ୟୁପି ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ବିଜେପିର ଜଣେ ମନ୍ତ୍ରୀ ଓ ୩ ବିଧାୟକ !
ଲକ୍ଷ୍ନୌ
ଜାନୁୟାରୀ ୧୧
ଉତ୍ତର ପ୍ରଦେଶରେ ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଜଣେ ବରିଷ୍ଠ ମନ୍ତ୍ରୀ ଓ ତିନି ଜଣ ବିଧାୟକ ଇସ୍ତଫା ଦେଇ ବିରୋଧୀ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସୂଚନା ମିଳିଛି । ଇସ୍ତଫା ଦେଇଥିବା ବିଜେପି ମନ୍ତ୍ରୀ ହେଉଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସେ ତାଙ୍କ ଇସ୍ତଫାପତ୍ର ଟ୍ୱିଟରରେ ପୋଷ୍ଟ୍ କରିଛନ୍ତି । ତାଙ୍କ ପଦାଂକ ଅନୁସରଣ କରି ବିଜେପିରୁ ଇସ୍ତଫା ଦେଇଥିବା ତିନି ଜଣ ବିଦାୟକ ହେଉଛନ୍ତି, ରୋଷନ ଲାଲ ବର୍ମା, ବ୍ରିଜେଶ ପ୍ରଜାପତି ଓ ଭଗବତୀ ସାଗର । ସେମାନେ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ୨୦୨୨ ୟୁପି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ଶାସକ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ବେଳେ ବିଜେପି ମନ୍ତ୍ରୀ ମୌର୍ଯ୍ୟଙ୍କ ସମେତ ଅନ୍ୟ ତିନି ବିଧାୟକ ବିଜେପିରୁ ଇସ୍ତଫା ଦେଇ ସପାରେ ଯୋଗ ଦେବା ଅଖିଳେଶଙ୍କ ପାଇଁ ଫାଇଦା ହୋଇଥିବା ଆଲୋଚନା ହେଉଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ହେଉଛନ୍ତି ରାଜ୍ୟର ଜଣେ ଟାଣୁଆ ଓବିସି ନେତା ଓ ପାଂଚ ଥରର ବିଧାୟକ । ୨୦୧୬ରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି (ବହୁଜନ ସମାଜ ପାର୍ଟି) ନେତ୍ରୀ ମାୟାବତୀଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବିରୋଧରେ ଓବିସି ଭୋଟ ସଂଗଠିତ କରିଥିଲେ । ଅନ୍ୟ ତିନି ବିଧାୟକ ମଧ୍ୟ ମୌର୍ଯ୍ୟଙ୍କ ଭଳି ବିଏସପିରୁ ବିଜେପି ଓ ବର୍ତ୍ତମାନ ବିଜେପିରୁ ସମାଜବାଦୀ ପାର୍ଟିକୁ ଯାଇଛନ୍ତି । ମୌର୍ଯ୍ୟଙ୍କ ଇସ୍ତଫା ସଂପର୍କିତ ଟ୍ୱିଟ୍ ଉପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରତିକ୍ରିୟା ରଖି ମୌର୍ଯ୍ୟ ଓ ବିଜେପି ଛାଡି ଥିବା ଅନ୍ୟ ୩ ବିଧାୟକଙ୍କ ସମାଜବାଦୀ ପାର୍ଟିର୍କୁ ସ୍ୱାଗତ କରିବା ସହ ସାମାଜିକ ନ୍ୟାୟ ଓ ସମାନତା ପାଇଁ ଲଢୁଥିବା ଜଣେ ନେତା ଓ ତାଙ୍କ ସମର୍ଥକମାନେ ସମାଜବାଦୀ ପାର୍ଟିକୁ ଆସିବା ଦ୍ୱାରା ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି । ଗତବର୍ଷ ୟୁପିର ଆଉ ଜଣେ ପ୍ରଭାବଶାଳୀ ବିଜେପି ନେତା ଓମ୍ ପ୍ରକାଶ ରାଜଭାର ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ବିଜେପିରୁ ଇସ୍ତଫା ଦେଇଥିବା ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ହେଉଛନ୍ତି ପୂର୍ବ ୟୁପି ପଦରାଉନାର ବିଧାୟକ । ତାଙ୍କ ଝିଅ ସଂଘମିତ୍ରା ୟୁପିରୁ ବିଜେପି ସାଂସଦ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକଚାଟିଆ କାରବାରରେ ଅସନ୍ତୋଷ କାରଣରୁ ବିଜେପି ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟ ତିନି ବିଧାୟକ ବିଜେପି ଛାଡି ଥିବା କୁହାଯାଉଛି । ତେବେ, ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଥିବା ସ୍ୱାମୀ ପ୍ରାସାଦ ମୌର୍ଯ୍ୟଙ୍କ ଉଦ୍ଦେଶରେ ଏକ ଟ୍ୱିଟ୍ କରି, ତରବରିଆ ଭାବେ ନେବା ଯେକୌଣସି ନିଷ୍ପତ୍ତି ବିପରିତ ପରିଣାମ ଦେଇଥାଏ, ତେଣୁ ଦଳ ନଛାଡି ଆଲୋଚନା ମାଧ୍ୟମରେ ଯାହା କିଛି ଅସନ୍ତୋଷ ଅଛି ଦୂର କରିବାକୁ ନିବେଦନ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS