ସିଦ୍ଧୁଙ୍କ ‘ଟାର୍ଗେଟ୍’ରେ ଏବେ ଗାନ୍ଧୀ ପରିବାର !
ପ୍ରସାଦ ରାଓ
ଫେବୃୟାରୀ ୦୪
ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସର ‘ମୁଖ୍ୟମନ୍ତ୍ରୀ ମୁହଁ’ କିଏ ହେବ ? ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାଠାରେ ତାହା ଘୋଷଣା କରିପାରନ୍ତି । ଏଭଳି ସ୍ଥିତିରେ, ମୁଖ୍ୟମନ୍ତ୍ରୀ ଦୌଡରେ ବହୁ ପୂର୍ବରୁ ରହି ଆସି ଥିବା ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନଭଜୋତ ସିଂହ ସିଦ୍ଧୁ ଅଚାନକ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିବା ରାଜନୈତିକ ମହଲକୁ ବିସ୍ମିତ କରିଛି । ଦଳର ସର୍ବୋଚ୍ଚ ନେତୃତ୍ୱ ବୋଧହୁଏ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ଚାହୁଁ ନାହିଁ, ତେଣୁ ଏଭଳି ଫନ୍ଦି କରୁଛି ବୋଲି ସିଦ୍ଧୁ ଆଶଙ୍କା ବ୍ୟକ୍ତ କରିଛନ୍ତି । ‘ଦଳର ସର୍ବୋଚ୍ଚ ନେତୃତ୍ୱ ରାଜ୍ୟରେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ଯିଏକି ନେତୃତ୍ୱର ଇସାରାରେ ନାଚି ପାରିବେ’ ବୋଲି ସିଦ୍ଧୁ ଗୁରୁବାର ଦିନ ନିଜ ସମର୍ଥକଙ୍କୁ ଉଦ୍ବୋଧନ ଦେଇ ମନ୍ତବ୍ୟ ରଖି ଥିବା ସାମ୍ନାକୁ ଆସିଛି । ନୂଆ ପଂଜାବ ଗଢିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିଁ ସମ୍ଭବ । ତେଣୁ, ଏଥର ରାଜ୍ୟବାସୀ ନିଜର ମୁଖ୍ୟମନ୍ତ୍ରୀ ବାଛିବା ଆବଶ୍ୟକ ବୋଲି ସିଦ୍ଧୁ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି ।
ସଂପ୍ରତି, ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ ଥିବା ସିଦ୍ଧୁ ପଂଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ ବହୁ ଦିନରୁ ଆଶାୟୀ ଅଛନ୍ତି । ୨୦୧୭ରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ପଂଜାବରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବା ପରଠାରୁ ସିଦ୍ଧୁଙ୍କୁ ବିଦ୍ରୋହୀ ଭୂମିକାରେ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ସିଂହଙ୍କ ମନ୍ତ୍ରୀ ପରିଷଦରେ ସିଦ୍ଧୁ ଉପ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନଥିବା ଦର୍ଶାଇ କ୍ୟାପଟେନ୍ ତାଙ୍କୁ ମନ୍ତ୍ରୀ ପରିଷଦରୁ ହଟାଇ ଦେଇଥିଲେ । ତାହା ପରଠାରୁ ସିଦ୍ଧୁଙ୍କ ଅମରିନ୍ଦିର-ବିରୋଧୀ ଅଭିଯାନ ଚାଲିଥିଲା । ମୁଖ୍ୟମନ୍ତ୍ରୀ ସିଂହ ୨୦୧୭ ନିର୍ବାଚନରେ ରାଜ୍ୟବାସୀଙ୍କୁ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ପାଳନ କରିବାରେ ବିଫଳ ହୋଇଥିବା ଦର୍ଶାଇ ସିଦ୍ଧୁ ଯେଉଁ ଅଭିଯାନ ଆରମ୍ଭ କରିଥିଲେ, ତାହା ଗତ ବର୍ଷ ସେପ୍ଟେମ୍ବର ମାସରେ ଫଳବତୀ ହୋଇଥିଲେ ।
ଅମରିନ୍ଦର-ସିଦ୍ଧୁ ବିବାଦ ଚରମରେ ପହଂଚି ଥିବା ଦେଖି କଂଗ୍ରେସ ନେତୃତ୍ୱ ସିଦ୍ଧୁଙ୍କୁ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିଲେ, ଯାହାକି ମୁଖ୍ୟମନ୍ତ୍ରୀ ସିଂହଙ୍କୁ କ୍ଷୁବ୍ଧ କରିଥିଲା । ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ କଂଗ୍ରେସ ନେତୃତ୍ୱ ତାଙ୍କୁ ବୁଝାଇବାକୁ ଉଦ୍ୟମ ନକରି ତାଙ୍କ ସ୍ଥାନରେ ଦଳର ଲୋ-ପ୍ରୋଫାଇଲ ବିଧାୟକ ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ଚନ୍ନିଙ୍କ ନିଯୁକ୍ତି ସିଦ୍ଧୁଙ୍କ ଆଶାକୁ ମଉଳାଇ ଦେଇଥିଲା । ସିଦ୍ଧୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବିଭିନ୍ନ ପ୍ରଶାସନିକ ନିଷ୍ପତ୍ତିର ଖୋଲାଖୋଲି ବିରୋଧ କରିବା ମାଧ୍ୟମରେ କଂଗ୍ରେସ ନେତୃତ୍ୱକୁ ଅଡୁଆରେ ପକାଇ ଥିଲେ । ତେବେ, ନିରୁପାୟ ଚନ୍ନି ମଧ୍ୟ ହାଇକମାଣ୍ଡଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ସିଦ୍ଧୁଙ୍କ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ ।
ଆସନ୍ତା ୨୦ ତାରିଖ ପଂଜାବରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି । ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ (?), ତାହା ଆଜି ଯାଏଁ ସ୍ପଷ୍ଟ ହୋଇନି । ନିକଟରେ ରାହୁଲ ଗାନ୍ଧୀ ପଂଜାବ ଗସ୍ତରେ ଯାଇଥିବା ବେଳେ ଦଳର ହାଇକମାଣ୍ଡ ଯାହାକୁ ନେତା ବାଛିବେ ତାଙ୍କୁ ସେମାନେ ମାନି ନେବେ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଚନ୍ନି ଓ ପିପିସିସି ସଭାପତି ସିଦ୍ଧୁ ପ୍ରତିଶ୍ରୁତି ଦେଇଥିଲେ । ସେହି ଅନୁସାରେ ରାହୁଲ ‘ଆମ୍ ଆଦବୀ ପାର୍ଟି’ ଢାଂଚାରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ (କଂଗ୍ରେସର) ଭାବେ ରାଜ୍ୟବାସୀ କାହାକୁ ଦେଖିବାକୁ ଚାହୁଁଛନ୍ତି ମତାମତ ଦେବାକୁ ଆହ୍ୱାନ ଦେଇ ଟେଲିଫୋନ ମାଧମରେ ତାହା ସଂଗ୍ରହ କରୁଛନ୍ତି । ରାଜ୍ୟବାସୀଙ୍କ ନିକଟରେ ତିନିଟି ବିକଳ୍ପ ରହିଛି । ପ୍ରଥମ ବିକଳ୍ପ ହେଉଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ନି । ତାଲିକାର ଦ୍ୱିତୀୟରେ ସିଦ୍ଧୁଙ୍କୁ ନାମ ଥିବା ବେଳେ ତୃତୀୟ ଓ ଶେଷ ବିକଳ୍ପ ରହିଛି – ଦଳ ମୁଖ୍ୟମନ୍ତ୍ରୀ ଚେହେରା ଉପସ୍ଥାପନ ନ କରି ନିର୍ବାଚନର ସାମ୍ନା କରୁ ।
ମତାମତ ସଂଗ୍ରହରେ ରବିବାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ରାହୁଲ ରବିବାର ଲୁଧିଆନାରେ ଜନମତ କେଉଁ ବିକଳ୍ପ ସପକ୍ଷରେ ଯାଇଛି ତାହା ଘୋଷଣା କରିବା ଆଶା ରହିଛି । ଇତିମଧ୍ୟରେ, କଂଗ୍ରେସ ନେତୃତ୍ୱ ମୁଖମନ୍ତ୍ରୀ ଚନ୍ନିଙ୍କୁ ରାଜ୍ୟର ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ସୁଯୋଗ ଦେଇ ସିଦ୍ଧୁଙ୍କ ସନ୍ଦେହ ନଜରକୁ ଆସିଛନ୍ତି । ନେତୃତ୍ୱ ବୋଧହୁଏ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ତେଣୁ, ତାଙ୍କୁ ସୁରକ୍ଷା ଦେଇଛନ୍ତି ବୋଲି ସିଦ୍ଧୁ ଭାବୁଛନ୍ତି । ଚନ୍ନି ଗୋଟିଏ ଆସନରୁ ଦୈବାତ ପରାଜିତ ହେଲେ ମଧ୍ୟ ଅନ୍ୟ ଆସନରୁ ଜିତିବେ ଏବଂ ମୁଖ୍ୟମନ୍ତ୍ରୀ ହେବେ – ତାହା ହିଁ କଂଗ୍ରେସ ହାଇକମାଣ୍ଡଙ୍କ ରଣନୀତି ଭାବେ ବିଚାର କରାଯାଉଛି । ସିଦ୍ଧୁଙ୍କ ମନରେ ମଧ୍ୟ ଏକାଭଳି ସନ୍ଦେହ ଦୃଢିଭୂତ ହୋଇଥିବା ତାଙ୍କ ଗୁରୁବାର ମନ୍ତବ୍ୟରୁ ସ୍ପଷ୍ଟ ହେଉଛି । ଗାନ୍ଧୀ ପରିବାରକୁ ପରୋକ୍ଷରେ ଟାର୍ଗେଟ୍ କରିବା ସହ ସିଦ୍ଧୁ ନିଜ ସମର୍ଥକଙ୍କୁ ନୂଆ ପଂଜାବ ଗଢି ତୋଳିବାର ସ୍ୱପ୍ନ ଦେଖାଇଛନ୍ତି । ନୂଆ ପଂଜାବ ଗଢିବା କେବଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ଭବ ଥିବାରୁ ରାଜ୍ୟବାସୀ ଏଥର ନିଜ ମୁଖ୍ୟମନ୍ତ୍ରୀ ନିଜେ ଚୟନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
କଂଗ୍ରେସ ସର୍ବୋଚ୍ଚ ନେତୃତ୍ୱ ରାଜ୍ୟରେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀଙ୍କୁ ଅବସ୍ଥାପିତ କରି ନିଜ ଇସାରାରେ ନଚାଇବାକୁ ଚାହୁଁଛନ୍ତି । ଆପଣମାନେ ତାହା ଚାହୁଁଛନ୍ତି କି (?) – ବୋଲି ସିଦ୍ଧୁ ନିଜ ସମର୍ଥକଙ୍କୁ ପ୍ରଶ୍ନ କରିବା ସହ ନିଜ ସପକ୍ଷରେ ଏକ ମାହୋଲ ତିଆରି କରିବାକୁ ପ୍ରୟାସ କରିଛନ୍ତି । ତେବେ, ପଂଜାବବାସୀ ‘ଆପ୍’ର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଭଗବନ୍ତ ମାନ୍ ଙ୍କୁ ଯେଭଳି ବାଛିଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ବାଛୁଛନ୍ତି ତାହା ରବିବାର ସ୍ପଷ୍ଟ ହେବା ଆଶା କରାଯାଉଛି । ସିଦ୍ଧୁ ପୂର୍ବରୁ ମଧ୍ୟ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱକୁ ଟାର୍ଗେଟ୍ କରିଥିଲେ । ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାନଯାଇ ଚନ୍ନିଙ୍କ ସହ ଝୁଲାଇ ରଖା ଯିବାରୁ ସିଦ୍ଧୁ କ୍ଷୁବ୍ଧ ହୋଇ ଦଳର ହାଇକମାଣ୍ଡ ନୁହଁ, ପଂଜାବବାସୀ ଏଥର ନିଜର ମୁଖ୍ୟମନ୍ତ୍ରୀଙ୍କୁ ବାଛିବେ ବୋଲି ମନ୍ତବ୍ୟ ଦେଇଥିଲେ । ବର୍ତ୍ତମାନ ରାହୁଲ ଗାନ୍ଧୀ ପଂଜାବରେ ଦଳର ମୁଖ୍ୟମନ୍ତ୍ରୀ ଚେହେରାର ସନ୍ଧାନରେ ଥିବା ବେଳେ ହତାଶ ସିଦ୍ଧୁ ନିଜକୁ ଅସୁରକ୍ଷିତ ମଣି ଗାନ୍ଧୀ ପରିବାର ବିରୋଧରେ ଆକ୍ରମଣକୁ ଶାଣିତ କରିଥିବା ଆଲୋଚନା ହେଉଛି ।
ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ରାହୁଲଙ୍କ ଟେଲି-ମତାମତ ସଂଗ୍ରହ ଅଭିଯାନରେ ଚନ୍ନି, ସିଦ୍ଧୁଙ୍କ ନାମ ସହ ଝାକରଙ୍କ ନାମ ମଧ୍ୟ ସାମିଲ ହେବା ଉଚିତ ଥିଲା ବୋଲି ପଂଜାବରେ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିଜକୁ ଦାବି କରୁଥିବା ‘ଆମ୍ ଆଦମୀ ପାର୍ଟି’ର ମୁଖ୍ୟ ଅରବିନ୍ଦ କେଜରୀୱାଲ ନିକଟରେ ମତ ରଖିଥିଲେ । ତେବେ, ଝାକର ଜଣେ ଅଣ-ଶିଖ୍ କଂଗ୍ରେସୀ ନେତା ହୋଇଥିବାରୁ ତାଙ୍କ ନାମକୁ କଂଗ୍ରେସ ନେତୃତ୍ୱ ଏଡାଇ ଯାଇଛନ୍ତି ବୋଲି କଟାକ୍ଷ କରି ବିଜେପି ପଂଜାବ ରାଜନୀତିରେ ନିଆଁ ଲଗାଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS