ତୈଳ ଦର ବୃଦ୍ଧିକୁ ନେଇ କାହାରି ଚିନ୍ତା ନାହିଁ !
ପ୍ରସାଦ ରାଓ
ଏପ୍ରିଲ ୦୭
ମାର୍ଚ୍ଚ ୨୨ରୁ ଦେଶରେ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ଲଗାତର ଭାବେ ବଢୁଛି । କିନ୍ତୁ, ତାହା ବିରୋଧରେ ପ୍ରତିବାଦର ସ୍ୱର ଶୁଭୁ ନାହିଁ । ୧୭ ଦିନରେ ମଧ୍ୟରେ ପେଟ୍ରୋଲ, ଡ଼ିଜେଲର ମୂଲ୍ୟ ଲିଟର ପିଛା ୧୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ଅନୁଷ୍ଠିତ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସରକାରଙ୍କ ଚାପରେ ତୈଳ କଂପାନୀମାନେ ନଭେମ୍ବରରୁ ସାଢେ ଚାରି ମାସ ଧରି ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସ୍ଥିର ରଖି ଥିଲେ । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୨୨ ତାରିଖରୁ ମୂଲ୍ୟ ବୃଦ୍ଧିରେ ଆଉ ଲଗାମ ଲାଗିନି । ପ୍ରତିଦିନ ପେଟ୍ରୋଲ, ଡ଼ିଜେଲ ବଢି ଚାଲିଛି । ତାହାକୁ ଧରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ମଧ୍ୟ ମହଙ୍ଗା ହେବାରେ ଲାଗିଛି । ତେଲ ଦର ବଢିବା ପଛରେ ରୁଷ-ୟୁକ୍ରେନ୍ ଯୁଦ୍ଧ ଏବଂ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପ୍ରମୁଖ କାରଣ, କାହାରିକୁ ତାହା ଅଛପା ନାହିଁ । ତଥାପି, ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ମୂଲ୍ୟ ବୃଦ୍ଧିରେ ଲଗାମ ଲଗାଇବା ଆବଶ୍ୟକ ବୋଲି ଉପଭୋକ୍ତା ମହଲରେ ମତ ପ୍ରକାଶ ପାଉଛି । ଆନ୍ତର୍ଜାତିକ ବଜାରରେ ଆଶୋଧିତ ତୈଳ ମୂଲ୍ୟ ସାମାନ୍ୟ ହ୍ରାସ ପାଇଲେ ମଧ୍ୟ ସରକାର ମୂଲ୍ୟ ବୃଦ୍ଧିରେ ଲଗାମ ଲଗାଉ ନଥିବା ଏବଂ ତୈଳ କଂପାନୀଙ୍କୁ ନିରଙ୍କୁଶ ଛାଡି ଦେଇଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ପେଟ୍ରୋଲ, ଡ଼ିଜେଲର ମୂଲ୍ୟବୃଦ୍ଧି ହେଉଥିବା ଦେଖି ଉପଭୋକ୍ତା ଉପାୟ ଶୂନ୍ୟ । ‘କାଲି ପୁଣି ବଢିବ’ – ସେହି ଭୟରେ ପେଟ୍ରୋଲ ଟାଂକିରେ ଭିଡ଼ ସକାଳୁ ରାତି ପର୍ଯ୍ୟନ୍ତ ଭିଡ଼ କରୁଛନ୍ତି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପେଟ୍ରୋଲ, ଡ଼ିଜେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟବୃଦ୍ଧିକୁ ନେଇ ସଂସଦରେ ପ୍ରତିବାଦ କରି ଗୃହତ୍ୟାଗ କରୁଥିଲେ ମଧ୍ୟ ରାସ୍ତାକୁ ଆସି ନାହାନ୍ତି । କ୍ଷେତ୍ରୀୟସ୍ତରରେ ମଧ୍ୟ ଏପର୍ଯ୍ୟନ୍ତ ସେଭଳି କିଛି ପ୍ରତିବାଦ ଆନ୍ଦୋଳନ ଦେଖିବାକୁ ମିଳି ନାହିଁ । ଅପରପକ୍ଷରେ, ଶାସକ ଦଳ ପେଟ୍ରୋଲ, ଡ଼ିଜେଲର ମୂଲ୍ୟ ବୃଦ୍ଧିର ଯଥାର୍ଥତାକୁ ନେଇ ସର୍ବସାଧାରଣରେ ବିତଣ୍ଡା ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଂଗଳବାର ଦିନ ଲୋକସଭାରେ ଯେଉଁ ଯୁକ୍ତି ରଖିଛନ୍ତି ତାହା ସାଧାରଣ ଉପଭୋକ୍ତାଙ୍କୁ ତାଚ୍ଛଲ୍ୟ କଲା ଭଳି ହୋଇଛି । ବ୍ରିଟେନ, ଆମେରିକା, ଜର୍ମାନୀ, ଫ୍ରାନ୍ସ, କାନାଡ଼ା ଭଳି ରାଷ୍ଟ୍ରରେ ରୁଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଭାରତରେ ମାତ୍ର ୫ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ପୁରୀ କହିଛନ୍ତି । ପେଟ୍ରୋଲ, ଡ଼ିଜେଲର ମୂଲ୍ୟବୃଦ୍ଧି ଦେଶବାସୀଙ୍କ ଦୁଇ ଓ ଚାରି ଚକିଆ ଯାନ ଉପରେ ନିର୍ଭରଶୀଳତା କମାଇବ ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବ ବୋଲି କିଛି ବିଜେପି ମନ୍ତ୍ରୀ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି । ଚେନ୍ନାଇ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ଲିଟର ଯଥାକ୍ରମେ ୧୧୦ ଟଙ୍କା ୮୫ ପଇସା, ୧୧୫ ଟଙ୍କା ୧୨ ପଇସା ଓ ୧୨୦ ଟଙ୍କା ୫୧ ପଇସା ଥିବା ବେଳେ ଡ଼ିଜେଲ ମୂଲ୍ୟ ଲିଟର ପିଛା ଯଥାକ୍ରମେ ୧୦୧ ଟଙ୍କା ୯୪ ପଇସା, ୯୯ ଟଙ୍କା ୮୩ ପଇସା ଓ ୧୦୪ ଟଙ୍କା ୭୭ ପଇସାରେ ପହଂଚିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ଆଜି ପେଟ୍ରୋଲ ଲିଟର ୧୦୫ ଟଙ୍କା ୪୧ ପଇସା ଓ ଡ଼ିଜେଲ ଲିଟର ୯୬ ଟଙ୍କା ୬୭ ପଇସା ରହିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି (ଗୁରୁବାର) ପେଟ୍ରୋଲ ଲିଟର ୧୧୨ ଟଙ୍କା ୫୦ ପଇସା ଓ ଡ଼ିଜେଲ ଲିଟର ୧୦୨ ଟଙ୍କା ୨୪ ପଇସା ରହିଛି । ବୁଧବାର ଦିନ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ୧୧୨ ଟଙ୍କା ୩୬ ପଇସା ଓ ଡ଼ିଜେଲର ଲିଟର ୧୦୧ ଟଙ୍କା ୧୧ ପଇସା ଥିଲା । ଗଲା ୨୪ ଘଂଟାରେ ରାଜଧାନୀରେ ପେଟ୍ରୋଲ ଲିଟରରେ ୧୪ ପଇସା ଓ ଡ଼ିଜେଲ ଲିଟରରେ ୧୩ ପଇସା ବୃଦ୍ଧି ଘଟିଛି । ମଂଗଳବାର ଦିନ ୮୨ ଓ ୮୦ ପଇସା ବଢି ଥିଲା । କଟକରେ ଆଜି ପେଟ୍ରୋଲ ଲିଟର ୧୧୨ ଟଙ୍କା ୮୫ ପଇସା ଓ ଡ଼ିଜେଲ ଲିଟର ୧୦୨ ଟଙ୍କା ୫୮ ପଇସାରେ ସ୍ଥିର ରହିଛି । ଜାତୀୟସ୍ତରରେ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପ୍ରତିବାଦ ଜାରି ରଖିଥିବା ବେଳେ ଓଡ଼ିଶାରେ କେହି ମୁହଁ ଖୋଲୁ ନଥିବା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି । ରାଜ୍ୟରେ ଆଂଚଳିକ ଦଳର ସରକାର ରହିଛି । ତଥାପି, ପେଟ୍ରୋଲ, ଡ଼ିଜେଲର ଲଗାତର ମୂଲ୍ୟବୃଦ୍ଧିକୁ ନେଇ ବିରୋଧ ନାହିଁ । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ଦଳର କେନ୍ଦ୍ରୀୟ ନେତୃତ୍ୱ ବିରୋଧରେ ଯିବା ପ୍ରଶ୍ନ ଉଠୁ ନାହିଁ । ସେହିଭଳି, ରାଜ୍ୟରେ କଂଗ୍ରେସ ଦଳ ‘ନେତୃତ୍ୱ’ ବିବାଦକୁ ନେଇ ବ୍ୟସ୍ତ । ତେଣୁ, ପ୍ରତିବାଦ କରିବାକୁ ସମୟ ନାହିଁ । ବାମପନ୍ଥୀ ଦଳମାନେ ଯାହା କିଛି ପ୍ରତିବାଦ କରୁଛନ୍ତି । ତେବେ, ସେମାନଙ୍କ ଶକ୍ତି ସୀମିତ । ଏଭଳି ପରିସ୍ଥିତିରେ ଉପଭୋକ୍ତା କାନମୁଣ୍ଡା ଆଉଁଷି ବଦ୍ଧିତ ମୂଲ୍ୟରେ ଗାଡ଼ିରେ ପେଟ୍ରୋଲ, ଡ଼ିଜେଲ ପକାଇବା ବ୍ୟତୀତ ଅନ୍ୟ ଗତି ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS