ଉଷୁନା ଚାଉଳ ବିବାଦ: ଓଡ଼ିଶା କେସିଆରଙ୍କ ରାସ୍ତାରେ ଯିବ ନା ନିଜ ରାସ୍ତାରେ ?
ପ୍ରସାଦ ରାଓ
ଏପ୍ରିଲ ୧୨
ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଜରିଆରେ କେନ୍ଦ୍ର ସରକାର ଦେଶର ଚାଉଳ ଉତ୍ପାଦନକାରୀ ରାଜ୍ୟମାନଙ୍କରୁ ଅରୁଆ ଚାଉଳ ଭଳି ବଳକା ଉଷୁନା ଚାଉଳ ମଧ୍ୟ ଖର୍ଦ୍ଦି କରିବାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ ତାହାକୁ ବିଚାରକୁ ନିଆଯାଉ ନଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିବାଦ ଘନିଭୂତ ହୋଇ କେନ୍ଦ୍ର-ରାଜ୍ୟ ସଂପର୍କକୁ ଅଧିକ ତୀକ୍ତ କରିବା ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡ଼ି) ଏହି ବିବାଦକୁ ସଂସଦ ଭିତରେ ସୀମିତ ରଖିଥିବା ବେଳେ ତେଲେଂଗାନା ସରକାର ତାହାକୁ ଏକ ଜାତୀୟ ପ୍ରସଙ୍ଗରେ ପରିଣତ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଗତ ମାସରେ ଓଡ଼ିଶାର ବିଜେଡ଼ି ସାଂସଦମାନେ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏଫସିଆଇ ମାଧ୍ୟମରେ ରାଜ୍ୟରୁ ଉଷୁନା ଚାଉଳ ଖର୍ଦ୍ଦି କରାଯିବା ଦାବିକୁ ଦୋହରାଇ ଥିଲେ । ବାରମ୍ବାର ଦାବି କରାଯିବା ପରେ ମଧ୍ୟ ଓଡ଼ିଶା ଚାଷୀଙ୍କଠାରୁ ଉଷୁନା ଚାଉଳ ଖଦ୍ଦି କରା ନଯିବା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ପ୍ରମୁଖ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶାର ସ୍ୱର ରାଜ୍ୟସଭା ଓ ଲୋକସଭାରେ ସୀମିତ ରହୁଥିବା ବେଳେ ତେଲେଂଗାନାର ଟିଆରଏସ୍ ସରକାର ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି । ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ରାଜ୍ୟରୁ ଉଷୁନା ଚାଉଳ କ୍ରୟ କରାଯିବା ଦାବି ସପକ୍ଷରେ ସୋମବାର ଦିନ ଦିଲ୍ଲୀ ତେଲେଂଗାନା ଭବନରେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ରାଓଙ୍କ ସହ ଟିଆରଏସ୍ ମନ୍ତ୍ରୀ, ସାଂସଦ, ବିଧାୟକ, ଗ୍ରାମାଂଚଳ ଓ ସହରାଂଚଳ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏହି ଦିଲ୍ଲୀ ଧାରଣାରେ ସାମିଲ ହୋଇଥିଲେ । କେସିଆର ମଂଚରୁ ମୋଦୀ ସରକାରଙ୍କୁ କଡା ଚେତାବନୀ ଦେଇ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଫସିଆଇ ମାଧ୍ୟମରେ କେନ୍ଦ୍ର ସରକାର ତେଲେଂଗାନାରୁ ୧୫ ଲକ୍ଷ ଟନ୍ ଉଷୁନା ଚାଉଳ ଖର୍ଦ୍ଦି କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ଏକ ନୂଆ କୃଷି ନୀତି ଆଣିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ସମନ୍ୱୀତ କୃଷି ନୀତି ଆଣିବାରେ ତାଙ୍କ ସରକାର ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ତାହା ନକଲେ କ୍ଷମତାରୁ ହଟିବେ ଓ ନୂଆ ସରକାର ଆସିଲେ ନୂଆ କୃଷି ନୀତି ଆଣିବ ବୋଲି ରାଓ ଚେତାବନୀ ଦେଇଛନ୍ତି । ୨୪ ଘଂଟା ମଧ୍ୟରେ କେନ୍ଦ୍ର ନିଷ୍ପତ୍ତି ନ ଜଣାଇଲେ ରାଜ୍ୟ ସରକାର ନିଜ ଆଡୁ ଯାହା କିଛି ନିଷ୍ପତ୍ତି ନେବେ ବୋଲି ମଧ୍ୟ କେସିଆର୍ କହିଛନ୍ତି ।କେନ୍ଦ୍ର ସରକାର ଚାଷୀଙ୍କ ଭାବାବେଗ ସହ ନ ଖେଳିବାକୁ କେସିଆର କେନ୍ଦ୍ରକୁ ଚେତାବନୀ ଦେବା ସହ ଚାଷୀଙ୍କ ଭାବନା ସହ ଖେଳିଲେ, ସରକାରଙ୍କୁ ବଦଳାଇ ଦେବା ସାମର୍ଥ୍ୟ ଚାଷୀଙ୍କ ରହିଛି ବୋଲି ଦେଇଥିବା ଚେତାବନୀ ଅନ୍ୟ ରାଜ୍ୟମାନଙ୍କ ଆଖି ଖୋଲି ଦେଲା ଭଳି ହୋଇଛି ।
ତେବେ, ଏହାକୁ ନେଇ ଅନ୍ୟ ଚାଉଳ ଉତ୍ପାଦନକାରୀ ରାଜ୍ୟଙ୍କ ତୁରନ୍ତ ପ୍ରତିକ୍ରିୟା ମିଳି ନଥିଲେ ମଧ୍ୟ କେନ୍ଦ୍ର ସରକାର ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି । ତେଲେଂଗାନା ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଧାରଣା କାର୍ଯ୍ୟକ୍ରମ ସାରି ହାଇଦ୍ରାବାଦ ଫେରିଥିବା ବେଳେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ଶାସନ ସଚିବ ସୁଧାଂଶୁ ପାଣ୍ଡେ ଗତକାଲି ସନ୍ଧ୍ୟାରେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି ‘ଆମେ ନୀତିଗତ ଦୃଷ୍ଟିରୁ ରାଜ୍ୟମାନଙ୍କରୁ କେବଳ ଅରୁଆ ଚାଉଳ ଖଦ୍ଦି କରିବୁ, କୌଣସି ରାଜ୍ୟରୁ ଉଷୁନା ଚାଉଳ ଖର୍ଦ୍ଦି କରାଯିବ ନାହିଁ’ ବୋଲି କହିଛନ୍ତିି । ପାଣ୍ଡେଙ୍କ ଯୁକ୍ତି ହେଉଛି, ଦେଶର ସମସ୍ତ କୃଷି ଭିତ୍ତିକ ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଗୋଟିଏ ଚାଉଳ ସଂଗ୍ରହ ନୀତି ରହିଛି । ରବି ଚାଷ ପାଇଁ ପ୍ରସ୍ତୁତି ସରିବା ପରେ ମନ୍ତ୍ରଣାଳୟ ଦୁଇଟି ବୈଠକ କରିଥିଲେ ମଧ୍ୟ ତେଲେଂଗାନା ସରକାରଙ୍କ ଆଡୁ ସ୍ଥିତାବସ୍ଥା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
୨୦୧୫-୧୬ ଖରିଫ ମାର୍କେଟିଂ ଋତୁରେ କେନ୍ଦ୍ର ସରକାର ତେଲେଂଗାନାରୁ ୩,୪୧୭ କୋଟି ଟଙ୍କା ମୂଲ୍ୟର ୧୫.୭୯ ଲକ୍ଷ ଟନ୍ ଚାଉଳ ସଂଗ୍ରହ କରିଥିବା ବେଳେ ୨୦୨୦-୨୧ରେ ୨୬,୬୪୧ କୋଟି ଟଙ୍କା ମୂଲ୍ୟର ୯୪.୫୪ ଳକ୍ଷ ଟନ୍ ଚାଉଳ ସଂଗ୍ରହ କରିଛନ୍ତି । ପଂଜାବରେ ମଧ୍ୟ ଚାଉଳ ଉତ୍ପାଦନ ହେଉଛି । ତେବେ, ରାଜ୍ୟରେ ତାହାର ଉପଯୋଗ ନଥିବାରୁ ସଂପୂର୍ଣ୍ଣ ଭାବେ ତାହା କେନ୍ଦ୍ରୀୟ ପୁଲ୍ କୁ ଆସୁଛି । ଅପରପକ୍ଷରେ, ତେଲେଂଗାନାରୁ ଉତ୍ପାଦିତ ଚାଉଳରୁ ପ୍ରାୟ ୯ ଲକ୍ଷ ଟନ୍ ରାଜ୍ୟରେ ଉପଯୋଗ ହେଉଥିବା ବେଳେ ବଳକା କେନ୍ଦ୍ରୀୟ ଏଜେନ୍ସୀକୁ ଆସିଥାଏ । ଏଫସିଆଇରେ ଉଷୁନା ଚାଉଳ ଷ୍ଟକ୍ ଭର୍ତ୍ତି ରହିଛି । ବିହାର, ପଶ୍ଚିମ ବଂଗ, କେରଳ ଓ ତାମିଳନାଡୁ ପ୍ରଭୃତି ରାଜ୍ୟରୁ ବହୁ ପରିମାଣର ଉଷୁନା ଚାଉଳ ଖର୍ଦ୍ଦି କରାଯାଇଛି । ତେଣୁ, କେନ୍ଦ୍ର ସରକାର ୨୦୨୧-୨୨ ଖରିଫ ମାର୍କେଟିଂ ଋତୁରେ କୌଣସି ରାଜ୍ୟରୁ ଉଷୁନା ଚାଉଳ ଖର୍ଦ୍ଦି କରିବ ନାହିଁ ବୋଲି ୨୦୨୧ ଅଗଷ୍ଟ ୧୭ ତାରିଖରେ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ସେହି ଅନୁସାରେ କୌଣସି ରାଜ୍ୟରୁ ଉଷୁନା ଚାଉଳ ଖର୍ଦ୍ଦି ହେବ ନାହିଁ ବୋଲି ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ।
ପାଣ୍ଡେ ଏହାମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର କୌଣସି ରାଜ୍ୟରୁ ଉଷୁନା ଚାଉଳ ଖର୍ଦ୍ଦି କରିବେ ନାହିଁ ବୋଲି ୨୦୨୧ ଅଗଷ୍ଟରେ ନିଷ୍ପତ୍ତି ନେଇଥିଲେ ମଧ୍ୟ ତେଲେଂଗାନା ସରକାରଙ୍କ ଅନୁରୋଧକ୍ରମେ ୨୦୨୦-୨୧ ଖରିଫ ମାର୍କେଟିଂ ଋତୁରେ ରାଜ୍ୟରୁ ୪୪.୭୫ ଲକ୍ଷ ମେଟି୍ରିକ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବାକୁ ଏଫସିଆଇକୁ ଅନୁମତି ଦେଇଥିଲେ । ରାଜ୍ୟ ସରକାର ଏଥିସକାଶେ ୨୦୨୧ ଅକ୍ଟୋବର ୪ ତାରିଖରେ ଏକ ପ୍ରତିଶ୍ରୁତିପତ୍ର ଦେଇଥିଲେ । ଭବିଷ୍ୟତରେ ଆଉ ଉଷୁନା ଚାଉଳ କିଣିବାକୁ କେନ୍ଦ୍ର ଉପରେ ଚାପ ପକାଇବେ ନାହିଁ ବୋଲି ସେଥିରେ ଦର୍ଶାଯାଇଥିଲା । ବର୍ତ୍ତମାନ ତେଲେଂଗାନା ସରକାର ରାଜ୍ୟରୁ ୧୫ ଲକ୍ଷ ଟନ୍ ଉଷୁନା ଚାଉଳ କିଣିବାକୁ ଚାପ ପକାଇବା ଅଯୌକ୍ତିକ ବୋଲି ପାଣ୍ଡେ ଦର୍ଶାଇଛନ୍ତି । ପାଣ୍ଡେଙ୍କ ସାମ୍ବାଦିକ ସମ୍ମିଳନୀ ପରେ ତେଲେଂଗାନା ସରକାରଙ୍କ ପ୍ରତିକ୍ରିୟା ମିଳି ନାହିଁ ।
କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରଣାଳୟ ଶାସନ ସଚିବ ପାଣ୍ଡେ ଗତକାଲି ଦିଲ୍ଲୀରେ ଯାହା କହିଛନ୍ତି ତାହା ଓଡ଼ିଶା ପାଇଁ ମଧ୍ୟ ପ୍ରଯୁଜ୍ୟ । ଗତ ଫେବୃୟାରୀ ମାସରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଯେଉଁ ତଥ୍ୟ ରଖିଛନ୍ତି ସେହି ଅନୁସାରେ ରାଜ୍ୟରେ ମୋଟ ଉତ୍ପାଦନର ୯୫ ପ୍ରତିଶତ ହେଉଛି ଉଷୁନା ଚାଉଳ । ୨୦୨୧-୨୨ ଖରିଫ ମାର୍କେଟିଂ ଋତୁରେ ରାଜ୍ୟରୁ ପ୍ରାୟ ୫୨ ଲକ୍ଷ ଟନ୍ ଚାଉଳ ସଂଗ୍ରହ ଧାର୍ଯ୍ୟ ହୋଇଥିବା ବେଳେ ସେଥିରୁ ୩୦ ଲକ୍ଷ ଟନ୍ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ବଂଟନ ହେବା ପରେ ୨୨ ଲକ୍ଷ ଟନ୍ ଉଷୁନା ଚାଉଳ ବଳକା ରହୁଛି । ଚଳିତ ବର୍ଷ ଏଫସିଆଇ ରାଜ୍ୟରୁ ମାତ୍ର ୫ ଲକ୍ଷ ଟନ୍ ଉଷୁନା ଚାଉଳ ଓ ୨ ଲକ୍ଷ ଟନ୍ ଅରୁଆ ଚାଉଳ ସଂଗ୍ରହ କରିବାକୁ ଟାର୍ଗେଟ୍ ରଖିଥିବାରୁ ବଳକା ୧୫ ଲକ୍ଷ ଟନ୍ ଉଷୁନା ଚାଉଳ ରାଜ୍ୟ ସରକାର କଣ କରିବେ (?) ବୋଲି ପ୍ରଶ୍ନ କରିଥିଲେ ।
ଓଡ଼ିଶାର ବିଜେଡ଼ି ସାଂସଦମାନେ ସଂସଦରେ ବାରମ୍ବାର ଏହି ପ୍ରଶ୍ନ ଉଠାଉ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଗୋଟିଏ ଜବାବ ହେଉଛି – ସରକାର କୌଣସି ରାଜ୍ୟରୁ ଉଷୁନା ଚାଉଳ ଖର୍ଦ୍ଦି ନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ପାଇଁ ମଧ୍ୟ ତାହା ପ୍ରଯୁଜ୍ୟ । ଏଭଳି ସ୍ଥିତିରେ ଓଡ଼ିଶା ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ (?), ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭଳି ଓଡ଼ିଶାର ବିଜେଡ଼ି ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଧାରଣା ଦେବା ଓ ମୋଦୀ ସରକାରଙ୍କ ବିରୋଧରେ ବିଦ୍ରୋହ କରିବା ସମ୍ଭାବନା କ୍ଷୀଣ । ତଥାପି, ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବିଜେଡ଼ି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ କିଛି ଗୋଟାଏ ଆଖିଦୃଶିଆ ପଦକ୍ଷେପ ନେବା ସମ୍ଭାବନାକୁ ଏଡାଇ ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS