ୟୁପି ନିର୍ବାଚନ: ‘ନକଲି ସମାଜବାଦ’ ବନାମ ‘ଗରୀବଙ୍କ ସରକାର’ !
ପ୍ରସାଦ ରାଓ
୩୧ ଜାନୁୟାରୀ
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃୟାରୀ ୧୦ରେ ହେବାକୁ ଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ସମାଜବାଦୀ ପାର୍ଟି ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଚରମରେ ପହଂଚିଛି । ନିର୍ବାଚନ ପ୍ରଚାରରେ ଅଯୋଧ୍ୟା, କାଶୀ, ମଥୁରା ଭଳି ଧାର୍ମିକ ପ୍ରସଙ୍ଗକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିଲେ ମଧ୍ୟ ସମାଜବାଦୀ ପାର୍ଟିକୁ ଘେରିବା ପାଇଁ ଦଳର ନେତା ଅଖିଳେଶ ଯାଦବଙ୍କୁ ପାକିସ୍ତାନ-ସମର୍ଥକ, ଜିନ୍ନାବାଦୀ, ସଂଖ୍ୟାଲଘୁ ତୁଷ୍ଟିକରଣକାରୀ ବୋଲି ଆକ୍ଷେପ କରିବାକୁ ପଛାଉ ନାହିଁ । ଆଜି ସେଥିରେ ଯୋଡି ହୋଇଛି – ‘ନକଲି ସମାଜବାଦ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ୟୁପି ମତଦାତାଙ୍କୁ ସମ୍ବୋଧିତ କରିବାକୁ ଯାଇ ଆଜି ଅଖିଳେଶଙ୍କୁ ‘ନକଲି ସମାଜବାଦୀ’ ବୋଲି ଆକ୍ଷେପ କରିବା ସହ ୟୁପି ନିର୍ବାଚନ ‘ନକଲି ସମାଜବାଦ’ ବନାମ ‘ଗରୀବଙ୍କ ସରକାର’ ମଧ୍ୟରେ ହେବ ବୋଲି ମନ୍ତବ୍ୟ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ‘ଜନ ଚୌପାଲ କାର୍ଯ୍ୟକ୍ରମ’ ବା ପ୍ରଥମ ଭର୍ଚୁଆଲ ରାଲିରେ ଅଖିଳେଶଙ୍କୁ ଆକ୍ରମଣ କରି, ଆଜିର ଦିନରେ ଲୋକମାନେ ଶୋଇଥିବା ଅବସ୍ଥାରେ ବହୁ ସ୍ୱପ୍ନ ଦେଖୁଛନ୍ତି ବୋଲି ମନ୍ତବ୍ୟ ଦେବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିନ୍ତୁ ଚେଇଁ ରହି ୟୁପିର ବିକାଶ ଦିଗରେ ବହୁ କାର୍ଯ୍ୟ କରିଥିବା କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଗରୀବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ସହ ପଛୁଆ ବର୍ଗଙ୍କ ବିକାଶ ପାଇଁ ବହୁ ଯୋଜନା କରିଛନ୍ତି । ରାଜ୍ୟରେ ଏକାଧିକ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ପଶ୍ଚିମ ୟୁପିକୁ ଅନ୍ୟ ଅଂଚଳ ସହ ଯୋଡିବା ପାଇଁ ରାସ୍ତା ସଂଯୋଗକୁ ଦୃଢିକରଣ କରାଯାଇ ଏକ୍ସପ୍ରେସୱେ ନିର୍ମାଣ କରାଯାଇଛି । ମୁସଲିମ ମହିଳାଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ବାଳିକାଙ୍କ ବିବାହ ସମୟ ୨୧ ବର୍ଷକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏତେ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ବେଳେ ବିରୋଧୀ ‘ବିକାଶ କାହିଁ (?)’ ବୋଲି ପ୍ରଶ୍ନ କରୁଛନ୍ତି ଏବଂ ବିଜେପି ବିରୋଧରେ ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ୟୁପିରେ ସମାଜବାଦୀ ପାର୍ଟି ପକ୍ଷରୁ ଯେଭଳି ଟିକଟ ବଂଟା ହୋଇଛି ତାହାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମାଜବାଦୀ ପାର୍ଟି ଏଭଳି ଲୋକଙ୍କୁ ଟିକଟ ଦେଇଛି ଯେଉଁମାନଙ୍କ ମନୋବୃତ୍ତି ଦଙ୍ଗା କରାଇବା । ରାଜ୍ୟରେ ସେମାନଙ୍କୁ ସୁହାଇଲା ଭଳି ସରକାର ପ୍ରତିଷ୍ଠା ହେବା ଅପରାଧୀମାନେ ଚାହୁଁଛନ୍ତି ବୋଲି ଅଭିଯୋଗ କରି, ୫ ବର୍ଷ ତଳେ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ରାସନ୍ ବାଟମାରଣା ହେଉଥିବା ବେଳେ ଆଜି ଦିନରେ ପ୍ରତିଟି ଦାନା ଗରିବ ଲୋକଙ୍କ ନିକଟରେ ପହଂଚୁଛି ବୋଲି ସେ କହିଛନ୍ତି । ଗଲା ପାଂଚ ବର୍ଷରେ ରାଜ୍ୟରେ ଏହାହିଁ ପରିବର୍ତ୍ତନ ଆସିଛି ବୋଲି ପ୍ରଦାନମନ୍ତ୍ରୀ କହିବା ସହ ତାଙ୍କ ସରକାର କ୍ଷୁଦ୍ର ଚାଷୀଙ୍କ ପାଇଁ କାର୍ଯ୍ୟ ଆରମ୍ଭ କରିଛି, କ୍ଷୁଦ୍ର ଚାଷୀମାନେ ହିଁ ଗ୍ରାମାଂଚଳ ଦୃଶ୍ୟପଟ୍ଟ ବଦଳାଇବେ ବୋଲି ମତ ଦେଇଛନ୍ତି ।
ୟୁପି, ବିଶେଷକରି ପ୍ରଥମ ପର୍ଯ୍ୟୟ ମତଦାନ ହେବାକୁ ଥିବା ପଶ୍ଚିମ ୟୁପି ବିଜେପି ପାଇଁ ବେଶ୍ ମହତ୍ୱ ରଖୁଛି । ପ୍ରଥମ ପର୍ଯ୍ୟାୟ ଭୋଟର ପ୍ରଭାବ ଅନ୍ୟ ଛଅଟି ପର୍ଯ୍ୟାନ୍ତ ମତଦାନକୁ ପ୍ରଭାବିତ କରିବ ବୋଲିଦଳ ବିଶ୍ୱାସ କରୁଛି । ୟୁପି ପଶ୍ଚିମାଂଚଳରେ ଜାଠ୍ ସଂପ୍ରଦାୟ ମତଦାତାଙ୍କ ପ୍ରଭାବ ଅଧିକ । ଏହି ସଂପ୍ରଦାୟର ଅଧିକାଂଶ ମତଦାତା ହେଉଛନ୍ତି କୃଷିଜୀବୀ । ୨୦୨୦ରେ କେନ୍ଦ୍ର ସରକାର ଦେଶରେ ତିନି ନୂଆ କୃଷି ଆଇନ ପ୍ରଣୟନ କରି ଚାଷୀ ଅସନ୍ତୋଷର ଶିକାର ହୋଇଥିଲେ । ମୁଖ୍ୟତଃ, ୟୁପି, ପଂଜାବ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ ପ୍ରଭୃତି ରାଜ୍ୟର ଚାଷୀ ସଂଗଠନମାନେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେରୁ ଅଧିକ ସମୟ ବିଭିନ୍ନ ପର୍ଯ୍ୟାୟ ଆନ୍ଦୋଳନ ଜାରି ରଖି ଥିଲେ । ଆନ୍ଦୋଳନର ନେତୃତ୍ୱରେ ଥିବା ଚାଷୀ ନେତାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜାଠ୍ ସଂପ୍ରଦାୟର । ତେଣୁ, ଚାଷୀ ଅସନ୍ତୋଷର ପ୍ରଭାବ ପଂଜାବ ଓ ୟୁପି ନିର୍ବାଚନକୁ ଅଧିକ ଭାବେ ପ୍ରଭାବିତ କରିବ ବୋଲି କେନ୍ଦ୍ର ସରକାର ଆଶଙ୍କା କରୁଛନ୍ତି ।
ସରକାରଙ୍କ ମନରେ ଏଭଳି ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ନଭେମ୍ବର ୧୯ ତାରିଖ ଦିନ ଗୁରୁ ନାନକଙ୍କ ଜନ୍ମ ଜୟନ୍ତୀକୁ ଆଢୁଆଳ କରି ତାଙ୍କ ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ । ନଭେମ୍ବର ୨୯ ତାରିଖ ସୁଦ୍ଧା ସଂସଦର ଉଭୟ ଗୃହରେ ଏନେଇ ବିଲ୍ ପାରିତ କରାଯାଇ ୩୦ ତାରିଖ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତିନି କୃଷି ଆଇନ ପ୍ରତ୍ୟାହୃତ ହୋଇଥିଲା । ଆନ୍ଦୋଳନରେ ସାମିଲ ଥିବା ୪୦ଟି ଚାଷୀ ସଂଗଠନ ତିନି କୃଷି ଆଇନ ପ୍ରତ୍ୟାହାର ପରେ ସେମାନଙ୍କ ବିଜୟକୁ ନେଇ ଆନନ୍ଦିତ । ତେବେ, କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନଗତ ମାନ୍ୟତା ଦିଆଯିବା, ଆନ୍ଦୋଳନ ସମୟରେ ଚାଷୀ ନେତାଙ୍କ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଡୁ ହୋଇଥିବା ଆପରାଧିକ ମାମଲା ସବୁ ପ୍ରତ୍ୟାହାର କରାଯିବା, ଆନ୍ଦୋଳନରେ ଭାଗ ନେଇ ସହୀଦ ହୋଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉପଯୁକ୍ତ କ୍ଷତିପୂରଣ ଦେବା ସହ ସେମାନଙ୍କ ପରିବାରରୁ ଜଣକୁ ଲେଖାଏଁ ସରକାରୀ ନିଯୁକ୍ତି ଦେବା ପ୍ରଭୃତି ଦାବିକୁ ନେଇ ମିଳିତ ଆନ୍ଦୋଳନର ନେତୃୃତ୍ୱ ନେଉଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ) ସରକାରଙ୍କ ଉପରେ ଚାପ ଅବ୍ୟାହତ ରଖିଛି ।
କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବି ଉପରେ ଏକ ବିଶେଷଜ୍ଞ କମିଟି ଗଠନ କରି ତାହାର ବିଚାର କରିବେ ବୋଲି ଚାଷୀଙ୍କ ସଂଗଠନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀ ସଂଗଠନଙ୍କ ଅନ୍ୟ ସବୁ ଦାବିକୁ ସରକାର ମାନି ନେଇଥିବା ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ପ୍ରତିଶ୍ରୁତି ପାଇବା ପରେ ଚାଷୀ ସଂଗଠନ ଆନ୍ଦୋଳନକୁ ସ୍ଥଗିତ ରଖିବା ଘୋଷଣା କରି ଦିଲ୍ଲୀ ସୀମାନ୍ତରୁ ଅବରୋଧ ହଟାଇ ନିଜ ନିଜ ଗାଁକୁ ଫେରିଛନ୍ତି । ତେବେ, ଆଜି ସୁଦ୍ଧା ସରକାର ଏମଏସପି ଦାବିକୁ ନେଇ ବିଶେଷଜ୍ଞ କମିଟି ଗଠନ କରି ନାହାନ୍ତି ବା ଅନ୍ୟ ଦାବି ପୂରଣ କରି ନାହାନ୍ତି । ତେଣୁ, ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ) ଆଜି ଦେଶବ୍ୟାପୀ ‘ବିଶ୍ୱାସଘାତ ଦିବସ’ ପାଳନ କରିଛି । ପଂଜାବ ଓ ୟୁପିର ଅସନ୍ତୁଷ୍ଟ ଜାଠ୍ ସଂପ୍ରଦାୟ ବିଜେପି ପାଇଁ ବଡ଼ ସମସ୍ୟା ଥିବା ବିଜେପି ଜାଣେ । ତେଣୁ, ବିଜେପିର ବଡ ବଡିଆ ନେତା ପଶ୍ଚିମ ୟୁପିରେ ଡେରା ପକାଇ ଜାଠ୍ ସଂପ୍ରଦାୟଙ୍କ ତୁଷ୍ଟିକରଣରେ ଲାଗିଛନ୍ତି । ଖାପ୍ ନେତାଙ୍କୁ ଏଥିରେ ବ୍ୟବହାର କରାଯାଉଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ।
ୟୁପିରେ ଜାଠ୍ ସଂପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ତାହାର ସମସ୍ତ ବଳ ଖଟାଉ ଥିବା ବେଳେ ଏହି ସଂପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡ଼ି) ମୁଖ୍ୟ ଜୟନ୍ତ ଚୌଧୁରୀ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ସମାଜବାଦୀ ପାର୍ଟି ସହ ବେଂଟ କରିବା ବିଜେପିର ନିଦ ହଜାଇଛି । ଅଖିଳେଶ-ଜୟନ୍ତ ମେଂଟ ୟୁପିରେ ସବୁ ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ଜୟନ୍ତଙ୍କୁ ମେଂଟରୁ ଓହରିବା ସକାଶେ ମନାଇବା ପାଇଁ ବିଜେପି ସବୁ ପ୍ରକାର ରାଜନୈତିକ କୌଶଳ ଆପଣାଇଛି । ନିର୍ବାଚନୀ ସଭାମାନଙ୍କରେ ବିଜେପି ନେତୃବର୍ଗ ଅଖିଳେଶଙ୍କ ପ୍ରତି କଟୁ ସମାଲୋଚନା କରୁଥିଲେ ମଧ୍ୟ ଜୟନ୍ତଙ୍କ ପ୍ରତି କୋହଳ ଥିବା ଦେଖିବାକୁ ମିଳୁଛି । ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ହେଉଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ନେତା ସ୍ୱର୍ଗତଃ ଚୌଧୁରୀ ଚରଣ ସିଂହଙ୍କ ନାତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ପୁଅ ।
ଅତୀତରେ ବିଜେପି ଜନସଂଘ ଥିବା ସମୟରେ ଲୋକ ଦଳ ନେତା ଚୌଧୁରୀ ଚରଣ ସିଂହଙ୍କୁ କିଭଳି ରାଜନୈତିକ ସଂକଟ ସମୟରେ ସହଯୋଗ କରିଥିଲା ଓ ଜନସଂଘ ସହ ତାଙ୍କ କିଭଳି ନିବିଡ଼ ସଂପର୍କ ଥିଲା ସେ ନେଇ ବିଜେପି ଆରଏଲଡ଼ି ନେତା ଜୟନ୍ତ ଚୌଧୁରୀଙ୍କୁ ଅବଗତ କରାଇବା ସହ ସମାଜବାଦୀ ପାର୍ଟି ହାତ ଛାଡିବାକୁ ବୁଝାଇବା ଉଦ୍ୟମ କରୁଛି । ତେବେ, ଜୟନ୍ତ ବିଜେପି ଜାଲରେ ନ ଫସି ନିର୍ବାଚନ ପରେ ମଧ୍ୟ ସେ ଅଖିଳେଶଙ୍କ ସହ ମେଂଟରେ ରହିବେ ବୋଲି ଦୃଢେକ୍ତି ପ୍ରକାଶ କରିଛନ୍ତି । ଫେବୃୟାରୀ ୧୦ତାରିଖ ଦିନ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାର ୫୮ଟି ଆସନ ପାଇଁ ମତଦାନ ହେବ । ଏହି ୫୮ ଆସନ ପଶ୍ଚିମ ୟୁପିର ୧୧ଟି ଜିଲ୍ଲାରେ ବିଛାଇ ହୋଇ ରହିଛି । ୨୦୧୭ ନିର୍ବାଚନରେ ବିଜେପି ପଶ୍ଚିମ ୟୁପିରେ ଭଲ ପ୍ରଦର୍ଶନ କରିଥିଲା । ତେବେ, ଏଥର ଚାଷୀ ଓ ଜାଠ୍ ସଂପ୍ରଦାୟର ଅସନ୍ତୋଷ ବିଜେପିର ଚିନ୍ତା ବଢାଇଛି ।
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି, ତୃତୀୟ ପର୍ଯ୍ୟାୟରେ ୫୯ଟି, ଚତୁର୍ଥ ଓ ପଂଚମ ପର୍ଯ୍ୟାୟରେ ୬୦ଟି ଲେଖାଏଁ, ଷଷ୍ଠ ପର୍ଯ୍ୟାୟରେ ୫୭ଟି ଏବଂ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ୫୪ଟି ବିଧାନସଭା ଆସନ ପାଇଁ ଭୋଟ ହେବ । ମାର୍ଚ୍ଚ ୭ରେ ଦିନ ମତଦାନ ସରିବ ପରେ ୧୦ ତାରିଖ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ପ୍ରକାଶ ପାଇବ । ୟୁପି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସମେତ ସମାଜବାଦୀ ପାଟି-ଆରଏଲଡ଼ି ମେଂଟ, କଂଗ୍ରେସ, ବିଏସପି ଓ ଓସାଉଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ୍ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବେଳେ ବିଜେପି ଓ ସମାଜଜବାଦୀ ପାର୍ଟି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ୟୁପି ମତଦାତା ‘ନକଲି ସମାଜବାଦ’କୁ ଗ୍ରହଣ କରିବେ କି ‘ଗରିବଙ୍କ ଦଳ’କୁ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆଣିବେ, ତାହା ବଡ଼ ପ୍ରଶ୍ନ ହୋଇଛି । ବିଭିନ୍ନ ନିର୍ବାଚନ ପୂର୍ବ ସର୍ଭେରେ ବିଜେପିର ବିଜୟକୁ ନେଇ ପୂର୍ବାନୁମାନ କରାଯାଇଛି । ତେବେ, ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଏଭଳି ପୂର୍ବାନୁମାନ ସବୁ ବିଫଳ ହୋଇଥିବାରୁ ଫେବୃୟାରୀ ୧୦ ତାରିଖ ଉପରେ ସମସ୍ତଙ୍କ ନଜର ରହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS