ଏକତରଫା ବିଜୟ: ସୁଲୋଚନା, ସଂଘମିତ୍ରା, ସୁବାସ ସିଂହ ମେୟର ନିର୍ବାଚିତ
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୨୬
ଓଡ଼ିଶାରେ ମାର୍ଚ୍ଚ ୨୪ରେ ଅନୁଷ୍ଠିତ ତିନି ମହାନଗର ନିଗମ ଓ ୧୦୬ ପୌରାଂଚଳ (ମୁନିସପାଲିଟି ଓ ବିଜ୍ଞପିତ ଅଂଚଳ ପରିଷଦ) ନିର୍ବାଚନର ଭୋଟ ଗଣତି ହୋଇ ଆଜି ଫଳାଫଳ ସାମ୍ନାକୁ ଆସିଛି । ଫେବୃୟାରୀରେ ହୋଇଥିବା ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନ ଫଳାଫଳ ଭଳି ମହାନଗର ନିଗମ ଓ ପୌରାଂଚଳ ନିର୍ବାଚନରେ ମଧ୍ୟ ବିଜେଡ଼ି ଏକପାଖିଆ ବିଜୟ ହାସଲ କରିଛି । ତିନି ମହାନଗର ନିଗମ ମେୟର ପଦ ବିଜେଡ଼ି ହାତକୁ ଯାଇଥିବା ବେଳେ ସର୍ବାଧିକ ସଂଖ୍ୟକ ପୌରାଂଚଳ ଅଧ୍ୟକ୍ଷ ପଦ ମଧ୍ୟ ଦଳ ହାତେଇଛି । ଭୁବନେଶ୍ୱରରୁ ସୁଲୋଚନା ଦାସ, ବ୍ରହ୍ମପୁରରୁ ସଂଘମିତ୍ରା ଦଳେଇ ଓ କଟକରୁ ସୁବାସ ସିଂହ ମେୟର ନିର୍ବାଚିତ ହୋଇଛନ୍ତି ।
ଅପରାହ୍ନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନ ଫଳାଫଳ ଘୋଷଣା ସରିଥିଲା । ମୋଟ ସାତ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଥିବା ବେଳେ ଗଂଜାମ ଜିଲ୍ଲା ବିଜେଡ଼ି ମହିଳା ଶାଖା ସଭାନେତ୍ରୀ ତଥା ବ୍ରହ୍ମପୁରରୁ ତିନି ଥର କର୍ପୋରେଟର ନିର୍ବାଚିତ ଶ୍ରୀମତୀ ସଂଘମିତ୍ରୀ ଦଳେଇ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦,୨୮୬ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ସବିତା ସୁଆରଙ୍କୁ ପରାଜିତ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ଭୋଟ ହୋଇଥିଲା । ସଂଘମିତ୍ରା ୬୬,୦୬୮ ଭୋଟ ପାଇ ମେୟର ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସବିତା ସୁଆର ୪୫, ୭୮୨ ଭୋଟ ପାଇଛନ୍ତି । ଉଲ୍ଳେଖନୀୟ ଯେ, ପ୍ରଥମ ଥର ପାଇଁ ବ୍ରହ୍ମପୁର ମହାନଗର ନିଗମରୁ ‘ଆମ୍ ଆଦମୀ ପାର୍ଟି’ର ମେୟର ପ୍ରାର୍ଥୀ ହୋଇଥିବା ସି.ପ୍ରିୟଙ୍କା ୭,୪୫୩ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀମତୀ ମଂଜୁ ରଥ ୬,୭୬୮ ଭୋଟ ଓ ସ୍ୱାଧୀନ ପ୍ରାର୍ଥୀ ନୀତା କୁମାରୀ ପଣ୍ଡା ୪,୦୩୮ ଭୋଟ ପାଇଛନ୍ତି । ଅନ୍ୟ ଦୁଇ ପ୍ରାର୍ଥୀ ହଜାରେରୁ କମ୍ ଭୋଟ ପାଇଛନ୍ତି ।
ଭୁବନେଶ୍ୱର ମହାନଗର ନିଗମରେ ବିଜେଡ଼ି-ବିଜେପି ମଧ୍ୟରେ କଡାକଡି ଲଢେଇ ହୋଇଛି । ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ମିଳିଥିବା ଭୋଟ ଗଣତି ତଥ୍ୟରୁ ଭୁବନେଶ୍ୱର ମହାନଗର ନିଗମର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନିକଟତମ ବିଜେପି ପ୍ରତିଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡଙ୍କଠାରୁ ବହୁ ଅଧିକ ଭୋଟ ବ୍ୟବଧାନରେ ଆଗୁଆ ଥିବାରୁ ସେ ମେୟର ନିର୍ବାଚିତ ହେବା ସୁନିଶ୍ଚିତ । ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ସୁଲୋଚନା ୧ ଲକ୍ଷ ୬୮ ହଜାର ୫୧୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତାଙ୍କୁ ୧ଲକ୍ଷ ୦୯ ହଜାର ୩୪୪ ଭୋଟ ମିଳିଛି । ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନରେ ବିଜେପି ଆପାତତଃ ବିଜେଡ଼ିକୁ ସମ୍ମାନଜନକ ଫାଇଟ୍ ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ବ୍ରହ୍ମପୁର ମହାନଗର ନିଗମରେ ପରାଜିତ ମେୟର ପ୍ରାର୍ଥୀ ସବିତା ସୁଆର (ବିଜେପି) ପ୍ରତ୍ୟକ୍ଷ ରାଜନୀତିରେ ନଥିଲେ । ତାଙ୍କ ସ୍ୱାମୀ ଉତ୍ତମ ପାଣିଗ୍ରାହୀ (ଜଣେ ଶିକ୍ଷା ବ୍ୟବସାୟୀ) ୨୦୧୯ ବିଧାନସଭା ନିର୍ବାଚନରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ ହେବାକୁ ଉଦ୍ୟମ କରିଥିବଲେ ମଧ୍ୟ ସଫଳ ହୋଇ ନଥିଲେ । ଏବେ, ସେ ଜିଲ୍ଲାରେ ସାଂଗଠନିକ ଦାୟିତ୍ୱରେ ଅଛନ୍ତି । ସବିତା ଗୃହିଣୀ ଥାଇ ପ୍ରଥମ କରି ମେୟର ନିର୍ବାଚନ ଲଢି ଥିଲେ । ସେହିପରି, ଭୁବନେଶ୍ୱର ମହାନଗର ନିଗମରେ ବିଜେପିରୁ ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ ସାହିତି୍ୟକା ଭାବେ ପରିଚିତ । ଭୋଟ ରାଜନୀତିରେ ନୂଆ । ମେୟର ପ୍ରାର୍ଥୀ ହେବାକୁ ଦଳର ବହୁ ଆଶାୟୀ ଥିବା ବେଳେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ସୁନୀତାଙ୍କୁ ଚୟନ କରିଥିଲେ ଓ ସକ୍ରିୟ ଭାବେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ।
ସବିତା ଓ ସୁନୀତି ପରାଜିତ ହୋଇଥିଲେ ମଧ୍ୟ ଯେତିକି ଜନସମର୍ଥନ ପାଇଛନ୍ତି ତାହା କଳ୍ପନାତୀତ କୁହାଯାଉଛି । ଅପରପକ୍ଷରେ, ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସ ମେୟର ପ୍ରାର୍ଥୀଙ୍କ ପ୍ରଦର୍ଶନ ନୈରାଶ୍ୟଜନ ରହିଛି । ବ୍ରହ୍ମପୁରରୁ କଂଗ୍ରେସ ମେୟର ପ୍ରାର୍ଥୀ ଥିଲେ ମଂଜୁ ରଥ ହେଉଛନ୍ତି ଜଣେ ଗୃହିଣୀ । ଦିନେ କଂଗ୍ରେସର ଦୁର୍ଗ ଭାବେ ପରିଚିତ ବ୍ରହ୍ମପୁରରେ ତାଙ୍କୁ ମାତ୍ର ୬ ହଜାରରୁ ଅଧିକ ଭୋଟ ମିଳିଛି । ପ୍ରତିଦ୍ୱନ୍ଦ୍ୱିତାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି । ଅପରପକ୍ଷରେ, ଭୁବନେଶ୍ୱରରୁ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ରାଜନୀତି, ସମାଜସେବାରେ ସକ୍ରୀୟ ଥିଲେ । ପୂର୍ବତନ କଂଗ୍ରେସ ବିଧାୟକ କାଂଗାଳି ପଣ୍ଡାଙ୍କ ସେ ବୋହୂ । ୟେର ପ୍ରାର୍ଥୀ ଭାବେ ତାଙ୍କୁ ମାତ୍ର ୧୦,୬୪୭ ଭୋଟ ମିଳିଛିି ।
୨୪ ତାରିଖ ହୋଇଥିବା କଟକ ମହାନଗର ନିଗମରେ ସର୍ବାଧିକ ୬୫ ପ୍ରତିଶତ ମତଦାନ ହୋଇଥିଲା । ସିଏମସି ଭୋଟରଙ୍କ ଉତ୍ସାହ ସେଥିରୁ ପ୍ରତିଫଳିତ ହେଉଥିଲା । ନିର୍ବାଚନ ମଇଦାନରେ ଥିବା ତିନି ଦଳ ମତଦାତାଙ୍କୁ ମତଦାନ କେନ୍ଦ୍ରରେ ପହଂଚାଇବାରେ ସମସ୍ତ ଶକ୍ତି ଖଟାଇ ଥିଲେ । ତିନି ଦଳ ମେୟର ପଦ ପାଇଁ ଆଶାୟୀ ଥିବା ବେଳେ ସିଏମସି ମତଦାତା ଓଲିଉଡ଼ ଅଭିନେତା ଶ୍ରୀତମ ଦାସଙ୍କ ଗ୍ଲାମରକୁ ପ୍ରତ୍ୟାଖାନ କରି କଂଗ୍ରେସ ସପକ୍ଷରେ ଭୋଟ ଦେବାରୁ ମେୟର ନିର୍ବାଚନ ରୋଚକ ହୋଇଥିଲା । ବିଜେଡ଼ି-କଂଗ୍ରେସ ମଧ୍ୟରେ ଲଢେଇ ଜୋରଦାର ଥିଲା । କଟକରୁ ମେୟର ପ୍ରାର୍ଥୀ ଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ଦଳର ବିଜୟ ନେଇ ସୁନିଶ୍ଚିତ ଥିଲେ । ତେବେ, ସିଏମସି ମତଦାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ପ୍ରତି ଆସ୍ଥା ପ୍ରକଟ କରି ବିଜେଡ଼ି ପ୍ରାର୍ଥୀ ସୁବାସ ସିଂହଙ୍କୁ ମେୟର ନିର୍ବାଚିତ କରିଛନ୍ତି ।
ସିଂହ ରାଜ୍ୟସଭା ସାଂସଦ ଥାଇ ମେୟର ନିର୍ବାଚନ ଲଢୁଥିଲେ । ଜଣେ ବାମପନ୍ଥୀ ଶ୍ରମିକ ନେତା ଭାବେ କଟକ ସହରରେ ସିଂହଙ୍କ ଦୀର୍ଗ ଦିନର ପରିଚିତି ରହିଛି । ମେୟର ନିର୍ବାଚନରେ ମତଦାତା ସିଂହଙ୍କୁ ୬୯,୫୦୭ ଭୋଟ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳାଙ୍କୁ ମିଳିଛି ୪୩,୭୪୩ ଭୋଟ । ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ପାଇଛନ୍ତି ୨୪, ୮୨୧ ଭୋଟ । କଟକ ମହାନଗର ନିଗମ ଅଂଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଜେଡ଼ି ମେୟର ପ୍ରାର୍ଥୀଙ୍କ ବିଜୟର କାରଣ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ରାଜ୍ୟରେ ହୋଇଥିବା ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିକୁ ପୂର୍ବ ଅପେକ୍ଷା କିଛି କମ୍ ଆସନ ମିଳିଛି । ତେବେ, ବିଜେଡ଼ିକୁ ୭୩ଟି ପୌରାଧ୍ୟକ୍ଷ ଆସନ ପାଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ଅନ୍ୟମାନଙ୍କୁ ୯ଟି ଆସନ ମିଳିଥିବା ସନ୍ଧ୍ୟା ୭ଟା ସୁଦ୍ଧା ସୂଚନା ମିଳିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS