ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ କରିବେ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା କମିଟି
ପ୍ରସାଦ ରାଓ
ଜାନୁୟାରୀ ୧୨
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାନୁୟାରୀ ୫ ତାରିଖ ପଂଜାବ ଗସ୍ତ ସମୟରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟିକୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମ କୋର୍ଟ । କମିଟିରେ ପଂଜାବ ଓ ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ, ଏନଆଇଏର ଡାଇରେକ୍ଟର ଜେନେରାଲ କିମ୍ବା ତାଙ୍କ ଦ୍ୱାରା ମନୋନୀତ ଜଣେ ଆଇଜି ର୍ୟାଙ୍କରୁ ଉପର ଅଧିକାରୀ ଏବଂ ପଂଜାବ ପୋଲିସର ଏଡ଼ିଜିପି (ସୁରକ୍ଷା) ଥିବା ଜଣାପଡିଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି ଏହି ନିଯୁକ୍ତି ସଂପର୍କର ସୂଚନା ଦେଇଛନ୍ତି । ତଦନ୍ତ ମୋଟେ ଏକପାଖିଆ ହେବାକୁ ଦିଆଯିବ ନାହିଁ, ଆଇନଗତ ବିଚାର ବୁଦ୍ଧି ପ୍ରୟୋଗ କରାଯାଇ ତଦନ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ କିଏ ଦାୟି ଏବଂ ଆଗାମୀ ଦିନରେ ପ୍ରାଧାନମନ୍ତ୍ରୀଙ୍କ ସମେତ ଅନ୍ୟ ସାମ୍ବିଧାନିକ ପଦାଧିକାରୀଙ୍କ ନିରାପତ୍ତା ସକାଶେ ଆଉ କି ସୁରକ୍ଷା ପଦକ୍ଷେପର ଆବଶ୍ୟକତା ରହିଛି, ତାହା ଉପରେ ତଦନ୍ତ କମିଟି କୋର୍ଟ ସମ୍ମୁଖରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବେ ।
ସୁପ୍ରିମ କୋର୍ଟର ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ବ୍ୟତୀତ ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ହୀମା କୋହିଲୀ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୫ ତାରିଖ ଦିନ ପଂଜାବର ଭତିଣ୍ଡା ବିମାନ ବନ୍ଦରରୁ ଫରୋଜପୁରର ହୁସେନିୱାଲା ଅଭିମୁଖେ ସଡ଼କ ପଥରେ ଯାତ୍ରା କରିବା ସମୟରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ୱେ ତାଙ୍କ କାରକେଡ୍ ରାସ୍ତାରେ ଏକ ଫ୍ଲାଏଓଭର୍ ଉପରେ ୧୫ରୁ୨୦ ମିନିଟ ଅଟକି ରହିବା ଏବଂ ପ୍ରଧାନମନ୍ତ୍ରୀ ସେହିଠାରୁ ପଛକୁ ଫେରିବାକୁ ବାଧ୍ୟ ହେବା ପଛରେ ଚାଷୀଙ୍କ ଧାରଣା ଓ ରାସ୍ତା ଅବରୋଧ ମୁଖ୍ୟ କାରଣ କୁହାଯାଉଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ପଛରେ ଷଡଯନ୍ତ୍ର ଥିବା ଆଶଙ୍କା କରୁଛନ୍ତି । ବାସ୍ତବରେ, ପ୍ରଧାନମନ୍ତ୍ରୀ ମୋଦୀ ଭତିଣ୍ଡାରୁ ଫିରୋଜପୁର ହେଲିକପ୍ଟରରେ ଯିବା ପୂର୍ବ ନିଧାର୍ଯ୍ୟ କାର୍ଯ୍ୟକ୍ରମ ଥିଲା । ତେବେ, ବର୍ଷା ଓ ଖରାପ ପାଗ କାରଣରୁ ସେ ସଡ଼କ ପଥରେ ହୁସେନିୱାଲ ଅଭିମୁଖେ ଯାତ୍ରା କରିଥିଲେ ।
ଏହି ଅଚାନକ ପରିବର୍ତ୍ତନ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଟିମ୍ ପଂଜାବ ସରକାର, ପ୍ରଶାସନ ଏବଂ ପୁଲିସ ମହାନିର୍ଦେଶକଙ୍କୁ ଅଧ ଘଂଟାଏ ଆଗରୁ ସୂଚିତ କରିଥିଲେ ମଧ୍ୟ ଫ୍ଲାଏଓଭରରୁ ଅବରୋଧ ହଟାଇବାରେ ପଂଜାବ ସରକାର ବିଫଳ ହେବା ଏବଂ ପ୍ରଧାନମନ୍ତ୍ରୀ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ ଅସୁରକ୍ଷିତ ଭାବେ ଫସି ରହିବା ସହ ୟୁ-ଟର୍ଣ୍ଣ ମାରି ଭତିଣ୍ଡା ଫେରିବା ପଛରେ ପଂଜାବ ସରକାରଙ୍କ ବଡ଼ ଷଡଯନ୍ତ୍ର ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଶାସକ ବିଜେପି ସନ୍ଦେହ କରୁଛନ୍ତି । ଏହି ସୁରକ୍ଷା ତ୍ରୁଟି ପାଇଁ କେନ୍ଦ୍ର ସରକାର ପଂଜାବ ସରକାରଙ୍କୁ ଦାୟି କରି କୈଫିୟତ ମାଗିବା ସହ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡ଼ିଜିଙ୍କୁ ତୁରନ୍ତ ନିଲମ୍ବନ ପାଇଁ ଦାବି ରଖି ଥିଲେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ତ୍ରୁଟିର ତଦନ୍ତ ଆରମ୍ଭ ହୋଇଥିଲା । ପଂଜାବ ସରକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜିକୁ ଦାୟି କରି ସମାନ୍ତରାଳ ତଦନ୍ତ ଆରମ୍ଭ କରିଥିଲେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ପଂଜାବ ସରକାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ସମାନ୍ତରାଳ ତଦନ୍ତ କରୁଥିବା ବେଳେ ‘ଲୟର୍ସ ଭଏସ୍’ ନାମକ ଏକ ଏନଜିଓ ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଲୋଡି କୋର୍ଟରେ ଆବେଦନ କରିଥିଲେ । ମାମଲା ସୁପ୍ରିମ କୋର୍ଟରେ ପହଂଚିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାହାର ଶୁଣାଣୀ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୫ ତାରିଖ ପଂଜାବ ଗସ୍ତର ସୁରକ୍ଷା ବନ୍ଦୋବସ୍ତ ସଂପର୍କିତ ସମସ୍ତ ଦସ୍ତାବିଜ୍ ତୁରନ୍ତ ନିଜ ହେପାଜତକୁ ନେବାକୁ ପଂଜାବ ଓ ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦେଶ ଦେଇଥିଲେ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘଟଣାର ସମାନ୍ତରାଳ ତଦନ୍ତ ସ୍ଥଗିତ ରଖିବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ନର୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣୀ ୧୦ ତାରିଖ (ସୋମବାର)କୁ ଧାର୍ଯ୍ୟ କରିଥିଲେ । ସୋମବାର ଦିନ ସୁପ୍ରିମ କୋର୍ଟ ଖଣ୍ଡପୀଠ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦଲିଲ ଶୁଣିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେବ ବୋଲି ନିର୍ଣ୍ଣୟ ନେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ପଂଜାବ ସରକାରଙ୍କୁ ସମାନ୍ତରାଳ ତଦନ୍ତ ବନ୍ଦ ରଖିବାକୁ ମଧ୍ୟ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବା ଆଜି ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୫ ତାରିଖ ଅପରାହ୍ନରେ ସଡ଼କ ପଥରେ ଭତିଣ୍ଡାରୁ ଫିରୋଜପୁର ହୁସେନିୱାଲା ଜାତୀୟ ସହିଦ ସ୍ମାରକି ଅଭିମୁଖେ ଯିବା ବେଳେ ଫିରୋଜପୁର ଜିଲ୍ଲାର ପିଆରେଆନା ଗ୍ରାମ ନିକଟରେ ସୁରଜିତ ସିଂହ ଫୁଲେଙ୍କ ଭାରତୀୟ କିଶାନ ୟୁନିୟୁନ (ବିକେୟୁ) କ୍ରାନ୍ତିକାରୀ ଗୋଷ୍ଠୀର ୪୦୦ରୁ ୫୦୦ ସଦସ୍ୟ ଚାଷୀଙ୍କ ବିଭିନ୍ନ ଦାବିକୁ ନେଇ ଧାରଣାରେ ବସି ଥିଲେ । ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା ସହ ବିକେୟୁ ସଂପୃକ୍ତ । ବିକେୟୁର କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭାକୁ ଯାଉଥିବା ବିଜେପି କର୍ମୀ ଓ ସମର୍ଥକଙ୍କୁ ରୋକିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ରୋକିବା ଉଦ୍ଦେଶ୍ୟ ନଥିଲା । ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ନ ଯାଇ ସଡ଼କ ପଥରେ ଯାଉଥିବା ଫିରୋଜପୁର ଏସଏସପି ସେମାନଙ୍କୁ ସୂଚନା ଦେଇଥିଲେ ମଧ୍ୟ ସେମାନେ ତାହା ବିଶ୍ୱାସକୁ ନ ନେଇ ରାସ୍ତା ଅବରୋଧ ଜାରି ରଖି ଥିଲେ । କେବଳ ବିକେୟୁ କ୍ରାନ୍ତିକାରୀ (ଫୁଲେ) ଗୋଷ୍ଠୀ ନୁହଁ, ପଂଜାବ କିଶାନ ମଜଦୂର ସଂଘର୍ଷ କମିଟି (ପିକେଏମଏସସି) ମଧ୍ୟ ସେଦିନ ଏମଏସପି ସମେତ ଚାଷୀଙ୍କ ଅନ୍ୟାନ୍ୟ ଦାବି ଉପସ୍ଥାପନ କରି ଜାତୀୟ ରାଜପଥରେ ଧାରଣା ଦେଇଥିଲେ । ପ୍ରଧାନମନ୍ତ୍ରୀ ଜାନୁୟାରୀ ୧୫ ତାରିଖ ଦିନ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲା ଅଧିକାରୀମାନେ ଜଣାଇବା ପରେ ପିକେଏମଏସସି ସଦସ୍ୟମାନେ ଧାରଣାରୁ ଓହରି ଥିଲେ ବୋଲି କହିଛନ୍ତି ।
ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଜନସଭା ବାତିଲ ହୋଇଥିବା ପିକେଏମଏସସି ପକ୍ଷରୁ କୁହାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ ଏହି ସଭା ବାତିଲ ହେଲା ବୋଲି ବିଜେପି କହୁଛି । ସୁପ୍ରିମ କୋର୍ଟ ତଦନ୍ତ କମିଟି ଗଠନ କରି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ବୋ ସହ ସରକାରୀ ତଦନ୍ତ ବନଦ କରିବାକୁ କହିଥିବା ବେଳେ ଘଟଣାର ମିଡ଼ିଆ ଟ୍ରାଏଲ୍ ଆରମ୍ଭ ହୋଇଥିବା ମଂଗଳବାର ପ୍ରସାରିତ ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳୁଛି । ଏହି ମିନିଆ ସଂସ୍ଥା ନିଜ ଆଡୁ ଏସଆଇଟି ଗଠନ କରି ଘଟଣା ସ୍ଥଳରେ ତଦନ୍ତ କରିଥିବା ମଂଗଳବାର ପ୍ରସାରିତ କରିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ ସିଧାସଳଖ ପଂଜାବ ସରକାରଙ୍କୁ ଦାୟି କରୁଥିବା ଦେଖିବାକୁ ମିଳିଛି । ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ ସରକାରୀ ତଦନ୍ତ ବନ୍ଦ ହୋଇଥିବାରୁ ଏବେ ନିଜ ସମର୍ଥିତ ମିଡ଼ିଆ ମାଧ୍ୟମରେ ଏଭଳି ଟ୍ରାଏଲ୍ ଆରମ୍ଭ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS