ଜିପି ଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଦୁଇଟି ଜିପି ଓ ବରଗଡ଼ ଜିଲ୍ଲା ବିଜେପୁରର ଗୋଟିଏ ଜିପି ରହିଛି । କୋଭିଡ଼ ପରିସ୍ଥିତି ଦୃଷ୍ଟିରୁ ରାଜ୍ୟରେ ପଂଚାୟତ ନିର୍ବାଚନ ତିନି ମାସ ଘୁଂଚାଇ ଦିଆଯିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାବି କରାଯିବା ସତ୍ତ୍ୱେ ଆଜି ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS