କେସିଆରଙ୍କ ଚେତାବନୀ: ଉଷୁନା ଚାଉଳ କିଣ, ନହେଲେ କ୍ଷମତାରୁ ଯିବ
ପ୍ରସାଦ ରାଓ
ଏପ୍ରିଲ ୧୧
କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ ଜରିଆରେ ଚାଷୀଙ୍କ ନିକଟରୁ ଉଷୁନା ଚାଉଳ କିଣନ୍ତୁ । ନହେଲେ, ଚାଷୀଙ୍କ ଭାବାବେଗ ସହ ଖେଳିଲେ ଚାଷୀ ସରକାରଙ୍କୁ କ୍ଷମତାରୁ ହଟାଇ ଦେବେ । ଏଭଳି ଚେତାବନୀ ଦେଇଛନ୍ତି ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓରଫ କେସିଆର । ଆଜି ନୂଆଦିଲ୍ଲୀ ସ୍ଥିତ ତେଲେଂଗାନା ଭବନରେ ଆୟୋଜିତ ଟିଆରଏସର ଏକ ପ୍ରତିବାଦ ସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ରାଓ ଏହି ଚେତାବନୀ ଦେଇଛନ୍ତି । ତେଲେଂଗାନା ଚାଷୀଙ୍କଠାରୁ ଉଷୁନା ଚାଉଳ କିଣା ଯିବା ଦାବିରେ ଦିଲ୍ଲୀରେ ଏହି ଦିନିକିଆ ଧାରଣାର ଆୟୋଜନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ରାଓଙ୍କ ସମେତ ଦଳର ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀ, ଗ୍ରାମାଂଚଳ ଏବଂ ସହରାଂଚଳର ନିର୍ବାଚିତ ପ୍ରତିନିଧିମାନେ ଭାଗ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ରାଓ ଧାରଣା ସ୍ଥଳରେ ଆୟୋଜିତ ସଭାରେ ଭାଷଣ ଦେଇ କହିଛନ୍ତି, ତେଲେଂଗାନା ଚାଷୀ ଭିକାରୀ ନୁହନ୍ତି, ସେମାନଙ୍କ ଭାବନାରେ ଆଘାତ ଲାଗିଲେ ସରକାରଙ୍କୁ ହଟାଇବା ସାମର୍ଥ୍ୟ ସେମାନଙ୍କର ରହିଛି । ତେଣୁ, ସେମାନଙ୍କ ନିକଟରୁ ୧୫ ଲକ୍ଷ ଟନ ଉଷୁନା ଚାଉଳ କିଣିବା ବ୍ୟବସ୍ଥା ହେଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଏକ ନୂଆ କୃଷି ନୀତି ଆଣିବାକୁ ସେ ପ୍ରସ୍ତାବ ଦେବା ସହ ତାଙ୍କ ସରକାର ସେଥିରେ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ରଖିଛନ୍ତି । ଯଦି ତାହା କରାଯାଉ ନାହିଁ ତେବେ ‘ତୁମ’ ସରକାର କ୍ଷମତାରୁ ଯିବ ଓ ନୂଆ ସରକାର ଆସିଲେ ଏକ ସମନ୍ୱିତ କୃଷି ନୀତି ଆଣିବେ ବୋଲି ରାଓ ଚେତାଇ ଦେଇଛନ୍ତି । ୨୦୧୪ରେ ତେଲେଂଗାନାରେ ଟିଆରଏସ୍ ସରକାର ପ୍ରତିଷ୍ଠା ହେବା ପରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରାଓଙ୍କ ଏହା ହେଉଛି ପ୍ରଥମ ପ୍ରତିବାଦ ଧାରଣା । ସେ ନିଜେ ଧାରଣାରେ ଉପସ୍ଥିତ ରହିବା ସହ ସଭା ସ୍ଥଳରୁ ରାଜ୍ୟର ଚାଷୀଙ୍କ ଠାରୁ ଉଷୁନା ଚାଉଳ କ୍ରୟ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଖାଦ୍ୟ, ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ ଚାଷୀଙ୍କ ଠାରୁ ୧୫ ଲକ୍ଷ ଟନ ଉଷୁନା ଚାଉଳ ଖର୍ଦ୍ଦି କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଗୋଏଲଙ୍କୁ ଯୋଡ ହସ୍ତରେ ନିବେଦନ କରୁଥିବା ଦର୍ଶାଇ ୨୪ ଘଂଟା ମଧ୍ୟରେ ତାହା କାର୍ଯ୍ୟକାରୀ ନହେଲେ ‘ଆମେ ଆମ ନିଷ୍ପତ୍ତି ନେବୁ’ ବୋଲି ରାଓ ଚେତାଇ ଦେଇଛନ୍ତି । ମୋଦୀ ସରକାରଙ୍କ ସତ୍ ସାହସ ଥିଲେ ତାଙ୍କୁ ଗିରଫ କରନ୍ତୁ ବୋଲି ମଧ୍ୟ କେସିଆର ଚ୍ୟାଲେଂଜ କରିଛନ୍ତି । ଗତ କିଛି ମାସ ହେଲା ବିଭିନ୍ନ ପ୍ରସଙ୍ଗକୁ ନେଇ ମୋଦୀ ସରକାର ଓ କେସିଆରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବଢିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଆଂଚଳିକ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ବିଜେପି ବିରୋଧୀ ଏକ ମେଂଟ ଗଠନ ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ତେଲେଂଗାନା ମୁଖ୍ୟମନ୍ତ୍ରୀ ପ୍ରମୁଖ ଭୂମିକାରେ ରହିଛନ୍ତି । ମୋଦୀ ସରକାରଙ୍କ ବିରୋଧରେ ବିଭିନ୍ନ ସମୟରେ କେସିଆରଙ୍କ କଟାକ୍ଷ ମଧ୍ୟ ଚର୍ଚ୍ଚାରେ ରହି ଆସିଛି । ଆଜି ରାଜ୍ୟର ଚାଷୀଙ୍କଠାରୁ ଉଷୁନା ଚାଉଳ କ୍ରୟ କରାଯିବା ଦାବି ନେଇ ଦିଲ୍ଲୀରେ ସେ ଧାରଣା ଦେବା ବିଜେପି ପାଇଁ ବଡ଼ ଆହ୍ୱାନ ହୋଇଛି । ଚଳିତ ଫସଲ ଋତୁରେ ତେଲେଂଗାନା ଚାଷୀଙ୍କ ଠାରୁ ଉଷୁନା ଚାଉଲ ଖର୍ଦ୍ଦି କରାଯିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା ବେଳେ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାଖାନ କରି ଦେଇଥିବା ଜଣାପଡିଛି । ଫଳରେ, ରାଜ୍ୟ ସରକାର ଚାଷୀଙ୍କ ଆଡୁ ଚାପରେ ଅଛନ୍ତି । ତାହା କେନ୍ଦ୍ର ସରକାରଙ୍କ ଆଡେ ମୁହାଁଇବା ପାଇଁ ଆଜିର ଏହି ଧାରଣା ଉଦ୍ଦିଷ୍ଟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ୨୦୨୦ରେ ଦେଶରେ ତିନି ନୂଆ କୃଷି ଆଇନ ଆଣିଥିଲେ । ତେବେ, ସେସବୁ ଆଇନ କୃଷକ ବିରୋଧୀ କହି ଅନ୍ୟୁନ ୪୦ଟି ଚାଷୀ ସଂଗଠନ ଏକ ବର୍ଷରୁ ଅଧିକ ସମୟ ଆନ୍ଦୋଳନ ଚଳାଇବାରୁ ଓ ଦିଲ୍ଲୀ ସୀମାନ୍ତକୁ ଅବରୋଧ କରି ରଖିବାରୁ ୨୦୨୧ ନଭେମ୍ବର ୨୯ ତାରିଖରେ ସେସବୁ ଆଇନ ପ୍ରତ୍ୟାହୃତ ହୋଇଥିଲା । ତିନି କୃଷି ଆଇନ ପ୍ରତ୍ୟାହାର ହେବାର ପ୍ରାୟ ୫ ମାସ ପରେ ପୂନର୍ବାର ଚାଷୀ ସମସ୍ୟାକୁ ନେଇ ଆଜି ଦିଲ୍ଲୀରେ ବଡ଼ ଧରଣର ଧାରଣା ଓ ପ୍ରତିବାଦ ସଭା ହୋଇଛି । ଏହି ଧାରଣାରେ ସଂଯୁକ୍ତ କିଶାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଓଙ୍କ ସହ ମଂଚାସୀନ ଥିଲେ । ତେଲେଂଗାନାର ଟିଆରଏସ୍ ସରକାର ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରସଙ୍ଗର ରାଜନୀତିକରଣ କରିବା ସହ ମଧ୍ୟସ୍ଥିଙ୍କୁ ଫାଇଦା ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ତେଲେଂଗାନା ବିଜେପି ସଭାପତି କୁମାର ଶନିବାର ଅଭିଯୋଗ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS