ସାଂଘାଇରେ କଟକଣା, ଦଂପତ୍ତି ଏକାଠି ଖାଇବା, ଶୋଇବା ମନା !
ପ୍ରସାଦ ରାଓ
ଏପ୍ରିଲ ୦୭
ଚୀନର ଅର୍ଥନୈତିକ ହବ୍ ଭାବେ ପରିଚିତ ସାଂଘାଇ ସହରରେ କୋଭିଡ଼ ମହାମାରୀର ବିସ୍ତାରକୁ ରୋକିବା ପାଇଁ କଟକଣାକୁ ଅଧିକ କଡାକଡି କରାଯାଇଛି । ପରିସ୍ଥିତି ଜଟିଳ ଥିବାରୁ ସାଂଘାଇ ସହର ସଂପୂର୍ଣ୍ଣ ‘ତାଲାବନ୍ଦ’ରେ ରହିଛି । ସହରରେ ବସବାସ କରୁଥିବା ୨୬ ନିୟୁତ ବାସିନ୍ଦାଙ୍କୁ ମୋଟେ ଘରୁ ନ ବାହାରିବାକୁ ନିର୍ଦେଶ ଦିଆଯାଇ ଏକପ୍ରକାର ଗୃହବନ୍ଦୀ ଭଳି ରଖାଯାଇଛି । ‘ଡ୍ରୋନ୍’ ମାଧ୍ୟମରେ ସେମାନଙ୍କ ଉପରେ ପ୍ରଶାସନ କଡା ନଜର ରଖିବା ସହ ସ୍ୱାସ୍ଥ୍ୟ ସଂପର୍କିତ ନିର୍ଦେଶାବଳୀ ପ୍ରସାରିତ କରୁଛି । କୋଭିଡ଼ର ଏହି ନୂତନ ଲହରରେ ‘ହଟସ୍ପଟ୍’ରେ ପରିଣତ ହୋଇଥିବା ସାଂଘାଇରେ କିଛି ଦିନ ହେଲା ଚିହ୍ନଟ ହେଉଥିବା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦେଖିବାକୁ ମିଳୁଛି । ତଥାପି, ପ୍ରଶାସନର କଟକଣା କମୁ ନାହିଁ । ଘର ଭିତରେ ବନ୍ଦ ରହୁଥିବା ସହରବାସୀଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ଥିଲେ ମଧ୍ୟ ତାହା ଠିକ୍ ଭାବେ ମିଳୁ ନ ଥିବାରୁ ଜନସାଧାରଣ ସେମାନଙ୍କ ଘରର ବାଲକୋନୀକୁ ଆସି ଗୀତ ଗାଇବା ମାଧ୍ୟମରେ ପ୍ରତିବାଦ ଜଣାଉଛନ୍ତି । ସେମାନଙ୍କ ଘର ଛାତ ଉପରେ ‘ଡ୍ରୋନ୍’ ଉଡୁଥିବା ଏବଂ ପ୍ରଶାସନ ଦ୍ୱାରା ଜାରି ନୂତନ ସ୍ୱାସ୍ଥ୍ୟ ସଂପର୍କିତ କଟକଣା ସଂପର୍କରେ ସେମାନଙ୍କୁ ସୂଚିତ କରୁଥିବା ଭିଡ଼ିଓ ପ୍ରସାରିତ ହେଉଛି । ପ୍ରଥମେ ‘ୱିବୋ’ରେ ଭିଡ଼ିଓ ପ୍ରସାରିତ ହେବା ପରେ ତାହା କିଛି ଚୀନୀ ସାମ୍ବାଦିକଙ୍କ ହାତରେ ଲାଗି ଥିଲା ଓ ‘ଟ୍ୱିଟର’ରେ ଭାଇରାଲ ହୋଇଛି । ‘ଡ୍ରୋନ୍’ ମାଧ୍ୟମରେ ଚୀନୀ ଭାଷାରେ ଯେଉଁ ସ୍ୱାସ୍ଥ୍ୟ ସଂପର୍କିତ ନିର୍ଦେଶାବଳୀର ପ୍ରସାରଣ ହେଉଛି ସ୍ଥାନୀୟ ଲୋକଙ୍କ ଠାରୁ ତାହାର ଅନୁବାଦ ମିଳିଛି । ସହର ବାସିନ୍ଦା କୋଭିଡ଼ କଟକଣା ସବୁ ନିଷ୍ଠାର ସହ ପାଳନ କରିବାକୁ ଏବଂ ସ୍ୱାଧୀନ ଭାବେ ବିଚରଣ କରିବାର ଇଚ୍ଛାକୁ ନିୟନ୍ତ୍ରଣରେ ରଖିବାକୁ ‘ଡ୍ରୋନ୍’ ମାଧ୍ୟମରେ ଦିଆଯାଇଥିବା ବାର୍ତ୍ତାରେ ନିବେଦନ କରାଯାଇଥିବା ଜଣାପଡିଛି । ସାଂଘାଇ ବାସିନ୍ଦା ନିଜ ଘର ଝରକା ନ ଖୋଲିବାକୁ ଓ ଗୀତ ନ ଗାଇବାକୁ ମଧ୍ୟ ଡ୍ରୋନ୍ ମାଧ୍ୟମରେ ପ୍ରଶାସନ ଚେତାଇ ଦେଇଛି । ଟ୍ୱିଟରରେ ପ୍ରସାରିତ ଅନ୍ୟ ଏକ ଭିଡ଼ିଓରେ ସଂଘାଇର ସ୍ୱାସ୍ଥ୍ୟ କର୍ମୀମାନେ ମେଗାଫୋନ୍ ଧରି ରାସ୍ତାରେ ବୁଲୁଥିବା ଏବଂ ବିଭିନ୍ନ ହାଉସିଂ ସୋସାଇଟିକୁ ଯାଇ ‘ଆଜି ରାତିରୁ ଦଂପତ୍ତିମାନେ ଏକାଠି ଶୋଇବା, ପରସ୍ପରକୁ ଚୁମ୍ବନ ଦେବା, କୋଳାକୋଳି ହେବା ଏବଂ ଏକତ୍ର ଖାଇବାର ଅନୁମତି ନାହିଁ’ ବୋଲି ଘୋଷଣା କରୁଥିବା ଦେଖିବାକୁ ମିଳିଛି । ସହଯୋଗ ପାଇଁ ସେମାନେ ହାଉସିଂ ସୋସାଇଟିଙ୍କୁ ଧନ୍ୟବାଦ ଜଣାଉଛନ୍ତି । ସପ୍ତାହେ ତଳେ ସାଂଘାଇର ଶୂନଶାନ ସଡ଼କରେ ଚାରି ଗୋଡିଆ ରୋବୋଟ୍ ସବୁ ବୁଲି ସହରବାସୀଙ୍କୁ କୋଭିଡ଼ କଟକଣା ନେଇ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । କୋଭିଡ଼ ମହାମାରୀ ସମୟରେ କଡା କଟକଣା ଯୋଗୁଁ ସହରରେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନରେ ଅବ୍ୟବସ୍ଥା ଦେଖା ଦେଇଛି । ଖାଦ୍ୟ ପଦାର୍ଥ ଠିକ୍ ଭାବେ ବିତରଣ ହେଉନଥିବା ଯୋଗୁଁ ସାଂଘାଇବାସୀ ଅସନ୍ତୁଷ୍ଟ । ପ୍ରଶାସନ ମଧ୍ୟ ଏହି ଅବ୍ୟବସ୍ଥାକୁ ସ୍ୱୀକାର କରିଛି । ଆଗାମୀ ଦିନରେ ଖାଦ୍ୟ ଓ ଅନ୍ୟ ସାମଗ୍ରୀ ବିତରଣରେ ଉନ୍ନତି ଆଣାଯିବ ବୋଲି ସାଂଘାଇର ଭାଇସ୍ ମେୟର ଚେନ୍ ଟଂଗ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସହରରେ ଯଥେଷ୍ଟ ପରିମାଣର ଚାଉଳ ଓ ମାଂସ ଗଚ୍ଛିତ ଥିଲେ ମଧ୍ୟ କୋଭିଡ଼ କଟକଣା ଭିତରେ ସେସବୁ ଦୂରରେ ଥିବା ଅଂଚଳରେ ପହଂଚାଇବାରେ ସମସ୍ୟା ରହୁଛି । ସହରରେ କିଛି ହୋଲସେଲ ମାର୍କେଟ, ଖାଦ୍ୟ ଷ୍ଟଲ୍ ଖୋଲିବାକୁ ଏବଂ ଖାଦ୍ୟ ସାମଗ୍ରୀ ବିତରଣ ପାଇଁ ‘ଲକ୍ ଡାଉନ୍’ ଅଂଚଳ ବାହାରୁ ଅଧିକ ସଂଖ୍ୟକ ବିତରଣକାରୀଙ୍କୁ ନିୟୋଜିତ କରିବାକୁ ସାଂଘାଇ ପ୍ରଶାସନ ବିଚାର କରୁଥିବ ସେ କହିଛନ୍ତି । ପ୍ରଶାସନ ଦରଦାମକୁ ନିୟନ୍ତ୍ରଣରେ ରଖିବାକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଟଂଗ ସୂଚନା ଦେଇଛନ୍ତି । ସାଂଘାଇ ସହରରେ କରୋନା ମହାମାରୀର ବିସ୍ତାରକୁ ନିୟନ୍ତ୍ରଣରେ ରଖିବା ପାଇଁ ସାଧାରଣ ଜନତାକୁ ସେମାନଙ୍କ ଘରମାନଙ୍କରେ ଆବଦ୍ଧ କରି ରଖାଯିବା ଦ୍ୱାରା ସହରର ରାସ୍ତାଘାଟ ସଂପୂର୍ଣ୍ଣ ଜନଶୂନ୍ୟ ରହିଛି । କେବେଳ ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ, ଘର ଘର ବୁଲି ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଉ ଥିବା ବିତରକ ଓ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ହିଁ ରାସ୍ତାଘାଟରେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS