ଏମପି, ଏମଏଲଏଙ୍କ ବିରୋଧରେ ବିଚାରାଧୀନ ରହିଛି ୫ ହଜାର ଆପରାଧୀକ ମାମଲା !
ପ୍ରସାଦ ରାଓ
ଏପ୍ରିଲ ୦୮
ଦେଶର ସାଂସଦ, ବିଧାୟକ ଓ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ପ୍ରାୟ ପାଂଚ ହଜାର ଆପରାଧୀକ ମାମଲା ବିଚାରାଧୀନ ରହିଛି । ସେଥିରୁ ପ୍ରାୟ ଦୁଇ ହଜାର ମାମଲା ପାଂଚ ବର୍ଷରୁ ଅଧିକ ସମୟ ହେଲା ବିଚାରାଧୀନ ଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ମାମଲାଗୁଡିକର ବିଚାରଣା ଏବଂ ବିଭିନ୍ନ ଏଜେନ୍ସୀ (ସିବିଆଇ ଓ ଅନ୍ୟାନ୍ୟ ସଂସ୍ଥା) ଦ୍ୱାରା ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଏପ୍ରିଲ ୧୫ ତାରିଖ ପରେ ଶୁଣାଣୀ କରିବେ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ରାଜି ହୋଇଛନ୍ତି । ଉଭୟ ସଂସଦ ଓ ବିଧାନସଭାରେ ବସି ଆଇନ ତିଆରି କରୁଥିବା ଏହି ରାଜନେତାଙ୍କ ବିରୋଧରେ ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଆପରାଧୀକ ମାମଲା ସବୁର ବିଚାରଣା ତ୍ୱରାନ୍ୱିତ କରାଯିବାକୁ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଥିବା ବେଳେ ବିଭିନ୍ନ ଆଳରେ ତାହା କାର୍ଯ୍ୟକାରୀ ହୋଇନାହିଁ । ଫଳରେ, ହଜାର ହଜାର ସଂଖ୍ୟାରେ ମାମଲା ପାଂଚ ବର୍ଷରୁ ଅଧିକ ସମୟ ହେଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବା ସୁପ୍ରିମ କୋର୍ଟରେ ସଦ୍ୟ ଉପସ୍ଥାପିତ ଏକ ରିପୋର୍ଟରୁ ଜଣାପଡିଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏଥିନେଇ କ୍ଷୋଭ ପ୍ରକାଶ କରିବା ସହ ବିଚାରଣା ଓ ତଦନ୍ତ ତ୍ୱରାନ୍ୱିତ କରାଯିବାକୁ ହୋଇଥିବା ଆବେଦନ ଉପରେ ଜରୁରୀ ଶୁଣାଣୀ ପାଇଁ ରାଜି ହୋଇଛନ୍ତି ଓ ଏହାକୁ ତାଲିକାଭୁକ୍ତ କରାଇବାକୁ ବରିଷ୍ଠ ଆଇନଜୀବୀ ତଥା ଆମିକସ୍ କ୍ୟୁରୀ ବିଜୟ ହଂସରିଆଙ୍କୁ କହିଛନ୍ତି ।
ସାଂସଦ, ବିଧାୟକ ଓ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲା ନେଇ ସୁପ୍ରିମ କୋର୍ଟରେ ଉପସ୍ଥାପିତ ୧୬ତମ ଷ୍ଟାଟସ୍ ରିପୋର୍ଟ ଅନୁଯାୟୀ ସାଂସଦ, ବିଦାୟକଙ୍କ ବିରୋଧରେ ଏଥିରେ ବହୁ ସଂଖ୍ୟାରେ ଆପରାଧୀକ ମାମଲା ତଳ କୋର୍ଟଗୁଡିକରେ ବିଚାରାଧୀନ ପଡି ରହିଥିବା ଦର୍ଶାଯାଇଛି । ଏହା ଉପରେ ଖଣ୍ଡପୀଠ ଏକ ମଧ୍ୟବର୍ତ୍ତୀ ରାୟ ଦେବାକୁ ଆମିକସ୍ କ୍ୟୁରୀ ହଂସାରିଆ ଆଜି ଖଣ୍ଡପୀଠଙ୍କୁ ନିବେଦନ କରିଥିବା ବେଳେ ତଳ କୋର୍ଟ ବର୍ଷ ବର୍ଷ ଧରି ମାମଲା ଗଡାଇ ଚାଲିଲେ ସମସ୍ୟା ନାହିଁ, ଯେତେବେଳେ ମାମଲା ସୁପ୍ରିମ କୋର୍ଟରେ ପହଂଚୁଛି ତାହା ‘ଜରୁରୀ’ ହୋଇଯାଉଛି ଏବଂ ତାହାକୁ ଜରୁରୀ ଶୁଣାଣୀ ତାଲିକା ଆନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ ମନ୍ତବ୍ୟ ଦେଇଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ବିଚାରପତି ଜଷ୍ଟିସ କ୍ରୀଷ୍ଣା ମୁରାରୀ ଓ ଜଷ୍ଟିସ ହୀମା କୋହଲୀ ରହିଛନ୍ତି । ଆଜି ମାମଲାର ତୁରନ୍ତ ଶୁଣାଣୀ ସମ୍ଭବ ନୁହେଁ ବୋଲି ମୁଖ୍ୟ ବିଚାପତି ଜଷ୍ଟିସ ରମଣା ସ୍ପଷ୍ଟ କରିଥିଲେ ମଧ୍ୟ ଆମିକସ୍ କ୍ୟୁରୀ ହଂସାରିଆ ଓ ତାଙ୍କ ସହଯୋଗୀ ସ୍ନେହା କଲିଟାଙ୍କ ନିବେଦନକୁ ଗୁରୁତ୍ୱ ଦେଇ ଏପ୍ରିଲ ୧୫ ପରେ ତାହା ଉପରେ ଶୁଣାଣୀ ପାଇଁ ରାଜି ହୋଇଛନ୍ତି । ପୂର୍ବରୁ ସୁପ୍ରିମ କୋର୍ଟ ଫେବୃୟାରୀ ୯ ତାରିଖ ମାମଲାର ଜରୁରୀ ଶୁଣାଣୀ ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରିଥିଲେ ।
ଦେଶର ସାଂସଦ, ବିଧାୟକ ଓ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ବିଚାରାଧୀନ ଥିବା ଆପରାଧୀକ ମାମଲାକୁ ନେଇ ସୁପ୍ରିମ କୋର୍ଟରେ ଯେଉଁ ସଦ୍ୟ ଉପସ୍ଥାପିତ ଷ୍ଟାଟସ୍ ଦାଖଲ ହୋଇଛି ସେହି ଅନୁଯାୟୀ ଏହି ଆଇନ ପ୍ରସ୍ତୁତକାରୀଙ୍କ ବିରୋଧରେ ୪,୯୮୪ ଆପରାଧୀକ ମାମଲା ବିଚାରାଧୀନ ଥିବା ବେଳେ ସେଥିରୁ ୧,୮୯୯ଟି ମାମଲା ପାଂଚ ବର୍ଷରୁ ଅଧିକ ପୁରୁଣା । ୨୦୧୮ ଡ଼ିସେମ୍ବରରେ ସାଂସଦ, ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ସଂଖ୍ୟା ଥିଲା ୪,୧୧୦ । ୨୦୨୦ ଅକ୍ଟୋବର ସୁଦ୍ଧା ସଂଖ୍ୟା ୪,୮୫୯ ରହିଛି । ୨୦୧୮ ଡ଼ିସେମ୍ବର ୪ ତାରିଖ ପରେ ୨,୭୭୫ ମାମଲାର ବିଚାରଣା ସରିଥିଲେ ମଧ୍ୟ ବିଚାରାଧୀନ ମାମଲା ସଂଖ୍ୟା କମି ନାହିଁ, ବଢିଛି । ଏହି ସଂଖ୍ୟା ୪,୧୨୨ରୁ ୪,୯୮୪ ହୋଇଛି । ଏଥିରୁ ଅଧିକରୁ ଅଧିକ ସଂଖ୍ୟକ ଆପରାଧ ଭିତ୍ତିଭୂମି ଥିବା ବ୍ୟକ୍ତିବିଶେଷ ସଂସଦ ଓ ବିଧାନସଭାକୁ ଚାଲି ଆସୁଥିବା ସ୍ପଷ୍ଟ ହେଉଛି ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି । ଆପରାଧୀକ ମାମଲା ଥିବା ସାଂସଦ, ବିଧାୟକଙ୍କ ସଂଖ୍ୟା ବଢୁ ଥିବା ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଥିବାରୁ ବିଚାରାଧୀନ ଥିବା ମାମଲାଗୁଡିକର ତୁରନ୍ତ ଫଇସଲା ପାଇଁ କଡା ପଦକ୍ଷେପ ନିଆଯିବା ଜରୁରୀ ବୋଲି ଆଡଭୋକେଟ ସ୍ନେହା କାଲିଟା ଅଦାଲତରେ ପେସ୍ କରିଥିବା ରିପୋର୍ଟରେ ନିବେଦନ କରିଛନ୍ତି ।
ପୂର୍ବରୁ ବିଭିନ୍ନ ସମୟରେ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଦେଶର ସାଂସଦ, ବିଧାୟକମାନଙ୍କ ବିରୋଧରେ ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଆପରାଧୀକ ମାମଲାଗୁଡିକର ବିଚାରଣା ଓ ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ଏଜେନ୍ସୀଙ୍କ ଦ୍ୱାରା ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ମାଧ୍ୟମରେ ଆବେଦନ କରିଥିଲେ । ସର୍ବୋର୍ଚ୍ଚ ନ୍ୟାୟାଳୟ ମଧ୍ୟ ବିଭିନ୍ନ ସମୟରେ ତଳ ଅଦାଲତଙ୍କୁ ଏନେଇ ନିର୍ଦେଶ ଦେଇଥିଲେ । ତେବେ, ବିଭିନ୍ନ ଆଳରେ ତାହା କାର୍ଯ୍ୟକାରୀ ହୋଇ ନଥିବା ଜଣାପଡିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କିଛି ରାଜ୍ୟ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଥିବା ବେଳେ ଆଉ କିଛି ରାଜ୍ୟ ନିଜର ଥିବା ଭିତ୍ତିଭୂମିକୁ ନେଇ ଆପରାଦୀକ ମାମଲା ଥିବା ସାଂସଦ, ବିଧାୟକଙ୍କ ମାମଲାର ବିଚାରଣା କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ତେବେ, ମାମଲା ସଂଖ୍ୟା ବହୁ ଅଧିକ ଥିବାରୁ ଛୋଟ ଛୋଟ ମାମଲା ସ୍ୱତନ୍ତ୍ର ମାଜିଷ୍ଟ୍ରେଟସ୍ତରୀୟ କୋର୍ଟରେ ବିଚାରଣା କରି ଫଇସଲା କରିବାକୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ ରହିଥିଲା । ତେବେ, ଉତ୍ତର ପ୍ରଦେଶ ଭଳି ରାଜ୍ୟ ଏହି ନିର୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ସୁପ୍ରିମ କୋର୍ଟଙ୍କୁ କ୍ଷୁବ୍ଧ କରିଛି । ବିଚାରଣା ଓ ତଦନ୍ତକୁ ତ୍ୱରାନ୍ୱିତ କରାଯିବା ସକାଶେ ହୋଇଥିବା ସଦ୍ୟ ଆବେଦନ ଉପରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ଖଣ୍ଡପୀଠ ଏପ୍ରିଲ ୧୫ ପରେ ଶୁଣାଣୀ କରିବାକୁ ରାଜି ହୋଇଥିବାରୁ ଖଣ୍ଡପୀଠଙ୍କ ନିର୍ଦେଶ କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS