ଦିଲ୍ଲୀରେ ହନୁମାନ ଜୟନ୍ତୀ ରାଲି ଉପରେ ଟେକାମାଡ଼ରୁ ସାଂପ୍ରଦାୟିକ ହିଂସା


ପ୍ରସାଦ ରାଓ
ଏପ୍ରିଲ ୧୭
ଗତକାଲି ରାତିରେ ଦିଲ୍ଲୀର ଜାହାଂଗିରପୁରୀ ଅଂଚଳରେ ହିନ୍ଦୁ ସଂପ୍ରଦାୟର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବାରୁ ସଂପ୍ରଦାୟିକ ହିଂସା ଘଟି ୮ ଜଣ ପୁଲିସ କର୍ମଚାରୀଙ୍କ ସମେତ ୯ ଜଣ ଆହତ ହୋଇଥିବା ଜଣାପଡିଛି । ହିଂସାକାଣ୍ଡ ବେଳେ ଦିଲ୍ଲୀ ପୁଲିସର ମେଧାଲାଲ ମୀନା ନାମକ ଜଣେ ସବ୍ ଇନିସପେକ୍ଟରଙ୍କ ହାତରେ ଗୁଳି ବାଜିଛି । ତେବେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପୁଲିସ କହିଛନ୍ତି । ଅସଲାମ ନାମକ ଜଣେ ବ୍ୟକ୍ତି ଗୁଳି ଫୁଟାଇ ଥିବା ଅଭିଯୋଗ ହୋଇଛି । ଅସଲାମକୁ ପୁଲିସ ଗିରଫ କରିବା ସହ ତାଙ୍କ ନିକଟକରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛନ୍ତି । ହିଂସାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟମାନଙ୍କୁ ଚିହ୍ନଟ କରି ଗିରଫ କରିବା ଅଭିଯାନ ଚଳାଇଛନ୍ତି । ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଂଚ ଓ ସ୍ପେଶାଲ ସେଲ୍ ଅଧିକାରୀଙ୍କୁ ନେଇ ୧୦ଟି ଟିମ୍ ଗଠନ କରାଯାଇ ଗତକାଲି ରାତି ଘଟଣାର ତଦନ୍ତ କରାଯାଉଛି । ପୁଲିସ ଦଙ୍ଗା, ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ଆଇନରେ ଏକ ମାମଲା ରୁଜୁ କରିଛନ୍ତି । ପୁଲିସରେ ହୋଇଥିବା ଏତଲା ଅନୁଯାୟୀ, ରାତିରେ ଜାହାଂଗିରପୁରୀ ଅଂଚଳର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲି ଥିଲା । ଶୋଭାଯାତ୍ରାକାରୀ ଏକ ମସଜିଦ୍ ଅତିକ୍ରମ କରିବା ସମୟରେ ଅନସାର ନାମକ ଜଣେ ବ୍ୟକ୍ତି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହା ପରେ ଦୁଇ ପକ୍ଷ ମଧ୍ୟରେ ଟେକା ଫିଙ୍ଗାଫିଙ୍ଗି ହୋଇ ହିଂସାର ସୂତ୍ରପାତ ହୋଇଥିଲା । ପୁଲିସ ଗିରଫ କରିଥିବା ୧୪ ଜଣଙ୍କ ମଧ୍ୟରେ ଅନସାର ଅଛନ୍ତି । ସ୍ଥାନୀୟ ବାସିନ୍ଦା ନୁର ଜାହାନଙ୍କ କହିବା ଅନୁଯାୟୀ, ଗଣ୍ଡଗୋଳ ମସଜିଦ୍ ନିକଟରୁ ଆରମ୍ଭ ହୋଇଥିବା ଅଭିଯୋଗ ଠିକ୍ ନୁହେଁ । ପ୍ରଥମ ଥର ପାଇଁ ହିନ୍ଦୁ ସଂପ୍ରଦାୟ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରୁଥିବା ଗତକାଲି ରାତିରେ ଦେଖିବାକୁ ମିଳି ଥିଲା । ଅପରପକ୍ଷରେ, ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ଥିବା ରାକେଶ ନାମକ ଜଣେ ଯୁବକ କହିଛନ୍ତି, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ଯାଉଥିବା ବେଳେ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବାରୁ ତାହାର ପାଲଟା ଜବାବ ଦିଆଯାଇଛି । ପୁଲିସ କହିଛନ୍ତି, ଜାହାଂଗିରପୁରୀ ସମେତ ଅନ୍ୟ ସ୍ପର୍ଶକାତର ଅଂଚଳ ଉପରେ ଗତକାଲି ରାତିରେ ସତର୍କ ଦୃଷ୍ଟି ରଖା ଯାଇଥିଲା । ସକାଳୁ ବ୍ୟାପକ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସିଆରପିଏଫ ଓ ରାପିଡ଼ ଆକ୍ସନ ଫୋର୍ସର ସହାୟତା ନିଆଯାଇଛି । ସଂପୃକ୍ତ ଅଂଚଳରେ ଥିବା ଶାନ୍ତ କମିଟି ସହ ପୁଲିସ ଆଜି କଥାବାର୍ତ୍ତା ହୋଇଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଗୁଜବ ଓ ଅପପ୍ରଚାରଠାରୁ ଅଂଚଳବାସୀ ଦୂରେଇ ରହିବାକୁ ପୁଲିସ ନିବେଦନ କରିଛନ୍ତି । ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ଥାନା ଗତକାଲି ରାତିରେ କହିଛନ୍ତି, ପୁଲିସ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସ୍ଥାନାଙ୍କ ସହ କଥା ହୋଇଥିବା ଓ ତଦନ୍ତ ରିପୋର୍ଟର ନକଲ ଗୃହ ମନ୍ତ୍ରଣାଳୟକୁ ପଠାଇବାକୁ ଆସ୍ଥାନାଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଗତକାଲି ରାତି ଘଟଣାକୁ ନିନ୍ଦ କରିଛନ୍ତି । ହିଂସାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିବା ସହ ଅଂଚଳବାସୀ ଶାନ୍ତି ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS