କେଜରୀୱାଲଙ୍କ ବାସଭବନରେ ବିଜେପି ଯୁବ ମୋର୍ଚ୍ଚାର ହଙ୍ଗାମା
ପ୍ରସାଦ ରାଓ
ନୂଆଦିଲ୍ଲୀ
ମାର୍ଚ୍ଚ ୩୦
ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ସରକାର ଟିକସ-ମୁକ୍ତ ନକରି ୟୁ-ଟ୍ୟୁବ ଚ୍ୟାନେଲରେ ଛାଡି ଦେଲେ ସମସ୍ତେ ମାଗଣାରେ ତାହା ଦେଖି ପାରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ନିକଟରେ ବିଧାନସଭାରେ ଦେଇଥିବା ମନ୍ତବ୍ୟକୁ ବିଜେପିକୁ କ୍ଷୁବ୍ଧ କରିଛି । ଆଜି ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ଭଂଗାରୁଜା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ମୁତୟନ ଥିବା ପୁଲିସ ବଳ ବ୍ୟାରିକୋଡ ଭାଂଗି ବାସଭବନ ଭିତରେ ପଶିବାକୁ ଉଦ୍ୟମ କରୁଥିବା ବିଜେପି କର୍ମୀଙ୍କୁ ରୋକିବାକୁ ଉଦ୍ୟମ କରିବାରୁ ପୁଲିସ ସହ ସେମାନଙ୍କ ସଂଘର୍ଷ ଘଟିଛି । ନବେ ଦଶକରେ କଶ୍ମୀର ଉପତ୍ୟକାରେ ପାକ୍ ପ୍ରୟୋଜିତ ଆତଙ୍କବାଦୀଙ୍କ ଦ୍ୱାରା କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଗଣହତ୍ୟାକୁ ନେଇ ‘କଶ୍ମୀର ଫାଇଲ୍ସ’ ଫିଲ୍ମ ନିର୍ମାଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଧାନସଭାରେ ଦେଇଥିବା ମନ୍ତବ୍ୟ ଫିଲ୍ମକୁ ‘ଉପହାସ’ କଲା ଭଳି ହୋଇଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରି ଆଜି ଏହି ହଂଗାମା କରିଛନ୍ତି । ପୁଲିସ ଉପସ୍ଥିତିରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଂଚି ଭିତରକୁ ପଶିବାକୁ ଉଦ୍ୟମ ଘଟଣାକୁ ‘ଆମ୍ ଆଦମୀ ପାର୍ଟି’ ନିନ୍ଦା କରିଛି ।
କେଜରୀୱାଲଙ୍କୁ ନିର୍ବାଚନରେ ପରାଜିତ କରିପାରୁ ନଥିବାରୁ ବିଜେପି ତାଙ୍କୁ ହତ୍ୟା କରିବାକୁ ପ୍ରୟାସ କରୁଛି ବୋଲି ‘ଆପ୍’ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ଶୀଶୋଦିଆ ଆଜି ଗଣମାଧ୍ୟମ ନିକଟରେ ଗୁରୁତର ଅଭିଯୋଗ କରିଥିବା ବେଳେ ଦିଲ୍ଲୀ ପୁଲିସ ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ଓ ହିଂସା ପାଇଁ ପ୍ରଶ୍ରୟ ଦେବାରୁ ସେମାନେ ଅନାୟାସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଂଚି ଗଲେ ବୋଲି ଅନ୍ୟ ‘ଆପ୍’ ନେତାମାନେ ଅଭିଯୋଗ କରିଛନ୍ତି । ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ସେମାନଙ୍କ ହାତରେ ବିଜେପି ପତାକା ଥିଲା । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ କଶ୍ମୀରୀ ପଣ୍ଡିତଙ୍କ ପ୍ରତି ‘ଅପମାନସୂଚକ’ ବୋଲି ଦର୍ଶାଯାଇ ତାହାକୁ ନିନ୍ଦା କରାଯାଉଥିବା ନେଇ ପ୍ଲାକାର୍ଡ ମଧ୍ୟ ସେମାନେ ଧରିଥିଲେ । ବିକ୍ଷୋଭକାରୀଙ୍କ ମଧ୍ୟରୁ ଅନେକ ସିକ୍ୟୁରିଟି କର୍ଡନ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରୁଥିବା ମଧ୍ୟ ଘଟଣାସ୍ଥଳରୁ ସଂଗୃହୀତ ଭିଜୁଆଲ୍ସରେ ଦେଖିବାକୁ ମିଳିଛି । ଅସାମାଜିକ ତତ୍ତ୍ୱ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଲାଗି ଥିବା ସିସିଟିଭି କ୍ୟାମେରା ଓ ବ୍ୟାରିକେଡକୁ ଭଂଗିଛନ୍ତି ଏବଂ ବାସଭବନ ପ୍ରବେଶ ଦ୍ୱାରରେ ଥିବା ବୁମ୍ ବ୍ୟାରିଅର୍ ମଧ୍ୟ ଭଂଗା ଯାଇଛି ବୋଲି ଶିଶୋଦିଆ କହିଛନ୍ତି । ଏହି ଅପରାଧତତ୍ତ୍ୱଙ୍କୁ ଦିଲ୍ଲୀ ପୁଲିସ ସାହାଯ୍ୟ କରିଥିବା ଉପ ମୁଖ୍ୟମନ୍ତ୍ରୀ ଶିଶୋଦିଆ ‘ଟ୍ୱିଟ୍’ ମାଧ୍ୟମରେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ପୁଲିସ କହିଛି ସକାଳ ସାଢେ ୧୧ଟା ସମୟରେ ୧୫୦ରୁ ୨୦୦ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଂଚି ‘କଶ୍ମୀର ଫାଇଲ୍ସ’କୁ ନେଇ ସେ ଦିଲ୍ଲୀ ବିଧାନସଭାରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରିଥିଲେ । ପୁଲିସ ତୁରନ୍ତ ସେମାନଙ୍କୁ ଘଉଡାଇବା ସହ ଅନ୍ୟୁନ ୭୦ ଜଣଙ୍କୁ ଅଟକ ରଖିଛି । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ, ବିକ୍ଷୋଭକାରୀଙ୍କ ମଧ୍ୟରୁ କେତେକ ଆଜି ଅପରାହ୍ନ ଗୋଟାଏ ସମୟରେ ଦୁଇଟି ବ୍ୟାରିକେଡ଼ ଭାଂଗି ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଂଚିବା ସହ ସେଠାରେ ଲାଗି ଥିବା ସିସିଟିଭି କ୍ୟାମେରା ଓ ବୁମ୍ ବ୍ୟାରିୟରକୁ ଭାଂଗି ପକାଇ ଥିଲେ । ବିଭିନ୍ନ ସ୍ଲୋଗାନ ଦେବା ସହ ସେମାନେ ଗୋଟିଏ ଛୋଟିଆ ବାକ୍ସରେ ଆଣି ଥିବା ରଂଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ମୁଖ୍ୟ ଫାଟକ ଉପରେ ଫିଙ୍ଗିଛନ୍ତି । ପୁଲିସ ଏଭଳି ମନ୍ତବ୍ୟ ରଖି ଥିବା ବେଳେ ‘ଆପ୍’ ଏହାକୁ ପୁଲିସର ଜାଣତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ବୋଲି କହିଛି । ବିବେକ ଅଗ୍ନିହୋତ୍ରୀଙ୍କ ‘କଶ୍ମୀର ଫାଇଲ୍ସ’ ମୁକ୍ତିଲାଭ କରିବା ଦିନରୁ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀ ଏଭଳି ଫିଲ୍ମ ଦେଖିବା ଉଚିତ ବୋଲି ସଂସଦରେ ମନ୍ତବ୍ୟ ରଖିବା ପରେ ବିଜେପି ଶାସିତ ରାଜ୍ୟମାନେ ଫିଲ୍ମକୁ ଟିକସ-ମୁକ୍ତ କରିଛନ୍ତି ।
ଅପରପକ୍ଷରେ, ବିରୋଧୀ ନବେ ଦଶକରେ କଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ପ୍ରତି ହୋଇଥିବା ନିର୍ମମ ଅତ୍ୟାଚାର ହିଂସାକୁ ନିନ୍ଦା କରିଥିବା ବେଳେ ଅଗ୍ନିହୋତ୍ରୀଙ୍କ ଫିଲ୍ମରେ ସଂପୂର୍ଣ୍ଣ ସତ୍ୟ ବଦଳରେ ଅର୍ଦ୍ଧସତ୍ୟ ପରିବେଶିତ ହୋଇଛି ବୋଲି ଅଭିଯୋଗ କରୁଛନ୍ତି । ସେମାନଙ୍କ କହିବା କଥା, ନବେ ଦଶକରେ ପାକ୍ ପ୍ରୟୋଜିତ ଆତଙ୍କବାଦ ଦ୍ୱାରା କେବଳ ହିନ୍ଦୁ ପଣ୍ଡିତ ନୁହନ୍ତି, ଅନ୍ୟ ସଂପ୍ରଦାୟ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ତେବେ, ହିନ୍ଦୁ ପଣ୍ଡିତ ଅଧିକ ଭାବେ ହିଂସାର ଶିକାର ହୋଇଛନ୍ତି । କିନ୍ତୁ, ଅଗ୍ନିହୋତ୍ରୀଙ୍କ ଫିଲ୍ମରେ କେବଳ କଶ୍ମୀରୀ ପଣ୍ଡିତଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ନିର୍ମମ ହତ୍ୟା କଥା ପ୍ରଦର୍ଶିତ ହୋଇଥିବା ବେଳେ ଅନ୍ୟମାନଙ୍କ ସଂପର୍କରେ କୌଣସି ଉଲ୍ଲେଖ ନାହିଁ । ଏହି ବିବାଦ ବିଜେପି ବନାମ ବିରୋଧୀ ହୋଇଥିବା ବେଳେ ମୁକ୍ତିଲାଭ କରିବା ପରଠାରୁ ଫିଲ୍ମ ୨୦୦ କୋଟିରୁ ଅଧିକ ବ୍ୟବସାୟ କଲାଣି । ‘କଶ୍ମୀର ଫାଇଲ୍ସ’ ମାଧ୍ୟମରେ ବିଜେପି ହିନ୍ଦୁତ୍ୱବାଦର ଧ୍ରୁବୀରକରଣ କରୁଛି ବୋଲି ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବିଧାନସଭାରେ ବିଧାୟକମାନଙ୍କୁ ସମ୍ବୋଧିତ କରି ମନ୍ତବ୍ୟ ଦେଇଥିଲେ । ଫିଲ୍ମଟି ବେଶ୍ ଭଲ ବ୍ୟବସାୟ କରିଥିବାରୁ ଏବଂ ବିଜେପି ଶାସିତ ରାଜ୍ୟମାନେ ଅଧିକରୁ ଅଧିକ ଦର୍ଶକ ଦେଖିବା ସକାଶେ ଫିଲ୍ମକୁ ଟିକସ-ମୁକ୍ତ କରି ଥିବାରୁ କେଜରୀୱାଲ ତାହାର ସମାଲୋଚନା କରି ଫିଲ୍ମକୁ ୟୁ-ଟ୍ୟୁବରେ ‘ଅପ୍ ଲୋଡ୍’ କରି ଦିଆଗଲେ ସମସ୍ତ ଦେଶବାସୀ ମାଗଣାରେ ଫିଲ୍ମକୁ ଦେଖି ପାରିବେ ବୋଲି ଟିପ୍ପଣୀ ଦେଇଥିଲେ । ଦିଲ୍ଲୀ ବିଧାନସଭାରେ କେଜରୀୱାଲଙ୍କ ମନ୍ତବ୍ୟକୁ କରତାଳି ଦେଇ ସ୍ୱାଗତ କରାଯିବା ବିଜେପି ପାଇଁ ଗାତ୍ରଦାହର କାରଣ ହୋଇଛି । ପ୍ରତିକ୍ରିୟା ସ୍ୱରୂପ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଏଭଳି ହାଂଗାମା କରାଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS