ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାରେ..


ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୨୯
୨୦୧୭ରେ ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ସରିବାକୁ ଯାଉଛି । ନୂତନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ପ୍ରାଥମିକ ସ୍ତରରେ ଥିବା ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସୋମବାର ଦିନ ଦିଲ୍ଲୀରେ ପହଂଚି ଏକ କ୍ରୀଡ଼ା ଭିତ୍ତିକ ଉତ୍ସବରେ ଯୋଗ ଦେବା ସହ ସେଠାରେ ଭାରତୀୟ ମହିଳା ହକି ଦଳକୁ ସଂବଦ୍ଧିତ କରିଥିଲେ । ଆଜି ସଂସଦ ଭବନକୁ ଯାଇ ଦଳର ସାଂସଦମାନଙ୍କୁ ଭେଟିବା ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡିଛି । ସଂସଦ ଭବନ ନିକଟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ ତର ଦେଇଥିଲେ । ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଗସ୍ତର କୌଣସି ସଂପର୍କ ନାହିଁ । କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା ଓଡ଼ିଶାର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ ସେ ଦଳର ସାଂସଦମାନଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଆସିଛନ୍ତି ବୋଲିି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେପି ବିରୋଧରେ ଏକ ବିରୋଧୀ ମେଂଟ ଗଠନ ପାଇଁ ଚାଲି ଥିବା ଉଦ୍ୟମ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ସେଭଳି କୌଣସି ପ୍ରସ୍ତାବ ତାଙ୍କ ନିକଟରେ ପହଂଚି ନାହିଁ କହି ମୁଖ୍ୟମନ୍ତ୍ରୀ ତାହାକୁ ଟାଳି ଦେଇଥିବା ଜଣାପଡିଛି । ଏହି ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କିମ୍ବା ବିରୋଧୀ ଦଳର କୌଣସି ତୁଂଗ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖି ନାହାନ୍ତି ବୋଲି ମଧ୍ୟ ପଟ୍ଟନାୟକ କହିଛନ୍ତି ।
ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରିବ କି ଅନ୍ୟ କାହାକୁ ଏହି ସୁଯୋଗ ଦେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ, ଜୁଲାଇରେ ନିର୍ବାଚନ ହେବାକୁ ଥିବାରୁ ବିଜେପିର ବୟୋଜ୍ୟେଷ୍ଠ ନେତା ତଥା ପୂର୍ବତନ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନାମ ସମେତ ଅନେକ ତୁଂଗ ନେତାଙ୍କ ନାମ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ୫୪୨ ଆସନ ବିଶିଷ୍ଟ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ର ୩୩୬ ସଦସ୍ୟ ଥିବା ବେଳେ ରାଜ୍ୟସଭାରେ ୨୪୧ରୁ ୧୧୮ ସଦସ୍ୟ ଅଛନ୍ତି । ସେହିଭଳି, କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଲୋକସଭାରେ ୧୦୯ ଓ ରାଜ୍ୟସଭାରେ ୫୧ ସଦସ୍ୟ ରହିଛନ୍ତି । ଏହି ଦୁଇଟି ମେଂଟ ବାହାରେ ଥିବା ଅନ୍ୟାନ୍ୟଙ୍କ ଲୋକସଭାରେ ୯୭ ଓ ରାଜ୍ୟସଭାରେ ୭୨ ସଦସ୍ୟ ଥିବା ବେଳେ ବିଭିନ୍ନ ରାଜ୍ୟର ବିଧାନସଭାରେ ଏନଡ଼ିଏର ୪୨ ପ୍ରତିଶତ, ୟୁପିଏର ୨୮ ପ୍ରତିଶତ ଓ ଅନ୍ୟମାନଙ୍କର ୨୯ ପ୍ରତିଶତ ଇଲୋକ୍ଟୋରାଲ ଭୋଟ ରହିଛି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨୦୨୨ରେ ୮୦ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଅଛି । ରାଷ୍ଟ୍ରପତି ନିର୍ବାଚନ ପରୋକ୍ଷ ଭାବରେ ଇଲୋକ୍ଟୋରାଲ କଲେଜ ଦ୍ୱାରା ହେଉ ଥିବାରୁ ଇଲୋକ୍ଟୋରାଲ କଲେଜର ମୋଟ ୧୦,୯୮,୯୦୩ ଭୋଟରୁ ଯିଏ ୫,୪୯,୪୫୨ ଭୋଟ ପାଇବେ ସେ ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ତିନି ମାସରୁ ଅଧିକ ସମୟ ଥିଲେ ମଧ୍ୟ ପ୍ରମୁଖ ରାଜନୈତିକ ଦଳଙ୍କ ଅଙ୍କ କଷା ଆରମ୍ଭ ହେଲାଣି । ଲୋକସଭାରେ ଏନଡ଼ିଏର ଯଥେଷ୍ଟ ସଂଖ୍ୟା ଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା କମ୍ ଅଛି । ତେଣୁ, ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବା ସକାଶେ ବିଜେପି ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) ଓ ଆନ୍ଧ୍ରର ୱାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳଙ୍କ ଉପରେ ନିର୍ଭରଶୀଳ ହେବା ନିଶ୍ଚିତ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡ଼ି ସରକାର କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହଯୋଗର ହାତ ବଢାଇ ଆସିଛନ୍ତି । ଗତ ରାଜ୍ୟସଭା ନିର୍ବାଚନରେ ମଧ୍ୟ ବିଜେଡ଼ି ଓଡ଼ିଶାରୁ ଜଣେ ବିଜେପି ସାଂସଦଙ୍କୁ ନିର୍ବାଚିତ କରାଇବାରେ ସଂପୂର୍ଣ୍ଣ ସହଯୋଗ କରିଥିଲା । ଦଳ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଛି । ତେବେ, ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଥିବା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାରମ୍ବାର କହି ଆସୁଛନ୍ତି । ତେଣୁ, ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏହି ତିନି ଦିନିଆ ଦିଲ୍ଲୀ ଗସ୍ତକୁ ନେଇ କଳ୍ପନା ଜଳ୍ପନା ହେବା ସ୍ୱାଭାବିକ । ସେ ଜଣେ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ଦିଆଯିବା ଚାହିଁବେ କି ବୋଲି ଆଜି ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ତେବେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଥେଷ୍ଟ ସମୟ ହାତରେ ଅଛି, ଏପର୍ଯ୍ୟନ୍ତ ସରକାରୀ ବା ବିରୋଧୀଙ୍କ ଆଡୁ କୌଣସି ପ୍ରସ୍ତାବ ମିଳି ନାହିଁ କହି ସେ ଏହି ପ୍ରଶ୍ନକୁ ଟାଳି ଦେଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ବିରୋଧୀ ମେଂଟ ଗଠନର ପ୍ରୟାସ ଚାଲିଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଏନସିପି ନେତା ଶରଦ ପାୱାର ପ୍ରମୁଖ ତୁଂଗ ବିରୋଧୀ ନେତାମାନେ ମେଂଟ ପ୍ରୟାସରେ ପ୍ରମୁଖ ଭୂମିକାରେ ଅଛନ୍ତି । ଓଡ଼ିଶା ବିଜୁ ଜନତା ଦଳ ମଧ୍ୟ ବିରୋଧୀ ମେଂଟରେ ସାମିଲ ହେବାକୁ ସେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରି ଚିଠି ପଠାଇ ଥିବା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର କହୁଥିବା ବେଳେ ସେଭଳି କିଛି ପ୍ରସ୍ତାବ ତାଙ୍କ ନିକଟରେ ପହଂଚି ନାହିଁ, ପ୍ରସ୍ତାବ ମିଳିଲେ ବିଚାର କରାଯିବ ବୋଲି କହି କହି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହି ପ୍ରସଙ୍ଗକୁ ଏଡାଇ ଆସୁଛନ୍ତି । ଆଜି ମଧ୍ୟ ସେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେହି ଏକା ଉତ୍ତର ଦେଇଛନ୍ତି । ୨୦୧୭ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲା । କେନ୍ଦ୍ର ସରକାରଙ୍କ ସହ ଦଳର ଯେଭଳି ସଂପର୍କ ରହି ରହିଛି ୨୦୨୨ରେ ମଧ୍ୟ ବିଜେଡ଼ି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ରହିଲା, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଂଟ ଗଠନ । ସେଥିରେ ମଧ୍ୟ ବିଜେଡ଼ି ସାମିଲ ହେବା ଆଶା କ୍ଷୀଣ, ତାହା ରାଜ୍ୟ ସରକାରଙ୍କ ମତିଗତିରୁ ସ୍ପଷ୍ଟ ବାରି ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS