ରାଜଧାନୀରେ ପେଟ୍ରୋଲ ଲିଟର ୧୦୯ ଟଙ୍କା, ବସ୍ ଯାତ୍ରୀଭଡା ବଢିଲା
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୩୧
୧୦ ଦିନ ହେଲା ରାଜ୍ୟରେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଲଗାତର ଭାବେ ବୃଦ୍ଧି ପାଉଛି । ମାର୍ଚ୍ଚ୨୨ରୁ ଆରମ୍ଭ ହୋଇଥିବା ମୂଲ୍ୟ ବୃଦ୍ଧି ସାଧାରଣ ଉପଭୋକ୍ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତୈଳ କଂପାନୀମାନେ ଗଲା ୧୦ ଦିନ ଭିତରେ ଆଜିକୁ ମିଶାଇ ନଅ ଥର ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ବଢାଇଲେଣି । ଆଜି ପେଟ୍ରୋଲ ଓ ଡ଼ିଜେଲର ଲିଟର ପିଛା ମୂଲ୍ୟ ୮୫ ପଇସା ଲେଖାଏଁ ବୃଦ୍ଧି ପାଇବା ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ମୂଲ୍ୟ ୧୦୮ ଟଙ୍କା ୮୨ପଇସା ଓ ଡ଼ିଜେଲ ଲିଟର ମୂଲ୍ୟ ୯୮ ଟଙ୍କା ୫୩ ପଇସାରେ ପହଂଚିଛି । ପେଟ୍ରୋଲ, ଡ଼ିଜେଲର ଲଗାତର ମୂଲ୍ୟ ବୃଦ୍ଧି ରାଜ୍ୟରେ ବସ୍ ଭଡା ବୃଦ୍ଧିର କାରଣ ହୋଇଛି । ବିଭିନ୍ନ ଶ୍ରେଣୀର ବସ୍ ରେ ଯାତ୍ରା ପାଇଁ କିଲୋମିଟର ପିଛା ବସ୍ ଭଡା ବୃଦ୍ଧି କରାଯିବା ସହ ଆଜିଠାରୁ ତାହା ଲାଗୁ ହୋଇଥିବା ଜଣାଇ ଦିଆଯାଇଛି । ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟ ବୃଦ୍ଧିର ସର୍ବାଧିକ ପ୍ରଭାବ ଉପାନ୍ତ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ।
ଆଜିର ମୂଲ୍ୟ ବୃଦ୍ଧି ପରେ ମାଲକାନଗିରିରେ ପେଟ୍ରୋଲର ଲିଟର ସର୍ବାଧିକ ୧୧୪ ଟଙ୍କା ୨୧ ପଇସାରେ ପହଂଚି ଥିବା ବେଳେ ଡ଼ିଜେଲ ଲିଟର ୧୦୩ ଟଙ୍କା ୮୦ ପଇସା ହୋଇଛି । ସେହିଭଳି, ରାଉଲକେଲାରେ ପେଟ୍ରୋଲ ଲିଟର ୧୦୯ ଟଙ୍କା ୭୪ ପଇସା, ଡ଼ିଜେଲ ଲିଟର ୯୯ ଟଙ୍କା ୫୦ ପଇସା; ସମ୍ବଲପୁରରେ ପେଟ୍ରୋଲ ଲିଟର ୧୦୯ ଟଙ୍କା ୩୩ ପଇସା, ଡ଼ିଜେଲ ଲିଟର ୯୯ ଟଙ୍କା ୧୦ ପଇସା, ବାଲେଶ୍ୱରରେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୬୦ ପଇସା ଓ ଡ଼ିଜେଲ ଲିଟର ୯୮ ଟଙ୍କା ୩୯ ପଇସାରେ ପହଂଚିଛି । ଗଲା ୧୦ ଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭ ଟଙ୍କା ୦୪ ପଇସା ଓ ଡ଼ିଜେଲର ଲିଟର ପିଛା ମୂଲ୍ୟ ୬ ଟଙ୍କା ୯୧ ପଇସା ବୃଦ୍ଧି ପାଇଛି ।
କେନ୍ଦ୍ର ସରକାର ଫେବୃୟାରୀ-ମାର୍ଚ୍ଚରେ ଅନୁଷ୍ଠିତ ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ବର୍ଷ ନଭେମ୍ବର ମାସରେ ପେଟ୍ରୋଲ, ଡ଼ିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ସହ ତୈଳ ଦର ନ ବଢାଇବାକୁ ତୈଳ କଂପାନୀଙ୍କୁ ତାଗିଦ କରିଥିଲେ । ଫଳରେ, ସାଢେ ୪ ମାସ କାଳ ଦେଶରେ ତୈଳ ଦର ସ୍ଥିର ଥିଲା । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୧ ଟଙ୍କା ତଳକୁ ଖସି ନଥିଲେ ମଧ୍ୟ ଉପଭୋକ୍ତା ସାମାନ୍ୟ ଆଶ୍ୱସ୍ତ ଥିଲେ । ମାର୍ଚ୍ଚ ୭ରେ ସରିଥିବା ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ମାର୍ଚ୍ଚ ୧୦ ତାରିଖ ଦିନ ପ୍ରକାଶ ପାଇବା ପରେ ସରକାର ପୁଣି ଥରେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଉପରୁ ଅଂକୁଶ ହଟାଇ ନେବେ ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହାକୁ ସରକାର ଅଗ୍ରାହ୍ୟ କରୁଥିଲେ । ତେବେ, ମାର୍ଚ୍ଚ ୨୨ରୁ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ବଢିବା ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନ ହୋଇଥିବା ପାଂଚଟି ରାଜ୍ୟ ମଧ୍ୟରୁ ୪ଟି ରାଜ୍ୟରେ ବିଜେପି ପୁନଃ କ୍ଷମତା ଦଖଲ କରିବା ପରେ କେନ୍ଦ୍ର ସରକାରଙ୍କ ଦାମ୍ଭିକତା ବଢିଛି । କେନ୍ଦ୍ର ସରକାର ଦୁଇ ଦିନ ତଳେ ଘରୋଇ ଉପଭୋକ୍ତାଙ୍କୁ ଯୋଗାଉ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିବା ଦ୍ୱାରା ଗ୍ୟାସ୍ ସିଲିଣ୍ଡର ୧୦୦୦ ଟଙ୍କା ପାଖାପାଖି ପହଂଚିଲାଣି । ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ, ଡ଼ାଲି, ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଭୋଟକୁ ପ୍ରଭାବିତ କରୁନଥିବା ପେବୃୟାରୀ-ମାର୍ଚ୍ଚ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି ।
୨୦୧୭ରୁ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ଓ ପଂଜାବରେ କଂଗ୍ରେସ ସରକାର ଥିଲା । ୨୦୨୨ ବିଧାନସଭା ନିର୍ବାଚନରେ ପଂଜାବ ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟରେ ବିଜେପି ପୁନଃ କ୍ଷମତାକୁ ଫେରିଛି । ପଂଜାବରେ କଂଗ୍ରେସ ଦଳରେ ତୀବ୍ର ଗୋଷ୍ଠୀ କନ୍ଦଳ ଓ ବ୍ୟାପକ ଦୁର୍ନୀତି କାରଣରୁ ରାଜ୍ୟବାସୀ କଂଗ୍ରେସକୁ କ୍ଷମତାଚ୍ୟୁତ କରି ‘ଆମ୍ ଆଦମୀ ପାର୍ଟି’କୁ ବହୁମତ ଦେବା ସହ ସରକାର ଗଠନ ପାଇଁ ସୁଯୋଗ ଦେଇଛନ୍ତି । ଓଡ଼ିଶାରେ ପାଖାପାଖି ୨୩ ବର୍ଷ ହେଲା ବିଜୁ ଜନତା ଦଳ (ବିଜେଡ଼ି ) କ୍ଷମତାରେ ଅଛି । କେନ୍ଦ୍ର ସରକାର ପେଟ୍ରୋଲ, ଡ଼ିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ନାମକୁ ମାତ୍ର ଭାଟ୍ ହ୍ରାସ କରିଥିଲେ । ତେବେ, ଗଲା ୧୦ ଦିନ ହେଲା ରାଜ୍ୟରେ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯେଭଳି ଦର ବଢି ଚାଲିଛି ସେଥିରେ ସରକାର ବା ବିରୋଧୀଙ୍କ ଯେଭଳି ପ୍ରତିବାଦ କରିବା କଥା ତାହା ଦେଖିବାକୁ ମିଳି ନାହିଁ । ନିକଟରେ, ଅଣ-ବିଜେପି ଟ୍ରେଡ଼ ୟୁନିୟନଗୁଡିକ ପକ୍ଷରୁ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ମୂଲ୍ୟବୃଦ୍ଧି, ଘରୋଇକରଣ ନୀତି ଓ ଅନ୍ୟାନ୍ୟ ନୀତି ବିରୋଧରେ ଯେଉଁ ଦୁଇ ଦିନିଆ ‘ଭାରତ ବନ୍ଦ’ ପାଳନ ହୋଇଥିଲା ବିରୋଧୀଙ୍କ ପ୍ରତିକ୍ରିୟା ସେତିକିରେ ସୀମିତ ରହିଛି ।
ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଚାଲି ଥିବା ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳରେ ମୂଲ୍ୟ ବୃଦ୍ଧି ଘଟିଛି । ସପ୍ଲାଇ ଚେନ୍ ମଧ୍ୟ ବିପର୍ଯ୍ୟସ୍ତ ହୋଇଯାଇଛି । ସେହି କାରଣରୁ ଦେଶରେ ପେଟ୍ରୋଲ, ଡିଜେଲ ଓ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁ ଥିବା କେନ୍ଦ୍ର ଓ ରାଜ୍ୟ ସରକାର କହୁଛନ୍ତି ଏବଂ ମୂଲ୍ୟବୃଦ୍ଧିର ଯଥାର୍ଥତା ପ୍ରତିପାଦନ କରୁଛନ୍ତି । ତେବେ, ତୈଳ କଂପାନୀମାନେ ଗତ ସାଢେ ଚାରି ମାସ ଧରି ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସ୍ଥିର ରଖି ଯେଉଁ କ୍ଷତି ସହିଛନ୍ତି ତାହା ଭରଣା କରିବା ସକାଶେ ୧୦ ଦିନ ହେଲା ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଲଗାତର ଭାବେ ବଢାଇ ଚାଲିଛନ୍ତି ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି । ବାସ୍ତବିକତା ଯାହା ହେଉନା କାହିଁକି, ସରକାରଙ୍କୁ ସଫେଇ ଦେବାର ସୁଯୋଗ ମିଳିଛି ଏବଂ ବିଚରା ଉପଭୋକ୍ତା ତୈଳ କଂପାନୀଙ୍କ କ୍ଷତି ଭରଣା କରିବାକୁ ଯାଇ ନିଜେ ହନ୍ତସନ୍ତ ହେଉଛନ୍ତି । ଦଶ ଦିନ ହେଲା ରାଜ୍ୟରେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଲଗାତର ଭାବେ ବଢୁ ଥିବାରୁ ତାହାର ପ୍ରଭାବ ଯାତ୍ରୀ ପରିବହନ ଉପରେ ପଡିବା ଆରମ୍ଭ ହୋଇଛି । ତେଲ ଦର ବଢିଲେ ବସ୍ ଭଡ଼ା ବଢିବ ଓ ତେଲ ଦର କମିଲେ ବସ୍ ଭଡ଼ା କମିବ – ଏଭଳି ଯେଉଁ ସ୍ୱୟଂକ୍ରିୟ ବ୍ୟବସ୍ଥା ହୋଇଛି ସେଥିରେ ପ୍ରେଟ୍ରାଲ, ଡ଼ିଜେଲ ମୂଲ୍ୟ ବଢି ଚାଲିଥିବା ଯୋଗୁଁ ସ୍ୱତଃ ବସ୍ ଭଡା ବୃଦ୍ଧି ହୋଇଥିବା ଆଜି ସୂଚନା ଦିଆଯାଇଛି ।
ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଆଜିଠାରୁ ବଦ୍ଧିତ ବସ୍ ଭଡ଼ା ଲାଗୁ କରିଛନ୍ତି । ବସ୍ ଯାତ୍ରୀଙ୍କୁ ଏକ୍ସପ୍ରେସ୍ ବସ୍ ରେ ଯାତ୍ରା ନିମନ୍ତେ କିଲୋମିଟର ପିଛା ଅଧିକ ୩ ପଇସା, ଏସି ଡ଼ିଲକ୍ସ ବସ୍ ରେ ଯାତ୍ରା ପାଇଁ କିଲୋମିଟର ପିଛା ଅଧିକ ୬ ପଇସା ଏବଂ ସୁପର ପ୍ରମିୟମ ବସରେ ଯାତ୍ରା ପାଇଁ କିଲୋମିଟର ପିଛା ଅଧିକ ୯ ପଇସା ଭଡା ଗଣିବାକୁ ପଡିବ । ସାଧାରଣ ବସ୍ ରେ ଯାତ୍ରା ନିମନ୍ତେ ଯାତ୍ରୀଙ୍କୁ କିଲୋମିଟର ପିଛା ୮୭ ପଇସା ଦେବାକୁ ପଡୁଥିଲା । ଆଜିଠାରୁ ୯୦ ପଇସା ଦେବାକୁ ପଡିବ । ସେହିଭଳି, ଏକ୍ସପ୍ରେସ ବସ୍ ରେ ଯାତ୍ରା ପାଇଁ ଯାତ୍ରୀ କିଲୋମିଟର ପିଛା ୯୧ ପଇସା ସ୍ଥାନରେ ୯୪ ପଇସା, ଡ଼ିଲକ୍ସ ବସ୍ ରେ ଯାତ୍ରା ପାଇଁ କିଲୋମିଟର ପିଛା ୧ ଟଙ୍କା ୨୫ ପଇସା ସ୍ଥାନରେ ୧ ଟଙ୍କା ୩୧ ପଇସା ଏବଂ ଏସି ଡିଲକ୍ସ ବସ୍ ରେ ଯାତ୍ରା ପାଇଁ କିଲୋମିଟର ପିଛା ୧ ଟଙ୍କା ୫୩ ପଇସା ସ୍ଥାନରେ ୧ ଟଙ୍କା ୫୯ ପଇସା ପୈଠ କରିବାକୁ ବାଧ୍ୟ । ସୁପର ପ୍ରମିୟମ ବସ୍ ଯାତ୍ରା ନିମନ୍ତେ ଯାତ୍ରୀଙ୍କୁ ଆଜିଠାରୁ କିମି ପିଛା ୨ଟଙ୍କା ୩୯ ପଇସା ସ୍ଥାନରେ ୨ଟଙ୍କା ୪୭ ପଇସା ଦେବାକୁ ପଡିବ ବୋଲି ବସ୍ ମାଲିକ ସଂଘ ସୂତ୍ରରୁ ସୂଚନା ମିଳିଛି । ପେଟ୍ରୋଲ ଓ ଡ଼ିଜେଲର ଲିଟର ପିଛା ମୂଲ୍ୟର ଅଧାରୁ ଅଧିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟକୁ ଟିକସ ଆକାରରେ ଯାଉଥିବାରୁ ସରକାର ଚାହିଁଲେ ଟିକସ ହ୍ରାସ କରି ଉପଭୋକ୍ତାଙ୍କୁ କିଛିଟା ଆଶ୍ୱସ୍ତି ମିଳନ୍ତା । ତେବେ, ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ମୂଲ୍ୟବୃଦ୍ଧିକୁ ଯଥାର୍ଥ କହିବା ପାଇଁ ଭଲ ବାହାନାଟିଏ ଯୋଗାଇ ଦେଇଛି । ସରକାର କାହିଁକ ଟିକସ କମାଇ ନିଜ ପକେଟ କଣା କରିବାକୁ ଚାହିଁବେ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS