ସାନଖେମୁଣ୍ଡି ହରାଇଲା ଜଣେ ‘ଯୋଦ୍ଧା’ ରାଜାଙ୍କୁ
ପ୍ରସାଦ ରାଓ
ଫେବୃୟାରୀ ୦୩
ସାନଖେମୁଣ୍ଡି ରାଜା ଡକ୍ଟର ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷ ବୟସରେ ବୁଧବାର ରାତିରେ ପରଲୋକ ହୋଇଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ବୁଧବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ସମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । ଦେବଙ୍କ ପତ୍ନୀ ଓ ପୁଅ ଅଛନ୍ତି । ଜଣେ ପକ୍ଷୀ ବିଶାରଦ ଭାବେ ସେ ବିଶ୍ୱବ୍ୟାପୀ ପରିଚିତ । ପ୍ରତି ବର୍ଷ ଶୀତ ଋୁତୁରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଲେ ପକ୍ଷୀ ଗଣନାରେ ତାଙ୍କ ପ୍ରମୁଖ ଭୂମିକା ରହି ଆସିଛି । କେଉଁ ବର୍ଷ କେତେ ବିଦେଶୀ ପକ୍ଷୀ ଆସିଲେ, ସେଥିରୁ କେଉଁ ପ୍ରଜାତିର କେତେ ଏବଂ ପକ୍ଷ ଆସିବା ବଢିଛି କି କମିଛି, ତାହାର ବିସ୍ତୃତ ତଥ୍ୟ ପାଇବାକୁ ଗଣମାଧ୍ୟମ ଡକ୍ଟର ଦେବଙ୍କ ଉପରେ ନିର୍ଭର କରୁଥିଲେ । ତେବେ, ଅବିଭକ୍ତ ଗଂଜାମ ରାଜନୀତିରେ ଜଣେ ସରଳ, ଅମାୟିକ ଓ ଲୋକପ୍ରିୟ ରାଜନେତା ଭାବେ ତାଙ୍କ ପରିଚିତି ରହିଛି । ଆଦିବାଦୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ତାଙ୍କର ଅଖଣ୍ଡ ପ୍ରଭାବ ଥିଲା । ରାଜା ଆସିଛନ୍ତି ଜାଣିଲେ ଆବାଳ ବୃଦ୍ଧ ବନିତା ତାଙ୍କ ପାଦ ଧୋଇ ସ୍ୱାଗତ କରୁଥିଲେ । ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ହେବା ପୂର୍ବରୁ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନ ଅସଂରକ୍ଷିତ ଥିଲା । ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ଓ ଦିଗପହଣ୍ଡି ଏଥିରେ ସାମିଲ ଥିଲା । ସାନଖେମୁଣ୍ଡି ରାଜା ଡକ୍ଟର ଦେବଙ୍କ ମୋହନା ନିର୍ବାଚନ ମଣ୍ଡଳୀର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଖଣ୍ଡ ପ୍ରଭାବ ଥିବା ଯୋଗୁଁ ସେ ତିନି ଥର ଏହି ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ରେ ସେ ଉତ୍କଳ କଂଗ୍ରେସରୁ, ୧୯୭୭ରେ ସ୍ୱାଧୀନ ଭାବେ ଏବଂ ୧୯୮୦ରେ ଜନତା ଦଳ (ଏସ) ପ୍ରାର୍ଥୀ ଭାବେ ମୋହନା ଆସନରୁ ବିଜୟୀ ହୋଇଥିଲେ । ୧୯୮୫ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶରତ କୁମାର ଜେନାଙ୍କ ନିକଟରୁ ଡକ୍ଟର ଦେବ ୧୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ଆଉ ବିଧାନସଭା ମୁହଁ ଦେଖି ନାହାନ୍ତି । ୧୯୮୫ରେ ସେ ଜନତା ପାର୍ଟି ପ୍ରାର୍ଥୀ ଥିଲେ । ୧୯୯୦ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ଭିତ୍ତିକ ବିରୋଧୀ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ର (ବର୍ତ୍ତମାନର ରାଜ୍ୟ ବିଧାନସଭା ବାଚସ୍ପତି) ମୋହନାରୁ ନିଜର ଭାଗ୍ୟ ପରୀକ୍ଷା କରି କଂଗ୍ରେସ ବିଧାୟକ ଶରତ ଜେନାଙ୍କୁ ୨୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରି ଥିଲେ । ସୂର୍ଯ୍ୟ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳରୁ ପ୍ରାର୍ଥୀ ଥିଲେ । ୧୯୯୫ ବିଧାନସଭା ନିର୍ବାଚନରେ ମଧ୍ୟ ମେହନା ଆସନରେ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସାନଖେମୁଣ୍ଡି ରାଜା ଡକ୍ଟର ଦେବଙ୍କ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଏବଂ ରାଜା ଥିଲେ କଂଗ୍ରେସରୁ ପ୍ରାର୍ଥୀ । ଲଗାତର ଦ୍ୱିତୀୟ ଥର ପାଇଁ ପାତ୍ରଙ୍କ ବିଜୟ ହୋଇଥିଲା । ତେବେ, ଭୋଟ ବ୍ୟବଧାନ ଥିଲା ମାତ୍ର ୧୩୫୪ । ୨୦୦୪ରେ ମଧ୍ୟ ସୂର୍ଯ୍ୟଙ୍କ ସହ ଡକ୍ଟର ଦେବଙ୍କ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଏବଂ ରାଜା ମାତ୍ର ୯୩୦ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ମୋହନା ଆସନରେ ପାତ୍ର ୫୨,୬୩୨ ଭୋଟ ପାଇଥିବା ବେଳେ ଡକ୍ଟର ଦେବ ୫୧,୭୦୨ ଭୋଟ ପାଇଥିଲେ । ରାଜ ପରିବାରରୁ ବୀର କିଶୋର ଦେଓଙ୍କ ପ୍ରାର୍ଥୀତ୍ୱ ସୂର୍ଯ୍ୟଙ୍କୁ ଜିତିବାରେ ସାହାଯ୍ୟ କରିଥିଲା । ସ୍ୱାଧୀନ ପ୍ରାର୍ଥୀ ଥିବା ବୀର କିଶୋର ଦେବ ୨,୯୯୩ ଭୋଟ ପାଇ ଉଦୟ ନାରାୟଣଙ୍କ ବିଜୟରେ ପ୍ରତିବନ୍ଧକ ହୋଇଥିଲେ । ୨୦୦୯ରେ ରାଜ୍ୟରେ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଗଜପତି ଜିଲ୍ଲାର ରାମଗିରି ବିଧାନସଭା ଆସନ ଉଚ୍ଛେଦ ହୋଇ ମୋହନା ସହ ମିଶି ଥିଲା ଏବଂ ମୋହନା, ଆର.ଉଦୟଗିରି ଓ ରାୟଗଡ଼ ବ୍ଲକକୁ ନେଇ ନୂଆ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ରୂପରେଖ ନେଇଥିଲା । ତାହା ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଥିଲା । ସେହିପରି, ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରୁ ବାଦ୍ ପଡି ଥିବା ଗଂଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଓ କୁକୁଡାଖଣ୍ଡି ବ୍ଲକକୁ ନେଇ ଦିଗପହଣ୍ଡିି ନିର୍ବାଚନ ମଣ୍ଡଳୀ ଗଠନ ହେଲା । ସାନଖେମୁଣ୍ଡି ଅଂଚଳ ମଧ୍ୟ ଧରାକୋଟ ବ୍ଲକକୁ ନେଇ ନୂଆ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ହେଲା । ସାନାଖେମୁଣ୍ଡି ରାଜାଙ୍କ ବିଧାନସଭା ରାଜନୀତିରେ ମଧ୍ୟ ସେହିଠାରେ ପୂର୍ଣ୍ଣଛେଦ ପଡିଲା । ଡକ୍ଟର ଦେବ ରାଜନୀତିରେ ଥିଲେ ମଧ୍ୟ ତାଙ୍କ ରାଜାରାଜୁଡା ଚଳଣୀ ୧୯୮୦ ପରେ ତାଙ୍କ ବିଜୟରେ ଅନ୍ତରାୟ ହୋଇଥିଲା ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ । ତେବେ, ଜୀବନର ଶେଷ ପର୍ଯ୍ୟନ୍ତ ସେ ପକ୍ଷୀ ବିଶାରଦ ଭାବେ ସମ୍ମାନୀତ ରହି ଆସିଛନ୍ତି ଏବଂ ପକ୍ଷୀଙ୍କୁ ନେଇ ବହୁ ଉପାଦେୟ ଗବେଷଣାତ୍ମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଗତ ଜାନୁୟାରୀ ୨୧ ତାରିଖ ଦିନ ତାଙ୍କ ସଦ୍ୟ ଗବେଷଣାତ୍ମକ ପୁସ୍ତକ ‘ବିହଂଗ ସଂହିତା’ ଉନ୍ମୋଚିତ ହୋଇଥିଲା । ୪୫ ବର୍ଷ ଧରି ସେ ପକ୍ଷୀଙ୍କୁ ନେଇ ଯେଉଁ ଗବେଷଣା କରିଥିଲେ ତାହା ଏହି ପୁସ୍ତକରେ ସମାହିତ ହୋଇଛି । ଛଅଟି ଭଲ୍ୟୁମରେ ପ୍ରକାଶିତ ଏହି ପୁସ୍ତକରେ ଦୁଇ ହଜାରୁ ଅଧିକ ପକ୍ଷୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ଥିବା ଜଣାପଡିଛି । ଡକ୍ଟର ଦେବ ହେଉଛନ୍ତି ସାନଖେମୁଣ୍ଡିର କେଶରୀ ଗଜପତି ମହାରାଜା ସ୍ୱର୍ଗତ ନନ୍ଦକିଶୋର ଅନଙ୍ଗଭୀମ ଦେବଙ୍କ ପୁତ୍ର । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦେବଙ୍କ ରାଜନୈତିକ ବିରୋଧୀ ଭାବେ ପରିଚିତ ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମ୍ ହସ୍ପିଟାଲକୁ ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS