ପଂଜାବ ମୁଖ୍ୟମନ୍ତ୍ରୀ ମୁହଁ କିଏ ? ସିଦ୍ଧୁ, ଚନ୍ନି ନା ସୁନିଲ ଝାକର ??
ପ୍ରସାଦ ରାଓ
ଫେବୃୟାରୀ ୦୨
ଫେବୃୟାରୀ ୨୦ରେ ପଂଜାବ ବିଧାନସଭା ପାଇଁ ଭୋଟ ହେବାକୁ ଥିବା ବେଳେ କଂଗ୍ରେସ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ, ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇନି । ରାଜ୍ୟରେ ମିଳିତ ନେତୃତ୍ୱ ନୁହେଁ, ଏକକ ନେତୃତ୍ୱରେ କଂଗ୍ରେସ ନିର୍ବାଚନର ସାମ୍ନା କରିବ ବୋଲି ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଂଜାବ ଗସ୍ତ ଅବସରରେ ଘୋଷଣା କରିଥିଲେ । ତେବେ, ସେହି ଏକକ ନେତୃତ୍ୱ କିଏ, ତାହା ସ୍ପଷ୍ଟ କରି ନାହାନ୍ତି । ଫଳରେ, ମୁଖ୍ୟମନ୍ତ୍ରୀ ଚେହେରା ଦୌଡ଼ରେ ଦାବିଦାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ସିଦ୍ଧୁ, ଚନ୍ନିଙ୍କ ପରେ ଏବେ ରାଜ୍ୟରେ କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ଦଳର ବରିଷ୍ଠ କଂଗ୍ରେସ ନେତା ସୁନିଲ ଝାକର ଏହି ଦୌଡ଼ରେ ସାମିଲ ହୋଇଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ଝାକର ତାଙ୍କ ପଛରେ ରାଜ୍ୟର ଅଧିକାଂଶ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଏହି ଭିଡ଼ିଓରେ ଦାବି କରୁଥିବା ନୂଆ ବିବାଦର ସୂତ୍ରପାତ କରିଛି ।
୨୦୧୭ରେ କଂଗ୍ରେସ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ପଂଜାବରେ ବିଧାନସଭା ନିର୍ବାଚନ ଲଢି ଥିଲା ଏବଂ ଆଶାତୀତ ବହୁମତ ପାଇ କ୍ଷମତାସୀନ ହୋଇଥିଲା । କ୍ୟାପଟେନ୍ ସିଂହ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ତେବେ, ନିର୍ବାଚନରେ ପଂଜାବବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ମୁଖ୍ୟମନ୍ତ୍ରୀ ସିଂହ ବିଫଳ ହୋଇଥିବା ଦର୍ଶାଇ ତାଙ୍କ ସହଯୋଗୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ୍ ସିଂହ ସିଦ୍ଧୁ ଲଗାତର ବିଦ୍ରୋହାତ୍ମକ କାର୍ଯ୍ୟକଳାପ ଚଳାଇ ଥିଲେ । ସିଦ୍ଧୁଙ୍କ ବିଦ୍ରୋହ କଂଗ୍ରେସ ନେତୃତ୍ୱ ଅକଳରେ ପକାଇ ଥିଲା । ମୁଖ୍ୟମନ୍ତ୍ରୀ ସିଂହ କଂଗ୍ରେସ ହାଇକମାଣ୍ଡଙ୍କୁ ଭରସା କରିଥିଲେ ମଧ୍ୟ ହାଇକମାଣ୍ଡ ତାଙ୍କୁ ସୁରକ୍ଷା ନଦେଇ ସିଦ୍ଧୁଙ୍କୁ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ ଦେବାରୁ ସିଂହ ଅପମାନିତ ହୋଇ ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପଂଜାବ ଲୋକ କଂଗ୍ରେସ (ପିଏଲସି) ନାମରେ ଏକ ନୂଆ ଦଳ ଗଠନ କରିଛନ୍ତି ।
୨୦୨୨ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦରଙ୍କୁ ହଟାଇ ତାଙ୍କ ସ୍ଥାନରେ ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନିଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପରେ ମଧ୍ୟ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୁଧୁରିନି । ଚଳିତ ବିଧାନସଭା ନିର୍ବାଚନରେ ସିଦ୍ଧୁ ‘ମୁଖ୍ୟମନ୍ତ୍ରୀ ଚେହେରା’ ହେବାକୁ ବନ ଦାବିଦାର ଥାଇ ଚନ୍ନି-ବିରୋଧୀ ଅଭିଯାନ ଚଳାଇଛନ୍ତି । ଚନ୍ନି ନିଜେ ମୁଖ୍ୟମନ୍ତ୍ରୀ ଥିବାରୁ ‘ସିଂହାସନ’ ପ୍ରତି ତାଙ୍କ ମୋହ ବଢିଛି । ସେ ଜନସାଧାରଣଙ୍କ ଅଧିକ ନିକଟତର ଥିବାରୁ ଦଳ ତାଙ୍କୁ ହେିଁ ନେତୃତ୍ୱ ନେବାର ସୁଯୋଗ ଦେଉ ବୋଲି ଚନ୍ନି ଚାହୁଁଛନ୍ତି । ‘ମୁଖ୍ୟମନ୍ତ୍ରୀ ଚେହେରା’ ହେବାକୁ ଦୁଇ ଦାବିଦାର ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ବିବାଦ ତୁଟୁ ନଥିବା ବେଳେ ଝାକର ସେଥିରେ ନାକ ପୁରାଇଛନ୍ତି । ରାଜ୍ୟର ଅଧିକାଂଶ କଂଗ୍ରେସ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଝାକର ଦାବି କରୁଥିବା ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
ଇତିମଧ୍ୟରେ, ପଂଜାବ ନିର୍ବାଚନରେ ନିଜକୁ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ଦାବି କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ସାରିଛି । ‘ଆପ୍’ ଟେଲି-ଭୋଟିଂ ମାଧ୍ୟମରେ ଜନମତ ସଂଗ୍ରହ କରି କମେଡିଆନରୁ ରାଜନେତା ପାଲଟି ଥିବା ଦଳର ସାଂସଦ ଭଗବନ୍ତ ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ମୁହଁ’ ଘୋଷଣା କରିଥିବା ବେଳେ ପଂଜାବରେ ଶିରୋମଣୀ ଅକାଳୀ ଦଳ-ବିଏସପି ମେଂଟ ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କୁ ମୁଖ୍ୟମନ୍ତ୍ରୀ ମୁହଁ ରଖିଛି । ଗତ ନଭେମ୍ବର ମାସରେ କଂଗ୍ରେସ ଛାଡି ନୂଆ ରାଜନୈତିକ ଦଳ ‘ପଂଜାବ ଲୋକ କଂଗ୍ରେସ’ ଗଠନ କରିଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କଂଗ୍ରେସକୁ ଉଚିତ ଶିକ୍ଷା ଦେବା ପାଇଁ ବିଜେପି ସହ ମେଂଟ କରି ନିର୍ବାଚନ ମଇଦାନରେ ରହିଛନ୍ତି । ଶିରୋମଣୀ ଅକାଳୀ ଦଳ (ସଂଯୁକ୍ତ) ଏହି ମେଂଟରେ ରହିଛି ।
୨୦୧୭ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଶିରୋମଣୀ ଅକାଳୀ ଦଳ ସରକାର ଥିଲା । ଦଳ ବିଜେପି ସହ ମେଂଟରେ ନିର୍ବାଚନ ଲଢିଥିଲା । ‘ଆମ୍ ଆଦମୀ ପାର୍ଟି’ ମଧ୍ୟ ରାଜ୍ୟରେ ନିଜ ଭାଗ୍ୟ ପରୀକ୍ଷା କରିଥିଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ରାଜ୍ୟର ୧୧୭ ବିଧାନସଭା ଆସନରୁ ୭୭ଟିରେ ବିଜୟ ହାସଲ କରି ସରକାର ଗଠନ କରିଥିବା ବେଳେ ‘ଆମ୍ ଆଦମୀ ପାର୍ଟି’ ୨୦ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହି ଥିଲା । ଶାସନରେ ଥିବା ଶିରୋମଣୀ ଅକାଳୀ ଦଳ-ବିଜେପି ମେଂଟ ମାତ୍ର ୧୮ଟି ଆସନରେ ସୀମିତ ରହିଥିଲେ । ୨୦୨୨ ନିର୍ବାଚନ ବେଳକୁ କ୍ୟାପଟେନ୍ ସିଂହ ‘ଗୋଲ ପୋଷ୍ଟ୍’ ବଦଳାଇ ବିଜେପି ସହ ମେଂଟ କରିଛନ୍ତି । ପଂଜାବ କଂଗ୍ରେସ କ୍ଷମତା କନ୍ଦଳରେ ଫସୀ ରହିଛି । ଏହାଛଡା, ନିର୍ବାଚନ ବିଜୟ ନେଇ ‘ଆପ୍’ ବଡ଼ ଦାବିଦାର ରହିଛି ।
ରାଜ୍ୟରେ ଏଥର ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ କଂଗ୍ରେସ ଦଳର ମୁଣ୍ଡିଆଳ କିଏ ହେବ, ତାହା ଦଳ ସ୍ପଷ୍ଟ କରୁ ନାହିଁ । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ କଂଗ୍ରେସ ହାଇକମାଣ୍ଡ ଅନୁମତି ଦେବା ପରେ ସେ ହିଁ ‘ମୁଖ୍ୟମନ୍ତ୍ରୀ ଚେହେରା’ ହେୁଥିବା ତାଙ୍କ ସମର୍ଥକମାନେ ଦାବି କରୁଥିବା ବେଳେ ସିଦ୍ଧୁ ଦଳ ଭିତରେ ‘ସୋ-ପିସ୍’ ହୋଇ ରହିବାକୁ ଚାହୁଁ ନାହାନ୍ତି । ତାଙ୍କୁ ଦଳର ବିଭିନ୍ନ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ବା ଅଧିକ କ୍ଷମତା ଦିଆଯାଉ ବୋଲି ସେ ଦାବି କରୁଛନ୍ତି । ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ରାହୁଲ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ମାନି ନେବେ ବୋଲି ସିଦ୍ଧୁ କହୁଥିଲେ ମଧ୍ୟ ତାଙ୍କ ରାଜନୈତିକ ଚରିତ୍ର ଯାହା ସେଥିରେ ଦଳ ନିଶ୍ଚିନ୍ତ ହୋଇ ପାରୁନି ।
ତେଣୁ, କଂଗ୍ରେସ ଆଇକମାଣ୍ଡ ହଠାତ୍ କାହାରିକୁ ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ ଘୋଷଣା କରିବାକୁ ଡରୁଛନ୍ତି । ତେଣୁ, ବିବାଦ ଏଡାଇବାକୁ ‘ଆପ୍’ ଭଳି ପାଇଁ କଂଗ୍ରେସ ମଧ୍ୟ ଟେଲି-ଭୋଟିଂର ଆଶ୍ରୟ ନେଇଛି । ପଂଜାବବାସୀ ଯାହାକୁ କଂଗ୍ରେସର ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ ପସନ୍ଦ କରିବେ ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ ବୋଲି ଦଳ ଘୋଷଣା କରିଛି । କଂଗ୍ରେସ ଆଡୁ ଜନମତ ସଂଗ୍ରହ ଚାଲି ଥିଲେ ମଧ୍ୟ ଫଳାଫଳ ମତଦାନ ପୂର୍ବରୁ ଆସିବ କି ନା’- ତାହା ଅସ୍ପଷ୍ଟ । ଏହି ସମୟରେ ଝାକରଙ୍କ ଦାବିଦାରି ପଛରେ କି ରହସ୍ୟ ରହିଛି, ଜଣାପଡୁନାହିଁ । ମତଦାନ ପାଇଁ ମାତ୍ର ୧୮ ଦିନ ଥିବା ବେଳେ ଝାକରଙ୍କ ଏହି ଭିଡ଼ିଓ ଭାଇରାଲ୍ ହେବା ସମୟ ଗଡାଇବା ପାଇଁ ବଡ ଖେଳ ହୋଇଥାଇ ପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS